Categories
ଆଜିର ଖବର ଖେଳ ରାଜ୍ୟ ଖବର

ସର୍ବଭାରତୀୟ ପୋଲିସ୍ ହକି: “ଲୋଗୋ ଏବଂ ମାସ୍କଟ-ଆଶା” ଲୋକାର୍ପଣ କଲେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ

ଭୁବନେଶ୍ଵର: ଭୁବନେଶ୍ବର ସ୍ଥିତ ପୋଲିସ୍ ଭବନରେ ୭୩ତମ ସର୍ବଭାରତୀୟ ପୋଲିସ୍ ହକି ଚାମ୍ପିୟନସିପ୍ ୨୦୨୫ ର Curtain Raiser ସମାରୋହ ଅନୁଷ୍ଠିତ ହୋଇଯାଇଛି।

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୭୩ତମ ସର୍ବଭାରତୀୟ ପୋଲିସ୍ ହକି ଚାମ୍ପିୟନସିପ୍ ୨୦୨୫ର “ଲୋଗୋ ଏବଂ ମାସ୍କଟ-ଆଶା” କୁ ଲୋକାର୍ପଣ କରିଛନ୍ତି।

କେନ୍ଦୁଝର ଜିଲ୍ଲାର ଏକ ଜଙ୍ଗଲରୁ ଗୁରୁତର ଆହତ ଅବସ୍ଥାରେ ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗର କର୍ମଚାରୀମାନେ ଏକ ଗଜ ଶାବକ (ହାତୀ ଛୁଆ)କୁ ଉଦ୍ଧାର କରିଥିଲେ । ପରେ ତାକୁ ସେଠାରୁ ନନ୍ଦନକାନନକୁ ସ୍ଥାନାନ୍ତର କରାଯାଇଥିଲା। ତାର ଏହି ସଂଘର୍ଷମୟ କାହାଣୀ ଉପରେ “ଆଶା” ଆଧାରିତ। ଯିଏକି ବର୍ତ୍ତମାନ ନନ୍ଦନକାନନରେ ସୁସ୍ଥ ଓ ସୁରକ୍ଷିତ ଅବସ୍ଥାରେ ଅଛି। ଏହି ମାସକଟ୍‌ “ଆଶା” ଦୟା, ସାହସ ଓ ପରିବେଶ ସଂରକ୍ଷଣ ପ୍ରତି ଓଡ଼ିଶାର ପ୍ରତିବଦ୍ଧତାକୁ ପ୍ରତିନିଧିତ୍ୱ କରୁଛି ବୋଲି ଡିଜିପି ନିଜ ଅଭିଭାଷଣରେ କହିଥିଲେ।

ଓଡ଼ିଶା ପୋଲିସ ଏହି ଚାମ୍ପିୟନସିପ୍‌ କୁ ଦ୍ବିତୀୟ ଥର ପାଇଁ ଆୟୋଜନ କରୁଥିବାରୁ ଶ୍ରୀ ଖୁରାନିଆ ଖୁସି ବ୍ୟକ୍ତ କରିବା ସହ ଏଥି ନିମନ୍ତେ ସେ ସର୍ବଭାରତୀୟ ପୋଲିସ୍ କ୍ରୀଡା ନିୟନ୍ତ୍ରଣ ବୋର୍ଡ୍‌ କୁ ଧନ୍ୟବାଦ ଜଣାଇଥିଲେ।

ଏହି ଚାମ୍ପିୟନସିପ୍ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍ ଠାରେ ଅପ୍ରେଲ ୭ ରୁ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି।

ଏଥିରେ ୨୬ଟି ପୁରୁଷ ଦଳ ଓ ୯ଟି ମହିଳା ଦଳ ଅଂଶଗ୍ରହଣ କରୁଥିବା ବେଳେ ମୋଟ ୪୮ଟି ମ୍ୟାଚ୍‌ ଖେଳାଯିବ। ସିଆଇଏସଏଫ୍‌, ସିଆରପିଏଫ୍‌, ବିଏସଏଫ୍‌, ଆଇଟିବିପି ଓ ଏସଏସବି ଭଳି କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ଦଳଗୁଡ଼ିକ ଏହି ପ୍ରତିଯୋଗିତାର ମଧ୍ୟ ଅଂଶ ଗ୍ରହଣ କରୁଛନ୍ତି ବୋଲି ଡିଜିପି ସୂଚନା ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆୟୋଜନ କମିଟିର ଉପସଭାପତି ତଥା ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଦୟାଲ ଗଙ୍ଗୱାର, ଆୟୋଜନ କମିଟିର ଉପସଭାପତି ତଥା ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ସଶସ୍ତ୍ର ) ରାଜେଶ କୁମାର, ଆୟୋଜନ କମିଟିର ସମ୍ପାଦକ ତଥା ଆଇଜି(ତାଲିମ) ଅନୁପ କୁମାର ସାହୁ, ସମସ୍ତ ଟିମର ମ୍ୟାନେଜର ଏବଂ ଅଧିନାୟକ, ପୋଲିସ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଆଜି ଲଂଚ ହେବ ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସର ଲୋଗୋ, ମାସ୍କଟ, ଜର୍ସି ଏବଂ ସଂଗୀତ

