Categories
ବିଶେଷ ଖବର

କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ଉପକୃତ ହେବେ ୧୩ ଲକ୍ଷ ଲୋକ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା। ଏଥିରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଛି। ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ୍ ଚାଲିବ। 5T ଯୋଜନାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ମା’ମାନଙ୍କୁ ବସ୍ ପରିଚଳନା ଦାୟିତ୍ୱ ଦିଆଯାଇଛି। ଏହି ଯୋଜନାରେ ମହିଳା, ଛାତ୍ରଛାତ୍ରୀ ଓ ଭିନ୍ନକ୍ଷମ ବର୍ଗର ଲୋକମାନେ ମାତ୍ର ୫ ଟଙ୍କାରେ ଗାଁରୁ ବ୍ଲକକୁ ଯାଇପାରିବେ। କୋରାପୁଟରେ ୬୩ଟି ବସ୍ ଜିଲ୍ଲାର ୨୩୪ ପଞ୍ଚାୟତକୁ ଯୋଡିବ।

ଏହି ଅବସରରେ ଉଦ୍‌ବୋଧନ ଦେଇ କୋରାପୁଟ ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ କହିଲେ ଯେ ପ୍ରଥମ ପର୍ଯ୍ୟାୟରେ ମାଲକାନଗିରିରୁ ଲକ୍ଷ୍ମୀ ବସ୍‌ସେବା ଆରମ୍ଭ ହୋଇ ଆଜି କୋରାପୁଟରେ ପହଞ୍ଚିଲା। ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଜପତି ଓ କୋରାପୁଟ ଜିଲ୍ଲାବାସୀ ଲକ୍ଷ୍ମୀ ବସ୍‌ ସେବା ପାଇଲେ। ଏହି ୬ଟି ଜିଲ୍ଲାର ୧୧୩୧ଟି ପଞ୍ଚାୟତକୁ ଲକ୍ଷ୍ମୀ ବସ୍‌ ସୁବିଧା ମିଳିଲା। ଏ ସବୁ ଜିଲ୍ଲାର ୬୩ ଲକ୍ଷ ଲୋକଙ୍କ ପାଇଁ ଘର ପାଖରୁ ସେମାନଙ୍କୁ ଯିବା ଆସିବା ପାଇଁ ସୁବିଧା ହେଲା। ଗମନାଗମନ ପାଇଁ ଦୈନନ୍ଦିନ ଅସୁବିଧା ଦୂର ହେବା ସହିତ ଲୋକମାନେ ସୁବିଧାରେ କମ୍ ଖର୍ଚ୍ଚରେ ଯିବାଆସିବା ସୁବିଧା ପାଇପାରିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ଲୋକମାନଙ୍କର ଯାତାୟତ ଅସୁବିଧା ବିଷୟରେ ଜାଣି ଏହି ଯୋଜନା ଆରମ୍ଭ କରାଯାଇଛି। ଲକ୍ଷ୍ମୀ ବସ୍‌ ସମସ୍ତଙ୍କୁ ଯୋଡିବା କାମ କରିବ। ପିଲାମାନଙ୍କୁ ସ୍କୁଲ କଲେଜ ନେବ। ରୋଗୀକୁ ହସ୍ପିଟାଲ ନେବ। ଚାଷୀକୁ ମାର୍କେଟ ସହିତ ଯୋଡିବ। ମା’ମାନଙ୍କୁ ବିଭିନ୍ନ କାର୍ଯ୍ୟରେ ଯିବାଆସିବା ପାଇଁ ସୁବିଧା ହେବ। ସମସ୍ତଙ୍କ ପାଇଁ ଲକ୍ଷ୍ମୀ ବସ୍‌ ଏକ ଆଶୀର୍ବାଦ ବୋଲି ମୁଖ୍ୟମନ୍ତ୍ରୀ କହିବା ସହିତ ଲକ୍ଷ୍ମୀ ବସ୍‌ ବିକାଶର ଆଲୋକକୁ ଆହୁରି ଉଜ୍ଜଳ କରିଛି ବୋଲି ସେ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଏବେ ଆମ ରାଜ୍ୟରେ ଗାଁ ଗାଁରେ ବିକାଶର ଉତ୍ସବ ଚାଲିଛି। ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ମାଧ୍ୟମରେ ପଞ୍ଚାୟତ ମାନଙ୍କରେ ନୂଆ ଜାଗରଣ ଆସିଛି। ଜଗନ୍ନାଥ ସଂସ୍କୃତିର ପ୍ରସାର ସହିତ ଡିଜିଟାଲ ଭିତ୍ତିଭୂମିର ବିକାଶ ହୋଇଛି। ବିକାଶ ଆଜି ଏକ ଜନ ଆନ୍ଦୋଳନରେ ପରିଣତ ହୋଇ ପଞ୍ଚାୟତଗୁଡିକ ବିକାଶ କାର୍ଯ୍ୟକ୍ରମର ପ୍ରାଣକେନ୍ଦ୍ର ପାଲଟିଛି। ଗାଁର ରୂପାନ୍ତର ସାରା ଓଡିଶାର ରୂପାନ୍ତର ପାଇଁ ରାସ୍ତା ଖୋଲିଛି। ଓଡିଶା ଆମ ସମସ୍ତଙ୍କର। ଏ ବିକାଶ ମଧ୍ୟ ଆମ ସମସ୍ତଙ୍କର ବୋଲି କହିବା ସହିତ ସମସ୍ତଙ୍କର ସହଯୋଗରେ ନୂଆ ଓଡିଶା ଗଠନ ସାକାର ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ ଆଶା ବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ କହିଥିଲେ ଯେ ଲକ୍ଷ୍ମୀ ଯୋଜନାର ବସ୍‌ ରାଜ୍ୟବାସୀଙ୍କ ଟଙ୍କାରେ କିଣା ଯାଇଛି। ତେଣୁ ଏହାକୁ ନିଜ ସମ୍ପତ୍ତି ଭାବି ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବା ପାଇଁ ଶ୍ରୀ ପାଣ୍ଡିଆନ ସମସ୍ତଙ୍କୁ ଅନୁରୋଧ କରିଥିଲେ। କୋରାପୁଟର ନୂଆ ବସ୍‌ଷ୍ଟାଣ୍ଡ ପାଇଁ ମୁଖ୍ୟମନ୍ତ୍ରୀ ଜମି ଯୋଗାଇବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ବୋଲି ସେ ସୂଚନା ଦେଇଥିଲେ।

କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଥିଲେ ଯେ ଆଜି ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱ ଓ ଦିଗ୍‌ଦର୍ଶନରେ ରାଜ୍ୟରେ ସବୁକ୍ଷେତ୍ରରେ ବିକାଶର ଧାରା ଜାରି ରହିଛି । ଗାଁରୁ ସହର, ସବୁଠି ଆଜି ଦିଶୁଛି ବିକାଶର ଝଲକ । ଲକ୍ଷ୍ମୀ ଯୋଜନା ଗ୍ରାମାଞ୍ଚଳରେ ଯାତାୟତକୁ ସୁଗମ କରି ସମୃଦ୍ଧି ଆଣିବ । ଓଡିଶାକୁ ଭାରତର ଏକ ଶ୍ରେଷ୍ଠ ରାଜ୍ୟରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସରେ ସେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

ଏହି କାର୍ଯ୍ୟକ୍ରମରେ କୋଟପାଡ ବିଧାୟିକା ଶ୍ରୀମତୀ ପଦ୍ମିନୀ ଦିଆନ, ପଟାଙ୍ଗୀ ବିଧାୟକ ଶ୍ରୀ ପିତମ ପାଢୀ, ଜୟପୁର ବିଧାୟକ ଶ୍ରୀ ତାରା ପ୍ରସାଦ ବାହିନୀପତି, ଲକ୍ଷ୍ମୀପୁର ବିଧାୟକ ଶ୍ରୀ ପ୍ରଭୁ ଜାନି, କୋରାପୁଟ ବିଧାୟକ ଶ୍ରୀ ରଘୁରାମ ପଡାଲ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀ ଚନ୍ଦ୍ରଶେଖର ମାଝୀ, ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା ପ୍ରମୁଖ ନିଜର ବ୍ୟକ୍ତବ୍ୟ ରଖି ଜିଲ୍ଲାର ପରିବହନ ବ୍ୟବସ୍ଥାରେ ବିରାଟ ରୂପାନ୍ତର ସହ ଜନସାଧାରଣଙ୍କ ଆର୍ଥିକ ବିକାଶରେ ଲକ୍ଷ୍ମୀ ଯୋଜନା ବିଶେଷ ସହାୟକ ହେବ ବୋଲି ପ୍ରକାଶ କରି ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ଜଣାଇଥିଲେ।

Categories
ବିଶେଷ ଖବର

ରାୟଗଡା ଜିଲ୍ଲାରେ ଲକ୍ଷ୍ଣୀ ବସ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ୧୮୨ଟି ପଞ୍ଚାୟତକୁ ଯୋଡିବ ୫୨ଟି ବସ୍‌

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାୟଗଡା ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ରାୟଗଡା ଜିଲ୍ଲାବାସୀଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ  ଏହି ଯୋଜନାରେ ଜିଲ୍ଲାରେ ୫୨ଟି ବସ୍‌ ଚାଲିବ ଏବଂ ସବୁ ପଞ୍ଚାୟତକୁ ବସ୍‌ ଯିବ। ଜିଲ୍ଲାର ସମସ୍ତ ୧୮୨ଟି ପଞ୍ଚାୟତକୁ ବସ୍‌ ଚଳାଚଳ ହେବ। ଏଥିପାଇଁ ୩୦୦ଟି ବସ୍‌ ଷ୍ଟପେଜ ମଧ୍ୟ କରାଯାଇଛି।

