Categories
ଆଜିର ଖବର ରାଜ୍ୟ ଖବର

ଯାତ୍ରୀଙ୍କ ପାଇଁ ଖୁସି ଖବର: ପୁନଃ ପ୍ରଚଳନ ହେଲା କରୋନା ଯୋଗୁଁ ବାତିଲ ହୋଇଥିବା ସାତ ଯୋଡି ଟ୍ରେନ

ଭୁବନେଶ୍ୱର: ଲକଡାଉନ ସମୟରେ ବାତିଲ ହୋଇଥିବା କିଛି ଟ୍ରେନ୍ ପୁନଃ ପ୍ରଚଳନ ପାଇଁ ନିକଟରେ ଓଡିଶା ଗସ୍ତ ସମୟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୂର୍ବ ତଟ ରେଳବାଇର ଚାରି ଯୋଡି ଟ୍ରେନ୍ ପୁନ ପ୍ରଚଳନ କରିବାକୁ ଘୋଷଣା କରିଥିଲେ।

ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ପୂର୍ବ ତଟ ରେଳପଥ ପୂର୍ବ ତଟ ରେଲୱେ ଅଧୀନରେ ସାତ ଯୋଡି ଟ୍ରେନକୁ ପୁନଃ ପ୍ରଚଳନ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ଟ୍ରେନ୍ ଗୁଡିକ ହେଉଛି, ପୁରୀ-ସାଇ ନାଗର ସିରିଡ଼ି-ପୁରୀ ଏକ୍ସପ୍ରେସ, ପୁରୀ-ପାରାଦୀପ-ପୁରୀ ଏକ୍ସପ୍ରେସ, କଟକ-ଭଦ୍ରକ-କଟକ ମେମୁ ସ୍ପେଶାଲ, ବିଶାଖାପାଟନମ୍-କୋରାପୁଟ-ବିଶାଖାପାଟନମ୍ ଇଣ୍ଟରସିଟି, ବିଶାଖାପାଟନମ୍-ବ୍ରହ୍ମପୁର-ବିଶାଖାପାଟଣା ଏକ୍ସପ୍ରେସ, କଟକ-ପଲାସା-କଟକ ସ୍ପେଶାଲ୍ଏ ବଂ ପୁରୀ-ତାଳଚେର-ପୁରୀ ମେମୁ ସ୍ପେଶାଲ।

୧୮୪୧୪/୧୮୪୧୩ ପୁରୀ-ପାରାଦୀପ-ପୁରୀ ଏକ୍ସପ୍ରେସ ୨୭ ଜୁନ୍ ୨୦୨୨ ଠାରୁ ଉଭୟ ପାର୍ଶ୍ୱରୁ ଚଳାଚଳ କରୁଛି। ଏହା ପୁରୀରୁ ସକାଳ ୬ଘ.୧୫ମି.ରେ ଛାଡୁଥିବାବେଳେ ପାରାଦୀପରୁ ସନ୍ଧ୍ୟା ୬ ଘଟିକାରେ ଛାଡ଼ୁଛି।

୦୮୪୩୮/୦୮୪୩୭ କଟକ-ଭଦ୍ରକ-କଟକ ସ୍ପେଶାଲ୍ ୨୭ ଜୁନ୍ ୨୦୨୨ ଠାରୁ ଉଭୟ ପାର୍ଶ୍ୱରୁ ଚଳାଚଳ କରୁଛି। କଟକରୁ ଏହି ଟ୍ରେନ୍ ପୂର୍ବାହ୍ନ ୧୧ଘ.୫୫ମି.ରେ ଏବଂ ଭଦ୍ରକରୁ ଅପରାହ୍ନ ୩ଘ.୩୦ମି.ରେ ଛାଡ଼ୁଛି।

୧୮୫୧୨/୧୮୫୧୧ ବିଶାଖାପାଟନମ୍-କୋରାପୁଟ-ବିଶାଖାପାଟନମ୍ ଇଣ୍ଟର ସିଟି ଏକ୍ସପ୍ରେସ ଜୁଲାଇ ୧ ତାରିଖ ଠାରୁ ପ୍ରତ୍ୟେକ ସୋମବାର ଏବଂ ଶୁକ୍ରବାର ଅପରାହ୍ନ ୨ଘ.୫୦ମି.ରେ ବିଶାଖାପାଟଣା ଠାରୁ ଛାଡିବାକୁ ଥିବାବେଳେ ଏହା ଜୁଲାଇ ୨ ତାରିଖ ଠାରୁ ପ୍ରତ୍ୟେକ ମଙ୍ଗଳବାର ଏବଂ ଶନିବାର ଦିନ ସକାଳ ୫ଘ.୨୫ମି.ରେ କୋରାପୁଟ ଠାରୁ ଛାଡିବ।

