Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେଡିର ‘ଶଙ୍ଖ ମୋ ଗର୍ବ’ ପରେ ଏବେ ‘ଜୟ ଜଗନ୍ନାଥ’ ସ୍ଲୋଗାନ, ହେଲେ ଏମିତି କାହିଁକି ?

ଭୁବନେଶ୍ବର: ବିଜୁ ଜନତା ଦଳ କେତେବେଳେ କଣ କରୁଛି ତାହା କାହାକୁ ଜଣା ନ ଥାଏ। କାରଣ ଦଳ ଲୋକଙ୍କ ନିକଟତର ହେବା ପାଇଁ ଜନହୀତକର କାର୍ଯ୍ୟ ସହିତ ପ୍ରଚାରର ନୂଆ ନୂଆ ମାଧ୍ୟମ ମଧ୍ୟ ଆପଣେଇବାରେ ଲାଗିଛି। ଯାହା ବିରୋଧୀଙ୍କୁ ସମାଲୋଚନା କରିବା ପାଇଁ ଖୋରାକ ଯୋଗାଉଛି।

ନିକଟରେ ବିଜେଡି ଦଳ ତରଫରୁ ‘ଶଙ୍ଖ ମୋ ଗର୍ବ’ କହି ସବୁ ନେତା ସମାଜିକ ଗଣମାଧ୍ୟମରେ ଭିଡିଓ ପୋଷ୍ଟିଂ କରିଥିଲେ। ଉଚ୍ଚ ସ୍ତରୀୟ ନେତାଙ୍କଠାରୁ ଆରମ୍ଭ କରି ତଳ ସ୍ତରର ନେତା ପର୍ଯ୍ୟନ୍ତ ସମସ୍ତେ ଏହି ସ୍ଲୋଗାନ ଦେଇ ଭିଡିଓ ପୋଷ୍ଟିଂ କଲେ। ଏପରି ହେଲା ଯେ, ବିରୋଧୀ ତାହାକୁ ବିରୋଧ ନ କରି ଆଉ ଧର୍ଯ୍ୟ ଧରି ରହି ପାରିଲେ ନାହିଁ।

‘ଶଙ୍ଖ ମୋ ଗର୍ବ’ କହିବାର କିଛି ସମୟ ମଧ୍ୟରେ ବିରୋଧୀ ଏହାକୁ ବିରୋଧ କରିବା ଆରମ୍ଭ କଲେ। କେତେକ ‘ବାପାମା ମୋ ଗର୍ବ’ କହି ଭିଡିଓ ପୋଷ୍ଟିଂ କଲେ। ସେହିପରି କେତେକ ‘ଓଡିଶା ମୋ ଗର୍ବ’ କହି ବିଜେଡିକୁ ପରୋକ୍ଷରେ ସମାଲୋଚନା କଲେ। ହେଲେ ଏସବୁକୁ ସମାଲୋଚନା ନେଇ ବିଜେଡି ନେତା ଚୁପଚାପ। ସେମାନେ ନା ଏହାକୁ ନେଇ କୌଣସି ଭିଡିଓ ପୋଷ୍ଟିଂ କଲେ ନା କିଛି ଉତ୍ତର ଦେଲେ।

ଏହି ‘ଶଙ୍ଖ ମୋ ଗର୍ବ’ କିଛିଦିନ ଚାଲିବା ପରେ ସମସ୍ତେ ଚୁପଚାପ ହେଲେ। ଏବେ ପୁଣି ହଠାତ ବିଜେଡି ନୂଆ ନାରା ନେଇ ସାମାଜିକ ଗଣମାଧ୍ୟମ ଆଗକୁ ଆସିଛି। ଏଥର ନାରା ହେଲା ‘ଜୟ ଜଗନ୍ନାଥ’। ପୂର୍ବପରି ସବୁ ନେତା ମନ୍ତ୍ରୀ, ବିଧାୟକ ସାଂସଦ ଏହି ଜୟ ଜଗନ୍ନାଥ ନାରା ଦେଇ ଭିଡିଓ ପୋଷ୍ଟିଂ କରିବାରେ ଲାଗିଛନ୍ତି। ଏହି ସ୍ଲୋଗାନ ମଧ୍ୟ ପୂର୍ବ ପରି ଗାଁ ଗଣ୍ଡାକୁ ବ୍ୟାପିବାରେ ଲାଗିଛି। ଜଗନ୍ନାଥ ଫଟୋ କିମ୍ବା ମୂର୍ତ୍ତି ଆଗରେ ଛିଡା ହୋଇ ଏହି ସ୍ଲୋଗାନ ଦିଆଯାଉଛି।