ଦିଲ୍ଲୀ: କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆଜି ଲକ୍ଷ୍ନୌର ଗୋମତି ନଗର ସ୍ଥିତ ଇନ୍ଦିରା ଗାନ୍ଧୀ ପ୍ରତିଷ୍ଠାନରେ ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସ ( ଖେଲୋ ଇଣ୍ଡିଆ ବିଶ୍ୱ ବିଦ୍ୟାଳୟ ସ୍ତରୀୟ କ୍ରୀଡା) ୨୦୨୨ (କେଆଇୟୁଜି ୨୦୨୧)ର ଲୋଗୋ, ଜର୍ସି, ମାସ୍କଟ ଏବଂ ସଂଗୀତ ଲଞ୍ଚ କରିବେ।

ଖେଲୋ ଇଣ୍ଡିଆ ବିଶ୍ୱ ବିଦ୍ୟାଳୟ ସ୍ତରୀୟ କ୍ରୀଡାର ତୃତୀୟ ସଂସ୍କରଣ ମେ ୨୩ ରେ ଆରମ୍ଭ ହୋଇ ଜୁନ୍ ୩ ପର୍ଯ୍ୟନ୍ତ ଚାଲିବ; ଉଦଘାଟନୀ ସମାରୋହ ମେ ମାସ ୨୫ ତାରିଖରେ ଲକ୍ଷ୍ନୌର ବାବୁ ବନାରସୀ ଦାସ ବିଶ୍ୱ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହେବ ବୋଲି ଧାର୍ଯ୍ୟ କରାଯାଇଛି।

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଯୁବ ବ୍ୟାପାର ତଥା କ୍ରୀଡ଼ା ରାଷ୍ଟ୍ର ମନ୍ତ୍ରୀ ନିଶିଥ ପ୍ରମାଣିକ, ଉତ୍ତର ପ୍ରଦେଶର କ୍ରୀଡ଼ା ମନ୍ତ୍ରୀ ଗିରିଶ ଚନ୍ଦ୍ର ଯାଦବଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ।

କେଆଇୟୁଜିର ଆଗାମୀ ସଂସ୍କରଣରେ ସାରା ଦେଶର ୨୦୦+ ବିଶ୍ୱ ବିଦ୍ୟାଳୟରୁ ୪୭୦୦ ରୁ ଅଧିକ କ୍ରୀଡାବିତ୍ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି ଏବଂ ମୋଟ ଅଂଶଗ୍ରହଣ ୭୦୦୦ ରୁ ଅଧିକ ହେବ। ଏହି ସଂସ୍କରଣରେ ୨୧ ପ୍ରକାରର ଖେଳ ଖେଳାଯିବ, ଯାହା ବିଶ୍ୱ ବିଦ୍ୟାଳୟ ଖେଳ ଇତିହାସରେ ସର୍ବାଧିକ। ରୋଇଂ ମଧ୍ୟ ପ୍ରଥମ ଥର ପାଇଁ ଏଥିରେ ସାମିଲ୍ କରାଯାଉଛି।

ରାଜ୍ୟର ରାଜଧାନୀ ଲକ୍ଷ୍ନୌ ବ୍ୟତୀତ ବାରଣାସୀ, ନୋଏଡା ଏବଂ ଗୋରଖପୁର ଠାରେ ଖେଳ ଅନୁଷ୍ଠିତ ହେବ। ନୂଆଦିଲ୍ଲୀ ଠାରେ ଡକ୍ଟର କର୍ଣ୍ଣି ସିଂହ ଶୁଟିଂ ରେଞ୍ଜରେ ଶୁଟିଂ ପ୍ରତିଯୋଗିତା ଆୟୋଜିତ ହେବ। ପ୍ରଥମ ଥର ପାଇଁ ରୋଇଂ ଭଳି ଜଳ କ୍ରୀଡା ଖେଲୋ ଇଣ୍ଡିଆ ବିଶ୍ୱ ବିଦ୍ୟାଳୟ ସ୍ତରୀୟ କ୍ରୀଡାର ଏକ ଅଂଶ ବିଶେଷ ହେବ। କର୍ଣ୍ଣାଟକ ଠାରେ ଆୟୋଜିତ ହୋଇଥିବା ଖେଲୋ ଇଣ୍ଡିଆ ବିଶ୍ୱ ବିଦ୍ୟାଳୟ ସ୍ତରୀୟ କ୍ରୀଡାର ପୂର୍ବ ସଂସ୍କରଣର ଦୁଇଟି ଖେଳ ଭାବରେ ଦୁଇଟି ସ୍ୱଦେଶୀ କ୍ରୀଡ଼ା ମାଲଖମ୍ବ ଏବଂ ଯୋଗାସନକୁ ଅନ୍ତର୍ଭୁକ୍ତ କରା ଯାଇଥିଲା ଏବଂ ସେଗୁଡିକ ଏହି ସଂସ୍କରଣର ମଧ୍ୟ ଅଂଶ ହେବ। ଖେଳର ସିଧା ପ୍ରସାରଣ ଡିଡି ସ୍ପୋର୍ଟସ୍ ଏବଂ ଓଟିଟି ପ୍ଲାଟଫର୍ମରେ ହେବ।