ଅନ୍‌ ଲାଇନ ଜରିଆରେ କାର୍ଯ୍ୟକ୍ରମ ଆରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲକ୍ଷ୍ମୀ ଘରେ ଘରେ ଖୁସି ଓ ଆନନ୍ଦ ଆଣିବ। ଏହା ଆମର ଗ୍ରାମାଞ୍ଚଳର ପରିବହନ ବ୍ୟବସ୍ଥାରେ ରୂପାନ୍ତର ଆଣିବ। ଗାଁ ଲୋକଙ୍କ ଜୀବନରେ ଗତି ଓ ପ୍ରଗତି ଆଣିବ ବୋଲି ସେ କହିଥିଲେ।

ମୋ ପାଇଁ ଲୋକଙ୍କ ମତାମତ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଜିଲ୍ଲାଗସ୍ତରୁ ଲୋକଙ୍କ ଯୋଗାଯୋଗର ଅସୁବିଧା ସଂପର୍କରେ ମୁଁ ଜାଣିଲି। ତା ପରେ ହିଁ ଆରମ୍ଭ ହୋଇଥିଲା ଲକ୍ଷ୍ମୀ ଯୋଜନା।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଲକ୍ଷ୍ମୀ ବସ୍‌ ଗାଁକୁ ଗାଁ ସହିତ ଯୋଡିବ। ସାମାଜିକ ସଂପର୍କ ସୁଦୃଢ କରିବା ସହିତ ଗ୍ରାମାଞ୍ଚଳର ଅର୍ଥନୀତିକୁ ମଧ୍ୟ ମଜବୁତ କରିବ।

ଯୋଗାଯୋଗ ବିକାଶର ଇଞ୍ଜିନ ବୋଲି ମୁଖ୍ୟମନ୍ତ୍ରୀ କହିଲେ ଯେ ଲକ୍ଷ୍ମୀ ବସ୍‌ ପିଲାମାନଙ୍କୁ ସ୍କୁଲ ଓ କଲେଜ ସହିତ, ଚାଷୀଙ୍କୁ ମାର୍କେଟ ସହିତ ଯୋଡିବା ସହିତ ରୋଗୀକୁ ହସ୍‌ପିଟାଲ ମଧ୍ୟ ନେବ। ମା ମାନଙ୍କ ପାଇଁ ଏହା ବିଭିନ୍ନ କାମରେ ମୁଖ୍ୟ ସାରଥୀ ହେବ ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ ଯେ ଲକ୍ଷ୍ମୀ ଯୋଜନାରୁ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସ୍ଥାନୀୟ ପରିବହନ ବ୍ୟବସ୍ଥାକୁ ସୁଦୃଢ କରିବା ସହିତ ପର୍ଯ୍ୟଟନ ତଥା ଆଞ୍ଚଳିକ ଆର୍ଥିକ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା।

କାର୍ଯ୍ୟକ୍ରମରେ ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାୟଗଡା ଜିଲ୍ଲାରେ ଏହି କାର୍ଯ୍ୟକ୍ରମରେ ୯୦ କୋଟିରୁ ଅଧିକ ଟଙ୍କା ବିନିଯୋଗରେ ୨୬୦୦ରୁ ଅଧିକ ପ୍ରକଳ୍ପ କରାଯାଉଛି। ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର ଓ ଡିଜିଟାଲ ଭିତ୍ତିଭୂମିର ଉନ୍ନତିକରଣ କରାଯାଉଛି ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପଞ୍ଚାୟତ ଗୁଡିକ ହେଉଛି ମୋ ସରକାରର ବିକାଶ କାର୍ଯ୍ୟକ୍ରମର ମୁଖ୍ୟ ଫୋକସ୍‌। ସବୁ ପଞ୍ଚାୟତରେ ରୂପାନ୍ତର ଆଣି ସାରା ଓଡିଶାର ରୂପାନ୍ତର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କାର୍ଯ୍ୟକ୍ରମରେ ଉପସ୍ଥିତ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ କହିଲେ ଯେ ମାର୍ଗଶିର ମାସ ଲକ୍ଷ୍ମୀ ମାସରେ ମୁଖ୍ୟମନ୍ତ୍ରୀ ରାୟଗଡ଼ାରେ ଲକ୍ଷ୍ମୀ ବସ ଯୋଜନା ଆରମ୍ଭ କରି ଘରେ ଘରେ ଲକ୍ଷ୍ମୀ ପହଞ୍ଚାଇଛନ୍ତି। ଆଜି ଓଡ଼ିଶାରେ ନାରୀ ମାନେ ସବୁ କ୍ଷେତ୍ରରେ ଆଗରେ ରହୁଛନ୍ତି। ଘରୁ ବିଭିନ୍ନ କାମରେ ବାହାରକୁ ଯାଉଛନ୍ତି।  ମୁଖ୍ୟମନ୍ତ୍ରୀଙ୍କ ଯୋଗୁ ଆଜି ଓଡ଼ିଶାରେ ନାରୀ ସଶକ୍ତିକରଣ ହୋଇବପାରିଛି ବୋଲି ପ୍ରକାଶ କରି ସେ ଧନ୍ୟବାଦ୍ ଦେଇଥିଲେ।

ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା କହିଲେ ଯେ ଲକ୍ଷ୍ମୀ ବସ ଯୋଗୁ ଚାଷୀ, ବ୍ୟବସାୟୀ ଓ ମା ମାନେ ଉପକୃତ ହେବେ।

ଏହି କାର୍ଯ୍ୟକ୍ରମକୁ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ  ପରିଚାଳନା କରିଥିଲେ। ଏହି ଅବସରରେ ଶ୍ରୀ ପାଣ୍ଡିଆନ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସେ ଜିଲ୍ଲା ଗସ୍ତ କରିଥିଲେ। ରାୟଗଡ଼ାରେ ମଧ୍ୟ ଲୋକଙ୍କ ଠାରୁ ପ୍ରସ୍ତାବ ଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କ ଜଣାଇବା ପରେ ଜିଲ୍ଲାରେ ଅନେକ ମଠ ମନ୍ଦିର ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଅନୁମୋଦନ ଦେଇଥିଲେ। ଲୋକଙ୍କ ମତକୁ ମୁଖ୍ୟମନ୍ତ୍ରୀ ସର୍ବାଧିକ ଗୁରୁତ୍ବ ଦିଅନ୍ତି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଗୁଣୁପୁର ବିଧାୟକ ରଘୁନାଥ ଗମଙ୍ଗୋ, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି ପ୍ରମୁଖ ଯୋଗ ଦେଇ କହିଥିଲେ ଓଡ଼ିଶାର ବିକାଶ ପାଇଁ, ରାଜ୍ୟର ଗରିବ, ଆଦିବାସୀ ଓ ମହିଳା ମାନଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ସାରା ଜୀବନ ସମର୍ପିତ କରିଚନ୍ତି।  ଆଜି ଆମ ଘର ମାନଙ୍କୁ ଲକ୍ଷ୍ମୀ ଆସୁଛନ୍ତି । ଆମେ ସମସ୍ତେ ଖୁସି।

ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ଵତୀ ମାଝୀ କହିଥିଲେ ଯେ ଏହାଦ୍ବାରା ଗରିବ, ଆଦିବାସୀ ଓ ମହିଳା ମାନେ ବହୁତ୍ ଉପକାର ପାଇବେ।

ରାୟଗଡ଼ା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନସୂୟା ମାଝୀ ସ୍ଵାଗତ ଭାଷଣ ଦେଇ କହିଲେ ଯେ ମୁଖ୍ୟମନ୍ତ୍ରୀ ତାଙ୍କ ପଞ୍ଚମ ପାଳିରେ ମା ମାନଙ୍କୁ ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ଭେଟି ଦେଇଛନ୍ତି। ୫ ଟଙ୍କାରେ ଆହାର, ବିଜୁ ସ୍ବାସ୍ଥ୍ୟରେ ଆଉ ୫ ଲକ୍ଷ, ମିଶନ ଶକ୍ତିରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ, ମମତାରେ ୫ ହଜାର ଟଙ୍କା ସହିତ ଏବେ ଲକ୍ଷ୍ମୀ ବସରେ ମା ମାନଙ୍କ ପାଇଁ ମାତ୍ର ୫ ଟଙ୍କାରେ ଯିବାର ସୁବିଧା ମାନଙ୍କୁ ସଶକ୍ତ କରିଛି।

Categories
ବିଶେଷ ଖବର ରାଜ୍ୟ ଖବର

କଳାହାଣ୍ଡି ପାଇଁ ୧୨୦୦ କୋଟି ଟଙ୍କା ଢାଳି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗତକାଲି କଳାହାଣ୍ଡି ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି। କଳାହାଣ୍ଡି ପ୍ରତିଷ୍ଠା ଦିବସରେ ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଯୋଜନାରେ ୬୩ଟି ବସ୍‌ ଚାଲିବ ଏବଂ ସବୁ ପଞ୍ଚାୟତକୁ ବସ୍‌ ଯିବ।

କଳାହାଣ୍ଡି ବିଶ୍ବବିଦ୍ୟାଳୟ ପଡିଆରେ ଏହି ଯୋଜନା ଆରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲକ୍ଷ୍ମୀ ଘରେ ଘରେ ଖୁସି ଆଣିବ ଏବଂ ବିକାଶର ଗାଡିକୁ ଆହୁରି ଜୋରରେ ଆଗକୁ ନେବ। ସାରା ରାଜ୍ୟରେ ଏହି ଯୋଜନାରେ ୧୦୦୦ଟି ବସ୍‌ ଚାଲିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ବିଶ୍ବବିଦ୍ୟାଳୟକୁ ମା ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ ଭାବେ ନାମିତ କରିଥିଲେ।

ସୂଚନାଯୋଗ୍ୟ ଯେ ଲକ୍ଷ୍ମୀ ଯୋଜନାରୁ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସ୍ଥାନୀୟ ପରିବହନ ବ୍ୟବସ୍ଥାକୁ ସୁଦୃଢ କରିବା ସହିତ ପର୍ଯ୍ୟଟନ ତଥା ଆଞ୍ଚଳିକ ଆର୍ଥିକ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା। ଯୋଜନାର ଶୁଭାରମ୍ଭ ପରେ ବସ୍‌ରେ ବସି ବଳରାମପୁର ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଯାଇଥିଲେ ଏବଂ ସେଠାରେ ଏକ ବିକ୍ୟୁଏସ୍‌ ଫ୍ୟାସିଲିଟିର ଉଦ୍‌ଘାଟନ କରିଥିଲେ ।

