Categories
ବିଶେଷ ଖବର ବ୍ୟବସାୟ

ସେବା ଶୁଳ୍କ ଆଦାୟ କରିପାରିବେ ନାହିଁ ହୋଟେଲ କିମ୍ବା ରେସ୍ତୋରାଁ: ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କୌଣସି ହୋଟେଲ କିମ୍ବା ରେସ୍ତୋରାଁ ସ୍ବତଃପ୍ରବୃତ ଭାବେ କିମ୍ବା ଭୁଲବଶତଃ ଖାଦ୍ୟ ବିଲ ଉପରେ ସେବା ଶୁଳ୍କ (ସର୍ଭିସ ଚାର୍ଜ) ଆଦାୟ କରିପାରିବେ ନାହିଁ ବୋଲି ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି। ହୋଟେଲ ଓ ରେସ୍ତୋରାଁରେ ସେବା ଶୁଳ୍କ ଲାଗୁ କରିବା ସଂକ୍ରାନ୍ତରେ ଅନୁଚିତ ବ୍ୟବସାୟିକ କାର୍ଯ୍ୟ ପଦ୍ଧତି ଏବଂ ଉପଭୋକ୍ତା ଅଧିକାର ଉଲ୍ଲଙ୍ଘନ ରୋକିବାକୁ କେନ୍ଦ୍ର ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (ସିସିପିଏ) ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି।

କୌଣସି ଅନ୍ୟ ଶୁଳ୍କ ନାଁରେ ମଧ୍ୟ ସେବା ଶୁଳ୍କ ଆଦାୟ କରାଯାଇ ପାରିବ ନାହିଁ ବୋଲି ମାର୍ଗଦର୍ଶିକାରେ ସ୍ପଷ୍ଟ କରାଯାଇଛି। କୌଣସି ହୋଟେଲ କିମ୍ବା ରେସ୍ତୋରାଁ ଉପଭୋକ୍ତାଙ୍କୁ ସେବା ଶୁଳ୍କ ପଇଠ କରିବା ଲାଗି ବାଧ୍ୟ କରିବେ ନାହିଁ। ସେବା ଶୁଳ୍କ ଇଚ୍ଛାଧୀନ, ବିକଳ୍ପ ଏବଂ ଉପଭୋକ୍ତାଙ୍କ ଅଧିକାରଭୁକ୍ତ ବୋଲି ଉପଭୋକ୍ତାଙ୍କୁ ସ୍ପଷ୍ଟ ଭାବେ କୁହାଯିବ । ସେବା ଶୁଳ୍କ ସଂଗ୍ରହ ଆଧାରରେ ସେବାର ପ୍ରଦାନ ଏବଂ ବ୍ୟବସ୍ଥା କରିବା ଉପରେ କୌଣସି ପ୍ରତିବନ୍ଧ ଲାଗୁ କରାଯିବ ନାହିଁ। ସେବା ଶୁଳ୍କକୁ ଖାଦ୍ୟ ବିଲ ସହ ମିଶାଇ ଏବଂ ମୋଟ ଅର୍ଥରାଶି ଉପରେ ଜିଏସଟି ଲାଗୁ କରି ଏକତ୍ରିତ କରାଯିବ ନାହିଁ।

କୌଣସି ହୋଟେଲ କିମ୍ବା ରେସ୍ତୋରାଁ ମାର୍ଗଦର୍ଶିକା ଉଲ୍ଲଙ୍ଘନ କରୁଥିବା ଉପଭୋକ୍ତା ଦେଖିଲେ, ସମ୍ପୃକ୍ତ ହୋଟେଲ କିମ୍ବା ରେସ୍ତୋରାଁକୁ ବିଲ ପରିମାଣରୁ ସେବା ଶୁଳ୍କ ବାଦ୍‌ ଦେବାକୁ ଅନୁରୋଧ କରିପାରିବେ। ଏଥିସହିତ ଉପଭୋକ୍ତା ଜାତୀୟ ହେଲ୍ପଲାଇନ (ଏନସିଏଚ)ରେ ୧୯୧୫କୁ କଲ କରିପାରିବେ କିମ୍ବା ଏନସିଏଚ୍‌ ମୋବାଇଲ ଆପ୍‌ ମାଧ୍ୟମରେ ଅଭିଯୋଗ ଦାଖଲ କରିପାରିବେ। ମାମଲା ପୂର୍ବରୁ ବିକଳ୍ପ ବିବାଦ ସମାଧାନ ବ୍ୟବସ୍ଥା ଭାବେ ଏହା କାମ କରିଥାଏ।