ତେବେ ବିଜେଡି ଏଥର ଏକ ନୂଆ ତରିକା ଆପଣେଇଛି, ଯେପରି ବିରୋଧୀ କିଛି କହିବାକୁ ବା ସମାଲୋଚନା କରିବାକୁ ରାସ୍ତା ପାଇବେ ନାହିଁ। କାରଣ ‘ଜୟ ଜଗନ୍ନାଥ’ ସ୍ଲୋଗାନକୁ ନେଇ କେହି କିଛି କହିପାରିବେ ନାହିଁ। ଏହା ଦ୍ବାରା ବିଜେଡି ଦୁଇଟି ଫାଇଦା ହାସଲ କରିବାକୁ ଯାଉଛି। ଜୟ ଜଗନ୍ନାଥ କହି ବିରୋଧୀଙ୍କ ବିରୋଧକୁ ଚୁପ କରାଇଥିବା ବେଳେ, ଅନ୍ୟପଟେ ଏହି ସ୍ଲୋଗାନ ଦ୍ବାରା ଧର୍ମିକ ସୂତାରେ ଲୋକଙ୍କୁ ବାନ୍ଧି ରଖିବାରେ ସାହାଯ୍ୟ କରିଛି।

ତେବେ ବର୍ତ୍ତମାନ ରାମ ନବମୀର ସମୟ ଥିବାରୁ କେତେକ ବିରୋଧି, ବିଜେଡିର ଏହି ନାରାକୁ ମୁକାବିଲା କରିବା ପାଇଁ ‘ଜୟ ଶ୍ରୀରାମ’ କହି ଭିଡିଓ ପୋଷ୍ଟିଂ କରିବାରେ ଲାଗିଛନ୍ତି। ତେବେ ସେ ଯାହା ହେଲେ ମଧ୍ୟ ବିଜେଡି ପ୍ରଥମେ କିଛି ନୂଆ କରି ଦେଖାଇବା ପରେ ବିରୋଧୀ ବିରୋଧ କରିବା ଆରମ୍ଭ କରୁଛନ୍ତି। ଲାଗୁଛି ସତେ ଯେପରି ବିରୋଧୀଙ୍କୁ ଉସକାଇବା ପାଇଁ ବିଜେଡି ଏପରି ନୂଆ ନୂଆ ତରିକା ବଜାରକୁ ଛାଡୁଛି।

Categories
ବିଶେଷ ଖବର ରାଜ୍ୟ ଖବର

ସାମାଜିକ ଗଣମାଧ୍ୟମରେ ପ୍ରଚାରର ନୂଆ ତରିକା ଗ୍ରହଣ କଲା ବିଜେଡି- ‘ଶଙ୍ଖ ମୋ ଗର୍ବ’

ଭୁବନେଶ୍ବର: ଏବେ କିଛିଦିନ ଧରି ସାମାଜିକ ଗଣମାଧ୍ୟମରେ ବିଜୁ ଜନତା ଦଳ ପ୍ରଚାରର ଏକ ନୂଆ ତରିକା ଗ୍ରହଣ କରିଛି। ତାହା ହେଲା ଫେସବୁକ, ଟୁଇଟର ଏବଂ ଅନ୍ୟ ସାମାଜିକ ମିଡିଆରେ ସବୁ ବିଜେଡି ନେତା ଦୃଶ୍ୟମାନ ହୋଇଛନ୍ତି। ନିଜନିଜ ଫେସବୁକ ପେଜରେ ଏକ ଭିଡିଓ ଅପଲୋଡ କରିଛନ୍ତି। ଯେଉଁଥିରେ କୁହାଯାଉଛି ଯେ ‘ଶଙ୍ଖ ମୋ ଗର୍ବ’।

