Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ଏହି ଗୁଣ ଥିବା ବ୍ୟକ୍ତିଙ୍କୁ ପରାସ୍ତ କରିବା କଷ୍ଟକର, ବିଫଳ ହୁଏ ସମସ୍ତ ପ୍ରୟାସ

ଚାଣକ୍ୟ ନୀତି: ପ୍ରତ୍ୟେକ ମଣିଷର କିଛି ଶକ୍ତି ଏବଂ ଦୁର୍ବଳତା ଥାଏ। ଜୀବନରେ ସଫଳ ସେହି ବ୍ୟକ୍ତି ହୋଇଥାଏ, ଯିଏ ନିଜ କାର୍ଯ୍ୟକୁ ବିଚାର କରେ। କେଉଁଟି ଠିକ୍ ଏବଂ କେଉଁଟି ଭୁଲ୍ ତାହା ଜାଣିବା ଅତ୍ୟନ୍ତ ଜରୁରୀ, ଯାହା ଦ୍ଵାରା ଆପଣ କେବଳ ପ୍ରତ୍ୟେକ ପରିସ୍ଥିତିର ସାମ୍ନା କରିବାକୁ ସମର୍ଥ ହେବେ। ବିଜୟ ଏବଂ ପରାଜୟ କଠିନ ପରିଶ୍ରମ ସହିତ ପ୍ରକୃତି ଉପରେ ମଧ୍ୟ ନିର୍ଭର କରେ। ଚାଣକ୍ୟ ନୀତିରେ, କେଉଁ ବ୍ୟକ୍ତି ଜୀବନରେ ପରାସ୍ତ ହେବା କଷ୍ଟକର, ତାହା ବର୍ଣ୍ଣନା କରାଯାଇଛି। ଆସନ୍ତୁ ଜାଣିବା…

ଜୀବନରେ କୌଣସି ବ୍ୟକ୍ତି ସିଦ୍ଧ ନୁହନ୍ତି। ତ୍ରୁଟି ସବୁଠୁ ଅଧିକ ଘଟେ। କିନ୍ତୁ ଭୁଲଗୁଡ଼ିକୁ ଗ୍ରହଣ କରିବା ଏବଂ ତାହାଠାରୁ ଶିକ୍ଷା ଗ୍ରହଣ କରିବା ସମସ୍ତଙ୍କ ପାଇଁ ସହଜ ନୁହେଁ। ବହୁତ କମ୍ ଲୋକ ଏହି ସାହସ କରିପାରିବେ। ଏହି ବାକ୍ୟ ମାଧ୍ୟମରେ ଚାଣକ୍ୟ କହିଛନ୍ତି ଯେ, କରୁଥିବା କାର୍ଯ୍ୟ ଏବଂ ଭୁଲକୁ ବିବେଚନା କରୁଥିବା ବ୍ୟକ୍ତିଙ୍କୁ କେହି ସାମ୍ନା କରିପାରନ୍ତି ନାହିଁ।

ଜଣେ ବ୍ୟକ୍ତି ଯିଏ ନିଜର ଭୁଲଗୁଡ଼ିକର ପୁନର୍ବିଚାର କରେ, ସେ କେବେହେଲେ ହାର ମାନି ପାରିବ ନାହିଁ। କାରଣ ସେ ନିଜ କାର୍ଯ୍ୟକୁ ପ୍ରଶ୍ନ କରନ୍ତି ଏବଂ ଉତ୍ତର ଦିଅନ୍ତି। ଯେତେବେଳେ ଏହି ପ୍ରକୃତିର ଲୋକମାନେ ଭୁଲ୍ କରନ୍ତି, ସେମାନେ ନିଶ୍ଚିତ ଭାବରେ ଚିନ୍ତା କରନ୍ତି ଯେ ଏହା କିପରି ଘଟିଲା, ଏହା କାହିଁକି ଘଟିଲା, ଏହାର ପରିଣାମ କ’ଣ ହେବ, ଭବିଷ୍ୟତରେ ଏପରି ଭୁଲ୍ ଯେପରି ନହୁଏ। ଏହି ସମସ୍ତ ପ୍ରଶ୍ନ ଅନ୍ୟ କେହି କରିବା ପୂର୍ବରୁ, ସେ ନିଜେ ସେଗୁଡ଼ିକର ଉତ୍ତର ଖୋଜିବାକୁ ଚେଷ୍ଟା କରନ୍ତି। ମଣିଷ ଭୁଲରୁ ଶିକ୍ଷା କରି ଆଗକୁ ବଢେ। ଯଦି ଆପଣ ଭୁଲକୁ ପୁନରାବୃତ୍ତି ନକରନ୍ତି, ତେବେ ଜୀବନରେ ଆପଣଙ୍କର ବିଜୟ ନିଶ୍ଚିତ। ଏହି ଗୁଣ ସମସ୍ତଙ୍କ ଭିତରେ ନାହିଁ, କିନ୍ତୁ ଯଦି ଏହାକୁ ଗ୍ରହଣ କରାଯାଏ ତେବେ କେହି ଆପଣଙ୍କୁ କେବେ ବି ହରାଇବାକୁ ସମର୍ଥ ହେବେ ନାହିଁ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୀ-ସାର୍ଥକରେ ଆସୁଛି ନୂଆ ଧାରାବାହିକ ‘ଶକ୍ତି’, ‘ସନ୍ଧ୍ୟା ରାଗିଣୀ’ ‘ତୁ ମୋ ସାଥିରେ’

ଭୁବନେଶ୍ଵର: ଓଡିଶାର ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି। ଓଡିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣୀତ ଓ ପ୍ରଗତିଶୀଳ ଓଡିଆ ମହିଳାମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ। ଜୀ-ସାର୍ଥକର ‘ସୁନା ଝିଅ’, ‘ତୁ ଖରା ମୁଁ ଛାଇ’ ଏବଂ ‘ଖୁସିର ଛୁଙ୍କ’ ପରି ମେଗା ଧାରାବାହିକ ହେଉ କି ଡାନ୍ସ ଓଡ଼ିଶା ଡାନ୍ସ ଓ ରଜ କୁଇନ୍ ପରି ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନକୁ ଛୁଇଁପାରିଛି । ଜୀ-ସାର୍ଥକ ଓଡିଆ ମହିଳାମାନଙ୍କର ସଂସ୍କୃତି ଏବଂ ସରଳତାକୁ ପ୍ରତିଫଳିତ କରୁଥିବା ଚରିତ୍ରର ଅସାଧାରଣ କାହାଣୀ ସର୍ବଦା ଆଣିଛି। ସେହିପରି ଆଉ ଦୁଇଟି ମଜବୁତ ଓ ପ୍ରେରଣା ଦାୟୀ କାହାଣୀକୁ ନେଇ ଦୁଇଟି ମେଗା ଧାରାବାହିକ ‘ଶକ୍ତି’ ଓ ‘ସନ୍ଧ୍ୟା ରାଗିଣୀ’ ଆସୁଛି କେବଳ ଜୀ-ସାର୍ଥକରେ।

