Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି: ବନ୍ୟା ଯୋଗୁଁ ବୃଦ୍ଧି କଲେ ଯୁକ୍ତ ୨ ନାମଲେଖା ଅବଧି

ଭୁବନେଶ୍ୱର: ଲଘୁଚାପଜନିତ ବର୍ଷା ଯୋଗୁଁ ରାଜ୍ୟର ଅନେକ ସ୍ଥାନରେ ବନ୍ୟା ସୃଷ୍ଟି ହୋଇଛି। ତେଣୁ ଛାତ୍ରଛାତ୍ରୀଙ୍କ ପାଇଁ ଯୁକ୍ତ ୨ ନାମଲେଖା ଆବେଦନରେ ବାଧା ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଯୁକ୍ତ ୨ ନାମଲେଖା ଅବଧିକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି।

ପୂର୍ବରୁ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଅଗଷ୍ଟ ୧୯ରୁ ୨୫ ତାରିଖ ପର୍ଯ୍ୟନ୍ତ ସ୍ଥିର କରାଯାଇଥିବା ବେଳେ ଏହାକୁ ବୃଦ୍ଧି କରାଯାଇ ଅଗଷ୍ଟ ୩୦ ତାରିଖ ପର୍ଯ୍ୟନ୍ତ କରାଯାଇଛି।

ତେବେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ସେପ୍ଟେମ୍ବର ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଯାଇଛି। ସେହିଭଳି ତତକାଳ ନାମଲେଖା ସେପ୍ଟେମ୍ବର ୧୭ ତାରିଖରୁ ୨୦ ତାରିଖ ମଧ୍ୟରେ କରାଯିବା ନେଇ ସ୍ଥିର କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଞ୍ଚଳିକ ପାଣିପାଗ ବିଭାଗର ସତର୍କ ସୂଚନା: ୧୪ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ରାଜ୍ୟର ଅନେକ ଜିଲ୍ଲାରେ ଲଘୁଚାପଜନିତ ବର୍ଷା ଜାରି ରହିଛି। ରାଜ୍ୟରେ ଗଭୀର ଅବପାତର ପ୍ରଭାବ ଏବେ ବି ସକ୍ରିୟ ରହିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ନେଇ ଅନୁମାନ କରାଯାଉଛି। ଆସନ୍ତା ୪୮ ଘଣ୍ଟାରେ ଏହା ଛତିଶଗଡ, ମଧ୍ୟପ୍ରଦେଶ ମୁହାଁ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି। ଆଗାମୀ ୬ ଘଣ୍ଟାରେ ଏହା ଦୁର୍ବଳ ହୋଇ ଅବପାତରେ ପରିଣତ ହେବ। ତେବେ ଏହାର ପ୍ରଭାବରେ ୧୪ ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଏହାକୁ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି।

ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ଵର, କେନ୍ଦ୍ରାପଡା, ଯାଜପୁର, ଦେବଗଡ, ସମ୍ବଲପୁର, ନୂଆପଡା, ନବରଙ୍ଗପୁର, ବଲାଙ୍ଗୀରି ଏବଂ କେନ୍ଦୁଝର ଜିଲ୍ଲାଗୁଡିକୁ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି। କିନ୍ତୁ ଆଜି ଅପରାହ୍ନ ସୁଦ୍ଧା ଉପକୂଳବର୍ତ୍ତୀ ଅଞ୍ଚଳରେ ପାଗର ପରିବର୍ତ୍ତନ ଘଟିବା ସମ୍ଭାବନା ରହିଛି। ହେଲେ ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲା ଓ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ହେବା ସମ୍ଭାବନା ରହିଛି।

Categories
ଆଞ୍ଚଳିକ

ଲଘୁଚାପଜନିତ ବର୍ଷାରେ ବେହାଲ ଚିଲିକାବାସୀ: ପାଣି ଘେରରେ ଅନେକ ଗ୍ରାମ

ସୀତାରାମ ଅଗ୍ରୱାଲ

ଚିଲିକା: ସାରା ରାଜ୍ୟରେ ଶନିବାର ଠାରୁ ଲଘୁଚାପଜନିତ ବର୍ଷା ଲାଗିରହିଥିବା ବେଳେ କେତେବେଳେ ଝିପି ଝିପି ତ କେତେବେଳେ ମୁଷଳ ଧାରାରେ ବର୍ଷୁଛି। ତୁହାକୁ ତୁହା ବର୍ଷା ହେବା ଫଳରେ ଚାରିଆଡ଼େ ଜଳମଗ୍ନ। ଯାହାର ପ୍ରଭାବ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ନିର୍ବାଚନମଣ୍ଡଳିରେ ଦେଖିବାକୁ ମିଳିଛି।

