Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ସରକାରୀ କାର୍ଯ୍ୟକ୍ରମରେ ଶଙ୍ଖ ଚିହ୍ନ ବ୍ୟବହାର ନେଇ ବିଜେଡି ରଖିଲା ଏହିପରି ଉତ୍ତର

ଭୁବନେଶ୍ୱର : ଓଡ଼ିଶାର ସାଢ଼େ ୪ କୋଟି ଲୋକଙ୍କ ପାଇଁ ବିଜେଡି ଦଳର ଚିହ୍ନ ‘ଶଙ୍ଖ’ ଓଡ଼ିଶାର ପରିବର୍ତନ, ପ୍ରଗତି ଓ ବିକାଶର ପ୍ରତିନିଧିତ୍ୱ କରୁଛି । ରାଜ୍ୟବାସୀ ବିଜେଡିର ଚିହ୍ନ ‘ଶଙ୍ଖ’କୁ ନିଜର ପ୍ରତୀକ ଭାବେ ଚିହ୍ନିଥାନ୍ତି, ଯାହା ସେମାନଙ୍କ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ସଶକ୍ତୀକରଣର ପ୍ରତୀକ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା ।

ଶ୍ରୀ ପଣ୍ଡା ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ ଶଙ୍ଖ ଚିହ୍ନ ଉପରେ କୋଟି କୋଟି ଲୋକଙ୍କ ଭଲପାଇବା, ବିଶ୍ୱାସ ଓ ଭରସା ଥିବାରୁ ଏହାର ବ୍ୟବହାର ପ୍ରତି ବିଜେଡି ସଚେତନ ରହିଛି । ଆମ ଦଳର ଚିହ୍ନ ଶଙ୍ଖ କୌଣସି ସରକାରୀ କାର୍ଯ୍ୟକ୍ରମ କିମ୍ବା ଯୋଜନାରେ ବ୍ୟବହୃତ ହୋଇଥିବା ଆମ ନଜରକୁ ଆସିନାହିଁ । ଯଦି ଏହା ହୋଇଥାନ୍ତା, ତେବେ ଆମେ ପ୍ରଥମେ ଏହାର ପ୍ରତିବାଦ କରିଥାନ୍ତୁ ।

ଓଡ଼ିଶା ବିଜେପି କ’ଣ କହିବାକୁ ଚାହୁଁଛି ଯେ ଜି-୨୦ ଲୋଗୋରେ, ପିଡିଏସ୍ ରାସନ ରସିଦରେ, ଆୟୁଷ୍ମାନ ଭାରତ ଲୋଗୋ, ଉଜ୍ଜ୍ୱଳା ଯୋଜନା ଲୋଗୋ ଓ ଅମୃତ ଯୋଜନା ଲୋଗୋରେ ବ୍ୟବହୃତ ହେଉଥିବା ପଦ୍ମ ଫୁଲ ସେମାନଙ୍କ ଦଳୀୟ ଚିହ୍ନ ଏବଂ ସେଥିପାଇଁ ସେମାନେ ଭାବୁଛନ୍ତି ଯେ ଅନ୍ୟତ୍ର ମଧ୍ୟ ‘ଶଙ୍ଖ’ ଚିହ୍ନ ବ୍ୟବହାର କରାଯାଉଛି? ଆମେ ଓଡ଼ିଶା ବିଜେପିକୁ ଅନୁରୋଧ କରୁଛୁ ଯେ ସେମାନେ ନିଜର ସଂକୀର୍ଣ୍ଣ ମାନସିକତାରୁ ଦୂରେଇ ରୁହନ୍ତୁ ଏବଂ ‘ଶଙ୍ଖ’ ଚିହ୍ନ ଭଳି ଅଣପ୍ରସଙ୍ଗ ନଉଠାଇ ଓଡ଼ିଶାବାସୀଙ୍କ ପାଇଁ କିଛି ଭଲ ଦିଗରେ କାର୍ଯ୍ୟ କରନ୍ତୁ ।