‘ଶକ୍ତି’ ହେଉଛି ଶକ୍ତି ମହାପାତ୍ର ନାମକ ଏକ ନିଷ୍ଠାପର ଓ ସ୍ବାଭିମାନୀ ଝିଅର କାହାଣୀ। ବିଦେଶରେ ପାଠ ପଢି ଓକିଲ ହେବା, ନିଜ ପରିବାରକୁ ସାହାଯ୍ୟ କରିବା ଓ ସ୍ବାଧୀନ ଭାବରେ ଚଳିବାର ସ୍ୱପ୍ନ ଦେଖେ ଶକ୍ତି ହେଲେ ନିଜ ପରିବାର ଏବଂ ଶିବରାଜଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା କଳି ଝଗଡା ମଧ୍ୟରେ ସେ ଫସିଯାଇଛି। ଗର୍ବୀ ତଥା ନିର୍ଦ୍ଦୟ ବ୍ୟବସାୟୀ ଶିବରାଜ ଶକ୍ତିକୁ ସମାଧାନ ପାଇଁ ପ୍ରସ୍ତାବ ଦେଇଥିଲେ ଏବଂ ଯେତେବେଳେ ସେ ମନା କରେ, ସେତେବେଳେ ଶିବରାଜ ତାକୁ ହଇରାଣ କରିବାକୁ ସବୁବେଳେ ଚେଷ୍ଟା କରେ। ଏହା ସତ୍ତ୍ୱେ ଶକ୍ତି, ଯିଏ କି ହାରିବା ଶିଖିନି ବରଂ ଲଢିବା ଶିଖିଛି, ସେ ଶିବରାଜଙ୍କ ସହିତ ବିବାହ କରିବାକୁ ନିଷ୍ପତ୍ତି ନିଏ। ହେଲେ କଣ ହେବ ଆଗକୁ? ସେମାନଙ୍କର ସମ୍ପର୍କ ଶତ୍ରୁତା ପ୍ରେମକୁ ରୂପାନ୍ତରିତ ହେବ? ସେମାନଙ୍କ ପରିବାର ମଧ୍ୟରେ କଳହର ଅନ୍ତ ଘଟିବ କି? ତେବେ କାହାଣୀ ଏହିଠାରୁ ଆରମ୍ଭ ମାତ୍ର। ଏସ ପି ପି ପ୍ରଡକ୍ଶନ୍ସର ଏହି ଧାରାବାହିକରେ ନାୟକ ନୀଲ ଥିବା ବେଳେ ନାୟିକା ହୋଇଛନ୍ତି ମିତାଲି। ‘ଶକ୍ତି’ ପ୍ରସାରିତ ହେବ କେବଳ ଜୀ-ସାର୍ଥକରେ ସୋମବାରୁ ଶୁକ୍ରବାର ସନ୍ଧ୍ୟା ୮ ରେ।

ଓଡିଶାର ଏକ ଛୋଟ ଗାଁରେ ଦୁଇ ଭଉଣୀ ଯଶୋଦା ଓ ଦେବକୀ ଏକ ଭୁଲ ବୁଝାମଣା ପାଇଁ ଅଲଗା ହୋଇଯାଇଥିଲେ କାରଣ ଯଶୋଦାର ବାହାଘର ମାଧବ ସହ ଠିକ ହୋଇଥିଲା ବେଳେ ଦେବକୀ ବିବାହ କରିଥିଲେ ମାଧବକୁ ଓ ସେଥିପାଇଁ ଦେବକୀକୁ ଘରୁ ବାହାର କରିଦିଆଯାଇଛି ଓ ତା ବାପା ତାକୁ ଆଉ ଫେରିବାକୁ ବାରଣ କରିଛନ୍ତି। ଯଶୋଦା ରଘୁରାଜକୁ ବିବାହ କରିଛି, ଯିଏକି ତାଙ୍କ ପିତାଙ୍କ ଇଚ୍ଛାକୁ ସମ୍ମାନ ଦେଇ ଦେବକୀ ଠାରୁ ଯଶୋଦାକୁ ଦୂରେଇ ରଖିଛି। ଏହା ମଧ୍ୟରେ ୨୦ ବର୍ଷ ଚାଲିଯାଇଛି, ଦେବକୀର ଝିଅ ରାଗିଣୀ, ଲଣ୍ଡନର ଜଣେ ପାଠ ପଢିଥିବା ଆଧୁନିକ ତଥା ସ୍ବାଧୀନ ଚିନ୍ତାଧାରା ରଖୁଥିବା ଝିଅ ମା’ (ଦେବକୀ) ମୃତ୍ୟୁ ପରେ ଯଶୋଦାର ପରିବାର ସହିତ ରହିବାକୁ ଆସନ୍ତି। ଯଶୋଦାର ଝିଅ ‘ସନ୍ଧ୍ୟା’ ଜଣେ ପାରମ୍ପରିକ ଚଳଣି ସହ ଘରର ବଡ଼ ମାନଙ୍କୁ ଗଭୀର ସମ୍ମାନ କରନ୍ତି। ସେ ତାଙ୍କ ମା ଉପରେ ନିର୍ଭରଶୀଳ ଏବଂ ହକି ଖେଳିବାକୁ ସ୍ବପ୍ନ ଦେଖେ। ଯଶୋଦା, ଜଣେ ସ୍ନେହୀ ମା ଏବଂ ଦ୍ଵାୟୀତ୍ଵବାନ ପତ୍ନୀ, ରାଗିଣୀଙ୍କୁ ଆପଣେଇ ନିଅନ୍ତି। ସେପଟେ କଠୋର ତଥା ପାରମ୍ପାରିକ ପିତା ରଘୁରାଜ, ଝିଅ ମାନଙ୍କର ସୁରକ୍ଷା ଏବଂ ଭବିଷ୍ୟତ ପାଇଁ ପାରିବାରିକ ପରମ୍ପରାକୁ ବଜାୟ ରଖିବାକୁ ଚେଷ୍ଟା କରନ୍ତି ତେବେ କଣ ଦୁଇ ଝିଅ ଏଥର ମିଶି ପାରିବେ ନା ପୁଣି କିଛି ଭୁଲ ବୁଝାମଣା ହେବ। ଓଡ଼ିଶାର ଲୋକପ୍ରିୟ ପ୍ରଯୋଜକ ବିଜୟ କାଣ୍ଡୋଇଙ୍କ ଧାରାବାହିକ ‘ସନ୍ଧ୍ୟା ରାଗିଣୀ’ ର ମୁଖ୍ୟ ଚରିତ୍ରରେ ଅଛନ୍ତି ନିତୁ ମିଶ୍ର, ଲିତିସା ଓ ପ୍ରିୟଙ୍କା।