ଆଜି ଚିଲିକା ବ୍ଲକରେ ୧୬୦ ମିଲିମିଟର ଓ ବାଣପୁର ବ୍ଲକରେ ୧୩୯ ମିଲିମିଟର ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଚିଲିକା ବ୍ଲକ ଅନ୍ତର୍ଗତ ଜରିପଡା, କାଳୁପଡ଼ା, ଚଣ୍ଡେଶ୍ୱର ଆଦି ଅଞ୍ଚଳରେ ହଜାର ହଜାର ଜନସାଧାରଣ ଜଳବନ୍ଦୀ ହୋଇଥିବାବେଳେ ଏକାଧିକ ସ୍ଥାନରେ ୪ ଫୁଟରୁ ଉର୍ଦ୍ଧ ଲହଡି ମାରୁଛି। ତାହା ସହ ଚିଲିକା କୁଳିଆ ମତ୍ସଜୀବୀଙ୍କର ହଜାର ହଜାର ଟଙ୍କାର ଜାଲ ଡଙ୍ଗା ପ୍ରଭାବିତ ହୋଇଛି। କାଳୁପଡ଼ା ଘାଟ ଅଞ୍ଚଳର ଝୁନୁପଦା ଠାରେ ଅଣ୍ଟାଏ ଉଚ୍ଚର ପାଣି ଲହଡି ମାରୁଛି। ସେହିଭଳି ଭାବେ କାଳୁପଡାଘାଟ ରେଳ ଲାଇନ ନିକଟ ଶଙ୍ଖ ବିପଦ ସଙ୍କୁଳ ସଂକେତ ଉପରେ ଜଳ ପ୍ରଭାବିତ ହେଉଛି।

ଚଣ୍ଡେଶ୍ୱର ଅଁଳାଡିହ ଗ୍ରାମର ଚଢେଇ ଗୁଆଁ ଗ୍ରାମରେ ଭାଙ୍ଗିଛି ନଦୀ ବନ୍ଧ। ଗ୍ରାମବାସୀ ମାନେ ଏକତ୍ରିତ ହୋଇ ବାଲି ବସ୍ତା ରଖି ବନ୍ଧକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରିଛନ୍ତି। ବାଁଉଶମୂଳରୁ ସୋରଣ ଯିବା ରାସ୍ତା ଉପରେ ୪ ଫୁଟର ବର୍ଷା ଜଳ ଲହଡି ଭାଙ୍ଗୁଛି।

ସେହିପରି ଭାବେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ଜଳ ନିଷ୍କାସିତ ନ ହୋଇ ରାସ୍ତା ଘାଟରେ ଜମି ରହିବା ଦ୍ୱାରା ଅନେକ ସ୍ଥାନରେ ଯଥା ବାଣପୁର ବାଲୁଗାଁର ମୁଖ୍ୟ ରାସ୍ତା ଆଇବି ରୋଡ଼, ଉମାମହେଶ୍ୱର ରାସ୍ତା, ସୂର୍ଯ୍ୟନଗର, ଗଙ୍ଗନଗର ସମେତ ବାଲୁଗାଁ ମହାବିଦ୍ୟାଳୟ ଏବଂ ଉଚ୍ଚ ବିଦ୍ୟାଳୟ ମୁଖ୍ୟ ରାସ୍ତା ଜଳାର୍ଣ୍ଣବ ଅବସ୍ଥାରେ ରହିଛି। ଚାରିଆଡେ ପାଣି ଜମିରହିବା ଫଳରେ ମଶା ବଂଶ ବିସ୍ତାର ଯାହାକି ଡେଙ୍ଗୁ ଆଦି ନାନାଦି ମାରାତ୍ମକ ରୋଗ ବ୍ୟାପିବା ସାଙ୍ଗକୁ ସରୀସୃପଙ୍କ ଭୟରେ ସାଧାରଣ ଜନତା ଆତଙ୍କିତ ଅବସ୍ଥାରେ ଅଛନ୍ତି। ବିଭିନ୍ନ ରାସ୍ତା ସମସ୍ୟା ହେଉ ଅଥବା ଡ୍ରେନ ସମସ୍ୟା ବହୁ ପୂର୍ବରୁ ଲାଗିରହିଥିଲେ ସୁଦ୍ଧା ପ୍ରଶାସନ ଏଯାବତ ତାହାକୁ ସଜାଡିପାରିନାହିଁ।

