Categories
ଆଜିର ଖବର ରାଜ୍ୟ ଖବର

ମୋ କଲେଜ ଅଭିଯାନ: ବାଣପୁରରେ ଛାତ୍ରୀମାନଙ୍କ ଦ୍ଵାରା ସାଇକେଲ ରାଲି ଓ ପଥପ୍ରାନ୍ତ ନାଟକ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜାଦି କି ଅମୃତ ମହୋତ୍ସବ ଅବସରରେ ଆଜି ପୂର୍ବାହ୍ନରେ ମୋ କଲେଜ ଅଭିଯାନ ଅନ୍ତର୍ଗତ ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ଏନଏସଏସ, ଏନସିସି,  ରୋଭର୍ସ ଏବଂ ରେଞ୍ଜରର୍ସ ଓ ରେଡକ୍ରସ ୟୁନିଟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ସାଇକେଲ ରାଲି ଏବଂ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଯାଇଛି। ସାଇକେଲ ରାଲିଟି ମହାବିଦ୍ୟାଳୟ ସମ୍ମୁଖରୁ ବାହାରି ମା’ ଭଗବତୀ ମନ୍ଦିର ଦେଇ ସହର ଅତିକ୍ରମ କରି ପଲଟନ ପଡିଆଠାରେ ସମାପ୍ତ ହୋଇଥିଲା।

ସେହିପରି ଭାବେ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ପାର୍ଥସାରଥୀ ସାମନ୍ତରାୟ ଙ୍କ ରଚନା ନିର୍ଦେଶନାରେ ‘ ମୁଁ ପାଇକ କହୁଛି’ ଶୀର୍ଷକରେ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରାଯାଇଥିଲା। ଉକ୍ତ ନାଟକରେ ଛାତ୍ରୀମାନେ ଭାଗ ନେଇଥିବା ବେଳେ ଖୁବ ଚିତ୍ତାକର୍ଶକ ଢଙ୍ଗରେ ଏହାକୁ ପରିବେଷଣ କରିଥିଲେ। ୧୮୧୭ ମସିହା ବାଣପୁର ପାଇକ ବିଦ୍ରୋହ ଉପରେ ନିର୍ମିତ ହୋଇଥିବା ଉକ୍ତ ନାଟକକୁ ଛାତ୍ରୀମାନେ ଅତି ନିଖୁଣ ଭାବେ ପ୍ରଦର୍ଶିତ କରିଥିଲେ।

ସ୍ୱାଧୀନତା ସଂଗ୍ରାମରେ ବାଣପୁରର ବିଶିଷ୍ଟ ଅବଦାନ ଥିବା ଉକ୍ତ ନାଟକରେ ଦର୍ଶାଯାଇଥିଲା।  ଉକ୍ତ ପଥପ୍ରାନ୍ତ ନାଟକଟି ଗୋଦାବରୀଶ ମହାବିଦ୍ୟାଳୟ କ୍ୟାମ୍ପସ, କୁମାରାଙ୍ଗ ଛକ, ମା’ ଭଗବତୀ ମନ୍ଦିର ସମ୍ମୁଖ, ବାଣପୁର ଥାନା ଏବଂ ପଲଟନ ପଡିଆରେ ଅନୁଷ୍ଠିତ ହୋଇଥିଲା।  ଉକ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ର ଅଧ୍ୟକ୍ଷଙ୍କ ସମେତ ସମସ୍ତ କର୍ମଚାରୀମାନେ ପରିଚାଳନା କରିଥିଲେ।