Categories
ଆଜିର ଖବର ରାଜ୍ୟ ଖବର

ଅବହେଳିତ ଶିଶୁଙ୍କ ସାମଗ୍ରିକ ବିକାଶ ହିଁ ଜାଗୋର ମୁଖ୍ୟ ଉଦ୍ଦେଶ୍ୟ: ସୋଆ ଉପସଭାପତି

ଭୁବନେଶ୍ୱର: ଜାଗୋ ଏକ ଆହ୍ୱାନ। ଏହା ଆରମ୍ଭ ହେବା ସମୟ ରୁ ହିଁ ସମାଜର ଅବହେଳିତ ଶିଶୁମାନଙ୍କର ଉନ୍ନତି କ୍ଷେତ୍ରରେ କାର୍ଯ୍ୟ କରିଆସୁଛି। ଏହି ଶିଶୁମାନଙ୍କର ସାମଗ୍ରିକ ବିକାଶ ହିଁ ଜାଗୋର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶାଶ୍ୱତୀ ଦାସ।

ସୋଆରେ ନାମ ଲେଖାଇଥିବା ନୂତନ ଛାତ୍ରଛାତ୍ରୀମାନଙ୍କୁ ଜାଗୋକୁ ନେଇ ଦିଗ୍‌ଦର୍ଶନ ଦେବାରକାର୍ଯ୍ୟକ୍ରମ ଅବସରରେ ସୋମବାର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ବାଂଶୁରୀଗୁରୁ ପ୍ରେକ୍ଷାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଶ୍ରୀମତି ଦାସ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ବର୍ତମାନ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ଏବଂ ପୂର୍ବତନ ଛାତ୍ରଛାତ୍ରୀମାନଙ୍କୁ ଜାଗୋରେ ସାମିଲ ହୋଇ ଅନେକ ଜନହିତକର କାର୍ଯ୍ୟ ହାତକୁ ନେଇଥିବାରୁ ସାଧୁବାଦ ଜଣାଇଥିଲେ।

ସୋଆ ନିଜର ଉତ୍କର୍ଷତାର ୩୦ ବର୍ଷର ଯାତ୍ରାରେ ଏକ ଉଜ୍ଜ୍ୱଳ ଭବିଷ୍ୟତ ଦିଗରେ ଅଗ୍ରସର ହେଉଥିବା ବେଳେ ଏଥି ନିମନ୍ତେ ବିଶ୍ୱବିଦ୍ୟାଳୟର ଫ୍ୟାକଲ୍ଟି, କର୍ମଚାରୀ ଓ ଛାତ୍ରଛାତ୍ରୀ ମାନଙ୍କର ଅବଦାନ ବିଷୟରେ ଶ୍ରୀମତି ଦାସ ଉଲ୍ଲେଖ କରିଥିଲେ।

ଅନେକ ସମୟରେ ଦାରିଦ୍ର‌୍ୟତା ଯୋଗୁଁ ଅନେକ ପ୍ରତିଭା ଲୁକ୍କାୟିତ ହୋଇ ରହିଯାଇଥାଆନ୍ତି
ଏବଂ ଏହା ଦ୍ୱାରା ସମାଜର ହିତସାଧନ ହୋଇପାରି ନଥାଏ। ଏଭଳି ଲୁକ୍କାୟିତ ପ୍ରତିଭାଙ୍କୁ ବାହାରକୁ ଆଣିବା ପଙ୍କରେ ପଦ୍ମ ଫୁଟାଇବା ସହ ସମାନ। ଏହା ହିଁ ଟିମ୍ ଜାଗୋର ଲକ୍ଷ୍ୟ। ଉପଯୁକ୍ତ ଶିକ୍ଷା, ସାମଗ୍ରିକ ବିକାଶ ଜରିଆରେ ସେମାନଙ୍କର ବ୍ୟକ୍ତିତ୍ୱ ନିର୍ମାଣ ପାଇଁ ଟିମ୍ ଜାଗୋ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଯୋଗ ଦେଇ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଥିଲେ ଯେ ସୋଆକୁ ଡିମ୍‌ଡ ବିଶ୍ୱବିଦ୍ୟାଳୟର ମାନ୍ୟତା ୨୦୦୭ ଜୁଲାଇ ୧୭ ତାରିଖରେ ମିଳିଥିବା ବେଳେ ଏହାର କିଛି ମାସ ମଧ୍ୟରେ ଜାଗୋ ଟିମ୍ ପ୍ରତିଷ୍ଠା ହୋଇଥିଲା। ତେଣୁ ଟିମ୍ ଜାଗୋର ୧୭ ବର୍ଷର ଯାତ୍ରା ବେଶ ସଫଳ ବୋଲି କୁଳପତି କହିଥିଲେ। ଏଭଳି କାର୍ଯ୍ୟ ଦ୍ୱାରା ଛାତ୍ରଛାତ୍ରୀମାନେ ନିଜର ଭବିଷ୍ୟତକୁ ଉଜ୍ୱଳ କରିବା ସହ ନିଜକୁ ଉତମ ମଣିଷ ଭାବେ ଗଢ଼ିପାରିବେ ବୋଲି ପ୍ର୍ରଫେସର ନନ୍ଦ କହିଥିଲେ।