୧୮୫୨୬/୧୮୫୨୫ ବିଶାଖାପାଟନମ୍-ବ୍ରହ୍ମପୁର-ବିଶାଖାପାଟନମ୍ ଏକ୍ସପ୍ରେସ ୧୪ ଜୁଲାଇ, ୨୦୨୨ ଠାରୁ ବିଶାଖାପାଟଣାରୁ ଅପରାହ୍ନ ୩ ଘଟିକାରେ ଛାଡିବାକୁ ଥିବାବେଳେ ୧୫ ଜୁଲାଇ, ୨୦୨୨ ଠାରୁ ବ୍ରହ୍ମପୁରରୁ ପୂର୍ବାହ୍ନ ୦୯ଘ.୪୫ମି.ରେ ଛାଡିବ।

୦୮୫୩୪/୦୮୫୩୩ ପଲାସା-କଟକ-ପଲାସା ପାସେଞ୍ଜର ସ୍ପେଶାଲ୍ ୧୫ ଜୁଲାଇ, ୨୦୨୨ ଠାରୁ ପଲାସାରୁ ଭୋର ୪ଘ.୧୫ମି.ରେ ଛାଡିବାକୁ ଥିବାବେଳେ ୧୬ ଜୁଲାଇ, ୨୦୨୨ ଠାରୁ କଟକରୁ ଅପରାହ୍ନ ୪ଘ.୧୫ମି.ରେ ଛାଡିବ।

୦୮୪୧୪/୦୮୪୧୩ ପୁରୀ-ତାଳଚେର-ପୁରୀ ସ୍ପେଶାଲ୍ ୧୨ ଜୁଲାଇ, ୨୦୨୨ ଠାରୁ ପୁରୀ ରୁ ସନ୍ଧ୍ୟା ୫ ଘଟିକାରେ ଛାଡିବାକୁ ଥିବାବେଳେ ୧୩ ଜୁଲାଇ, ୨୦୨୨ ଠାରୁ ତାଳଚେର ଠାରୁ ଭୋର ୫ଘ.୪୫ମି,ରେ ଛାଡିବ।

୨୦୮୫୭/୨୦୮୫୮ ପୁରୀ-ସାଇ ନାଗର ସିରିଡ଼ି-ପୁରୀ ଏକ୍ସପ୍ରେସ ୧୫ ଜୁଲାଇ, ୨୦୨୨ ଠାରୁ ପ୍ରତ୍ୟେକ ଶୁକ୍ରବାର ଦିନ ରାତ୍ରି ୧୧ଘ.୦୫ମି.ରେ ଛାଡିବାକୁ ଥିବାବେଳେ ଏହା ସାଇ ନଗର ସିରିଡ଼ି ଠାରୁ ୧୭ ଜୁଲାଇ, ୨୦୨୨ ରୁ ପ୍ରତ୍ୟେକ ରବିବାର ଦିନ ଅପରାହ୍ନ ୨ଘ.୧୦ମି.ରେ ଛାଡିବ।

ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଛାଡୁଥିବା ଟ୍ରେନ ମାନଙ୍କରେ ୧୦୦% ଲିନେନ/ବେଡ଼ ରୋଲ ସେବା ପ୍ରଚଳନ କରାଯାଇଅଛି। ପୂର୍ବତଟ ରେଳପଥ ପରିସୀମାରୁ ଛାଡୁଥିବା ସମସ୍ତ ୬୩ ଟି ଟ୍ରେନରେ ଏହି ସୁବିଧା ପୁନ ଆରମ୍ଭ ହୋଇସାରିଛି। କରୋନା ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବା ପାଇଁ ଟ୍ରେନ ମାନଙ୍କରେ ଲିନେନ/ବେଡ଼ ରୋଲ ସେବା ପ୍ରତ୍ୟାହାର କରାଯାଇଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁରରେ ବେଆଇନ ମଦ କାରବାର: ଦୁଇ ଜଣଙ୍କୁ ଗିରଫ କଲା ପୋଲିସ

