Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜାତୀୟ ରାଜପଥରେ ସମାନ ଧରଣର ଲୁଟର ପର୍ଦ୍ଦାଫାଶ କଲା ଟାଙ୍ଗୀ ପୋଲିସ, ୩ ଗିରଫ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: କିଛି ଦିନ ଧରି ଏନଏଚ ୧୬ ରେ ଲୁଟ୍ ଆତଙ୍କ ମଚାଇଥିବା ଗ୍ୟାଙ୍ଗର ପର୍ଦ୍ଦାଫାଶ୍ କରିଛି ଟାଙ୍ଗୀ ପୋଲିସ୍। ଏ ନେଇ ଟାଙ୍ଗୀ ଥାନାରେ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ଏକ ପ୍ରେସ୍ ମିଟ୍ ଜରିଆରେ ସୁଚନା ଦେଇଛନ୍ତି। ଗତ କିଛି ଦିନ ଧରି ୧୬ ନଂ ଜାତୀୟ ରାଜପଥରେ ଯାଉଥିଵା ମହିଳାମାନଙ୍କୁ ଏହି ଲୁଟେରାମାନେ ଟାର୍ଗେଟ୍ କରୁଥିଲେ।

ମହିଳାମାନଙ୍କ ଠାରୁ ବାଇକରେ ଆସି ଭ୍ୟାନିଟ୍ ବ୍ୟାଗ୍ ଝାମ୍ପି ନେବା ସହ ସୁନା ହାର ଛିନତାଇ କରୁଥିଲେ। ଫଳରେ ମହିଳାମାନେ ସ୍କୁଟି ଏବଂ ବାଇକରୁ ପଡି ଗୁରୁତର ହୋଇଥିଲେ। ଗତ କିଛିଦିନ ତଳେ ଟାଙ୍ଗୀ ବାଇପାସ୍ ରେ ଦୁଇ ଜଣ ମହିଳାଙ୍କଠାରୁ ଝାମ୍ପି ନେବା ବେଳେ ୨ ଜଣ ମହିଳା ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହୋଇଥିଲେ। ଲୁଟର ଶୀକାର ହୋଇଥିବା ମହିଳାମାନଙ୍କ ଠାରୁ ଅଭିଯୋଗ ପାଇଵା ପରେ ପୋଲିସ ଆରମ୍ଭ କରିଥିଲା ଅପରେସନ୍।

ଏସପି ଶ୍ରୀ କଟାରିଆଙ୍କ ନିର୍ଦ୍ଦେଶକ୍ରମେ ଟାଙ୍ଗୀ ଥାନା ପକ୍ଷରୁ ୩ ଟି ଟିମ୍ ଗଠନ କରାଯାଇଥିଲା। ପୋଲିସ ନିରାକାରପୁର ଓ ଟାଙ୍ଗୀର ବିଭିନ୍ନ ଅଂଚଳରେ ଚଢାଉ କରି ୩ ଜଣ ଲୁଟେରାଙ୍କୁ ଗିରଫ କରିଥିବା ଜଣାପଡିଛି। ୩ ଜଣ ଜାତୀୟ ରାଜପଥ ଲୁଟେରା ହେଲେ ରାମେଶ୍ୱର ମଙ୍ଗଳାସାହିର କାଳିଆ ଓରଫ ଲଳିତ କୁମାର ପଣ୍ଡିତ( ୩୦ ), ନିରାକାରପୁର ଖଜୁରୀ ପଡାର ଡାକା ଓରଫ ଅନିଲ କୁମାର ସୁନ୍ଦରାୟ(୨୭) ଓ ରଣପୁର ଥାନା ଗୋପାଳପୁର ବଘେଇ ସାହିର ସାଗର ମହାପାତ୍ର( ୨୩)।

