Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କଂଗ୍ରେସରେ ପୁଣି ଯୋଗ ଦେଲେ ଡାକ୍ତର ଶରତ ମିଶ୍ର

ଭୁବନେଶ୍ୱର: ବିଶିଷ୍ଠ ଅସ୍ଥିଶଲ୍ୟ ଚିକିତ୍ସକ ଡାକ୍ତର ଶରତ ମିଶ୍ର କଂଗ୍ରେସ ଦଳରେ ପୁନଃ ଯୋଗଦାନ କରିଛନ୍ତି। ଏହି ଅବସରରେ ଆଜି କଂଗ୍ରେସ ଭବନ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଉତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ଡାକ୍ତର ମିଶ୍ରଙ୍କୁ ସ୍ୱାଗତ କରି ଆନୁଷ୍ଠାନିକ ଭାବେ କଂଗ୍ରେସ ଦଳରେ ଗ୍ରହଣ କରିନେଇଥିଲେ।

ଶ୍ରୀ ପଟ୍ଟନାୟକ କହିଲେ ଯେ ଡାକ୍ତର ମିଶ୍ରଙ୍କ ଯୋଗଦାନ ଦଳର ସଂଗଠନକୁ ଆହୁରି ମଜବୁତ କରିବ। ନିଜ ବକ୍ତବ୍ୟରେ ଡାକ୍ତର ମିଶ୍ର କହିଲେ ଯେ ମୁଁ ସର୍ବଦା କଂଗ୍ରେସର ନୀତି ଆଦର୍ଶକୁ ଭଲ ପାଏ। ସେଥିପାଇଁ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରେ ୫ ବର୍ଷ ଚାକିରୀ ଥାଇ ସରକାରୀ ଚାକିରୀରୁ ଅବସର ଗ୍ରହଣ କରି କଂଗ୍ରେସ ଦଳରେ ଯୋଗଦେଇଥିଲି। ଦଳର ବିଭିନ୍ନ ପଦପଦବୀରେ ମୁଁ କାର୍ଯ୍ୟ କରିଛି।

ବିଶେଷ କରି ପ୍ରଦେଶ କଂଗ୍ରେସ କମିଟିର ଡାକ୍ତରସେଲର ଅଧ୍ୟକ୍ଷ ଭାବରେ ମୁଁ ନିଷ୍ଠାର ସହ କାର୍ଯ୍ୟ କରିଛି। ବିଜେଡ଼ି ଦଳରେ ମୁଁ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଥିଲେ ମଧ୍ୟ କଂଗ୍ରେସ ଦଳ ପ୍ରତି ଥିବା ମୋର ଦୁର୍ବଳତା ଓ ଭଲପାଇବା ଯୋଗୁଁ ମୁଁ ବିଜେଡ଼ି ଦଳ ତ୍ୟାଗକରି ମୋର ପୁରୁଣା ଘରକୁ ଫେରିଆସିଛି ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ତଥା ଇସ୍ତାହାର କମିଟିର ଅଧ୍ୟକ୍ଷ ପଂଚାନନ କାନୁନଗୋ, ପିସିସି ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ, ପିସିସି ସାଧାରଣ ସଂପାଦକ ଚିନ୍ମୟ ସୁନ୍ଦର ଦାସ, ତରୁଣ ମିଶ୍ର, ରଜନୀ ମହାନ୍ତି, ଦୀପକ କୁମାର ମହାପାତ୍ର, ପ୍ରଭାତ ପ୍ରତାପ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ବର୍ଷିୟାନ ସାମ୍ବାଦିକ ଶରତ ମିଶ୍ରଙ୍କ ପରଲୋକ, ଓଡିଆ ଗଣମାଧ୍ୟମରେ ଶୋକର ଛାୟା

ଭୁବନେଶ୍ବର: ଓଡିଶାର ବର୍ଷିୟାନ ସାମ୍ବାଦିକ ତଥା ସମାଜ ର ପୂର୍ବତନ ସମ୍ପାଦକ ଶରତ ମିଶ୍ରଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ସେ ଓଡିଶା ଗଣ ମାଧ୍ୟମର ଜଣେ ପରିଚିତ ବ୍ୟକ୍ତିତ୍ବ। ସେ ବ୍ରହ୍ମପୁରରୁ ପ୍ରକାଶିତ ଅନୁପମ ଭାରତର ପ୍ରତିଷ୍ଠାତା ସମ୍ପାଦକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।

ସେ ପ୍ରଥମେ ଇଷ୍ଟର୍ଣ୍ଣ ଟାଇମସ ଗ୍ରୁପରୁ ନିଜର ସାମ୍ବାଦିକତା ଆରମ୍ଭ କରିଥିଲେ। ସମ୍ବାଦ ଖବର କାଗଜ ଆରମ୍ଭ ବେଳେ ସେ ଥିଲେ ବାର୍ତ୍ତା ସଂପାଦକ। ଏହାପରେ ସେ ବିଭିନ୍ନ ସମୟରେ କୋଲକାତାରୁ ପ୍ରକାଶିତ ଅମୃତ ବଜାର ପତ୍ରିକାରେ ଓଡିଶା ପ୍ରତିନିଧି ଭାବେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଥିଲେ। ସେ ସମାଜର ସଂପାଦକରୁ ଅବସର ନେବା ପରେ ପ୍ରତିନିଧି ନାମିତ ଏକ ଫିଚର ପତ୍ରିକାର ସଂପାଦକ ଥିଲେ।

ତାଙ୍କ ବିୟୋଗରେ ଓଡିଆ ସାମ୍ବାଦିକ ଜଗତରେ ଶୋକର ଛାୟା ଖେଳିଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତନ ପୋଲିସ ଡିଜି ଶରତ ମିଶ୍ରଙ୍କ ପରଲୋକ

ଭୁବନେଶ୍ବର: ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତ୍ୟିକ ତଥା  ପୂର୍ବତନ ପୁଲିସ ଡିଜି ଶରତ ଚନ୍ଦ୍ର ମିଶ୍ର ଆଉ ଇହ ଜଗତରେ ନାହାନ୍ତି। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ  ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା।

୧୯୫୯ ବ୍ୟାଚ୍‌ର ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ସ୍ବର୍ଗତ ମିଶ୍ର ପିଲା ଦିନୁ ମେଧାବୀ ଥିଲେ। ସେ ଓଡ଼ିଶାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀ ଓ ‘ର’ରେ ରହି ନିଜର କାର୍ଯ୍ୟ ଦକ୍ଷତା ପ୍ରତିପାଦନ କରିଥିଲେ। ଅବସର ପରେ ସାହିତ୍ୟ ରଚନା ସହ ବିଭିନ୍ନ ପତ୍ର ପତ୍ରିକାରେ ସ୍ତମ୍ଭ ଲେଖୁଥିଲେ। ତାଙ୍କ ମୃତ୍ୟରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।