Categories
ଆଜିର ଖବର ରାଜ୍ୟ ଖବର

ଲେଖଶ୍ରୀଙ୍କ ବିରୋଧରେ ଫେସବୁକ ପେଜରେ ମିଥ୍ୟା ଖବର ପ୍ରଚାର ଅଭିଯୋଗ: କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ବର: ଫେସବୁକ ପେଜରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଲେଖଶ୍ରୀ ସାମନ୍ତସିଂହାରଙ୍କ ବିରୋଧରେ ମିଥ୍ୟା ଖବର ପ୍ରଚାର କରିଥିବା ଅଭିଯୋଗ ହୋଇଛି। ଏନେଇ ଲେଖାଶ୍ରୀ ଆଜି ସମ୍ପୃକ୍ତ ଫେସବୁକ ପେଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ତାଙ୍କର ଅଭିଯୋଗ ଅନୁଯାୟୀ, ‘ପଲିଟିକାଲ ଡ୍ରାମା’ ନାମକ ଏକ ଫେସବୁକ୍ ପେଜରେ ତାଙ୍କ ବିରୋଧରେ ଏକ ମିଥ୍ୟା ପୋଷ୍ଟ କରି ଲୋକମାନଙ୍କୁ ଭ୍ରମିତ କରୁଛି। ରନ୍ଧନ ଗ୍ୟାସର ମୂଲ୍ୟ ବୃଦ୍ଧି ହେଉଥିବାରୁ ମହିଳାମାନଙ୍କୁ କମ ଜିନିଷ ରାନ୍ଧିବା ଉଚିତ ଯାହାର ଅର୍ଥ ଭାତ ଓ ଡାଲି ବୋଲି ଲେଖାଶ୍ରୀ କହିଥିବାର ଏହି ପେଜରେ ପୋଷ୍ଟ କରାଯାଇଛି।

ତେବେ ଲେଖାଶ୍ରୀ ଏଭଳି ମନ୍ତବ୍ୟ ଦେଇନଥିବା କହିଛନ୍ତି ଏବଂ ଏପରି ମିଥ୍ୟା ଖବର ଲୋକଙ୍କୁ ବ୍ଲାକମେଲ କରିବା ଏବଂ ସେମାନଙ୍କଠାରୁ ଟଙ୍କା ଲୁଟିବା ପାଇଁ ଉଦ୍ଦିଷ୍ଟ ବୋଲି ଅଭିଯୋଗ କରିଛନ୍ତି।

ଏହି ପ୍ରସଙ୍ଗରେ ଗଣମାଧ୍ୟମ ପ୍ରତିନିଧୀଙ୍କୁ ସେ କହିଛନ୍ତି ଯେ , ‘ ମୋ ବିରୁଦ୍ଧରେ ମିଥ୍ୟା ପ୍ରଚାର କରାଯାଇଛି ଏବଂ ମୋତେ ବଦନାମ କରିବାକୁ ଚେଷ୍ଟା କରାଯାଇଛି। ମୁଁ ଏହାକୁ ଦୃଢ ନିନ୍ଦା କରୁଛି। ପୋଲିସ ମହାନିର୍ଦ୍ଦେଶକ, କ୍ରାଇମ ବ୍ରାଞ୍ଚ, ସାଇବର ସେଲ ଏବଂ ଦୈତ ନଗରୀ ପୋଲିସ୍ କମିଶନରଙ୍କୁ ଟ୍ୟାଗ୍ କରି ମୁଁ ଟ୍ୱିଟ୍ କରିଛି। ‘ମୁଁ ଅଧିକାରୀମାନଙ୍କୁ ଅନୁରୋଧ କରୁଛି ଯେ ଟ୍ୱିଟକୁ ଏତଲା ଭାବେ ଗ୍ରହଣ କରି, ଏହି ଘଟଣାର ଅନୁସନ୍ଧାନ କରନ୍ତୁ ଏବଂ ଏହା ପଛରେ ଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।