Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଧଳା ଜହର କବ୍ଜାରେ ଚିଲିକା!: ବାଲୁଗାଁରୁ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲାରେ କିଛି ଦିନ ହେବ ବ୍ରାଉନ ସୁଗାର କାରବାର ଥମିଥିବା ବେଳେ ଆଜି ପୁଣି ଧଳା ଜହର ବେପାରୀ ସକ୍ରିୟ ହୋଇଉଠିଛନ୍ତି। ଆଜି ସକାଳୁ ଅବକାରୀ ବିଭାଗ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ସହରରୁ ଜଣେ ବ୍ରାଉନସୁଗାର ବେପାରୀକୁ ଗିରଫ କରିଛି।

ସୂଚନା ମୁତାବକ ଆଜି ସକାଳ ୭ ଟାରେ ଟାଙ୍ଗୀ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନ ଏବଂ ବାଲୁଗାଁ ଅବକାରୀ ବିଭାଗ ଏସଆଇ ମନୋଜ ବାରିକ ବାଲୁଗାଁ ଚକ୍ରଧରପୁର ସାହି ନିକଟରେ ଚଢ଼ାଉ କରି ଅଭିଯୁକ୍ତ ଜଣଙ୍କୁ ଗିରଫ କରିଛନ୍ତି। ତାଙ୍କ ନିକଟରୁ ପାଖାପାଖି ୧୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ। ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ। ଗିରଫ ଅଭିଯୁକ୍ତଜଣଙ୍କ ପାଣ୍ଡଵ ବେହେରା (୨୮) ବୋଲି ଜଣାପଡିଛି। ଅବକାରୀ ସୂତ୍ରରୁ ପ୍ରକାଶ ଯେ ଦୀର୍ଘଦିନ ହେବ ବାଲୁଗାଁରେ ପାଉଡର ବେପାର ଚାଲିଥିବାର ଖବର ସେମାନଙ୍କ ପାଖରେ ଥିଲା। ତେବେ ବହୁ ଦିନର ପ୍ରଚେଷ୍ଟା ପରେ ଆଜି ଅବକାରୀ ପଞ୍ଝାରେ ଉକ୍ତ ପାଉଡର ବେପାରୀ ଧରା ପଡିଛି। ଅଭିଯୁକ୍ତଙ୍କ ନାମରେ ପିଆର ନଂ ୩୭ ରେ ଏନଡିପିଏସ ଅଧିନିୟମ ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଛି।

ବାଲୁଗାଁରେ ପାଉଡର କାରବାର ଚାଲିଥିବା ଖବର ପ୍ରଚାର ହେବାପରେ ଜନସାଧାରଣ ଚିନ୍ତାରେ ପଡିଯାଇଛନ୍ତି। ଅନୁରୂପ ଭାବେ ବାଣପୁର ସହରରେ ମଧ୍ୟ ପାଉଡର ବେପାର ଚାଲିଥାଇପାରେ ବୋଲି ଜନସାଧାରଣ ମାନେ ସନ୍ଦେହ କରୁଛନ୍ତି। ପୋଲିସ ଏବଂ ଅବକାରୀ ବିଭାଗ ଏ ଦିଗରେ ଯଥାଶୀଘ୍ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ନଚେତ ଉକ୍ତ ଅଞ୍ଚଳର ଯୁବ ପିଢୀମାନଙ୍କ ଭବିଷ୍ୟତ ବିପଦଗାମୀ ଆଡକୁ ଗତି କରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।