ଏହା ସହ ଚୋରା ସୁନା ଗହଣା କିଣିଥିବା ଅଭିଯୋଗରେ ଜଣେ ଚୋରା ବେପାରୀଙ୍କୁ ଗିରଫ କରିଛି ପୋଲିସ। ଗିରଫ ଚୋରା ବେପାରୀ ହେଲେ ପୁରୀ ଜିଲା ଗଡିଶାଗଦା ଥାନା ରାୟଗରପୁରର ବିଭୁତି ଭୁଷଣ ସାହୁ ଓରଫ ବିଭୁ। ଗିରଫ ଲୁଟେରାମାନଙ୍କ ଠାରୁ ୨ ଟି ସୁନା ଚେନ, ୧ ଟି ସୁନା ହାର, ୩ ଟି ସୁନା ମୁଦି, ୪ ଟି ମୋବାଇଲ ଫୋନ୍, ୨ ହଳ ସୁନା ଚୁଡି ଏବଂ ୩ ଟି ଭ୍ୟାନିଟ୍ ବ୍ୟାଗ୍ ଜବତ କରିଛି ପୋଲିସ୍। ଏହା ସହ ଲୁଟରେ ବ୍ୟବହାର ହୋଇଥିବା ୨ ଟି ସ୍ପିଡ୍ ବାଇକ ମଧ୍ୟ ଜବତ କରିଛି ପୋଲିସ।

ଉକ୍ତ ପ୍ରେସ ମିଟରେ ଏସପିଙ୍କ ସମେତ ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଏବଂ ଟାଙ୍ଗୀ ଆଇଆଇସି ଦିଗବିଜୟ ବିଶ୍ୱାଳ ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ଦିନ ଦ୍ବିପହରରେ ବନ୍ଧୁକ ମୁନରେ ବାପ ଝିଅଙ୍କ ଠୁ ଲୁଟ୍

ସୀତାରାମ ଅଗ୍ରୱାଲ

ବାଣପୁର: ଦିନ ଦ୍ୱିପହରରେ ରାସ୍ତା ମଝିରେ ବନ୍ଧୁକ ମୁନରେ ଲୁଟ୍ ହୋଇଛି। ଲୁଟ୍ ର ଶିକାର ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଆଙ୍କୁଲା ପଦର ଗ୍ରାମର ଲଲାଟ କୁମାର ବେହେରା (୪୨) ଓ ତାଙ୍କ ଝିଅ ସୁନିତା ବେହେରା(୧୮)।

ଘଟଣାରୁ ପ୍ରକାଶ ଯେ, ଗତକାଲି ମଧ୍ୟାହ୍ନ ସମୟରେ ଲଲାଟ ଓ ତାଙ୍କ ଝିଅ ସୁନିତା ଖୋର୍ଦ୍ଧାରୁ ଟୀକା ନେଇ ଫେରୁଥିଲେ। ଏ ସମୟରେ ପୁର୍ବରୁ ଏକ ମୋଟର ସାଇକେଲରେ ଏମାନଙ୍କ ପିଛା କରି ଆସୁଥିବା ଦୁର୍ବୁତ୍ତ ଭାଟପଡା ଓ ବିଂଝିଳା ମଧ୍ୟବର୍ତ୍ତୀ ଏକ ନିକାଞ୍ଚନ ଜାଗାରେ ଲଲାଟଙ୍କ ଗାଡି ଅଟକାଇ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଭୟଭୀତ କରାଇଥିଲେ। ସେମାନେ ଏହାର ପ୍ରତିବାଦ କରିବାରୁ ଦୁର୍ବୁତ୍ତ ଉଭୟଙ୍କୁ ବନ୍ଧୁକରେ ମାଡମାରିବା ସହ ଲାତ ଗୋଇଠା ମାରି ଲହୁ ଲୁହାଣ କରିଥିବା ବେଳେ ସୁନିତାଙ୍କ ଚଷମା ଓ ଲଲାଟଙ୍କ ହେଲମେଟ ଭାଙ୍ଗିଦେଇଥିଲେ।