ଉପଭୋକ୍ତା ଅନୁଚିତ ବ୍ୟବସାୟ କାର୍ଯ୍ୟ ପଦ୍ଧତି ବିରୋଧରେ ଉପଭୋକ୍ତା ଆୟୋଗରେ ଅଭିଯୋଗ ମଧ୍ୟ ଦାଖଲ କରାଯାଇ ପାରିବ। ତୁରନ୍ତ ଏବଂ ପ୍ରଭାବୀ ଢଙ୍ଗରେ ଅଭିଯୋଗ ସମାଧାନ ଲାଗି ଇ-ଦାଖଲ ପୋର୍ଟାଲ www.e-daakhil.nic.in ମାଧ୍ୟମରେ ଇଲେକ୍ଟ୍ରୋନିକ ପଦ୍ଧତିରେ ଅଭିଯୋଗ ଦାଖଲ କରାଯାଇପାରିବ। ଏଥିସହିତ ଯାଞ୍ଚ ଏବଂ ସିସିପିଏ ଦ୍ବାରା ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଲାଗି ଉପଭୋକ୍ତା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଦାଖଲ କରିପାରିବେ। ସିସିପିଏକୁ [email protected]. ଇ-ମେଲରେ ଅଭିଯୋଗ ପଠାଯାଇ ପାରିବ। ସେବା ଶୁଳ୍କ ଲାଗୁ କରିବା ସମ୍ପର୍କରେ ଉପଭୋକ୍ତାଙ୍କ ଦ୍ବାରା ଜାତୀୟ ଉପଭୋକ୍ତା ହେଲ୍ପଲାଇନ (ଏନସିଏଚ)ରେ ଅନେକ ଅଭିଯୋଗ ଦାଖଲ କରାଯାଇଛି। ରେସ୍ତୋରାଁଗୁଡ଼ିକ ବାଧ୍ୟତାମୂଳକ ଭାବେ ସେବା ଶୁଳ୍କ ଲାଗୁ କରିବା, ସ୍ବତଃପ୍ରବୃତ୍ତ ଭାବେ ବିଲରେ ସେବା ଶୁଳ୍କକୁ ଯୋଡ଼ିବା, ଏପରି ଶୁଳ୍କ ପଇଠ କରିବା ଇଚ୍ଛାଧୀନ, ବିକଳ୍ପ ଆଧାରିତ ବୋଲି ଗ୍ରାହକଙ୍କୁ ଠିକ୍‌ ଭାବେ ସଚେତନ ନକରିବା ଏବଂ ସେବା ଶୁଳ୍କ ପଇଠ କରିବାକୁ ରାଜି ନହେଲେ ଉପଭୋକ୍ତାଙ୍କୁ ଶୋଷଣ କରିବା ଭଳି ଅଭିଯୋଗ ଏଥିରେ ସାମିଲ ରହିଛି।

ସେବା ଶୁଳ୍କ ସଂକ୍ରାନ୍ତ ବିଭିନ୍ନ ମାମଲାରେ ଉପଭୋକ୍ତା ଆୟୋଗ ଉପଭୋକ୍ତାଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି ଏବଂ ଏଭଳି ଶୁଳ୍କ ଆଦାୟକୁ ଅନୁଚିତ ବ୍ୟବସାୟିକ ପଦ୍ଧତି ଏବଂ ଉପଭୋକ୍ତାଙ୍କ ଅଧିକାର ଉଲ୍ଲଙ୍ଘନ ବୋଲି ଦର୍ଶାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ସଂସ୍କୃତି

ଘରେ ସବୁଦିନ ଖାଉଥିବା ଓଡ଼ିଆ ଖାଦ୍ୟ ହେଉଛି ଆମର ସବୁଠୁ ବଡ ବ୍ରାଣ୍ଡ ଓ ପରିଚୟ

ପ୍ରିୟ ରଞ୍ଜନ ସାହୁ

ନବେ ଦଶକରେ ଦିଲ୍ଲୀରେ ମୁଁ କାର୍ଯ୍ୟରତ ଥିଲି ଦଶ ବର୍ଷରୁ ଉର୍ଦ୍ଧ୍ଵ। ଅବିବାହିତ ଜୀବନ।  ଖାଇବାର କିଛି ଠିକ ଠିକଣା ନଥିଲା। କେତେବେଳେ ଘରେ ରୋଷେଇ ବା କେତେବେଳେ ବାହାରେ ଖାଇବା ହେଉଥିଲା। ବେଳେବେଳ ଘର ଖାଦ୍ୟ ଖାଇବାକୁ ମନ କରୁଥିଲା।

କିନ୍ତୁ ଦିଲ୍ଲୀରେ ଓଡ଼ିଆ ଖାଦ୍ୟ କୌଣସି ହୋଟେଲ କିମ୍ବା ରେସ୍ତୋରାଁ ରେ ମିଳୁ ନ ଥିଲା।  ଓଡ଼ିଆ ଖାଦ୍ୟ ଖାଇବାକୁ ହେଲେ ଓଡିଶା ଭବନ କିମ୍ବା ଜଗନ୍ନାଥ ମନ୍ଦିର ଯିବାକୁ ପଡୁଥିଲା।

