Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

କରୋନା ସଂକ୍ରମଣ ପରେ ପାକିସ୍ତାନର ପୂର୍ବତନ ଗୃହମନ୍ତ୍ରୀ ରେହମାନ ମଲିକଙ୍କ ଦେହାନ୍ତ

ନୂଆଦିଲ୍ଲୀ: ପାକିସ୍ତାନର ବରିଷ୍ଠ ନେତା ତଥା ପୂର୍ବତନ ଗୃହମନ୍ତ୍ରୀ ରେହମାନ ମଲିକଙ୍କ ଦେହାନ୍ତ ହୋଇଛି। କରୋନା ସଂକ୍ରମିତ ହେବା ପରେ ତାଙ୍କୁ ଇସଲାମାବାଦ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତାଙ୍କ ମୁଖପାତ୍ର ରିୟାଜ ଅହମ୍ମଦ ତୁରୀ ନିଶ୍ଚିତ କରିଛନ୍ତି ଯେ, କୋପିଡ -୧୯ ସହ ଜଡିତ ଜଟିଳତା ହେତୁ ପିପିପି ସିନେଟରଙ୍କୁ ଇସଲାମାବାଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ପାକିସ୍ତାନର ବରିଷ୍ଠ ନେତା ତଥା ପୂର୍ବତନ ଗୃହମନ୍ତ୍ରୀ ରେହମାନ ମଲିକଙ୍କ ମୃତ୍ୟୁ ପରେ ଅନେକ ରାଜନେତା ଦୁଃଖ ପ୍ରକାଶ କରିଛନ୍ତି। ତାଙ୍କ ପତ୍ନୀ ଏବଂ ଦୁଇ ପୁଅ ଅଛନ୍ତି। ଚଳିତ ମାସ ଫେବୃଆରୀ ୧ ତାରିଖରେ ପିପିପି ସିନେଟର ସେହର କାମ୍ରାନ କହିଥିଲେ ଯେ, ରେହମାନ ମଲିକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଛି। ଯେଉଁଥିପାଇଁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ରେହମାନ ମଲିକ କରାଚି ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ ଡିଗ୍ରୀ ହାସଲ କରିଥିଲେ।

୨୬/୧୧ ଆକ୍ରମଣ ସମୟରେ ରେହମାନ ମଲିକ ପାକିସ୍ତାନର ଗୃହମନ୍ତ୍ରୀ ଥିଲେ। ତାଙ୍କ ଶାସନ କାଳରେ ତାଙ୍କୁ ପାକିସ୍ତାନ ସରକାରଙ୍କ ଦ୍ୱାରା ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ମଧ୍ୟରୁ ସୀତାରା-ଇ-ଶୁଜାତ୍ ମଧ୍ୟ ପ୍ରଦାନ କରାଯାଇଥିଲା। ସେ ୨୦୦୮ ରୁ ୨୦୧୩ ପର୍ଯ୍ୟନ୍ତ ପାକିସ୍ତାନର ଗୃହମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ।