Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଦ୍ୱାରା ଶହିଦ ଦିବସ ପାଳିତ

ଖୋର୍ଦ୍ଧା: ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ମହାପ୍ରୟାଣ ଦିବସ ଉପଲକ୍ଷେ ଆଜି ସକାଳେ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ଖୋର୍ଦ୍ଧା ସହରର ଷ୍ଟେଟ ବ୍ୟାଙ୍କ ଛକ ନିକଟରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଦ୍ୱାରା ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଓ ଦୁଇ ମିନିଟ ନିରବ ପ୍ରାର୍ଥନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ମହାପାତ୍ର ଗାନ୍ଧୀଙ୍କ ସ୍ମୃତିଚାରଣ କରି କହିଥିଲେ ଯେ, ଗାନ୍ଧୀଙ୍କ ବିନା ଭାରତବର୍ଷ ଇଂରେଜମାନଙ୍କ ପରାଧୀନତାରୁ କେବେ ବି ମୁକ୍ତି ପାଇପାରିନଥାନ୍ତା। ଅହିଂସା, ସ୍ୱରାଜ ଓ ସତ୍ୟାଗ୍ରହ ଆଦର୍ଶକୁ ନେଇ ୩୦୦ ବର୍ଷର ପରାଧୀନତାରୁ ସ୍ୱାଧୀନ ପ୍ରାପ୍ତି ସାରା ବିଶ୍ୱରେ ବିରଳ। ସାରା ବିଶ୍ୱ ଏହାକୁ ସ୍ୱୀକାର କରି ତାଙ୍କ ଜନ୍ମଦିବସକୁ ମଧ୍ୟ ଆନ୍ତର୍ଜାତିକ ଅହିଂସା ଦିବସର ସମ୍ମାନ ଦେଇସାରିଛି।

ଏହି ଅବସରରେ ଶ୍ରୀ ମହାପାତ୍ର ଦେଶର ସ୍ୱାଧୀନତା ସଂଗ୍ରାମରେ ପ୍ରାଣବଳି ଦେଇଥିବା ଶହୀଦ ଓ ଖୋର୍ଦ୍ଧାର ବୀର ପାଇକ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ଉଦ୍ଦେଶ୍ୟରେ ତାଙ୍କର ଅଭିଭାଷଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।  ଅନ୍ୟମାନଙ୍କ ମଧ୍ୟରେ ପ୍ରାଣନାଥ ମହାବିଦ୍ୟାଳୟର ଅଧ୍ୟାପକବୃନ୍ଦ, ସରକାରୀ ଅଧିକାରୀ ଓ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ମାନେ ଉପସ୍ଥିତି ଥିଲେ।