ସୀତାରାମ ଅଗ୍ରୱାଲ

ବାଣପୁର: ଲକଡ଼ାଉନ ସମୟରେ ବେଧଡକ ବେଆଇନ ଦେଶୀ ଓ ବିଦେଶୀ ମଦ କାରବାର କରିବାକୁ ବେପାରୀମାନେ ପଛାଉନାହାନ୍ତି। ଏହାକୁ ନେଇ ପୋଲିସ କଡା ନଜର ରଖିଥିବା ବେଳେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନାର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ଦେଶୀ ଓ ବିଦେଶୀ ମଦ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ବାଣପୁର ପୋଲିସ।

ସୂଚନା ମୁତାବକ ଆଜି ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ତତ୍ୱାବଧାନ ଏବଂ ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ରାଜକିଶୋର ବେହେରାଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଗମ୍ଭାରୀମୁଣ୍ଡା ଏବଂ ପାରିନୂଆଗାଁ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଗମ୍ଭାରୀମୁଣ୍ଡାରୁ ବଟୁ ବରାଳଙ୍କ ନିକଟରୁ ୧୯.୯୬୦ ଲିଟର ବିଦେଶୀ ମଦ ଜବତ ହୋଇଥିବାବେଳେ ପାରିନୁଆଗାଁରୁ କେଦାର ବାରିକଙ୍କ ନିକଟରୁ ୪.୨୦୦ ଲିଟର ଦେଶୀ ମଦ ଜବତ କରିଛି ପୋଲିସ।

ଉଭୟଙ୍କ ବିରୋଧରେ ବାଣପୁର ଥାନାରେ କେସ ନମ୍ବର ୨୪୮ ଏବଂ ୨୪୯ ରେ ଦୁଇ ଗୋଟି ମାମଲା ରୁଜ୍ଜୁ କରାଯାଇଛି। ଏବଂ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବାର ଆଇଆଇସି ଶ୍ରୀ ସାହୁ ସୂଚନା ଦେଇଛନ୍ତି। ଉକ୍ତ ଚଢ଼ାଉରେ ଏଏସଆଇ ଶ୍ରୀନିବାସ ପ୍ରଧାନ ଏବଂ ବାମଦେବ ଜେନା ସାମିଲ ଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଲକଡାଉନରେ ଅଘୋଷିତ ବିଦ୍ୟୁତ କାଟ୍ ଯୋଗୁଁ ଲୋକେ ହନ୍ତସନ୍ତ: ଚିଲିକାରେ ଆନ୍ଦୋଳନ ପାଇଁ ଚେତାବନୀ

ସୀତାରାମ ଅଗ୍ରୱାଲ

ଚିଲିକା: ବର୍ତ୍ତମାନ ସାରା ରାଜ୍ୟରେ ଲକ ଡାଉନ ଜାରି ରହିଛି। ଲକଡାଉନ ସମୟରେ ଦିନତମାମ ଲୋକେ ଘରେ ରହୁଥିବା ବେଳେ ଯୁକ୍ତ ୨ ଛାତ୍ରଛାତ୍ରୀମାନେ ମଧ୍ୟ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି। ଏଥିପାଇଁ ଚବିଶ ଘଣ୍ଟା ବିଦ୍ୟୁତ ସରବରାହ ଜାରି ରଖିବା ପାଇଁ ରାଜ୍ୟ ସରକାରଙ୍କ କଡା ନିର୍ଦ୍ଦେଶ ରହିଛି।

ହେଲେ ଚିଲିକାରେ ଏହାର ଘୋର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ପ୍ରତିଦିନ ବାଣପୁର ବାଲୁଗାଁ ଅଞ୍ଚଳରେ ଘଣ୍ଟା ଘଣ୍ଟା ଧରି ଅଘୋଷିତ ବିଦ୍ୟୁତ କାଟ ହେଉଛି। ବିଦ୍ୟୁତ କାଟ ପାଇଁ ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ସମୟ ନାହିଁ।  ଦିନ ନାଇଁ କି ରାତି ନାହିଁ, କେତେବେଳେ ରାତ୍ରିରେ ତ କେତେବେଳ ଦିନ ଦ୍ବିପ୍ରହରର ଅସହ୍ୟ ଗରମ ସମୟରେ ମଧ୍ୟ ବିଦ୍ୟୁତ କାଟ୍ ହେଉଛି।