Categories
ଆଜିର ଖବର ଜାତୀୟ ଖବର

ଜି-୨୦ ଲୋଗୋକୁ ନେଇ ବିରୋଧ: କଂଗ୍ରେସ ଉଠାଇଲା ପ୍ରଶ୍ନ, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଜି-୨୦ ଶିଖର ସମ୍ମିଳନୀର ଲୋଗୋ, ଥିମ୍ ଏବଂ ୱେବସାଇଟ୍ ପ୍ରକାଶ କରିଛନ୍ତି। ଡିସେମ୍ବର ୧ ତାରିଖ ୨୦୨୨ରୁ ନଭେମ୍ବର ୩୦ ତାରିଖ ୨୦୨୩ ପର୍ଯ୍ୟନ୍ତ ଭାରତ ଏକ ବର୍ଷ ପାଇଁ ଜି-୨୦ ଗୋଷ୍ଠୀର ଅଧ୍ୟକ୍ଷ ହେବ। ଭାରତ ଏହି ଗ୍ରୁପ୍ ର ଶିଖର ସମ୍ମିଳନୀ ୯ ଏବଂ ୧୦ ସେପ୍ଟେମ୍ବର ୨୦୨୩ ରେ ନୂଆଦିଲ୍ଲୀରେ ଆୟୋଜନ କରିବ। ବର୍ତ୍ତମାନ କଂଗ୍ରେସ ଦଳ ଜି-୨୦ସମ୍ମିଳନୀର ଲୋଗୋ ଉପରେ ପ୍ରଶ୍ନ ଉଠାଇଛି।

ଜି-୨୦ ଶିଖର ସମ୍ମିଳନୀର ଲୋଗୋକୁ ପ୍ରଧାନମନ୍ତ୍ରୀ ମୋଦୀ ଉନ୍ମୋଚନ କରିଛନ୍ତି, ଯେଉଁଥିରେ ଏକ ପଦ୍ମ ଫୁଲ ମଧ୍ୟ ପ୍ରସ୍ତୁତ କରାଯାଇଛି। ପଦ୍ମ ଫୁଲ ହେଉଛି ବିଜେପିର ନିର୍ବାଚନ ଚିହ୍ନ। କଂଗ୍ରେସ ଏହାକୁ ବିରୋଧ କରି ସରକାରଙ୍କୁ ସମାଲୋଚନା କରିଛି।

କଂଗ୍ରେସ ନେତା ଜୟରାମ ରମେଶ ଟୁଇଟ୍ କରି କହିଛନ୍ତି ଯେ, ୭୦ ବର୍ଷ ପୂର୍ବେ କଂଗ୍ରେସର ପତାକାକୁ ଜାତୀୟ ପତାକା କରିବା ପ୍ରସ୍ତାବକୁ ନେହେରୁ ପ୍ରତ୍ୟାଖ୍ୟାନ କରିଥିଲେ। ବିଜେପିର ନିର୍ବାଚନ ଚିହ୍ନ ବର୍ତ୍ତମାନ ଜି-୨୦ ର ଅଧ୍ୟକ୍ଷତା ସରକାରୀ ଲୋଗୋ ପାଲଟିଛି। ଆମେ ଜାଣୁ ଯେ, ପିଏମ ମୋଦୀ ଏବଂ ବିଜେପି ଲଜ୍ଜାଜନକ ଭାବରେ ନିଜକୁ ପ୍ରୋତ୍ସାହିତ କରିବା ପାଇଁ କୌଣସି ସୁଯୋଗ ହରାଇବେ ନାହିଁ।

