Categories
ଆଞ୍ଚଳିକ

ବିଭିନ୍ନ ସମସ୍ୟା ନେଇ ବାଣପୁର ତହସିଲ ଓ ବ୍ଲକ ଘେରାଉ କଲେ ଶତାଧିକ ଆଦିବାସୀ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ମଧ୍ୟାହ୍ନରେ ଚାଷୀମୁଲିଆ ସଂଘ ଓଡିଶା ଓ ଅଲଇଣ୍ଡିଆ କ୍ଷେତ ମଜଦୁର କିଷାନ ସଭା ଆନୁକୂଲ୍ୟରେ ଶହଶହ ଆଦିବାସୀ ଏକତ୍ରିତ ହୋଇ ସେମାନଙ୍କର ବିଭିନ୍ନ ସମସ୍ୟା ନେଇ ଖୋର୍ଦ୍ଧା ଜିଲ୍ଲା ବାଣପୁର ତହସିଲ ଓ ବ୍ଲକ ଘେରାଉ କରିଥିଲେ।

ପ୍ରକାଶଥାଉକି ବାଣପୁର ବ୍ଲକର ନୀଳାଦ୍ରି ପ୍ରସାଦ ଓ ଦାମିଆବରବରା ଗ୍ରାମ ପଞ୍ଚାୟତ ଦୁଇଟି ଆଦିବାସୀ ଅଧୁଷିତ ପଞ୍ଚାୟତ ଭାବେ ଜଣାଶୁଣା। ଉଭୟ ପଞ୍ଚାୟତବାସୀଙ୍କ ଦାବୀ ମୁତାବକ ଚଳିତ ଅଗଷ୍ଟ ୭ ତାରିଖରେ ଦାମିଆ ବରବରା କୋଷରଡ଼ା ଗ୍ରାମରେ ହୋଇଥିବା ଜନଶୁଣାଣୀରେ ଆଦିବାସୀ ମାନଙ୍କୁ ଜଙ୍ଗଲ ଜମି ପଟ୍ଟା ଦେବାକୁ ହୋଇଥିବା ନିଷ୍ପତ୍ତି ମୁତାବକ ଆଦିବାସୀ ଓ ପାରମ୍ପରିକ ବନବାସୀଙ୍କୁ ଜମିପଟ୍ଟା ଦେବାକୁ ଦାବୀ କରିଛନ୍ତି। ଉଭୟ ଦୁଇଟି ଗ୍ରାମପଞ୍ଚାୟତର ଆଦିବାସୀ ମାନଙ୍କ ଧନ ଓ ଜୀବନ ବିପଦରେ ପଡିବା ସହ ହାତୀ ମାନଙ୍କ ଦ୍ୱାରା ନଷ୍ଟ ହେଉଥିବା କୃଷି ଜାତୀୟ ଫସଲର କ୍ଷତିପୂରଣ ଦେବାକୁ ତାସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ତହସିଲଦାର ଅନୁପସ୍ଥିତ ଥିବାରୁ ଅତିରିକ୍ତ ତହସିଲଦାର ସାହିନ ନାଜ ସେମାନଙ୍କ ଦାବିପତ୍ର ଗ୍ରହଣ କରିଥିଲେ।

ଅନୁରୂପ ଭାବେ ଗମନା ଗମନ ପାଇଁ ରାସ୍ତା, ଆବାସ ଯୋଜନାରେ ଘର, ପିଇବା ପାଣି, ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ସହ ଅନ୍ୟାନ୍ୟ ସମସ୍ୟା ନେଇ ବିଡ଼ିଓ ଶୀତଲ ଅଗ୍ରୱାଲଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ତେବେ କଦମ ଝୋଲା, ବୁରୁ ସାହି, ବାଙ୍କିଆ ପଲି, କାନ୍ଦୁଲ ସାହି, କୋଷରଡ଼ା ବଡ଼ ସାହି ଏବଂ ଖଟୁଆଳ ସାହି ଠାରୁ ଗ୍ରାମ ଭିତରକୁ ରାସ୍ତା ନିର୍ମାଣ ପାଇଁ ମୁଖ୍ୟତଃ ଦାବୀ କରାଯାଇଛି।