ଲଗାତର ବର୍ଷା ଯୋଗୁଁ ଅଶାନ୍ତ ହୋଇଛି ଚିଲିକା। କୂଳ ଲଙ୍ଘି ଚିଲିକା ଜଳରାଶି ଫୁଲିବାରେ ଲାଗିଛି। ଯାହାର ପ୍ରଭାବରେ ଚିଲିକା ଉପରେ ନିର୍ଭର କରୁଥିବା ମତ୍ସ୍ୟଜୀବୀ ଏବଂ ବେପାରୀ ନିଜର ବେଉସା ହରାଇ ବସିଛନ୍ତି। ଏପରିକି ବାଲୁଗାଁ ଜେଟି ଓ ବଡ଼କୁଳ ନିକଟ ପାନ୍ଥନିବସ ଜେଟିରେ ଶତାଧିକ ମତ୍ସ୍ୟଜୀବୀ ନିଜର ଡ଼ଙ୍ଗାକୁ କୂଳରେ ରଖି ବସିଥିବା ବେଳେ ନିଜ ପରିବାର ଗୁଜୁରାଣ ମେଣ୍ଟାଇବା କଷ୍ଟ ସାଧ୍ୟ ହୋଇପଡିଛି। ଏଥି ସହିତ ତୁହାକୁ ତୁହା ବର୍ଷାରେ ଲୋକେ ଘରୁ ବାହାରକୁ ବାହାରିପାରୁ ନ ଥିବା ଫଳରେ ଚାରିଆଡେ ଖାଁ ଖାଁ ଲାଗୁଛି।

ସେହିପରି ଭାବେ ଲଘୁଚାପ ଜନିତ ଲଗାଣ ବର୍ଷାରେ ବାଣପୁର ବ୍ଲକର ବହୁ ପଞ୍ଚାୟତ ଜଳମଗ୍ନ ହୋଇଛି। ଗମ୍ଭାରୀମୁଣ୍ଡାର ବାବା ବାଙ୍କନିଧି ଦେବଙ୍କ ମନ୍ଦିର ଭିତରେ ୪ଫୁଟ ର ପାଣି ଓ ନରେନ୍ଦ୍ରପୁର ଗାଁ ର ରାଧାକୃଷ୍ଣ ଦେବଙ୍କ ମନ୍ଦିରରେ ୨ଫୁଟ ର ପାଣିର ଲହଡି ଯୋଗୁଁ ଯୋଗୁଁ ପୂଜାକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।

ସେହିଭଳି ବରପାଟଣା ଭଗବତୀପୁର ଓ ଘାଷେଡିହ ଗ୍ରାମର ଜନସାଧାରଣ ମାନେ ମଧ୍ୟ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ଉକ୍ତ ଅଞ୍ଚଳଗୁଡିକୁ ବାଦ ଦେଲେ ଏବେବି ୮ଟି ଗାଁ ଜଳମଗ୍ନ ଭିତରେ ରହିଛି ଓ ବିଭିନ୍ନ ସ୍ଥାନରେ ପାଣି ଜମିରହିଛି। ଶାଳିଆ ନଦୀର ଧାର ସାପୁଆ ନଦୀ ର ପ୍ରଭାବରେ ଗାଲୁଆ ଗ୍ରାମ ପଞ୍ଚାୟତ ଓ ବାଣପୁର ଏନ୍.ଏ.ସି ର କିଛିଗ୍ରାମ ଜଳ ଘେରୀରେ ଅଛି। ସେହିଭଳି କ୍ଷୁଦ୍ର ଜଳ ବିଭାଜନ ଷଣ୍ଡା ଡ୍ୟାମର ଦୁଇ ନଦୀ ଅନ୍ଧାରୀ ଓ ନୀୟମ ନାଳର ଜଳରାଶି ବୃଦ୍ଧି ହେବା ଯୋଗୁଁ ଆୟତପୁର, ଦେଓଗାଁ, ଗମ୍ଭାରିମୁଣ୍ଡା ଓ ତୋରସିଂହ ପଞ୍ଚାୟତରେ ନଦୀଜଳ ଅନେକ ଗାଁକୁ ପ୍ରବେଶ କରିଥିବା ବେଳେ ପାଣ୍ଡବାଶୁଣି ପାହାଡରୁ ଅଜଗର ନଦୀ କୁଲେଇ ପଂଚାୟତର ଗମେଇ ଗ୍ରାମ ଭିତରେ ନଦୀ ଜଳ ପଶିବାର ଦେଖାଯାଇଥିଲା।

