Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନୂଆ ବର୍ଷରେ ବଲାଙ୍ଗୀରରୁ ଗସ୍ତ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଲୋୟର ସୁକତେଲ ପ୍ରକଳ୍ପକୁ କଲେ ଲୋକାର୍ପଣ

ଭୁବନେଶ୍ବର: ନୂଆ ବର୍ଷରେ ମୋର ପ୍ରଥମ ଗସ୍ତ ବଲାଙ୍ଗୀରରୁ ଆରମ୍ଭ କରି ମୁଁ ବହୁତ ଖୁସି। ଆପଣମାନେ ଖୁସି ତ? ଲୋକଙ୍କ ଉତ୍ସସିତ ଧ୍ବନି, କରତାଳି ଓ ହୁଳହୁଳି ମଧ୍ୟରେ ମୁଖ୍ୟମନ୍ତ୍ରୀ ଆଜି ବଲାଙ୍ଗୀରରେ ଲୋୟର ସୁକତେଳ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲୋୟର ସୁକତେଲ ପ୍ରକଳ୍ପ ଦ୍ବାରା ବଲାଙ୍ଗୀରର ଚାଷୀଭାଇମାନଙ୍କର ଜଳ କଷ୍ଟ ଦୂର ହେଲା। ସୁକତେଲ ପ୍ରକଳ୍ପ ବଲାଙ୍ଗୀରର ଜଳସେଚନ କ୍ଷେତ୍ରରେ, କୃଷି କ୍ଷେତ୍ରରେ ରୂପାନ୍ତର ଆଣିବ ବୋଲି ସେ ମତ ଦେବା ସହିତ କହିଥିଲେ ଯେ ଚାଷୀର ବିକାଶରେ ରାଜ୍ୟର ବିକାଶ। ବଲାଙ୍ଗୀର ଜିଲ୍ଲାର ବିକାଶରେ ଏହି ପ୍ରକଳ୍ପ ନୂଆ ଯୁଗ ଆଣିବ।

ସୂଚନାଯୋଗ୍ୟ ଯେ ଏହି ପ୍ରକଳ୍ପ ରାଜ୍ୟର ନବମ ସର୍ବବୃହତ ବନ୍ଧ। ଏହାର ଉଚ୍ଚତା ୩୧ ମିଟର। ଏହାଦ୍ବାରା ବଲାଙ୍ଗୀର ଓ ସୋନପୁର ଦୁଇ ଜିଲ୍ଲାର ୨୦୩ଟି ଗାଁ ର ଏକ ଲକ୍ଷ ଏକର ଜମିକୁ ପାଣି ମିଳିବ। 80ହଜାର ରୁ ଅଧିକ ଚାଷୀ ଉପକାର ପାଇବେ। ଜିଲ୍ଲାର 70ହଜାର ରୁ ଅଧିକ ଲୋକ ପିଇବା ପାଣି ସୁବିଧା ମଧ୍ୟ ପାଇବେ।

୨୦୧୯ ମସିହାରୁ 5T ଉପକ୍ରମରେ ଏହି ପ୍ରକଳ୍ପ ତ୍ବରାନ୍ବିତ କରାଯାଇ କାମ ସଂପୂର୍ଣ୍ଣ କରାଯାଇଛି । ନୂଆ ବୈଷୟିକ ଜ୍ଞାନ କୌଶଳକୁ ବ୍ୟବହାର କରାଯାଇ ଭୂତଳ ପାଇପଲାଇନ ଜରିଆରେ ଜଳସେଚନର ବ୍ୟବସ୍ଥା କରାଯାଇଛି। ଏହାଦ୍ବାରା ଜଳସେଚନ ପାଇଁ କୌଣସି ବିସ୍ଥାପନ ହେବ ନାହିଁ।

ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ କୃଷକ ରାଜ୍ୟ ଅର୍ଥନୀତିର ସାରଥି। ଚାଷୀ ଭାଇ ମାନଙ୍କୁ ସାଥିରେ ଧରି ଆମେ ଆଗକୁ ବଢୁଛୁ। ମୁଁ ସବୁବେଳେ ଚାଷୀ ଭାଇମାନଙ୍କ ସାଥିରେ ଅଛି । ସେମାନଙ୍କ ପାଇଁ କାଳିଆ, ଏକ ଲକ୍ଷ ଟଙ୍କାର ବିନା ସୁଧରେ ଋଣ, ମାଗଣା ଫସଲ ବୀମା ଚାଷୀ ଘର ପିଲାଙ୍କ ପାଇଁ ବୃତ୍ତି ଏବଂ ଆହୁରି ଅନେକ ଯୋଜନା ଜାରି ରହିଛି।