ସେପଟେ ବିବାହାପରେ ପ୍ରେମର ନୂଆ କାହାଣୀ ନେଇ ଆସୁଛି ଜୀ-ସାର୍ଥକର ଲୋକପ୍ରିୟ ଧାରାବାହିକ ‘ତୁ ମୋ ସାଥିରେ’। ବାହାଘର ପରେ ଅମ୍ବର ଓ ଧାରା ମଧ୍ୟରେ ହେଉଥିବା ପ୍ରେମ, ଝଗଡା ଓ ବୁଝାମଣା ବହୁ ଉତ୍କଣ୍ଠାପୂର୍ଣ ମୋଡ। ବିଜୟ କାଣ୍ଡୋଇ ପ୍ରଯୋଜିତ ଓ ସରୋଜ ଦାଶ ନିର୍ଦେଶିତ ‘ତୁ ମୋ ସାଥିରେ’କୁ ଦର୍ଶକ ଦେଖିବେ ସୋମବାରରୁ ଶୁକ୍ରବାର ସନ୍ଧ୍ୟା ୭ ରେ କେବଳ ଜୀ-ସାର୍ଥକରେ “ପ୍ରଥମରୁ ଆମେ ଆମର ଦର୍ଶକଙ୍କ ଚିନ୍ତାଧାରାକୁ ସମ୍ମାନ ଦେଇ ତାଙ୍କ ମନୋରଞ୍ଜନ ଜାରି ରଖିଛୁ । ଏହି ମେଗା ଧାରାବାହିକ ଗୁଡିକ ମଧ୍ୟ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ବୋଲି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍‌ ଅଫିସର ପ୍ରତୀକ ସିଲ୍ ଆଶା ବ୍ୟକ୍ତ କରିଛନ୍ତି।

ଚ୍ୟାନେଲ ମୁଖ୍ୟ କ୍ଲଷ୍ଟର ଅଫିସର ସମ୍ରାଟ ଘୋଷ, ଇଷ୍ଟ, ଜୀ ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍ (ZEEL) କହିଛନ୍ତି, “ନଂ-୧ ଜିଇସି ଚ୍ଯାନେଲ ଭାବରେ ଜୀ-ସାର୍ଥକ ଓଡିଆ ମହିଳାମାନଙ୍କର ସଂସ୍କୃତି ଏବଂ ସରଳତାକୁ ପ୍ରତିଫଳିତ କରୁଥିବା ଚରିତ୍ରର ଅସାଧାରଣ କାହାଣୀ ସର୍ବଦା ଆଣିପାରିଛି ତାର କାରଣ ହେଉଛନ୍ତି ଆମ ଦର୍ଶକ ମାନଙ୍କର ଭଲ ପାଇବା ଓ ଆଶୀର୍ବାଦ । ଆମେ ଆମ ଦର୍ଶକ ମାନଙ୍କୁ ଅନୁରୋଧ କରିବୁ ଯେ ଆମ ପ୍ରତି ତାଙ୍କର ଏହି ପରି ଭଲ ପାଇବା ରହୁ ଓ ଆମ ସହିତ ରହିବେ ବୋଲି ଆଶା ପ୍ରକାଶ କରିଛନ୍ତି ଶ୍ରୀ ଘୋଷ।