ତେବେ ସମସ୍ତ ଅଞ୍ଚଳରେ ଜିରୋ କାଜୁଆଲିଟି ଥିବା ଉଭୟ ବାଣପୁର ଓ ଚିଲିକା ତହସିଲଦାର ସୂଚନା ଦେଇଛନ୍ତି। ବାଣପୁରରେ ଏଯାବତ କୌଣସି ଘର ବର୍ଷାରେ ଭାଂଗିନଥିବାବେଳେ ଚିଲିକା ଅଞ୍ଚଳରେ ଏକାଧିକ ଘର ଭାଙ୍ଗିଥିବାର ସୂଚନା ଦେଇଛନ୍ତି ତହସିଲଦାର। ସେହିପରି ଭାବେ ଚିଲିକା ପ୍ରଶାସନ ଜନସାଧାରଣଙ୍କ ପାଇଁ ବହୁ ବିଦ୍ୟାଳୟରେ ରହିବା ବ୍ୟବସ୍ଥା କରିଥିବାର ସୂଚନା ମିଳିଛି। ତେବେ ପ୍ରଶାସନ ଦିନତମାମ ସଜାଗ ରହିଥିବାର ଉଭୟ ତହସିଲଦାର ସୂଚନା ଦେଇଛନ୍ତି।

ଅନୁରୂପଭାବେ ସମସ୍ତ ପରିସ୍ଥିତି ଉପରେ ପୋଲିସ ତୀକ୍ଷ୍ଣ ଦୃଷ୍ଟି ରଖିବା ସହ ସଜାଗ ରହିଥିବାର କହିଛନ୍ତି ବାଲୁଗାଁ ଏସଡ଼ିପିଓ। ଅଗ୍ନିଶମ ବାହିନୀ ମଧ୍ୟ ସତର୍କ ଥିବାର ଉଭୟ ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି। ତତସହିତ ବାଣପୁର ବ୍ଲକ ଅନ୍ତର୍ଗତ ଆୟତପୁର- ଦେଓଗାଁ ମୁଖ୍ୟ ରାସ୍ତା ଛକରେ ଆଜି ଲଗାଣ ବର୍ଷା ଫଳରେ ଏକ ବିରାଟକାୟ ବରଗଛ ଭାଙ୍ଗିପଡ଼ି ମୁଖ୍ୟ ରାସ୍ତା ଅବରୋଧ କରିଥିବାବେଳେ ବାଣପୁର ଅଗ୍ନିଶମ ବାହିନୀ ଅକ୍ଲାନ୍ତ ପରିଶ୍ରମ କରି ରାସ୍ତା ସଫା କରିଥିବାର ଦେଖାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଲଘୁଚାପଜନିତ ବର୍ଷା: ୬ ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ, ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ତାର ଆଖପାଖ ଓଡିଶା ଏବଂ ଗାଙ୍ଗିୟ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ଲଘୁଚାପ ସକ୍ରିୟ ହୋଇଛି। ଆଗାମୀ ୨୪ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହେବା ସହିତ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଓଡିଶା ମଧ୍ୟ ଦେଇ ଗତି କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ପ୍ରବଳଋ ଅତି ପ୍ରବଳ ବର୍ଷା ହେବା ଅନୁମାନ କରାଯାଇଛି।

ସେଥିପାଇଁ ୬ ଟି ଜିଲ୍ଲାକୁ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେଡ ୱାର୍ଣ୍ଣିଂ ଜାରି କରିଛି। ସମ୍ବଲପୁର, ସୋନପୁର, ବଲାଙ୍ଗିର, ବୌଦ୍ଧ, ବରଗଡ଼ ଓ ଅନୁଗୋଳ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ରେଡ ୱାର୍ଣ୍ଣିଂ ଜାରି କରିଛି। ସେହିଭଳି ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଯାଜପୁର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, ଅନୁଗୋଳ, ସମ୍ବଲପୁର, ବଲାଙ୍ଗିର, ସୋନପୁର ଓ ବୌଦ୍ଧ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ କରାଯାଇଛି।

ଲଘୁଚାପଜନିତ ବର୍ଷା ଯୋଗୁଁ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଛି। ରାଜ୍ୟରେ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ୍ କମିଶନରଙ୍କୁ ଏନେଇ ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ନିର୍ଦ୍ଦେଶ ଦେଇଛନ୍ତି।