ଝିଅ ସୁନିତା ପିନ୍ଧିଥିବା ୧୨ ଗ୍ରାମ ସୁନା ଚେନ ସହ ଲଲାଟଙ୍କ ମନୀପର୍ସ ସାଙ୍ଗକୁ ନଗଦ ୫୦୦୦ ଟଙ୍କା ଓ ଅତ୍ୟାବଶ୍ୟକ କାଗଜପତ୍ର ଲୁଟିନେଇ ଫେରାର ହୋଇଯାଇଥିଲା ଦୁର୍ବୁତ୍ତ ଜଣକ। ଏହାକୁ ନେଇ ଲୁଟ୍ ର ଶିକାର ହୋଇଥିବା ଲଲାଟ କୁମାର ବେହେରା ବାଣପୁର ମେଡିକାଲ କୁ ଯାଇ ଚିକିତ୍ସା କରାଇବା ସହ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିବାର ସୂଚନା ମିଳିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଚିଲିକା ଅଞ୍ଚଳରେ ଲୁଟ, ରାହଜାନିକୁ ରୋକିବା ଲକ୍ଷ୍ୟ: ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ

ସୀତାରାମ ଅଗ୍ରୱାଲ

ଖୋର୍ଦ୍ଧା/ଚିଲିକା: ଗତ ୩୧ ତାରିଖରୁ ପୂର୍ବତନ ଏସପି  ଅଜେୟ ପ୍ରତାପ ସ୍ୱାଇଁ ଅବସର ନେବା ପରେ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ପଦବୀ ଖାଲିପଡିଥିଲା। ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାର ନୂତନ ଆରକ୍ଷୀ ଅଧିକ୍ଷକ ଭାବେ ବରିଷ୍ଠ ଓପିଏସ ଅଧିକାରୀ ରାଜକିଶୋର ଦୋରା ଯୋଗ ଦେଇଛନ୍ତି। କାର୍ଯ୍ୟଭାର ସମ୍ଭାଳିବା ପରେ ଟାଙ୍ଗୀ ଚିଲିକା ଅଞ୍ଚଳରେ ଲୁଟ, ରାହଜାନି, ସାଇବର ଅପରାଧକୁ ମୁଳୋତ୍ପାଟନ କରିବା ପୋଲିସର ପ୍ରାଥମିକତା ରହିବ ବୋଲି ଏସପି ରାଜକିଶୋର ଦୋରା ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।

ଏହା ସହିତ ଖୋର୍ଦ୍ଧା ଜିଲ୍ଲା ରାଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ହୋଇଥିବାରୁ ଆଗାମୀ ଦିନରେ ଜିଲ୍ଲାକୁ କିପରି ଅପରାଧ ମୁକ୍ତ କରାଯିବ ସେଦିଗରେ ଯଥା ସମ୍ଭବ କାର୍ଯ୍ୟ କରିବେ ବୋଲି ନୂତନ ଏସପି ରାଜକିଶୋର ଦୋରା କହିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଶ୍ରୀ ଦୋରା ଦକ୍ଷ ପୋଲିସ ଅଧିକାରୀ ଭାବେ ସାରା ରାଜ୍ୟରେ ବେଶ୍ ଜଣାଶୁଣା। କିଛିଦିନ ତଳେ ଶ୍ରୀ ଦୋରା କ୍ରାଇମବ୍ରାଞ୍ଚ ଏସପି ଭାବେ ଅବସ୍ଥାପିତ ହୋଇଥିଲେ। ପୂର୍ବରୁ ଶ୍ରୀ ଦୋରା ଅନୁଗୁଳ, କେନ୍ଦ୍ରାପଡା, ଯାଜପୁର ଆଦି ଜିଲ୍ଲାରେ ଦକ୍ଷତାର ସହ କାର୍ଯ୍ୟ  ସମ୍ପାଦନ କରିଛନ୍ତି।