Categories
ଆଜିର ଖବର ବ୍ୟବସାୟ

ଫରଚ୍ୟୁନ ଟାୱାରରେ ଥିବା ବିଭିନ୍ନ ଶିଳ୍ପସଂସ୍ଥା ପରିଦର୍ଶନ କଲେ ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

ଭୁବନେଶ୍ୱର: ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ଓ ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ଫରଚ୍ୟୁନ ଟାୱାର ସ୍ଥିତ ଓପିସିଏଲ୍‌, ଓପିଜିସି, ଇଡ୍‌କୋ ଓ ଟାଟା ଷ୍ଟିଲ୍‌ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି । ସେଠାରେ ଚାଲୁଥିବା ଏହି ସଂସ୍ଥାଗୁଡ଼ିକର ଦପ୍ତରକୁ ଯାଇ ସେ ବୁଲି ଦେଖିବା ସହ ଆନୁଷଙ୍ଗିକ ବ୍ୟବସ୍ଥା, ଭିତ୍ତିଭୂମି ବିଷୟରେ ପଚାରି ବୁଝିଥିଲେ ।

ଇଡ୍‌କୋଠାରେ ଥିବା ମନ୍ତ୍ରୀଙ୍କ ଦପ୍ତରକୁ ଯାଇ ସେଠାରେ ଅଫିସ୍‌ କାର୍ଯ୍ୟ କରିଥିଲେ । ଏଣିକି ବାହାରୁ ଆସୁଥିବା ପ୍ରତିନିଧି ଦଳମାନଙ୍କୁ ସେହି କାର୍ଯ୍ୟାଳୟଠାରେ ସେ ସାକ୍ଷାତ ଆଲୋଚନା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ପରିଦର୍ଶନ ସମୟରେ ମନ୍ତ୍ରୀ ଟେକ୍ନୋଲୋଜିକୁ ଯଥାଯଥ ବ୍ୟବହାର କରି କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବା ଉପରେ କର୍ମଚାରୀମାନଙ୍କୁ କହିଥିଲେ। ସମୟ ବଦଳୁଛି । ତେଣୁ ସେହି ପ୍ରକାରେ ଆମେ ନିଜକୁ ମଧ୍ୟ ବଦଳାଇବାକୁ ହେବ ସେ ଦିଗରେ ଆମକୁ ବୈଷୟିକ ଜ୍ଞାନ ବିଶେଷ ସାହାଯ୍ୟ କରିବ ବୋଲି ପ୍ରବର୍ତ୍ତାଇଥିଲେ ।

ତାଙ୍କ ଗସ୍ତ କାଳରେ ଓପିସିଏଲ୍‌ର ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସାରିପୁତ୍ତ ମିଶ୍ର ଓପିଜିସିର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଶାନ୍ତ ମହାପାତ୍ର ଇଡ୍‌କୋର ପରିଚାଳକ ଶ୍ରୀ ରାଜକୁମାର ଦାସ ଏବଂ ଟାଟା ଷ୍ଟିଲ୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଶାନ୍ତ ମଲ୍ଲିକ ପ୍ରମୁଖ ମନ୍ତ୍ରୀଙ୍କୁ ସାକ୍ଷାତ କରି ନିଜ ନିଜ କାର୍ଯ୍ୟାଳୟ ସଂପର୍କରେ ଅବଗତ କରିଥିଲେ ।

Categories
ଖେଳ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଜ୍ୟରେ କ୍ରୀଡ଼ାଭିତ୍ତିକ ଶିଳ୍ପ ପ୍ରତିଷ୍ଠା ସକାଶେ ସରକାର ସୃଷ୍ଟି କରିବେ ଅନୁକୂଳ ବାତାବରଣ