ପ୍ରଥମେ ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଏହି ସ୍ଲୋଗାନ ନେଇ ଫେସବୁକରେ ଦୃଶ୍ୟମାନ ହେଲେ। ଏହାପରେ ପରେ ସୁଶାନ୍ତ ସିଂ, ଅରୁଣ ସାହୁ, ପ୍ରଣବ ବଳବନ୍ତରାୟ, ରିତା ସାହୁ ପରି ବହୁ ନେତା, ବିଧାୟକ, ସାଂସଦ ଓ ମନ୍ତ୍ରୀ ନିଜ ନିଜ ସାମାଜିକ ଗଣମାଧ୍ୟମରେ ଏହି ସ୍ଲୋଗାନ ନେଇ ଉଭା ହୋଇଛନ୍ତି।

 

ଧିରେ ଧିରେ ଏହି ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ବଡବଡ ନେତାଙ୍କର ଏପରି ସ୍ଲୋଗାନ ଦେଖି ଅନ୍ୟ ନେତା ତଥା କର୍ମିମାନେ ମଧ୍ୟ ଏପରି ଭିଡିଓ ଅପଲୋଡ କରିବାରେ ଲାଗିଛନ୍ତି। ଯାହା ଜଣାପଡୁଛି ବର୍ତ୍ତମାନ ସହର ଠାରୁ ପଲ୍ଲୀ ପର୍ଯ୍ୟନ୍ତ ସମସ୍ତ ନେତା ଓ କର୍ମିମାନେ ଏହି ସ୍ଲୋଗାନ କହି ଭିଡିଓ ଅପଲୋଡ କରିବେ। ଫଳରେ ଓଡିଶାର ସୋସିଆଲ ମିଡିଆରେ ବିଜେଡି ଆସନ୍ତା କିଛି ଦିନ ଭିତରେ ପୁରା ଛାଇ ହୋଇଯିବ।

ପୂର୍ବରୁ ବିଜେଡି ନିର୍ବାଚନ ପୂର୍ବରୁ କିଛି ନା କିଛି ନୂଆ ତରିକା ଗ୍ରହଣ କରି ଲୋକଙ୍କୁ ଆକୃଷ୍ଟ କରିଥାଏ। ଠିକ ଓଡିଶାର ସାଧାରଣ ନିର୍ବାଚନ ଆଉ ବର୍ଷେ ପାଖାପାଖି ବାକି ଥିବାରୁ ଦଳ ଏହିପରି ଏକ ଭିନ୍ନ ତରିକା ଗ୍ରହଣ କରିଛି। ପୂର୍ବରୁ ଖୋଦ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଆପଣମାନେ ଖୁସି ତ’ କହି ପ୍ରଚାରର ନୂଆ ମାଧ୍ୟମ ସୃଷ୍ଟି କରିଥିଲେ। ଯାହା ଗାଁଗଣ୍ଡା ଚାରିଆଡେ ବେଶ ଚହଳ ପକାଇଛି।

କେବଳ ଏତିକି ନୁହଁ ବର୍ତ୍ତମାନଠାରୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲାକୁ ମାରଥନ ଗସ୍ତ କରି ସରକାର କିପରି ଲୋକଙ୍କ ପାଖରେ ଅଛି ତାହାର ପ୍ରମାଣ ଦେବାରେ ଲାଗିଛନ୍ତି। ଗୋଟିଏ ପଟେ ରାଜ୍ୟ ସରକାର ଓ ବିଜେଡିକୁ ବଦନାମ କରିବା ପାଇଁ ବିଜେପି ନୂଆ ପ୍ରସଂଗ ଖୋଜୁଥିବା ବେଳେ, ଅନ୍ୟପଟେ ବିଜେଡି ଲୋକଙ୍କର ଆସ୍ଥାଭାଜନ ପାଇଁ ଭିନ୍ନ ତରିକା ଆପଣେଇବାରେ ଲାଗିଛି। ଯାହାର ସଦ୍ୟତମ ଉଦାହରଣ ହେଲା ‘ଶଙ୍ଖ ମୋ ଗର୍ବ’।