କାର୍ଯ୍ୟକ୍ରମରେ ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ), ଆଇଟିଇଆର, ପ୍ରଫେସର
ରେଣୁ ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍‌ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଏବଂ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ଡେଂଟାଲ୍ ସାଇନ୍‌ସେସ୍ (ଆଇଡିଏସ୍‌)ର ଡିନ୍ ପ୍ରଫେସର (ଡାକ୍ତର) ନୀତା ମହାନ୍ତି ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

ଏହି ଅବସରରେ ଜାଗୋ ମେଂଟର ପ୍ରଫେସର ଅନିତା ପଣ୍ଡା କହିଥିଲେ ଜାଗୋର ପ୍ରତ୍ୟେକ ପିଲାଙ୍କମଧ୍ୟରେ ପ୍ରତିଭା ରହିଛି। ସେମାନଙ୍କୁ ପାଠପଢ଼ା ସହ କଳା, ସଂସ୍କୃତି ବିଷୟରେ ଶିକ୍ଷା ଦିଆଯାଇ ଦକ୍ଷ କରାଯାଉଛି ଏବଂ ସମାଜ ପ୍ରତି ଦାୟିତ୍ୱବୋଧ ସଂପର୍କରେ ସେମାନଙ୍କୁ ଅବଗତ କରାଯାଉଛି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଶିଶୁମାନଙ୍କ ଦ୍ୱାରା ଏବଂ ଟିମ୍ ଜାଗୋର ସଦସ୍ୟ ମାନଙ୍କ ଦ୍ୱାରା ସାଂସ୍କୃତିକ
କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଆଇଟିଇଆର୍ ଡିନ୍ ପ୍ରଫେସର ପି.କେ.ସାହୁ , ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ଏବଂ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ପ୍ରଫେସର ଡାକ୍ତର ବସନ୍ତ କୁମାର ପତି ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ଉପସଭାପତି ଶାଶ୍ୱତୀ ଦାସଙ୍କୁ ‘ଫେମିନା ଆଚିଭର୍ସ ଇଷ୍ଟ-୨୦୨୪’ ସମ୍ମାନ ପ୍ରଦାନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ଉପସଭାପତି ଶ୍ରୀଶାଶ୍ୱତୀ ଦାସଙ୍କୁ ‘ଫେମିନା ଆଚିଭର୍ସ ଇଷ୍ଟ -୨୦୨୪’ ସମ୍ମାନରେ ସମ୍ମାନୀତ କରାଯାଇଛି। ଦେଶର ଅଗ୍ରଣୀ ଇଂରାଜୀ ମହିଳା ପତ୍ରିକା ଫେମିନା ପକ୍ଷରୁ ଶ୍ରୀମତି ଦାସ ଙ୍କୁ ‘ଏକ୍ସଲେନ୍ସ ଇନ୍ ଇନ୍‌ସ୍ପିରେସ୍‌ନାଲ୍ ଲିଡରସିପ୍‌’ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି।

ଗତ ନଭେମ୍ବର ୧୫ ତାରିଖ ଦିନ କୋଲକାତା ଠାରେ ଆୟୋଜିତ ଏହି ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା। ସମାଜରେ ସକାରାତ୍ମକ ପରିବର୍ତନ ଆଣିବାରେ ଅଗ୍ରଣୀ ଭୂମିକା ନେଇଥିବା ମହିଳାମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ବିଶେଷ କରି ପୂର୍ବ ଭାରତରେ ସମାଜର ବିଭିନ୍ନ ବର୍ଗରେ ଉନ୍ନତିମୂଳକ କାର୍ଯ୍ୟ କରୁଥିବା ମହିଳାମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା।