ଭୁବନେଶ୍ୱର,  ନିକଟରେ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ବିଶେଷ ଭାବେ ହକିରେ ଆମ କ୍ରୀଡ଼ାବିତ୍‌ଙ୍କ ଚମତ୍କାର ପ୍ରଦର୍ଶନରେ ଉତ୍ସାହିତ ରାଜ୍ୟ ସରକାର ରାଜ୍ୟରେ କ୍ରୀଡ଼ାଭିତ୍ତିକ ଶିଳ୍ପ ପ୍ରତିଷ୍ଠା ଦିଗରେ ଅଗ୍ରସର ହେଉଥିବା ବିଷୟରେ ଆସୋଚାମ୍‌ର ଏକ ଆଭାସୀ ସମ୍ମିଳନୀରେ ଶିଳ୍ପ, ଶକ୍ତି, ଏମ୍‌ଏସ୍‌ଏମ୍‌ଇ, ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ର ପ୍ରକାଶ କରିଛନ୍ତି। ଏଥିପାଇଁ ଶିଳ୍ପ ଉଦ୍ୟୋଗୀମାନଙ୍କୁ ଆମନ୍ତ୍ରଣ କରାଯାଉଛି । ଏହା ହେଲେ ଦେଶର କ୍ରୀଡ଼ା ଚାହିଦା ପୂରଣ ହେବା ସହ ଏହା ଆନ୍ତର୍ଜାତିକ ବଜାରକୁ ମଧ୍ୟ କ୍ରୀଡ଼ା ଉପକରଣ ଯୋଗାଇପାରିବ ବୋଲି ସେ କହିଛନ୍ତି ।

ଆଜି ଆୟୋଜିତ ‘ବୈଶ୍ୱିକ ମୂଲ୍ୟ ଶୃଙ୍ଖଳ ପାଇଁ ଓଡ଼ିଶା ରାଜ୍ୟ ଦକ୍ଷତା ସୃଷ୍ଟି’ ଶୀର୍ଷକ ଆଲୋଚନା ଚକ୍ରରେ ଯୋଗଦେଇ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ଓଡ଼ିଶା ନିବେଶକମାନଙ୍କ ନିମନ୍ତେ ଏକ ପ୍ରକୃଷ୍ଟ ରାଜ୍ୟ ବୋଲି କହିବା ସହ ରାଜ୍ୟରେ ଉତ୍ପାଦନର ୟୁନିଟ୍‌ ମୂଲ୍ୟ ଦେଶରେ ସବୁଠୁ କମ୍‌ ଥିବା ଦର୍ଶାଇ ଆମେ ଶିଳ୍ପକୁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଉପଲବ୍ଧ କରାଇବା ସହ ରିହାତି ପ୍ରଦାନ କରୁଛୁ ବୋଲି କହିଥିଲେ ।

ଏହି ଅବସରରେ ରାଜ୍ୟରେ ଥିବା ପର୍ଯ୍ୟଟନ ବିଭବର ବର୍ଣ୍ଣନା କରି ସେ ଲଣ୍ଡନ କିମ୍ବା ସୁଇଜରଲ୍ୟାଣ୍ଡ ଯିବା ପରିବର୍ତ୍ତେ ପର୍ଯ୍ୟଟକ ଥରେ କଳାହାଣ୍ଡି ବୁଲି ଆସି ଏଠାରେ ଥିବା ନୈସର୍ଗିକ ଶୋଭା ସମ୍ଭାର, ସ୍ଥାନୀୟ ଜନଜାତିଙ୍କ ନିଆରା ଜୀବନଶୈଳୀ ଏବଂ ସେମାନଙ୍କ ଜୀବନଧାରା ବିଷୟରେ ଅବଗତ ହେବାକୁ ଆହ୍ୱାନ ଜଣାଇଥିଲେ ।