ବିସ୍ଥାପିତ ଗାଁର ଲୋକମାନଙ୍କ ତ୍ୟାଗକୁ ମନେ ପକାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଏହି ପ୍ରକଳ୍ପ ପାଇଁ ୨୯ଟି ଗାଁର ଲୋକମାନେ ବହୁତ ବଡ ତ୍ୟାଗ କରିଛନ୍ତି। ସେମାନଙ୍କ ତ୍ୟାଗକୁ ମୁଁ ସମ୍ମାନ ଜଣାଉଛି। ବଲାଙ୍ଗୀର ବିକାଶ ପାଇଁ ସେମାନଙ୍କ ତ୍ୟାଗ ସବୁଦିନ ମନେ ରହିବ।

ଆଜି ମଧ୍ୟ ବଲାଙ୍ଗୀର ଜିଲ୍ଲାର ବିକାଶ ପାଇଁ ଅନେକ କାମ ଆରମ୍ଭ ହେଲା। ସ୍ବାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି, ପର୍ଯ୍ୟଟନର ବିକାଶ, ଯୋଗାଯୋଗର ଉନ୍ନତି, କ୍ରୀଡାର ଉନ୍ନତି ସହିତ ଐତିହ୍ୟର ବିକାଶ ଓ ସୁରକ୍ଷା ପାଇଁ ଅନେକ ପ୍ରକଳ୍ପ ଆରମ୍ଭ ହେଲା ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ପାଇଁ ୨୫୨୫ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ୨୨୨୦ କୋଟି ଟଙ୍କା ବ୍ୟୟରେ ୧୧୨ଟି ଭିତ୍ତିଭୂମି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଥିବା ବେଳେ, ୩୦୫ କୋଟି ଟଙ୍କା ବ୍ୟୟରେ ୬୯ଟି ଭିତ୍ତିଭୂମି ପ୍ରକଳ୍ପର ଉଦ୍‌ଘାଟନ କରାଯାଇଥିଲା।

ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ 5T ଅଧ୍ୟକ୍ଷ ମୋ ନିର୍ଦ୍ଦେଶରେ ଅଗଷ୍ଟ ମାସରେ ଆସିଥିଲେ। ଆପଣମାନଙ୍କୁ ଭେଟିଥିଲେ। ଆପଣମାନଙ୍କ ସହିତ ବିକାଶ କାମ ବିଷୟରେ ଆଲୋଚନା କରିଥିଲେ। ଆପଣମାନଙ୍କ ମତକୁ ସମ୍ମାନ ଜଣାଇ ଆମେ କାମ କରୁଛୁ।

ବଲାଙ୍ଗୀରର ବିକାଶ ଉପରେ ଆଲୋକପାତ କରି ସେ କହିଲେ ଯେ, ଏବେ ବଲାଙ୍ଗୀର ଜିଲ୍ଲା ଶିକ୍ଷା, ସ୍ବାସ୍ଥ୍ୟ ଓ ଭିତ୍ତିଭୂମି କ୍ଷେତ୍ରରେ ଜୋରଦାର ଉନ୍ନତି କରୁଛି। ହରିଶଙ୍କର ପୀଠ ସହିତ ଜିଲ୍ଲାର ମଠ ମନ୍ଦିରର ରୂପାନ୍ତର କାମ ଚାଲିଛି। ଏବେ କୃଷି କ୍ଷେତ୍ରରେ ଉନ୍ନତି ସହିତ ଜିଲ୍ଲାରେ ରୂପାନ୍ତରର ଏକ ନୂଆ ଯୁଗ ଆସିବ। ମୋର ବିଶ୍ବାସ, ଆପଣମାନଙ୍କ ସହଯୋଗରେ, ବଲାଙ୍ଗୀର ରାଜ୍ୟର ବିକାଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି ସେ କହିଥିଲେ।

ଏହି ଅବସରରେ ଜଳସଂପଦ ବିଭାଗ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଲେ ଯେ ବଲାଙ୍ଗୀର ଜିଲ୍ଲାର ଜନସାଧାରଣଙ୍କ ବହୁ ଦିନର ସ୍ବପ୍ନକୁ ମୁଖ୍ୟମନ୍ତ୍ରୀ ଆଜି ପୂରଣ କରିଛନ୍ତି । ଲୋୟର ସୁକତେଲ ଆଜି ବଲାଙ୍ଗୀରବାସୀଙ୍କ ପାଇଁ ସୁଖର ସୁକତେଲରେ ପରିଣତ ହୋଇଛି । ଏହି ପ୍ରକଳ୍ପ କାର୍ଯ୍ୟାନ୍ବୟନକୁ ତ୍ବରାନ୍ବିତ କରିବା କ୍ଷେତ୍ରରେ 5T ଅଧ୍ୟକ୍ଷଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ଉପସ୍ଥିତ ଥିଲେ।

ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ, ବଲାଙ୍ଗୀର ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓ, ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି, ବଲାଙ୍ଗୀର ବିଧାୟକ ଶ୍ରୀ ନରସିଂହ ମିଶ୍ର, ପାଟଣାଗଡ ବିଧାୟକ ତଥା ବଲାଙ୍ଗୀର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ସରୋଜ ମେହେର, ଲୋଇସିଂଘା ବିଧାୟକ ଶ୍ରୀ ମୁକେଶ ମହାଲିଙ୍ଗ, ରାଜ୍ୟ ଗୃହ ନିର୍ମାଣ ବୋର୍ଡର ଅଧ୍ୟକ୍ଷ ଶ୍ରୀ କଲିକେଶ ନାରାୟଣ ସିଂହଦେଓ, ବଲାଙ୍ଗୀର ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁ ପ୍ରମୁଖ ନିଜର ଅଭିଭାଷଣ ରଖିଥିଲେ।

ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

୨୦୨୩ ଜୁନ ସୁଦ୍ଧା ଶେଷ ହେବ ଲୋୟର ସୁକତେଲ ପ୍ରକଳ୍ପର ସ୍ପିଲ୍ ୱେ କାର୍ଯ୍ୟ

ଭୁବନେଶ୍ୱର: ରାଜ୍ୟ ଜଳ ସଂପଦ ବିଭାଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ରାଜ୍ୟର ବିଭିନ୍ନ ଜଳସେଚନ ପ୍ରକଳ୍ପର କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଗୁରୁବାର ଆଭାସୀ ବୈଠକ ମାଧ୍ୟମରେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ, ବନଖଣ୍ଡ ଅଧିକାରୀ ଏବଂ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ବଲାଙ୍ଗିର ଜିଲ୍ଲାର ଲୋୟର ସୁକତେଲ, ବାଲେଶ୍ୱର ଜିଲ୍ଲାର ସୁବର୍ଣ୍ଣରେଖା ଓ ବାଙ୍କତିରା ଜଳସେଚନ ପ୍ରକଳ୍ପ ଏବଂ ମୟୂରଭଞ୍ଜ ଜିଲ୍ଲାର ସୋନୋ ଜଳସେଚନ ପ୍ରକଳ୍ପର କାର୍ଯ୍ୟ ଅଗ୍ରଗତି ଓ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବାକୁ ବ୍ୟାପକ ଆଲୋଚନା କରାଯାଇଥିଲା।
ବୈଠକରୁ ଜଣାଯାଇଛି ଯେ, ଆଗାମୀ ଜୁନ୍-୨୦୨୩ ସୁଦ୍ଧା ଲୋୟର ସୁକତେଲ ପ୍ରକଳ୍ପର ସ୍ପିଲ୍ ୱେ କାଯ୍ୟ ଶେଷ ହେବ। ଏଥିପାଇଁ ପ୍ଲେଟ୍ ଗାର୍ଡର ଓ ଦକ୍ଷିଣ ପାର୍ଶ୍ୱ ଡାଇକ୍ ନିର୍ମାଣ କାଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ବାଲେଶ୍ୱର ଜିଲ୍ଲାର ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଥିଲା। ୨୦୨୧ ମସିହାରେ ଏହି ପ୍ରକଳ୍ପ ଅଧୀନରେ ୧୫୦୦୦ ହେକ୍ଟର ଓ ୨୦୨୨ ରେ ୧୭୦୦୦ ହେକ୍ଟର ସେଚାଞ୍ଚଳକୁଅତିରିକ୍ତ ଜଳସେଚନ ସୁବିଧା କରାଯାଇଥିବା ବେଳେ ଆଗାମୀ ଖରିଫ-୨୦୨୩ ସୁଦ୍ଧା ଆଉ ୮୦୦୦ ହେକ୍ଟର ଜମିକୁ ଜଳସେଚନ ପାଇଁ କାଯ୍ୟ ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଥିଲା।

ସେହିପରି ମୟୂରଭଂଜ ଜିଲ୍ଲାର ସୋନୋ ଜଳସେଚନ ପ୍ରକଳ୍ପ ଓବାଲେଶ୍ୱର ଜିଲ୍ଲାର ବାଙ୍କତିରା ଜଳସେଚନ ପ୍ରକଳ୍ପର ସମୀକ୍ଷା କରାଯାଇଥିଲା। ଏହି ପ୍ରକଳ୍ପ ଦ୍ୱୟର କାର‌୍ୟ୍ୟାରମ୍ଭ ପାଇଁ ପରିବେଶ ମଂଜୁରୀ ଏବଂ ଟେଣ୍ଡର କାର୍ଯ୍ୟକୁ ତ୍ୱରିତ ପଦକ୍ଷେପ ନିଆଯାଇ ଶେଷ କରିବାକୁ ଶ୍ରୀମତୀ ଗର୍ଗ ଗୁରୁତ୍ୱ ଦେଇଥିଲେ।