ପୂର୍ବ ଏବଂ ଉତ୍ତର-ପୂର୍ବ ଭାରତରେ ଅବସ୍ଥାପିତ ବ୍ରିଟିଶ ଡେପୁଟି ହାଇକମିଶନର ଡକ୍ଟର ଆଣ୍ଡ୍ରିୟୁ ଫ୍ଲେମିଂ ଏବଂ ଆଲାଏନ୍ସ ଫ୍ରାଂଚାଇଜି ଡୁ ବେଙ୍ଗାଲେ ର ନିର୍ଦ୍ଦେଶକ ନିକୋଲାସ ଫାସିନୋ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ଏହି ସମ୍ମାନ ପ୍ରଦାନ କରିଥିଲେ। ଶ୍ରୀମତି ଦାସଙ୍କ ପକ୍ଷରୁ ସୋଆର ଲୋକସମ୍ପର୍କ ଅଧିକାରୀ ଶୁଭଦର୍ଶିନୀ ମିଶ୍ର ଏହି ସମ୍ମାନ ଗ୍ରହଣ କରିଥିଲେ।

ଅନେକ ଜନହିତକର କାର୍ଯ୍ୟ ଏବଂ ବିଶେଷ କରି ପାଠପଢ଼ାରୁ ବଂଚିତ ହେଉଥିବା ଶିଶୁମାନଙ୍କୁ ଶିକ୍ଷିତ କରିବା ସହ ଦକ୍ଷତାପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ କରିବା ଲକ୍ଷ୍ୟ ନେଇ ଶ୍ରୀମତି ଦାସଙ୍କ ଦିଗଦର୍ଶନରେ ସୋଆ ପକ୍ଷରୁ ଛାତ୍ରଛାତ୍ରୀଙ୍କ ଅନୁଷ୍ଠାନ ‘ଜାଗୋ’ କିଛି ବର୍ଷ ହେବ ଏହି ଉଦ୍ଦେଶ୍ୟରେ କାର୍ଯ୍ୟ କରୁଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଭେଜାଲ୍ ଔଷଧ ପ୍ରତି ଧ୍ୟାନ ଦେବା ପାଇଁ ଫାର୍ମାସିଷ୍ଟମାନଙ୍କୁ ପରାମର୍ଶ ଦେଲେ ସୋଆ ଉପସଭାପତି

ଭୁବନେଶ୍ୱର: ବର୍ତ୍ତମାନ ସବୁ କ୍ଷେତ୍ରରେ ଅପମିଶ୍ରଣ ଅଥବା ଭେଜାଲ କାରବାର ପରିଲକ୍ଷିତ ହେଉଛି। କିନ୍ତୁ ଜୀବନ ରକ୍ଷାକାରୀ ଔଷଧରେ ଅପମିଶ୍ରଣ ହେଲେ ଏହା ମାନବ ଜାତି ପ୍ରତି ବିଶ୍ୱାସଘାତକତା ହେବ। ତେଣୁ ଫାର୍ମାସିଷ୍ଟମାନେ ଏଥି ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶାଶ୍ୱତୀ ଦାସ।

ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲର ଫାର୍ମାସୀ ବିଭାଗ ପକ୍ଷରୁ ବୁଧବାର ଆୟୋଜିତ ବିଶ୍ୱ ଫାର୍ମାସିଷ୍ଟସ ଦିବସ ‘ଏଲିକ୍‌ଜର -୨୦୨୪’ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତି ଦାସ କହିଥିଲେ ଯେ କରୋନା ପରି ମହାମାରୀ ହୁଏତ ଆଗାମୀ ଭବିଷ୍ୟତରେ ମଧ୍ୟ ବିଶ୍ୱ ସାମ୍ନା କରିପାରେ।

ତେଣୁ ଏପରି ବିପତିରୁ ସମାଜକୁ ଉଦ୍ଧାର କରିବା ପାଇଁ ଫାର୍ମାସିଷ୍ଟମାନେ ସଂକଳ୍ପବଦ୍ଧ ହେବା ସହ ଏଭଳି ଔଷଧ ଆବିଷ୍କାର କରିବା ଦରକାର ଯାହାର ଗୁଣବତାରେ କୌଣସି ସନ୍ଦେହ ନଥିବ ଏବଂ ଏହାର କୌଣସି ପାଶ୍ୱର୍ପ୍ରତିକ୍ରିୟା ମଧ୍ୟ ରହିବ ନାହିଁ ବୋଲି ଶ୍ରୀମତି ଦାସ ଫାର୍ମାସିଷ୍ଟମାନଙ୍କୁ ନିବେଦନ କରିଛନ୍ତି। ଏଥି ନିମନ୍ତେ ଫାର୍ମାସିଷ୍ଟମାନେ ସର୍ବଦା ଜିଜ୍ଞାସୁ ହେବା ଆବଶ୍ୟକ ଯାହା ଫଳରେ ଭେଷଜ ବିଜ୍ଞାନରେ ନୂତନ ଦିଗ ଉନ୍ମୋଚିତ ହୋଇପାରିବ।