ଉକ୍ତ ଘଟଣା ସମ୍ପର୍କରେ ନୀଳାଦ୍ରି ପ୍ରସାଦ ପଞ୍ଚାୟତ ସରପଞ୍ଚ ଉମାକାନ୍ତ ସାହୁଙ୍କୁ ଯୋଗାଯୋଗ କରିବାରେ ଲୋକଙ୍କ ଦାବୀ ସହ ଆମେ ଉଭୟ ସରପଞ୍ଚ ଏକମତ ବୋଲି କହିଛନ୍ତି। ତେଣୁ ସରକାର ଏହାର ତୁରନ୍ତ ସମଧାନ କରିବା ଦିଗରେ ଦାଇତ୍ୱ ନେବାର ଆବଶ୍ୟକତା ଥିବା କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଶତାଧିକ ଆଦିବାସୀ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ମଧ୍ୟାହ୍ନରେ ଅଖିଳ ଭାରତ କ୍ଷେତ ମଜଦୁର କିସାନ ସଭା (ଅ.ଆଇ.କେ.ଏମ.କେ.ଏସ) ଦାମିଆ ବରବରା ଓ ନୀଳାଦ୍ରି ପ୍ରସାଦ ପଂଚାୟତର ଆଞ୍ଚଳିକ କମିଟି ପକ୍ଷରୁ ଶତାଧିକ ପୁରୁଷ ଓ ମହିଳା ମାନେ ପଦଯାତ୍ରା କରି ବାଲୁଗାଁ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଧାରଣା ଦେଇଥିଲେ। ସେମାନଙ୍କ ଅଭିଯୋଗ ହେଲା କି, ଗତ କିଛି ମାସ ହେଲା ଉକ୍ତ ଦୁଇ ପଞ୍ଚାୟତର ଆଦିବାସୀ ଓ ପାରମ୍ପରିକ ବନବାସୀଙ୍କ ଉପରେ ବରବରା ଫରେଷ୍ଟ ବିଟର ବନ କର୍ମଚାରୀମାନେ ଜୋର ଜୁଲମ ଅତ୍ୟାଚାର କରୁଛନ୍ତି ଏବଂ ସେମାନଙ୍କ ଲଙ୍ଗଳ, ଜୁଆଳି, କାତି, କୁରାଢ଼ୀ ଏବଂ ମୋବାଇଲ ଆଦି ଛଡାଇ ନେଇଯାଉଛନ୍ତି ଏବଂ ଏହାର ପ୍ରତିବାଦ କଲେ ବନ କର୍ମଚାରୀମାନେ ଗିରଫର ଭୟ ଦେଖାଇ ମୋଟା ଅଙ୍କର ଟଙ୍କା ନେଉଛନ୍ତି।

ଏହି ପରିପ୍ରେକ୍ଷୀରେ ପଞ୍ଚାୟତବାସି ବାଲୁଗାଁ ବନାଞ୍ଚଳ ଅଧିକାରୀଙ୍କୁ ଏକ ଚାରି ଦଫା ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିଗୁଡ଼ିକ ହେଲା ବନ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ, ଗ୍ରାମ ସଭା ଜରିଆରେ ଜଙ୍ଗଲ ଜମିର ପଟ୍ଟା ପ୍ରଦାନ କରିବା, ପୁର୍ବରୁ ଜଙ୍ଗଲ ଜମି ପଟ୍ଟା ପାଇଁ ଆବେଦନକାରୀଙ୍କୁ ଜଙ୍ଗଲ ପଟ୍ଟା ପ୍ରଦାନ କରିବା ଏବଂ ପଡ଼ା ଗ୍ରାମ ଗୁଡିକୁ ଅବିଳମ୍ବେ ରାଜସ୍ୱ ଗ୍ରାମ ଘୋଷଣା କରିବା।

ତେବେ ଏ ନେଇ ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ଚନ୍ଦ୍ର ମହାନ୍ତିଙ୍କୁ ପଚାରିବାରୁ ବନ କର୍ମଚାରୀଙ୍କ ନାମରେ ହୋଇଥିବା ଅଭିଯୋଗର ତଦନ୍ତ କରାଯିବ ଏବଂ ଯଦି ତାହା ପ୍ରମାଣିତ ହୁଏ ତେବେ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନୁରୂପ ଭାବେ ଜଙ୍ଗଲ ଅଧିକାର ଅଧିନିୟମ ୨୦୦୬ ମୁତାବକ ଯୋଗ୍ୟ ହିତାଧିକାରୀଙ୍କୁ କେବଳ ଜଙ୍ଗଲ ପଟ୍ଟା ପ୍ରଦାନ କରାଯାଇପାରିବ ବୋଲି କହିଛନ୍ତି ଶ୍ରୀ ମହାନ୍ତି।