ଆଜି ଦିନଟି କଳାହାଣ୍ଡିର ବିକାଶ ଯାତ୍ରାରେ ଏକ ବଡ଼ ମାଇଲ ଖୁଣ୍ଟ ଓ ବହୁତ ଆନନ୍ଦର ଦିନ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଆଜି ଏଠାରେ ୩୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ ହେଲା। ଆଉ ୯୦୦ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିଭୂମି ରଖାଗଲା। ମୋଟ ୧୨୦୦ କୋଟି ଟଙ୍କା ଏହା ଜିଲ୍ଲାର ବିକାଶ ଗତିକୁ ଆହୁରି ଜୋରଦାର କରିବ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଗାଁରେ ବସର ଅସୁବିଧା ବିଷୟ ରେ ଜାଣିବା ପରେ ଲକ୍ଷ୍ମୀ ଯୋଜନା ଆରମ୍ଭ କରିଛି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହା ଦ୍ବାରା ଆପଣଙ୍କର ପ୍ରତି ଦିନର ଚିନ୍ତା ଦୂର ହେବ। ରାଜ୍ୟରେ ଚାଲିବ ଏକ ହଜାରରୁ ଅଧିକ ବସ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଏଥିରେ ଆପଣଙ୍କ ଘର ପାଖକୁ ବସ ଆସିବ। ସମସ୍ତଙ୍କୁ ଯୋଡ଼ିବ। ପିଲାଙ୍କୁ ସ୍କୁଲ ସହିତ, ଚାଷୀକୁ ମାର୍କେଟ ସହିତ ଆଉ ମା ମାନଙ୍କ ଗତିଶୀଳତା ବୃଦ୍ଧି ପାଇବ।

କଳାହାଣ୍ଡିର ବିକାଶ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରୂପାନ୍ତର କ୍ଷେତ୍ରରେ କଳାହାଣ୍ଡି ଆମର ଏକ ମଡେଲ। ଶିକ୍ଷା ,ସ୍ୱାସ୍ଥ୍ୟ ଯୋଗାଯୋଗ, ଭିତ୍ତିଭୂମି ଶିଳ୍ପ କୃଷି ସବୁ କ୍ଷେତ୍ରରେ ଉନ୍ନତି କଳାହାଣ୍ଡି ବାସୀଙ୍କ ସପନକୁ ସାକାର କରିଛି। କଳାହାଣ୍ଡି ଆଜି ନିଜ ଇତିହାସକୁ ପରିବର୍ତ୍ତନ କରିଛି। ସଫଳତାର ନୂଆ କାହାଣୀ ଯୋଡ଼ିଛି। ବିକାଶର ଯାତ୍ରାରେ ଆଗକୁ ବଢ଼ିଛି। ସାରା ଦେଶକୁ ଆଜି କଳାହାଣ୍ଡି ଚାଉଳ ଦଉଛି ବୋଲି ସେ କହିଥିଲେ।

ଇନ୍ଦ୍ରାବତୀ ପ୍ରୋଜେକ୍ଟ କଳାହାଣ୍ଡି ବିକାଶର ଇଞ୍ଜିନ ବୋଲି ମତଦେଇ ସେ କହିଥିଲେ ଯେ ଏହି ପ୍ରୋଜେକ୍ଟ କଳାହାଣ୍ଡିର ଚେହେରାକୁ ଉଜ୍ଜଳ କରିଛି। ଖୁବ୍ ଶୀଘ୍ର ଏଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆରମ୍ଭ ହେବ। ସବୁ ପଞ୍ଚାୟତକୁ ମିଳିବ ପଚାଶ ଲକ୍ଷ ଟଙ୍କା। ଆମ ସଂସ୍କୃତି ଓ ଆଧୁନିକ ଭିତ୍ତିଭୂମି ପାଇଁ ଏହି ଟଙ୍କା ଖର୍ଚ୍ଚ ହେବ ବୋଲି ସେ କହିଥିଲେ।

ସମସ୍ତଙ୍କ ସହଯୋଗରେ ଆଗାମୀ ଦିନରେ କଳାହାଣ୍ଡିର ବିକାଶ ଯାତ୍ରା ଆହୁରି ଆଗକୁ ଯିବ ବୋଲି ସେ ମତ ଦେଇଥିଲେ।