ଏହି ଅବସରରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା କହିଥିଲେ ଯେ ପାରମ୍ପରିକ ଭାବେ ଓଡ଼ିଶା ଖଣିଖାଦାନ ଭରା ଏକ ରାଜ୍ୟ ଭାବେ ଜଣାଶୁଣା । ମାନବଜାତିର ବଞ୍ଚିବା ନିମନ୍ତେ ଆବଶ୍ୟକ ଥିବା ସମସ୍ତ ଉପକରଣର କଞ୍ଚାମାଲ ଏଠାରେ ଉପଲବ୍ଧ । ତା’ଛଡ଼ା ବିଶ୍ୱର ଯେକୌଣସି କାରଖାନା ପାଇଁ ଦରକାର ପଡ଼ୁଥିବା ଖଣିଜ ଓଡ଼ିଶାରେ ମିଳୁଥିବା ସେ ଦର୍ଶାଇଥିଲେ ।

ଓଡ଼ିଶାର ଅବସ୍ଥିତି, ବିଶେଷ ଭାବେ ୪୮୦ କିଲୋମିଟର ଦୈର୍ଘ୍ୟ ଉପକୂଳ ଏବଂ ବହୁସଂଖ୍ୟକ ବନ୍ଦର ବୈଶ୍ୱିକ ମୂଲ୍ୟ ଶୃଙ୍ଖଳକୁ ମଜବୁତ୍‌ କରିବାରେ ଉପଯୋଗୀ ମନେହୁଏ । ଏହା ବ୍ୟତୀତ ରାଜ୍ୟରେ ପର୍ଯ୍ୟାପ୍ତ କୁଶଳୀ ମାନବସମ୍ବଳ ରହିଛି, ଯାହା ଦେଶର ଶିଳ୍ପ କ୍ଷେତ୍ରକୁ ସମୃଦ୍ଧ କରିବାରେ ବିଶେଷ ଯୋଗଦାନ ଦେଇପାରିଛି । ରାଜ୍ୟ ସରକାରଙ୍କ ନିର୍ମଳ ଶିଳ୍ପନୀତି, ସିଙ୍ଗଲ ଓି୍ୱନ୍‌ଡୋ ସିଷ୍ଟମ୍‌, ବ୍ୟବସାୟ ନିମନ୍ତେ ସର୍ବନିମ୍ନ ମୂଲ୍ୟ ଆଦି ସୁବିଧା ଶିଳ୍ପଜଗତକୁ ଉତ୍ସାହିତ କରିପାରୁଥିବା ସେ କହିଥିଲେ ।

ଏହି ଆଲୋଚନା ଚକ୍ରରେ ଅନ୍ୟମାନଙ୍କ ମଧ୍ୟରେ ଆସୋଚାମ୍‌ର ଅଧ୍ୟକ୍ଷ ଶ୍ରୀ ସୋହମ୍‌ ମିଶ୍ର, ଆସୋଚାମ୍‌ର ସହ-ଅଧ୍ୟକ୍ଷ ଶ୍ରୀ ଦୀପକ ଗୁଲାଟି, ଟାଟା ପାୱାର କୋ., କଳିଙ୍ଗ ନଗର ପ୍ରକଳ୍ପ ମୁଖ୍ୟ ଶ୍ରୀ ଭକ୍ତି ରାଜ୍‌, ଜିନ୍ଦଲ ଷ୍ଟିଲ୍‌ର ନର୍ବାହୀ ଉପସଭାପତି(କର୍ପୋରେଟ୍‌ ବ୍ୟାପାର) ଶ୍ରୀ ବିଭୁ ପ୍ରସାଦ ମିଶ୍ର, ଫୋୟେନିକ୍ସ ଇଣ୍ଡିଆର ନିର୍ଦ୍ଦେଶକ ତଥା ଆସୋଚାମ୍‌ର ସଦସ୍ୟ ଶ୍ରୀ ଶ୍ରୀକାନ୍ତ ବାଡ଼ିଗା, ଆସୋଚାମ୍‌, ଜାତୀୟ କ୍ରୀଡ଼ା ଓ ଫିଟ୍‌ନେସ୍‌ ଶିଳ୍ପ ପରିଷଦର ଅଧ୍ୟକ୍ଷ ଶ୍ରୀ ରାଜେଶ ଖରବାନ୍ଦା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।