କଂଗ୍ରେସ ନେତା ରସିଦ ଅଲଭି ମଧ୍ୟ ଜି-୨୦ ର ଅଫିସିଆଲ ଲୋଗୋରେ ପଦ୍ମ ଫୁଲ ଉପରେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, ଏହା ଭାରତ ସରକାରଙ୍କ ପ୍ରତୀକ ଠାରୁ କମ୍ ଏବଂ ଭାରତୀୟ ଜନତା ପାର୍ଟିର ଚିହ୍ନ ପରି ଅଧିକ ମନେହୁଏ। ଏହି ପ୍ରତୀକରେ ପଦ୍ମ ଫୁଲ କେଉଁଠୁ ଆସିଲା? କ’ଣ ଏହି ସରକାର ଭାରତର ନୁହେଁ, ବିଜେପିର ଅଟେ? ଏହି ପ୍ରତୀକକୁ ହଟାଇବା ଉଚିତ ଏବଂ ଏଥିରୁ କମଲ ପଦ୍ମ ହଟାଇବା ଉଚିତ୍।

Categories
ଆଜିର ଖବର ଜାତୀୟ ଖବର

ଜି୨୦ ବୈଠକର ଲୋଗୋ, ବିଷୟବସ୍ତୁ ଏବଂ ୱେବସାଇଟକୁ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ୮ ନଭେମ୍ବର ୨୦୨୨ ଅପରାହ୍ନ ୪.୩୦ରେ ଭିଡିଓ କନଫରେନ୍ସିଂ ଜରିଆରେ ଭାରତର ଜି୨୦ ଅଧ୍ୟକ୍ଷତା ସଂକ୍ରାନ୍ତ ଲୋଗୋ, ବିଷୟବସ୍ତୁ ଏବଂ ୱେବସାଇଟ ଉନ୍ମୋଚନ କରିବେ।

ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଆଧାରରେ, ଭାରତର ବିଦେଶ ନୀତି ବୈଶ୍ୱିକ ମଞ୍ଚରେ ନେତୃତ୍ୱ ଭୂମିକା ନିର୍ବାହ ନିମନ୍ତେ ବିକଶିତ ହେଉଛି। ଏହି ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ, ଭାରତ ୧ ଡିସେମ୍ବର ୨୦୨୨ରୁ ଜି୨୦ର ଅଧ୍ୟକ୍ଷତା ଗ୍ରହଣ କରିବ। ଜି୨୦ ଅଧ୍ୟକ୍ଷତା ଭାରତକୁ ଅନ୍ତର୍ଜାତୀୟ ମହତ୍ତ୍ୱର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ଉପରେ ବୈଶ୍ୱିକ ଏଜେଣ୍ଡାରେ ଯୋଗଦାନ ଲାଗି ଏକ ଅନନ୍ୟ ସୁଯୋଗ ପ୍ରଦାନ କରୁଛି। ଆମର ଜି୨୦ ଅଧ୍ୟକ୍ଷତାର ଲୋଗୋ, ବିଷୟବସ୍ତୁ ଏବଂ ୱେବସାଇଟ୍ ଭାରତର ବାର୍ତ୍ତା ଏବଂ ବିଶ୍ୱ ପାଇଁ ବ୍ୟାପକ ପ୍ରାଥମିକତାଗୁଡ଼ିକୁ ପ୍ରତିଫଳିତ କରିବ।

ଜି୨୦ ଅନ୍ତର୍ଜାତୀୟ ଆର୍ଥିକ ସହଯୋଗର ପ୍ରମୁଖ ମଞ୍ଚ, ଯାହା ବିଶ୍ୱ ଜିଡିପିର ପାଖାପାଖି ୮୫%, ବିଶ୍ୱ ବାଣିଜ୍ୟର ୭୫%ରୁ ଅଧିକ ଏବଂ ବିଶ୍ୱର ପାଖାପାଖି ଦୁଇ ତୃତୀୟାଂଶ ଜନସଂଖ୍ୟାର ପ୍ରତିନିଧିତ୍ୱ କରୁଛି । ଜି୨୦ ଅଧ୍ୟକ୍ଷତା ଅବଧିରେ ଭାରତ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ୩୨ଟି ଭିନ୍ନ ଭିନ୍ନ କ୍ଷେତ୍ରରେ ପାଖାପାଖି ୨୦୦ ବୈଠକ ଆୟୋଜନ କରିବ। ଆଗାମୀ ବର୍ଷ ହେବାକୁ ଥିବା ଜି୨୦ ଶିଖର ସମ୍ମିଳନୀ, ଭାରତ ଦ୍ୱାରା ଆୟୋଜନ ହେବାକୁ ଥିବା ସର୍ବୋଚ୍ଚ ସ୍ତରର ଅନ୍ତର୍ଜାତୀୟ ବୈଠକ ଗୁଡ଼ିକ ମଧ୍ୟରୁ ଅନ୍ୟତମ।