ଆଜି କଳାହାଣ୍ଡିରେ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ମଧ୍ୟ ଉଦ୍‌ଘାଟିତ ହେଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସହିଦ ରେଣ୍ଡୋ ମାଝୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଜଳସଂପଦ ତଥା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ ଯୋଗ ଦେଇ କହିଲେ ଯେ ଲକ୍ଷ୍ମୀ ଯୋଜନା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଇତିହାସ ରଚନା କରିଛନ୍ତି । ଯେଉଁ ପଞ୍ଚାୟତ ଗୁଡିକରେ ଲୋକମାନେ ସ୍ବପ୍ନରେ ସୁଦ୍ଧା ପରିବହନ ସୁବିଧା ପାଇବେ ବୋଲି ଭାବି ନ ଥିଲେ, ଆଜି ସେମାନଙ୍କ ପାଇଁ ସୁନ୍ଦର ଆଧୁନିକ ବସ୍‌ ପରିବହନ ବ୍ୟବସ୍ଥା ଉପଲବ୍‌ଧ ହୋଇଛି।

ଏହି କାର୍ଯ୍ୟକ୍ରମରେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ଲୋକସଭା ସାଂସଦ ଶ୍ରୀ ବସନ୍ତ ପଣ୍ଡା, ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ କୁମାର, ବିଧାୟକଗଣ ଶ୍ରୀ ଭୂପିନ୍ଦର ସିଂ, ଶ୍ରୀ ଦିବ୍ୟଶଂକର ମିଶ୍ର, ଶ୍ରୀ ମୌଷଧି ବାଗ, ଶ୍ରୀ ପ୍ରଦୀପ କୁମାର ଦିଶାରୀ ପ୍ରମୁଖ ଯୋଗ ଦେଇ ଓଡିଶାର ବିକାଶରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବ ଓ ଦୂରଦୃଷ୍ଟିର ଉଚ୍ଚପ୍ରଶଂସା କରିଥିଲେ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ ଭର୍ଚ୍ୟୁଆଲ ପ୍ଲାଟଫର୍ମରେ ଉପସ୍ଥିତ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଏସ. ପି. ସିଂହ ବାଘେଲ ସହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜର ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜଣେ ଛାତ୍ର ପ୍ରତୀଶ କୁମାର କୁମ୍ଭାରଙ୍କ ସହିତ ବାର୍ତ୍ତାଳାପ କରିଥିଲେ।

ପାଠ ପଢିବାର ସୁବିଧା ସଂପର୍କରେ ମୁଖ୍ୟମନ୍ତ୍ରୀ ପଚାରିବା ପରେ ସେ କହିଥିଲେ ଯେ ଏଠାରେ ପାଠ ପଢିବା ପାଇଁ ସବୁପ୍ରକାର ସୁବିଧା ସୁଯୋଗ ମିଳୁଛି ଏବଂ ଆମେ ଖୁସିରେ ପାଠ ପଢୁଛୁ। କେନ୍ଦ୍ରମନ୍ତ୍ରୀ ଶ୍ରୀ ବାଘେଲ୍ ଦୁଇ ଜଣ ଛାତ୍ରୀ ଅନୁପ୍ରିୟା କୁମାରୀ ଓ ଅନୁଷ୍କା ସିଂଙ୍କ ସହିତ ଆଲୋଚନା କରିଥିଲେ।

ସୂଚନାଯୋଗ୍ୟ ଯେ ୩୨୫ କୋଟି ଟଙ୍କା ବିନିଯୋଗରେ ନିର୍ମିତ କଳାହାଣ୍ଡିର ଶହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜରେ ଚଳିତ ବର୍ଷ ଠାରୁ ପାଠପଢା ଆରମ୍ଭ ହୋଇଛି। ୪୩.୧୮ ଏକର ପରିମିତ ଅଞ୍ଚଳରେ ନିର୍ମିତ ଏହି କଲେଜରେ ୧୦୦ ଜଣ ଛାତ୍ର ପାଠ ପଢା ଆରମ୍ଭ କରିଛନ୍ତି। ଏଥିରେ ରାଜ୍ୟ ସରକାରୀ ସ୍କୁଲରୁ ୧୩ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଏହାଦ୍ବାରା ସ୍ବାସ୍ଥ୍ୟ ଶିକ୍ଷାରେ ଉନ୍ନତି ଆସିବା ସହିତ ସ୍ଥାନୀୟ ଅଞ୍ଚଳରେ ଉନ୍ନତ ମାନର ସ୍ବାସ୍ଥ୍ୟ ସେବା ମିଳିପାରିବ।

ମେଡିକାଲ କଲେଜ ସହିତ ରାଜ୍ୟ ସରକାର ନିଜ ଖର୍ଚ୍ଚରେ ୨୦୬ କୋଟି ଟଙ୍କା ବିନିଯୋଗରେ ଏକ ୬୫୦ ଶଯ୍ୟାବିଶିଷ୍ଟ ଟିଚିଂ ହସ୍‌ପିଟାଲ ମଧ୍ୟ ନିର୍ମାଣ କରୁଛନ୍ତି। ଏହା ବର୍ତ୍ତମାନ ନିର୍ମଣାଧୀନ।

Categories
ବିଶେଷ ଖବର

ମାଲକାନଗିରିରେ ୮୦୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ଆରମ୍ଭ ହେଲା ଲକ୍ଷ୍ମୀ ବସ୍ ଯୋଜନା