ଓଡ଼ିଶାକୁ ନବୀନ ଓଡ଼ିଶା, ନୂଆ ଓଡ଼ିଶାରେ ପରିଣତ କରିବାକୁ ବିଜେଡି ପ୍ରତିଶ୍ରୁତିବଦ୍ଧ ଏବଂ ଏଭଳି ଅଣ-ପ୍ରସଙ୍ଗ ଉଠାଇ ଓଡ଼ିଶା ବିଜେପି ରାଜ୍ୟର ବିକାଶ ଦିଗରେ ନିଜର ଉଦ୍ଦେଶ୍ୟର ଅଭାବ ଥିବା ପ୍ରଦର୍ଶିତ କରୁଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କେନ୍ଦ୍ର ସୂଚନା ଓ ପ୍ରସାରଣ ବିଭାଗର ଏକ କାର୍ଯ୍ୟକ୍ରମ ଲୋଗୋରେ ‘ଶଙ୍ଖ’ ଚିହ୍ନ

ଭୁବନେଶ୍ବର: ବିଜେଡି ସରକାର ଏକ ବିଜ୍ଞାପନରେ କାହିଁକି ଶଙ୍ଖ ଚିହ୍ନ ରଖିଲେ ତାହାକୁ ବିରୋଧ କରିଥିଲେ ବିରୋଧୀ ବିଜେପି। ଶଙ୍ଖ ବିଜେଡିର ଚିହ୍ନ ହୋଇଥିବାରୁ ତାହାକୁ ସରକାରୀ ବିଜ୍ଞାପନରେ କାହିଁକି ଲାଗିଲା ବୋଲି ପ୍ରଶ୍ନ କରାଯାଇଥିଲା। ବିଜେଡି ରାଜ୍ୟ ରାଜକୋଷରୁ ଟଙ୍କା ଖର୍ଚ୍ଚ କରି ଦଳୀୟ ପ୍ରଚାର କରୁଛି ବୋଲି ଜୟନାରାୟଣ ମିଶ୍ର ବିରୋଧ କରିଥିଲେ।

ହେଲେ ଆଶ୍ଚର୍ଯ୍ୟର କଥା ଗୋଟିଏ ଦିନ ପରେ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏକ କାର୍ଯ୍ୟକ୍ରମ ଲୋଗୋରେ ଶଙ୍ଖ ଚିହ୍ନକୁ ସ୍ଥାନିତ କରିଛି। ଗତକାଲି ମନ୍ତ୍ରୀ ଅନୁରାଗ ଠାକରୁ ‘ଭାରତ ହେଁ ହମ’ କାର୍ଯ୍ୟକ୍ରମ ଅଧିନରେ ତିନୋଟି ଆନିମେଟେଡ ଫିଲ୍ମର ଟିଜର ଲୋକାର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମର ଥିବା ବ୍ୟାକଟ୍ରପ ଏବଂ ଲୋଗୋରେ ରହିଛି ଶଙ୍ଖ ଚିହ୍ନ।

ଏହି ଭାରତ ହେଁ ହମ୍ କାର୍ଯ୍ୟକ୍ରମ ଅଧିନରେ ତିନୋଟି ଆନିମେଟେଡ ସିରିଜ ନିର୍ମାଣ କରାଯାଇଛି। ଏହି ସିରିଜରେ ରହିଛନ୍ତି ଆନିମେଟେଡ୍ କ୍ୟାରେକ୍ଟର କ୍ରିଷ୍, ତ୍ରିଶ ଓ ବାଲ୍ଟି ବଏ ଯେଉଁମାନେ ଏହାକୁ ପରିବେଷଣ କରୁଛନ୍ତି। ଗ୍ରାଫିଟି ଷ୍ଟୁଡିଓରୁ ମୁଞ୍ଜାଲ୍ ଶ୍ରଫ୍ ଏବଂ ତିଲକରାଜ ଶେଟ୍ଟୀଙ୍କ ପ୍ରସିଦ୍ଧ ଯୋଡି ଏହି ସିରିଜ୍ ନିର୍ମାଣ କରିଛନ୍ତି।