କିନ୍ତୁ ଦିଲ୍ଲୀରେ ଦକ୍ଷିଣ ଭାରତୀୟ ଖାଦ୍ୟ ସବୁଆଡେ ଉପଲବ୍ଧ ହେଉଥିଲା। ସବୁଆଡେ ସାଉଥ ଇଣ୍ଡିଆନ ରେସ୍ତୋରାଁ। କେବଳ ଦିଲ୍ଲୀ ନୁହେଁ, ଦକ୍ଷିଣ ଭାରତୀୟ ଖାଦ୍ୟର ପ୍ରଭାବ ଆପଣମାନେ ଦେଶର ସବୁ ଜାଗାରେ ଦେଖିବାକୁ ପାଇବେ। ଓଡ଼ିଶାରେ ମଧ୍ୟ ଭୁବନେଶ୍ୱର, କଟକ, ସମ୍ବଲପୁର, ବ୍ରହ୍ମପୁର, ରାଉରକେଲା ଇତ୍ୟାଦି ସହରମାନଙ୍କରେ ଆମେ ସାଉଥ ଇଣ୍ଡିଆନ ରେସ୍ତୋରାଁ ଦେଖିବାକୁ ପାଉ।

ଦକ୍ଷିଣ ଭାରତୀୟ ଖାଦ୍ୟର ବିଶେଷତ୍ଵ କଣ ? ମତେ ଯଦି ପଚାରିବେ, ଦକ୍ଷିଣ ଭାରତୀୟ ଖାଦ୍ୟ ମୋର ଭାରି ପ୍ରିୟ। କାହିଁକିନା ସେ ଖାଦ୍ୟର ସରଳତା ହେଉଛି ତାହାର ସବୁଠୁ ବଡ ଆକର୍ଷଣ। ବଡା, ଦୋସା, ଇଡ଼ଲି ସାମ୍ବର ଭଳି ବ୍ୟଞ୍ଜନ ଦକ୍ଷିଣ ଭାରତୀୟ ଘରମାନଙ୍କରେ ସବୁଦିନିଆ ଆହାର ଏବଂ ଠିକ ସେହି ଜିନିଷ ଗୁଡିକ ସେମାନଙ୍କ  ରେସ୍ତୋରାଁ ମାନଙ୍କରେ ମଧ୍ୟ ଉପଲବ୍ଧ ହୋଇଥାଏ।

ଠିକ ସେହିଭଳି ଆମ ଓଡ଼ିଆ ଖାଦ୍ୟ  ମଧ୍ୟ ବହୁତ ସରଳ ଓ ସୁସ୍ୱାଦୁ। ଡାଲମା, ଘାଣ୍ଟ, ଶାଗ, ବଡିଚୂରା, ମାଛ ତରକାରୀ ପ୍ରଭୃତି ଓଡ଼ିଶାରେ ଯେମିତି ତିଆରି ହୁଏ ବୋଧହୁଏ ଭାରତର ଅନ୍ୟ କୌଣସି ଜାଗାରେ ହେଉନଥିବ। ପଶ୍ଚିମ ଓଡ଼ିଶାର ବିଶେଷ ବ୍ୟଞ୍ଜନ ଆମ୍ବିଳ ବା ଦୁଲଡୁଲା ବା ଲେଥା ଯେଉଁଟା ଗୋଟିଏ ସ୍ୱାସ୍ଥ୍ୟକର ଭେଜିଟେଵଲ ସୁପ, ମହାରାଷ୍ଟ୍ର, ଗୁଜରାଟ ବା ପଂଜାବୀ କଢି ଠାରୁ ସ୍ୱାଦ ଏବଂ ଉତ୍କର୍ଷରେ କୌଣସି ଗୁଣରେ କମ ନୁହେଁ।

ଆମର ବିଭିନ୍ନ ସହରର ଷ୍ଟ୍ରୀଟ ଫୁଡ଼ ଯଥା କଟକର ଦହିବରା ଆଳୁଦମ, ସମ୍ବଲପୁରର ସିଙ୍ଗଡ଼ା ଓ ଚାଟ, ଢେଙ୍କାନାଳର ବରା, ସୋନପୁରର ଚାଉଳବରାର ସ୍ୱାଦ ଖୁବ ନିଆରା। ମୁଁ ଓଡ଼ିଶାର ଅନନ୍ୟ ମିଷ୍ଟାନ୍ନ ଗୁଡିକର କଥା ଏଠି କହୁନାହିଁ।

 