ଭୁବନେଶ୍ୱର: ମାଲକାନଗିରି ମୋର ଅତି ପ୍ରିୟ। ମାଲକାନଗିରି ହିଁ ଓଡିଶା ବିକାଶର ଲଞ୍ଚ ପ୍ୟାଡ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀ ବସ୍ ଯୋଜନା ଶୁଭାରମ୍ଭ କରି ଏହା କହିଛନ୍ତି। ଏହି ଅବସରରେ ଯୋଜନାର ପ୍ରଥମ ବସ୍‌ରେ ୧୦ ଟଙ୍କା ଦେଇ ପ୍ରଥମ ଟିକେଟ୍ କିଣି  ମାଲକାନଗିରିରୁ ଏମ୍.ଭି- ୦୩ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଯାତ୍ରା କରି ସେଠାରେ BQSର ଶୁଭାରମ୍ଭ କରିଥିଲେ।

ପ୍ରାରମ୍ଭରେ ଉଚ୍ଛସିତ ଜନତାଙ୍କ ତାଳି, ସ୍ୱାଗତମ୍ ଧ୍ୱନି ଓ ମହିଳାମାନଙ୍କ ହୁଳହୁଳି ଧ୍ୱନି ମଧ୍ୟରେ  ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ “ମାଲକାନଗିରିରୁ ହିଁ ଏକ ଟଙ୍କିଆ ଚାଉଳ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପରି ପ୍ରମୁଖ ଯୋଜନା ଆରମ୍ଭ କରିଥିଲି। ଆଜି ପୁଣି ଥରେ ଏକ ଗୁରୁତ୍ବପୂର୍ଣ୍ଣ ଯୋଜନା  ‘ଲକ୍ଷ୍ମୀ ଯୋଜନା’ ଆରମ୍ଭ କରି ମୁଁ ବହୁତ ଖୁସି”।

ଓଡିଶାର ବିକାଶରେ ମାଲକାନଗିରିର ଭୂମିକା ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ମା’ ମାନଙ୍କ ପାଇଁ BSKYରେ ୧୦ ଲକ୍ଷ ଟଙ୍କାର ବ୍ୟବସ୍ଥାର ପ୍ରସ୍ତାବ ମାଲକାନଗିରି ରୁ ହିଁ ଆସିଥିଲା।

ସେ ପୁଣି କହିଥିଲେ ଯେ ଆମର ଏହି ଲକ୍ଷ୍ମୀ ଯୋଜନାର ସଂପର୍କ ମଧ୍ୟ ମାଲକାନଗିରି ସହ ରହିଛି । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମାଲକାନଗିରି ଗସ୍ତରୁ ସେ ଲୋକଙ୍କ ଅସୁବିଧା ବିଷୟରେ ଜାଣିପାରିଥିଲେ। ତା ପରେ ଏହି ଲକ୍ଷ୍ମୀ ଯୋଜନାର ପରିପକଳ୍ପନା କରାଗଲା ବୋଲି ସେ କହିଥିଲେ।

ଏହି ଯୋଜନା ଆମର ପରିବହନ ବ୍ୟବସ୍ଥାରେ ରୂପାନ୍ତର ଆଣିବ। ଆମର ଅର୍ଥନୀତିକୁ ଆହୁରି ମଜବୁତ କରିବ ଏବଂ  ଗାଁ ଗାଁରେ ସମୃଦ୍ଧି ଆଣିବ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଯୋଜନାରେ ସାରା ରାଜ୍ୟରେ ଏକ ହଜାରରୁ ଅଧିକ ବସ୍‌ ଚାଲିବ। ମାଲକାନଗିରିରେ ଆଜି ୩୬ଟି ବସ୍‌ ଚାଲିଲା । ମାଲକାନଗିରିର  ୧୧୧ଟି ପଞ୍ଚାୟତକୁ ବସ୍‌ ସୁବିଧା ମିଳିଲା ।  ଏସବୁ ପଞ୍ଚାୟତରେ ବିକାଶର ନୂଆ ଧାରା ଆରମ୍ଭ ହେଲା ବୋଲି ସେ କହିଥିଲେ।

ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ସହ   ନବରଙ୍ଗପୁର, କୋରାପୁଟ, ରାୟଗଡା, ଗଜପତି ଓ କନ୍ଧମାଳ  ରେ ଲକ୍ଷ୍ମୀ  ଯୋଜନାରେ   ବସ  ଚାଲିବ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଯୋଗାଯୋଗ ବିକାଶର ଆଧାର। ଲକ୍ଷ୍ମୀ ଯୋଜନା ସମସ୍ତଙ୍କୁ ବିକାଶ ସହିତ ଯୋଡିବ। ଘର ପାଖକୁ ଆସିବ ବସ୍‌। ପିଲାଙ୍କୁ ସ୍କୁଲ କଲେଜ ସହିତ ଯୋଡିବ। ଚାଷୀକୁ ମାର୍କେଟ ସହିତ ଯୋଡିବ। ରୋଗୀକୁ ହସ୍‌ପିଟାଲ ନେବ। ମା’ ମାନେ ସେମାନଙ୍କ କାମ ପାଇଁ ବିଭିନ୍ନ ସ୍ଥାନକୁ ସୁବିଧାରେ ଯାଇପାରିବେ। ଲକ୍ଷ୍ମୀ ଯୋଜନା ଘରେ ଘରେ ଖୁସି ଆଣିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଖୁବ ଶୀଘ୍ର ମାଲକାନଗିରି ଏଥିରେ ସାମିଲ ହେବ। ଏଥିରେ ଗାଁରେ ମିଳିବ ସହରର ସୁବିଧା । ବ୍ୟାଙ୍କିଂ, ଇଣ୍ଟର୍‌ନେଟ, ଡିଜିଟାଲ ଭିତ୍ତିଭୂମି ସବୁର ବିକାଶ ହେବା ସହିତ ଆମ ସଂସ୍କୃତିର ମଧ୍ୟ ପ୍ରସାର ହେବ ବୋଲି ସେ କହିଥିଲେ।

