Categories
ବିଶେଷ ଖବର ରାଜ୍ୟ ଖବର

ସାମାଜିକ ଗଣମାଧ୍ୟମରେ ପ୍ରଚାରର ନୂଆ ତରିକା ଗ୍ରହଣ କଲା ବିଜେଡି- ‘ଶଙ୍ଖ ମୋ ଗର୍ବ’

ଭୁବନେଶ୍ବର: ଏବେ କିଛିଦିନ ଧରି ସାମାଜିକ ଗଣମାଧ୍ୟମରେ ବିଜୁ ଜନତା ଦଳ ପ୍ରଚାରର ଏକ ନୂଆ ତରିକା ଗ୍ରହଣ କରିଛି। ତାହା ହେଲା ଫେସବୁକ, ଟୁଇଟର ଏବଂ ଅନ୍ୟ ସାମାଜିକ ମିଡିଆରେ ସବୁ ବିଜେଡି ନେତା ଦୃଶ୍ୟମାନ ହୋଇଛନ୍ତି। ନିଜନିଜ ଫେସବୁକ ପେଜରେ ଏକ ଭିଡିଓ ଅପଲୋଡ କରିଛନ୍ତି। ଯେଉଁଥିରେ କୁହାଯାଉଛି ଯେ ‘ଶଙ୍ଖ ମୋ ଗର୍ବ’।

ପ୍ରଥମେ ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଏହି ସ୍ଲୋଗାନ ନେଇ ଫେସବୁକରେ ଦୃଶ୍ୟମାନ ହେଲେ। ଏହାପରେ ପରେ ସୁଶାନ୍ତ ସିଂ, ଅରୁଣ ସାହୁ, ପ୍ରଣବ ବଳବନ୍ତରାୟ, ରିତା ସାହୁ ପରି ବହୁ ନେତା, ବିଧାୟକ, ସାଂସଦ ଓ ମନ୍ତ୍ରୀ ନିଜ ନିଜ ସାମାଜିକ ଗଣମାଧ୍ୟମରେ ଏହି ସ୍ଲୋଗାନ ନେଇ ଉଭା ହୋଇଛନ୍ତି।

 

ଧିରେ ଧିରେ ଏହି ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ବଡବଡ ନେତାଙ୍କର ଏପରି ସ୍ଲୋଗାନ ଦେଖି ଅନ୍ୟ ନେତା ତଥା କର୍ମିମାନେ ମଧ୍ୟ ଏପରି ଭିଡିଓ ଅପଲୋଡ କରିବାରେ ଲାଗିଛନ୍ତି। ଯାହା ଜଣାପଡୁଛି ବର୍ତ୍ତମାନ ସହର ଠାରୁ ପଲ୍ଲୀ ପର୍ଯ୍ୟନ୍ତ ସମସ୍ତ ନେତା ଓ କର୍ମିମାନେ ଏହି ସ୍ଲୋଗାନ କହି ଭିଡିଓ ଅପଲୋଡ କରିବେ। ଫଳରେ ଓଡିଶାର ସୋସିଆଲ ମିଡିଆରେ ବିଜେଡି ଆସନ୍ତା କିଛି ଦିନ ଭିତରେ ପୁରା ଛାଇ ହୋଇଯିବ।

ପୂର୍ବରୁ ବିଜେଡି ନିର୍ବାଚନ ପୂର୍ବରୁ କିଛି ନା କିଛି ନୂଆ ତରିକା ଗ୍ରହଣ କରି ଲୋକଙ୍କୁ ଆକୃଷ୍ଟ କରିଥାଏ। ଠିକ ଓଡିଶାର ସାଧାରଣ ନିର୍ବାଚନ ଆଉ ବର୍ଷେ ପାଖାପାଖି ବାକି ଥିବାରୁ ଦଳ ଏହିପରି ଏକ ଭିନ୍ନ ତରିକା ଗ୍ରହଣ କରିଛି। ପୂର୍ବରୁ ଖୋଦ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଆପଣମାନେ ଖୁସି ତ’ କହି ପ୍ରଚାରର ନୂଆ ମାଧ୍ୟମ ସୃଷ୍ଟି କରିଥିଲେ। ଯାହା ଗାଁଗଣ୍ଡା ଚାରିଆଡେ ବେଶ ଚହଳ ପକାଇଛି।

କେବଳ ଏତିକି ନୁହଁ ବର୍ତ୍ତମାନଠାରୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲାକୁ ମାରଥନ ଗସ୍ତ କରି ସରକାର କିପରି ଲୋକଙ୍କ ପାଖରେ ଅଛି ତାହାର ପ୍ରମାଣ ଦେବାରେ ଲାଗିଛନ୍ତି। ଗୋଟିଏ ପଟେ ରାଜ୍ୟ ସରକାର ଓ ବିଜେଡିକୁ ବଦନାମ କରିବା ପାଇଁ ବିଜେପି ନୂଆ ପ୍ରସଂଗ ଖୋଜୁଥିବା ବେଳେ, ଅନ୍ୟପଟେ ବିଜେଡି ଲୋକଙ୍କର ଆସ୍ଥାଭାଜନ ପାଇଁ ଭିନ୍ନ ତରିକା ଆପଣେଇବାରେ ଲାଗିଛି। ଯାହାର ସଦ୍ୟତମ ଉଦାହରଣ ହେଲା ‘ଶଙ୍ଖ ମୋ ଗର୍ବ’।