ତେବେ ଏଠି ଟିପିସିଓଡ଼ିଏଲର ପାରିବାପଣିଆ ଉପରେ ପ୍ରଶ୍ନ ଉଠୁଛି। ପ୍ରତି ମାସରେ ବିଦ୍ୟୁତ ବିଭାଗ ରକ୍ଷଣାବେକ୍ଷଣ ନାମରେ ଅନ୍ତତଃ ଗୋଟାଏ ଦିନ ପାୱାର କଟ୍ କରୁଛି। କିନ୍ତୁ ସେତିକିରେ ବି ସେମାନଙ୍କୁ ସମୟ ଅଭାବ ହେଉଛି। ଅଞ୍ଚଳରେ ସାମାନ୍ୟ ପବନ ଟିକେ ହେଲେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ ସରବରାହ ବନ୍ଦ ରହୁଛି। ଆଉ ଯେଉଁଦିନ ବର୍ଷା ହେଲା ସେଦିନ କଥା ନକହିବା ଭଲ। ଏପରିକି କଙ୍କଡାକୁ ଗୋଳି ପାଣି ସୁହାଇଲା ପରି ବର୍ଷା ପବନ ବିଦ୍ୟୁତ ବିଭାଗକୁ ସୁହାଉଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

ନିୟମ ଅନୁଯାୟୀ ଯଦି ବିଦ୍ୟୁତ କାଟ କରାଯିବ ତେବେ ଲୋକଙ୍କୁ ପୂର୍ବରୁ ସୂଚନା ଦିଆଯିବ।  ହେଲେ ତାହା ସେଠାରେ ଦେଖିବାକୁ ମିଳୁନି। କରୋନା ମହାମାରୀ ସମୟରେ ମଣିଷ ପ୍ରତି ମୁହୂର୍ତ୍ତରେ ଜୀବନ ଏବଂ ମୃତ୍ୟୁ ସହ ସଂଗ୍ରାମ ଜାରି ରଖିଥିବା ବେଳେ ଅଘୋଷିତ ବିଦ୍ୟୁତ କାଟ ନିଆଁରେ ଘିଅ ଢାଳିଲା ପରି କାର୍ଯ୍ୟ କରୁଛି।

ସେପଟେ ସ୍ଥାନୀୟ ପ୍ରଶାସନ କଟକଣାକୁ କଡାକଡି କରି ଲୋକଙ୍କୁ ଘରେ ରହିବାକୁ ବାଧ୍ୟ କରୁଛି। ହେଲେ ଅସହ୍ୟ ଗରମ ଯୋଗୁଁ ଲୋକେ ଘରୁ ବାହାରି ଏଣେତେଣେ ବୁଲୁଥିବା ବେଳେ ସ୍ଥାନୀୟ ପ୍ରଶାସନର ହାବୁଡରେ ମଧ୍ୟ ପଡ଼ୁଛନ୍ତି। ସେଥିପାଇଁ ଲୋକଙ୍କୁ ଜରିମାନା ମଧ୍ୟ ଦେବାକୁ ପଡୁଛି। ଏହାକୁ ନେଇ ସ୍ଥାନୀୟ ପ୍ରଶାସନ ଉପରେ ଲୋକେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଜରିମାନା ଆଦାୟ ପାଇଁ ସ୍ପୃହା ରଖୁଥିବା ତହସିଲଦାର, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ପୋଲିସ କାହିଁକି ଏହା ଉପରେ ଦୃଷ୍ଟି ଦେଉନାହିଁ ସେମାନେ ପ୍ରଶ୍ନ କରୁଛନ୍ତି।

ଆଉ ଏକ ଅଶୋଭନୀୟ ଘଟଣା ହେଲା ଟିପିସିଓଡ଼ିଏଲ ପକ୍ଷରୁ ଚିଲିକାରେ ଜନସାଧାରଣଙ୍କୁ ଅଭିଯୋଗ ନମ୍ବର ପ୍ରଦାନ କରାଯାଉନାହିଁ କିମ୍ବା ବାଲୁଗାଁ ବାଣପୁରରେ ଅଭିଯୋଗ ନିମନ୍ତେ ନିର୍ଦ୍ଦିଷ୍ଟ ପ୍ରକୋଷ୍ଠ ଖୋଲାଯାଉନାହିଁ। ଯାହାଦ୍ୱାରା ଜନସାଧାରଣ ମାନେ ଅଘୋଷିତ ବିଦ୍ୟୁତ କାଟର କାରଣ ଜାଣିବା ହେଉ କିମ୍ବା ଅନ୍ୟ ସମସ୍ୟା ପାଇଁ ଯୋଗାଯୋଗ କରିପାରୁନାହାନ୍ତି।