ଏହା ଦ୍ୱାରା ମାନବଜାତିର ମଙ୍ଗଳ ହେବ। ତେଣୁ ଏହି ଦିଗ ପ୍ରତି ଫାର୍ମାସିଷ୍ଟମାନେ ସଜାଗ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି। ଏହି କାର୍ଯ୍ୟ ବଳରେ ସମଗ୍ର ମାନବସମାଜ ଫାର୍ମାସିଷ୍ଟମାନଙ୍କ ପାଖରେ ସଦା କୃତଜ୍ଞ ହୋଇ ରହିବ ବୋଲି ସେ କହିଛନ୍ତି।

ଚଳିତ ବର୍ଷର ପ୍ରସଙ୍ଗ “ଫାର୍ମାସିଷ୍ଟ: ମିଟିଙ୍ଗ ଗ୍ଲୋବାଲ ହେଲ୍‌ଥ ନିଡ୍ସ” କୁ ଉଲ୍ଲେଖ କରି ଶ୍ରୀମତି ଦାସ କହିଥିଲେ ଯେ, ଏହାର ଉଦ୍ଦେଶ୍ୟ ହେଉଛି ଫାର୍ମାସିଷ୍ଟମାନଙ୍କ ଦ୍ୱାରା କିପରି ସାରା ବିଶ୍ୱରେ ଥିବା ସ୍ୱାସ୍ଥ୍ୟ କ୍ଷେତ୍ରର ଆବଶ୍ୟକତାକୁ ପୂରଣ କରିହେବ। ବିଗତ ବର୍ଷରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଫାର୍ମାସିଷ୍ଟମାନେ ନିଷ୍ଠାର ସହ ସେବା କରିଥିବାରୁ ଏହି ଅବସରରେ ସୋଆ ଉପସଭାପତି ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।

କାର୍ଯ୍ୟକ୍ରମରେ ଫାର୍ମାସୀ ବିଭାଗର ମୁଖ୍ୟ ଡକ୍ଟର ଯସ୍ମୀନ୍ ପଣ୍ଡା ଅତିଥିମାନଙ୍କୁ ସ୍ୱାଗତ କରିବା ଅବସରରେ ବିଶ୍ୱ ଫାର୍ମାସୀ ଦିବସ ସମ୍ପର୍କରେ ଆଲୋକପାତ କରିଥିଲେ।

କାର୍ଯ୍ୟକ୍ରମରେ ଓଡ଼ିଶାର ଡ୍ରଗ୍ସ କଂଟ୍ରୋଲର ଶ୍ରୀମତି ମାମିନା ପଟ୍ଟନାୟକ ବକ୍ତା ଭାବେ ଯୋଗ ଦେଇ କରୋନା ମହାମାରୀ ସମୟରେ ଫାର୍ମାସିଷ୍ଟମାନେ ଡାକ୍ତର ଏବଂ ରୋଗୀଙ୍କ ମଧ୍ୟରେ ଏକ ସେତୁ ପରି କାର୍ଯ୍ୟ ତୁଲାଇଥିଲେ ବୋଲି କହିଥିଲେ। ଫାର୍ମାସିଷ୍ଟମାନେ ସମାଜରେ ଏକ ମହତ୍ୱପୂର୍ଣ୍ଣ କାର୍ଯ୍ୟ ତୁଲାଉଥିବା ବେଳେ ଆମ ସମାଜ ସେମାନଙ୍କୁ ସେତିକି ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଥଲେ।

ଏହି ଅବସରରେ ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ -୨, ଫୁଲନଖରାର ଡିନ୍ ପ୍ରଫେସର ଅରକ୍ଷିତ ସ୍ୱାଇଁ, ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଏବଂ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ -୨, ଫୁଲନଖରାର ମେଡିକାଲ୍ ସୁପିରଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ ଲେଙ୍କା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ।