ଏହି କାର୍ଯ୍ୟକ୍ରମର ଲୋଗୋକୁ ମଧ୍ୟ ସେହି ବରିଷ୍ଠ ଗ୍ରାଫିକ୍ସ ଡିଜିଇନିଂ ଦ୍ବାରା କରାଯାଇଥିବ। ଯେଉଁମାନେ ଲୋଗୋରେ ଶଙ୍ଖ ଚିହ୍ନକୁ ନେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଏହାପରେ ଏହି ଲୋଗୋକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ବାରା ସ୍ବୀକୃତ ପରେ ଲୋକଲୋଚନକୁ ଅଣାଯାଇଛି। ତେବେ ଏହାକୁ ନେଇ ରାଜ୍ୟ ବିଜେପି ବର୍ତ୍ତମାନ କଣ କହିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଜ୍ୟ ରାଜକୋଷକୁ ଅପବ୍ୟବହାର ନେଇ ରାଜ୍ୟପାଳଙ୍କୁ ଭେଟିଲା ପ୍ରଦେଶ କଂଗ୍ରେସ

ଭୁବନେଶ୍ୱର : ଆଜି ସମସ୍ତ ଓଡ଼ିଆ ଓ ଇଂରାଜୀ ଖବର କାଗଜର ପ୍ରଥମ ପୃଷ୍ଠାରେ ରାଜ୍ୟ ସରକାରଙ୍କର ପଂଚାୟତିରାଜ ଓ ପାନୀୟ ଜଳଯୋଗାଣ ବିଭାଗ ଦ୍ୱାରା ଦିଆଯାଇଥିବା ବିଜ୍ଞାପନରେ ବିଜେଡ଼ି ଦଳର ନିର୍ବାଚନୀ ଚିହ୍ନ ‘ଶଙ୍ଖ’ କୁ ନେଇ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କ ଉଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

ରାଜ୍ୟପାଳଙ୍କ ଅନୁପସ୍ଥିତିରେ ବ୍ୟକ୍ତିଗତ ସଚିବଙ୍କୁ ସ୍ମାରକ ପତ୍ର ପ୍ରଦାନ କରି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଇଂରାଜୀ ଓ ଓଡ଼ିଆ ଖବର କାଗଜରେ ଦିଆଯାଇଥିବା ବିଜ୍ଞାପନ ବାବଦରେ କହିଥିଲେ ଯେ ଓଡ଼ିଶା ସରକାରୀ ଲୋଗ ଏବଂ ୫-ଟି ଲୋଗ ସହିତ ବିଜେଡ଼ି ଦଳର ନିର୍ବାଚନୀ ଚିହ୍ନ ‘ଶଙ୍ଖ’ ଲାଗିବା ସମସ୍ତ ନିୟମାବଳୀକୁ ଉଲଘଂନ ଓ ଅବମାନନା କରାଯାଉଛି ।

ସରକାରୀ ଦଳର ସ୍ୱାର୍ଥ ପାଇଁ ସରକାର କିପରି ରାଜ୍ୟ ରାଜକୋଷରୁ ଜନସାଧାରଣଙ୍କର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ଏହା ତାହାର ଜ୍ୱଳନ୍ତ ଉଦାହରଣ । ରାଜ୍ୟରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି । ଓଡ଼ିଶାରେ ଜଙ୍ଗଲରାଜ ଶାସନ ଚାଲିଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।

ଏ ଘଟଣାର ଅନୁସନ୍ଧାନ କରି ଘଟଣାରେ ସଂପୃକ୍ତ ବିଭାଗ ଏବଂ କର୍ତୃପକ୍ଷଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏହି ସ୍ମାରକପତ୍ରରେ ରାଜ୍ୟପାଳଙ୍କୁ ଅନୁରୋଧ କରାଯାଇଛି ଏବଂ ପରବର୍ତୀ ସମୟରେ ପ୍ରକାଶିତ ହେବାକୁ ଥିବା ସରକାରୀ ବିଜ୍ଞାପନରେ ଦଳର ଲୋଗ ନ ଲଗାଯିବା ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଅନୁରୋଧ କରାଯାଇଛି ।

ଆଜିର ପ୍ରତିନିଧି ଦଳରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବିଧାୟକ ସୁରେଶ କୁମାର ରାଉତରାୟ, ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ, ବିଭୂତି ମିଶ୍ର, ସେବାଦଳର ଅଧ୍ୟକ୍ଷ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ସାଧାରଣ ସମ୍ପାଦକ ରଶ୍ମି ମହାପାତ୍ର, ସମ୍ପାଦକ ନରୋତମ ନାୟକ ଓ ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।