କିନ୍ତୁ ଏହିସବୁ ଆକର୍ଷଣୀୟ ଓ ସୁସ୍ଵାଦୁ ଖାଦ୍ୟର ଭଣ୍ଡାର ଏଠି ଥାଇ ମଧ୍ୟ ଓଡିଶା ଖାଦ୍ୟ ବାହାରେ ଏତେ ଜଣାଶୁଣା ନୁହେଁ କାହିଁକି ? ଯଦିଓ ଓଡିଶା ଭିତରେ  ଆମେ ଅନେକ ସାଉଥ ଇଣ୍ଡିଆନ, ପଂଜାବୀ ଓ ମାରୱାଡି ବାସା ଖାଦ୍ୟ ବିଷୟରେ ଖୁବ ଅବଗତ ଅଛୁ।

ମୋର ମନେ ହୁଏ ଆମେ ଖାଦ୍ୟର ଉତ୍କର୍ଷ ବିଷୟରେ କେବେ ବାହାର ଲୋକଙ୍କୁ ଅବଗତ କରେଇବାକୁ ଚେଷ୍ଟା କରି ନାହୁଁ। ଏ କ୍ଷେତ୍ରରେ ଅନ୍ୟ ପୂର୍ବ ଭାରତୀୟ ମାନଙ୍କ ଭଳି ଆମର ଚାକିରୀ କେନ୍ଦ୍ରିକ ମାନସିକତାକୁ ମୁଁ ଦାୟୀ କରିବି। ଆମର ଉଦ୍ୟୋଗୀ ମନୋଭାବର ଅଭାବ ଯୋଗୁଁ ଆମେ ଓଡ଼ିଆ ଖାଦ୍ୟର ଠିକ ବ୍ରାଣ୍ଡିଙ୍ଗ କରିପାରିନାହୁଁ।

ଦକ୍ଷିଣ ଭାରତୀୟ ଖାଦ୍ୟର ପ୍ରସାରକୁ ଆମେ ଉଦାହରଣ ଭାବରେ ନେଇପାରିବା। ଆମେ ଉଡୁ଼ପି, କର୍ଣ୍ଣାଟକ ବ୍ରାଣ୍ଡରେ ଭୋଜନାଳୟ ସମୂହ (ଚେନ) ଦେଶର ବିଭିନ୍ନ ସ୍ଥାନରେ ଦେଖୁ, କାହିଁକି ସେହି ଅଞ୍ଚଳ  ଗୁଡିକର ଲୋକମାନେ ଦକ୍ଷିଣ ଭାରତୀୟ ଖାଦ୍ୟ ବ୍ୟବସାୟ ରେ ଅଛନ୍ତି। ମୁମ୍ବାଇରେ କର୍ଣ୍ଣାଟକ ଅଞ୍ଚଳର ସେଟ୍ଟୀ ସମ୍ପ୍ରଦାୟ  ରେସ୍ତୋରାଁ ବ୍ୟବସାୟ ରେ ବହୁତ ସକ୍ରିୟ।

ଓଡ଼ିଆ ଖାଦ୍ୟର ପ୍ରଚାର ଓ ପ୍ରସାର ଆମେ ନିଜେ କରିପାରିବା। ସ୍ୱତନ୍ତ୍ର ଓଡ଼ିଆ ଖାଦ୍ୟର ରେସ୍ତୋରାଁ ସମୂହ ଓଡିଶା ଓ ଓଡିଶା ବାହାରେ ସୁପର ହିଟ ହେବ, ଏ ବିଷୟରେ ମୁ ନିଶ୍ଚିତ। ଏଇ  କିଛି ବର୍ଷ ମଧ୍ୟରେ ସେଭଳି ଅନେକ ଭୋଜନାଳୟ ଅବଶ୍ୟ ହେଲାଣି।

ଓଡ଼ିଶାରେ ବିଶ୍ୱକପ ହକି ସମୟରେ ଅନେକ ଦେଶୀ ଓ ବିଦେଶୀ ପର୍ଯ୍ୟଟକ ଓଡ଼ିଆ ଖାଦ୍ୟ ବିଷୟରେ ଆଗ୍ରହ ସହିତ ଚର୍ଚ୍ଚା କରୁଥିବା ଓ ସେଭଳି ଖାଦ୍ୟ ପରିବେଷଣ କରୁଥିବା ଭୋଜନାଳୟ ଖୋଜୁଥିବା ମୁଁ ଦେଖିଲି। ନିଜକୁ ଗର୍ବିତ ମନେ କଲି।

ଆମେ ମାନେ ରଖିବା ଉଚିତ ଯେ ଯେଉଁ ଖାଦ୍ୟ ଆମେ ସାଧାରଣତଃ ଘରେ ଖାଉ, ସେହି ଖାଦ୍ୟ ଆମ ଓଡିଶାର ସବୁଠୁ ବଡ ବ୍ରାଣ୍ଡ।