ପ୍ରଫେସର ମିଶ୍ର ହସ୍ପିଟାଲ୍‌ର ଆଇସିୟୁ, ଓଟି ଏବଂ ସବୁ ସ୍ଥାନରେ ଫାର୍ମାସିଷ୍ଟମାନଙ୍କର ଅବଦାନ ଅତୁଳନୀୟ ବୋଲି କହିଥିଲେ। ସେହିପରି ନିଜ ବକ୍ତବ୍ୟରେ ପ୍ରଫେସର ସ୍ୱାଇଁ କହିଥିଲେ ଯେ ହସ୍ପିଟାଲ୍‌ରେ ଫାର୍ମାସିଷ୍ଟ, ପାରାମେଡିକ୍ସ ଏବଂ ଡାକ୍ତର ମିଶିି ଗୋଟିଏ ଟିମ୍ ଭାବେ କାର୍ଯ୍ୟ କରିଥାନ୍ତି। ଔଷଧ ରୋଗୀକୁ ସୁସ୍ଥ କରିଥାଏ ମାତ୍ର ଫାର୍ମାସିଷ୍ଟମାନେ ରୋଗୀର ଯତ୍ନ ନେଇଥାନ୍ତି। ତେଣୁ ସମସ୍ତେ ଗୋଟିଏ ଟିମ୍ ଭାବେ କାର୍ଯ୍ୟ କରିବା ଉଚିତ୍ ବୋଲି ପ୍ରଫେସର ସ୍ୱାଇଁ କହିଥିଲେ।

ପ୍ରଫେସର ସାମନ୍ତସିଂହାର ଫାର୍ମାସିଷ୍ଟମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ସେମାନେ ନିଜ ନିଜ ଭିତରେ ସହଯୋଗ ରଖି କାର୍ଯ୍ୟ କରିବା ସହ ଔଷଧ ପ୍ରଦାନରେ ଯେଭଳି କୌଣସି ଭୁଲ ନ ହୁଏ ସେଥିପ୍ରତି ଧ୍ୟାନ ଦେବା ଉଚିତ୍‌। ସେହିପରି ପ୍ରଫେସର ଲେଙ୍କା ନିଜ ବକ୍ତବ୍ୟରେ ଫାର୍ମାସିଷ୍ଟମାନେ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରନ୍ତୁ ବୋଲି କହିଥିଲେ।

ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସହ ଫାର୍ମାସିଷ୍ଟମାନଙ୍କୁ ଏବଂ ଏହି ବିଭାଗ ସହିତ ଜଡ଼ିତ ବିଭିନ୍ନ କର୍ମଚାରୀମାନଙ୍କୁ ସୋଆ ଉପସଭାପତି ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଡକ୍ଟର ଯସ୍ମୀନ୍ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରତ୍ୟେକ ପ୍ରାଣୀ ଭଲ ପାଇବା ଓ ସ୍ନେହର ଭାଷା ବୁଝନ୍ତି: ସୋଆ ଉପସଭାପତି

ଭୁବନେଶ୍ୱର: ପ୍ରାଣୀମାନେ ଯଦିଓ କଥା କହିପାରନ୍ତି ନାହିଁ କିମ୍ବା ସେମାନଙ୍କର ଭାବାବେଗ ପ୍ରକାଶ କରିପାରନ୍ତି ନାହିଁ କିନ୍ତୁ ସେମାନେ ଭଲ ପାଇବା ଓ ସ୍ନେହର ଭାଷା ବୁଝିପାରନ୍ତି। ତେଣୁ ପ୍ରତ୍ୟେକ ପ୍ରାଣୀ ଚିକିତ୍ସକ ସ୍ନେହ ଓ ଯତ୍ନ ଦେଇ ସେମାନଙ୍କର ଚିକିତ୍ସା କଲେ ସେମାନେ ନିଜ ବୃତିରେ ସଫଳ ହୋଇପାରିବେ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ଉପସଭାପତି ଶାଶ୍ୱତୀ ଦାସ।

ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍ସ ଆଣ୍ଡ ଆନିମଲ୍ ହଜବ୍ୟାଣ୍ଡ୍ରି (ଆଇଭିଏସ୍‌ଏଏଚ୍‌)ର ପ୍ରଥମ ବାର୍ଷିକ ଉତ୍ସବ “ଭେଟ୍ରିକ୍ସ-୨୦୨୪” ରେ ଶୁକ୍ରବାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତି ଦାସ କହିଛନ୍ତି ଯେ ଏହି ଅନୁଷ୍ଠାନ ହେଉଛି ସୋଆର
ନୂତନତମ ଅନୁଷ୍ଠାନ। ୨୦୨୨ ଓ ୨୦୨୩ ଶିକ୍ଷା ବର୍ଷରେ ଅଧ୍ୟୟନ କରୁଥିବା ଭେଟେରିନାରୀ ଛାତ୍ରଛାତ୍ରୀଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇ ଶ୍ରୀମତି ଦାସ କହିଥିଲେ ଯେ ପ୍ରତ୍ୟେକ ଡାକ୍ତର ପ୍ରାଣୀମାନଙ୍କୁ ଦୟା ପ୍ରଦର୍ଶନ କରି ଚିକିତ୍ସା କରିବା ଉଚିତ୍। ଏହା ଦ୍ୱାରା ଚିକିତ୍ସାର ମାନ ବୃଦ୍ଧି ପାଇବ ବୋଲି ସେ କହିଥିଲେ। ଏଠାରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନେ ଖୁବ୍ ସଫଳ ପ୍ରାଣୀ ଚିକିତ୍ସକ ହେବା ସହ ସେମାନେ ନିଜର ଓ ବିଶ୍ୱବିଦ୍ୟାଳୟକୁ ଗୌରବମଣ୍ଡିତ କରିବେ ବୋଲି ସେ କହିଥିଲେ।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଥିଲେ ଯେ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଲକ୍ଷ୍ୟ ନେଇ ସୋଆ ଦ୍ୱାରା ମଣିଷମାନଙ୍କର ଚିକିତ୍ସା ପାଇଁ ୩ଟି ମେଡିକାଲ୍ କଲେଜ ଏବଂ ହସ୍ପିଟାଲ୍ ଏବଂ ଗୋଟିଏ କର୍ପୋରେଟ ହସ୍ପିଟାଲ୍ ସ୍ଥାପନ ହୋଇଥିବା ବେଳେ ପ୍ରାଣୀମାନଙ୍କର ଚିକିତ୍ସା ପାଇଁ ସୋଆ ପକ୍ଷରୁ ଆଉ ଗୋଟିଏ ଅନୁଷ୍ଠାନ ଯୋଡି ହୋଇ ଯାଇଛି।

ଦେଶର ୧୫ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ନ୍ୟାସ୍‌ନାଲ୍ ଇନଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗ୍‌ରେ ସ୍ଥାନ ପାଇଥିବା ସୋଆ ଗତ ୭ ବର୍ଷ ଧରି ଦେଶର ଶ୍ରେଷ୍ଠ ୨୫ ବିଶ୍ୱବିଦ୍ୟାଳୟ ତାଲିକାରେ ନିଜକୁ ସାମିଲ କରିପାରିଛି।

ତେଣୁ ଏହି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଭାବେ ଗୌରବ ଅନୁଭୂତ କରିବା ପାଇଁ ପ୍ରଫେସର ନନ୍ଦ ଆହ୍ୱାନ ଦେଇଥିଲେ।

ଏହି ଅବସରରେ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଛାତ୍ରଛାତ୍ରୀ ମାନେ ଶିକ୍ଷା ଗ୍ରହଣକୁ ଗୁରୁତ୍ୱ ଦେଇ ନିଜର ଭବିଷ୍ୟତ ଗଢ଼ିବା ଦରକାର ବୋଲି କହିଥିଲେ।
ଏହି ଅବସରରେ ଆଇଭିଏସ୍‌ଏଏଚ୍‌ର ଡିନ୍ ପ୍ରଫେସର ବ୍ରହ୍ମଦେବ ପଟ୍ଟନୟକ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ପ୍ରାଣୀମାନଙ୍କର ସ୍ୱାସ୍ଥ୍ୟ ସହ ବିଶ୍ୱର ଖାଦ୍ୟ ସୁରକ୍ଷା ଓ ସ୍ୱାସ୍ଥ୍ୟର ସୁରକ୍ଷା ମଧ୍ୟ ନିର୍ଭର କରେ ବୋଲି କହିଥିଲେ। ମଣିଷର ୭୦ ପ୍ରତିଶତ ଶାରୀରିକ ବ୍ୟାଧି
ପ୍ରାଣୀଙ୍କ ଠାରୁ ହିଁ ଆସିଥାଏ। ସେହିପରି ମଣିଷର ଅଧିକାଂଶ ଖାଦ୍ୟ ପ୍ରାଣୀଙ୍କ ଠାରୁ ମିଳିଥାଏ। ତେଣୁ ପ୍ରାଣୀମାନଙ୍କୁ ସୁରକ୍ଷା ଦେବା ନିହାତି ଆବଶ୍ୟକ ବୋଲି ସେ କହିଥିଲେ।

ଏହି ଅବସରରେ ଅନୁଷ୍ଠାନର ଆସୋସିଏଟ୍ ଡିନ୍ ପ୍ରଫେସର ସୁଶାନ୍ତ କୁମାର ଦାସ ବାର୍ଷିକ ରିପୋର୍ଟ ପ୍ରଦାନ କରିବା ସହ ଶିକ୍ଷା ଗ୍ରହଣ ନିମନ୍ତେ ନିଆ ଯାଉଥିବା ପଦକ୍ଷେପ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ।