ଗୁରୁପ୍ରିୟା ସେତୁର ଗୁରୁତ୍ୱ ସମ୍ପର୍କରେ ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା  ମାଲକାନଗିରି ବିକାଶର ଏକ ବଡ ମାଇଲଷ୍ଟୋନ। ଏହି ସେତୁ ଜରିଆରେ ସ୍ବାଭିମାନ ଅଞ୍ଚଳରେ ଆସିଛି ବିକାଶର ଆଲୋକ।

ମୁଖ୍ୟମନ୍ତ୍ରୀ ମାଲକାନଗିରିରେ ଦୁଇ ଶହ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ କରିବା ସହିତ ୬୦୦ କୋଟି ଟଙ୍କାର ପ୍ରକଳ୍ପ  ପାଇଁ ଭିତ୍ତିପ୍ରସ୍ତର ମଧ୍ୟ ରଖିଥିଲେ।   ସମସ୍ତଙ୍କ ସହଯୋଗରେ ଏହି କାମ ସବୁ ଠିକ୍‌ ସମୟରେ ଶେଷ ହେବ ଏବଂ ମାଲକାନଗିରିର ବିକାଶ ଆହୁରି ଉଜ୍ଜଳ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ସ୍ୱାଗତ ଭାଷଣ ଦେଇ କହିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେତେ ସବୁ ନୂତନ ଯୋଜନା ଆରମ୍ଭ କରିଥାନ୍ତି, ତାହା ମାଲକାନଗିରି ଜିଲ୍ଲାରୁ । ତେଣୁ ମାଲକାନଗିରି ଜିଲ୍ଲାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ। ଲକ୍ଷ୍ମୀ ବସ୍ ଯୋଗୁ ମାଲକାନଗିରିର ଆଭ୍ୟନ୍ତରୀଣ ଅଞ୍ଚଳକୁ ବସ୍ ଚଳାଚଳ ହେବା ଫଳରେ ଗାଁ ଗହଳିର ଲୋକମାନେ ବହୁଳ ଭାବେ ଉପକୃତ ହେବେ। ଅନ୍ୟତମ ଅତଥି ଭାବେ ଚିତ୍ରକୋଣ୍ଡା ବିଧାୟକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ବାକା କହିଥିଲେ ଯେ ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ଆଜି ଦିନଟି ଏକ ଐତିହାସିକ ଦିନ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସ୍ୱାଭିମାନ ଅଞ୍ଚଳରେ ଗୁରୁପ୍ରିୟା ସେତୁ ନିର୍ମାଣ ଫଳରେ ଆମ ଅଞ୍ଚଳର ବହୁତ ବିକାଶ ହୋଇଛି।

ଅନ୍ୟତମ ଅତଥି ଭାବେ ଯୋଗ ଦେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ସବୁ ଯୋଜନା ଭାବନ୍ତି ତାକୁ ତୃଣମୂଳ ସ୍ତରରେ ଆରମ୍ଭ କରନ୍ତି। ଆଜି ୬ଟି ଜିଲ୍ଲାରେ ଆମର ଏହି ଲକ୍ଷ୍ମୀ ଯୋଜନା ଆରମ୍ଭ ହେଉଛି। ଲକ୍ଷ୍ମୀ ଯୋଜନା ମାଧ୍ୟମରେ ପଞ୍ଚାୟତରୁ ବ୍ଲକକୁ, ବ୍ଲକରୁ ଜିଲ୍ଲା ସଦରମହକୁମାକୁ ଗାଡି ଚଳାଚଳ କରିବ। ଗ୍ରାମାଞ୍ଚଳର କୃଷକ, ଛାତ୍ରଛାତ୍ରୀ, ମା’ ଭଉଣୀ ସମସ୍ତେ ଏହା ମାଧ୍ୟମରେ ଉପକୃତ ହେବେ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ ପ୍ରତି ବ୍ଲକରେ ବସ୍‌ ଷ୍ଟାଣ୍ଡ ନିର୍ମାଣ ହେଉଛି। ଏହା ବସ୍ ଚଳାଚଳ ବ୍ୟବସ୍ଥାରେ ଉନ୍ନତି ଆଣିବ।