Categories
ଆଜିର ଖବର ଜାତୀୟ ଖବର ସଂସ୍କୃତି

ମହାକୁମ୍ଭ ୨୦୨୫: ଭାରତର ଶାଶ୍ୱତ ଆଧ୍ୟାତ୍ମିକ ସମାରୋହ

ନୂଆଦିଲ୍ଲୀ: ପ୍ରତି ୧୨ ବର୍ଷରେ ଥରେ କୋଟି କୋଟି ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବା ମହାକୁମ୍ଭ ମେଳା କେବଳ ଶ୍ରଦ୍ଧାଳୁଙ୍କ ଏକ ପବିତ୍ର ସମାଗମ ନୁହେଁ, ହିନ୍ଦୁ ପୌରାଣିକ ଆଖ୍ୟାନ ଅନୁସାରେ ଏହା ହେଉଛି ଏକ ମହାନ ଆଧ୍ୟାତ୍ମିକ ଯାତ୍ରା। ବିଶ୍ୱର ସବୁଠୁ ବଡ଼ ଆଧ୍ୟାତ୍ମିକ ସମ୍ମେଳନର ଏହି ପବିତ୍ର ପର୍ବ ହେଉଛି ଆସ୍ଥା, ଆତ୍ମଚିନ୍ତନ, ଶୁଦ୍ଧିକରଣ ଓ ଜ୍ଞାନାଲୋକ ପ୍ରାପ୍ତିର ଚିରନ୍ତନ ଅନ୍ୱେଷଣ। ଏହି ମହାକୁମ୍ଭ ମେଳାରେ ବିଭିନ୍ନ ଅଞ୍ଚଳର ଲକ୍ଷ ଲକ୍ଷ ବୈରାଗୀ, ସାଧୁ, ସନ୍ୟାସୀ ଓ ତୀର୍ଥଯାତ୍ରୀ ମନରେ ଅସୀମ ଭକ୍ତିଭାବ ନେଇ ଏକାଠି ସମାଗମ ହୋଇଥାନ୍ତି, ଯାହାକି ମାନବ ଆଧ୍ୟାତ୍ମିକତାର ଅନ୍ତର୍ନିହିତ ବୈଶିଷ୍ଟ୍ୟକୁ ବାସ୍ତବ ରୂପ ଦେଇଥାଏ।

ପ୍ରତି ୧୨ ବର୍ଷରେ ୪ ଥର ଅର୍ଥାତ ପ୍ରତି ୩ ବର୍ଷରେ ଥରେ କୁମ୍ଭ ମେଳା ହୋଇଥାଏ। ଗୋଟିଏ ପରେ ଗୋଟିଏ ଏମିତି ଭାରତର ୪ଟି ପବିତ୍ର ତୀର୍ଥସ୍ଥଳରେ ହୋଇଥାଏ ଏହି କୁମ୍ଭ ମେଳା। ସେହି ୪ଟି ଯାକ ତୀର୍ଥସ୍ଥଳୀ ହେଲା ହରିଦ୍ୱାରର ଗଙ୍ଗା ନଦୀ କୂଳ, ଉଜ୍ଜୟିନୀର ସିପ୍ରା ନଦୀ କୂଳ, ନାସିକର ଗୋଦାବରୀ କୂଳ ଓ ପ୍ରୟାଗରାଜରେ ଗଙ୍ଗା, ଯମୁନା, ସରସ୍ୱତୀ ନଦୀର ତ୍ରିବେଣୀ ସଂଗମ। ହିନ୍ଦୁ ଧର୍ମର ପବିତ୍ର ତିଥି ଅନୁସାରେ ସୂର୍ଯ୍ୟ, ଚନ୍ଦ୍ର ଓ ବୃହସ୍ପତିଙ୍କ ନିର୍ଦ୍ଦିଷ୍ଟ ଅବସ୍ଥିତି ଅନୁସାରେ ନିର୍ଦ୍ଧାରିତ ହୋଇଥାଏ କେଉଁଠି ଓ କେବେ କୁମ୍ଭ ମେଳା ହେବ। ଜ୍ୟୋତିଷଶାସ୍ତ୍ର, ଆଧ୍ୟାତ୍ମିକ, ରୀତିନୀତି ଓ ସାଂସ୍କୃତିକ ପରମ୍ପରା ସହିତ ଆସ୍ଥା ଓ ଜ୍ଞାନର ଅପୂର୍ବ ସମାରୋହର ଏକ ଚିରନ୍ତନ ସାକ୍ଷୀ ହେଉଛି ମହାକୁମ୍ଭ ମେଳା।