ଏହି ଅବସରରେ କୃତି ଛାତ୍ରଛାତ୍ରୀମାନଙ୍କୁ ସୋଆ ଉପସଭାପତି, କୁଳପତି ଓ ଅନ୍ୟାନ୍ୟ ଅତିଥିମାନେ ପୁରସ୍କୃତ କରିଥିଲେ।

ଛାତ୍ରଛାତ୍ରୀଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା। ଆସିଷ୍ଟାଂଟ ପ୍ରଫେସର ପ୍ରୀତିଶା ଶ୍ରୀବାସ୍ତବ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଡାକ୍ତରଖାନା ନର୍ସମାନଙ୍କ ବିନା ଅଧୁରା: ସୋଆ ଉପସଭାପତି

ଭୁବନେଶ୍ୱର: ନର୍ସମାନଙ୍କର ସେବା ଯତ୍ନ ଦ୍ୱାରା ହିଁ ରୋଗୀମାନେ ସୁସ୍ଥ ହୋଇଥାନ୍ତି। ନର୍ସମାନଙ୍କୁ ମା’ମାନଙ୍କ ସହିତ ମଧ୍ୟ ତୁଳନା କରାଯାଏ। ତେଣୁ ଡାକ୍ତରଖାନା ନର୍ସମାନଙ୍କ ବିନା ଅଧୁରା ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶାଶ୍ୱତୀ ଦାସ।

ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ ପକ୍ଷରୁ ମେ ୧୨ରେ ଆନ୍ତର୍ଜାତିକ ସେବିକା ଦିବସ ଅବ୍ୟବହିତ ପୂର୍ବରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତି ଦାସ କହିଛନ୍ତି ଯେ ବିଗତ କିଛି ବର୍ଷରେ ମହାମାରୀ କୋଭିଡ ପ୍ରଳୟରୁ ସମାଜକୁ ବଂଚାଇବାରେ ନର୍ସମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ନର୍ସମାନଙ୍କର ତ୍ୟାଗ ଓ ନିଷ୍ଠାପର ସେବା ଦ୍ୱାରା ସୋଆ ଅନେକ ସୁନାମ ଅର୍ଜନ କରିଛି। ତେଣୁ ସେ ସେମାନଙ୍କୁ ନିଜର ହୃଦୟର କୃତଜ୍ଞତା ଜ୍ଞାପନ କରୁଛନ୍ତି ବୋଲି ଶ୍ରୀମତି ଦାସ କହିଛନ୍ତି।

ସ୍ୱାସ୍ଥ୍ୟ ସେବାର ପ୍ରତ୍ୟେକ ସୋପାନରେ ନର୍ସମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭବିଷ୍ୟତରେ କୌଣସି ପ୍ରକାରର ବିପଦ ଆସିଲେ ନର୍ସମାନେ ଦୃଢ଼ଭାବେ ଏହାକୁ ପ୍ରତିହିତ କରିପାରିବେ ବୋଲି ତାଙ୍କର ଆଶା ଓ ବିଶ୍ୱାସ ରହିଛି ଶ୍ରୀମତି ଦାସ କହିଛନ୍ତି। ଆନ୍ତର୍ଜାତିକ ନର୍ସେସ ଦିବସ ଅବସରରେ ସେ ହସ୍ପିଟାଲ୍‌ର ସମସ୍ତ ନର୍ସମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ।

ଏହି ଅବସରରେ ବ୍ରହ୍ମପୁର ସ୍ଥିତ କଲେଜ ଅଫ୍ ନର୍ସିଂର ଅଧ୍ୟକ୍ଷା ପ୍ରଫେସର (ଡାକ୍ତର) ରାଜଲକ୍ଷ୍ମୀ ମିଶ୍ର ମୁଖ୍ୟ ବକ୍ତାଭାବେ ଯୋଗ ଦେଇ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନର୍ସମାନଙ୍କର କାର୍ଯ୍ୟଧାରାକୁ ଅଧିକ ସଫଳ କରିବା ନିମନ୍ତେ କ୍ଲିନିକାଲ ଗବେଷଣା କ୍ଷେତ୍ରରେ ସେମାନଙ୍କୁ ଅଧିକ ପ୍ରଶିକ୍ଷଣ ଦେବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେହିପରି ପ୍ରସୂତିମାନଙ୍କର ଚିକିତ୍ସା କରୁଥିବା ନର୍ସମାନେ ଅଧିକ ପ୍ରଶିକ୍ଷିତ ହେବାର ଆବଶ୍ୟକତା ଥିବା ସେ କହିଥିଲେ।

କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର ଯୋଗ ଦେଇ ନର୍ସମାନଙ୍କୁ ହସ୍ପିଟାଲ୍‌ର ମେରୁଦଣ୍ଡ ବୋଲି ସମ୍ବର୍ଦ୍ଧନ କରି ରାଜ୍ୟ ସରକାରଙ୍କ ଦ୍ୱାରା ସମ୍ ହସ୍ପିଟାଲ୍ ବିଏସ୍‌କେୱାଇ ଯୋଜନାକୁ ପରିଚାଳନାରେ ଏବଂ ସୋଆ ପରିଚାଳିତ କୋଭିଡ ହସ୍ପିଟାଲଗୁଡ଼ିକର ଉତମ ସ୍ୱାସ୍ଥ୍ୟସେବାକୁ ନେଇ ଶ୍ରେଷ୍ଠ ହସ୍ପିଟାଲ୍ ଭାବେ ସମ୍ବର୍ଦ୍ଧିତ କରିବାରେ ନର୍ସମାନଙ୍କ ଭୂମିକା ସବୁଠାରୁ ଅଧିକ ବୋଲି କହିଥିଲେ।

ହସ୍ପିଟାଲ୍‌ର ନର୍ସିଂ ସୁପରିଟେଣ୍ଡେଂଟ ମିନତୀ ମିଶ୍ର ସ୍ୱାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆଧୁନିକ ନର୍ସିଂର ପଥଦର୍ଶକ ଫ୍ଲୋରେନ୍ସ ନାଇଟିଙ୍ଗଲ୍‌ଙ୍କର ୨୦୪ ତମ ଜନ୍ମ ଦିବସ ଚଳିତ ବର୍ଷ ପାଳନ କରାଯାଉଥିବା ବେଳେ ଏଥରର ପ୍ରସଙ୍ଗ “ଆୱାର ନର୍ସେସ୍‌, ଆୱାର ଫ୍ୟୁଚର୍‌, ଦ ଇକୋନୋମିକ ପାୱାର ଅଫ୍ କେୟାର” ରହିଥିବା ଶ୍ରୀମତି ମିଶ୍ର କହିଥିଲେ।

ଏହି ଅବସରରେ ସମ୍ ହସ୍ପିଟାଲ୍ ଫୁଲନଖରା କ୍ୟାମ୍ପସ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ ଲେଙ୍କା, ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଭୁବନେଶ୍ୱରର ମେଡିକାଲ୍ ସୁପରିଟେଣ୍ଡେଂଟ ଇନ୍‌ଚାର୍ଜ ପ୍ରଫେସର (ଡାକ୍ତର) ରଚିତା ଷଢ଼ଙ୍ଗୀ ଓ ଆଡିସ୍‌ନାଲ୍ ନର୍ସିଂ ସୁପରିଟେଣ୍ଡେଂଟ ଶୋଭାମଞ୍ଜରୀ ସାମଲ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ଶ୍ରୀମତି ସାମଲ ନର୍ସମାନଙ୍କୁ ଫ୍ଲୋରେନ୍ସ ନାଇଟିଙ୍ଗଲ୍ ଶପଥପାଠ କରାଇଥିଲେ। ସେହିପରି ଅତିଥିମାନଙ୍କ ଦ୍ୱାରା ଏକ ସ୍ମରଣିକା ଉନ୍ମୋଚନ କରାଯାଇଥିବା ବେଳେ କେକ୍ କଟାଯାଇ ଏହି ସ୍ୱତନ୍ତ୍ର ଦିବସ ପାଳନ କରାଯାଇଥିଲା।

ନର୍ସିଂ ସପ୍ତାହ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ସୋଆ ଉପସଭାପତି ଓ ଅନ୍ୟ ଅତିଥିମାନେ ପୁରସ୍କୃତ କରିଥିଲେ। ସମ୍ ହସ୍ପିଟାଲ୍‌ର ସିନିୟର ନର୍ସିଂ ଏଜୁକେଟର ତଥା ସମ୍ ନର୍ସିଂ କଲେଜର ଆସିଷ୍ଟାଂଟ ପ୍ରଫେସର ନିବେଦିତା ରାଉତ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଡେପୁଟି ନର୍ସିଂ ସୁପରିଟେଣ୍ଡେଂଟ କାବେରୀ ରାଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।