ତେବେ ଏ ସମସ୍ୟା ନେଇ ଆମ ପ୍ରତିନିଧି ଟିପିସିଓଡ଼ିଏଲ ବାଲୁଗାଁ କାର୍ଯ୍ୟନିର୍ବାହୀ ଅଧିକାରୀ ଶିବ ପ୍ରସାଦ ବଳିୟାରସିଂଙ୍କୁ ଯୋଗାଯୋଗ କରିବାରୁ ସେ ଏହାର ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଆଗକୁ ଲକଡାଉନ ଆହୁରି ବଢିବାର ସମ୍ଭାବନା ଥିବା ବେଳେ ଯଦି ବିଦ୍ୟୁତ ବିଭାଗ ବେଳ ଥାଉ ଥାଉ ବେଣୀ ନବାନ୍ଧେ ତେବେ ଚିଲିକା ନିର୍ବାଚନମଣ୍ଡଳୀର ଜନସାଧାରଣ ମାନେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏବଂ ଯଦି କିଛି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୁଏ ତେବେ ତାହାପାଇଁ କେଉଁଠିନା କେଉଁଠି ସ୍ଥାନୀୟ ଏବଂ ପୋଲିସ ପ୍ରଶାସନ ଦାୟୀ ରହିବ ବୋଲି ଜନସାଧାରଣମାନେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବର ଡିସିପିଙ୍କ ବଡ ଘୋଷଣା: ବିବାହ ଏବଂ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ଏଭଳି କରିବାକୁ ପଡିବ ଆବେଦନ

ଭୁବନେଶ୍ବର: ଲକଡାଉନ ସମୟରେ ରାଜଧାନୀବାସୀଙ୍କ ପାଇଁ ଡିସିପି ଉମାଶଙ୍କର ଦାଶ ଆଉ ଏକ ଘୋଷଣା କରିଛନ୍ତି। ଫୋନ ମାଧ୍ୟମରେ ଥାନାରେ କୌଣସି ଅଭିଯୋଗ କରିବାକୁ ଡିସିପି ଗତକାଲି ପରାମର୍ଶ ଦେଇଥିବା ବେଳେ ଆଜି ବାହାଘର ଏବଂ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ମଧ୍ୟ ସେଭଳି ବ୍ୟବସ୍ଥା କରାଯାଇଛି। ବିବାହ ଏବଂ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ଘରେ ବସି ମଧ୍ୟ ରାଜଧାନୀବାସୀ ଅନୁମତି ମାଗିପାରିବେ। ସେଥିପାଇଁ ଆଉ ଥାନାକୁ ଯିବାକୁ ପଡିବ ନାହିଁ, ଫୋନ ଦ୍ଵାରା ରାଜଧାନୀବାସୀ ଅନୁମତି ପାଇପାରିବେ ବୋଲି ଡିସିପି କହିଛନ୍ତି।

ତେବେ ଅନୁମତି ପାଇଁ ୧୦୦ କିମ୍ବା ୮୧୪୪୨୦୭୧୦୦କୁ ଫୋନ କରିବାକୁ ପଡ଼ିବ। ଏହାପରେ ହ୍ବାଟ୍ସଆପ୍ ମାଧ୍ୟମରେ ଆବେଦନକାରୀଙ୍କ ପାଖକୁ ଏକ ପତ୍ର ଯିବ। ଏହି  ପତ୍ରକୁ ଆବେଦନକାରୀ ପୂରଣ କରି ପୁନଶ୍ଚ ପୋଲିସ ପାଖକୁ ପଠାଇବାକୁ ପଡିବ। ତାପରେ କମିଶନରେଟ ପୋଲିସରୁ ଏହି କାର୍ଯ୍ୟ ପାଇଁ ଅନୁମତି ମିଳିବ ବୋଲି ଡିସିପି ଘୋଷଣା କରିଛନ୍ତି।