Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ବାଇକ୍ ସହ ସ୍କୁଟିର ମୁହାଁମୁହିଁ ଧକ୍କା, ଶିକ୍ଷକଙ୍କ ପ୍ରାଣହାନୀ, ଜଣେ ଗୁରୁତର

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ବାଇକ୍ ସହ ସ୍କୁଟିର ମୁହାଁମୁହିଁ ଧକ୍କା ହେବାରୁ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି। ଏହାସହ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ବଡପାରି ଛକ ନିକଟରେ ଏହି ଦୁର୍ଘଟଣା ଘଟିଯାଇଛି।

ସୂଚନା ଅନୁଯାୟୀ, ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ ବୃନ୍ଦାବନ ବିହାରୀ ପୁର ଗ୍ରାମର ସନ୍ତୋଷ କୁମାର ରାଉତରାୟ (୩୮) ରଣପୁର ବ୍ଲକ ଚଂପାପେଡି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟ କରିଆସୁଥିଲେ। ସେ ନିଜ ସ୍କୁଟିରେ ଟାଙ୍ଗୀରୁ ଭୋଜି ଖାଇ ନିଜ ଗାଁକୁ ଫେରୁଥିବା ବେଳେ ଏକ ଦ୍ରୁତ ଗାମୀ ବାଇକ୍ ତାଙ୍କ ଗାଡିକୁ ଧକ୍କା ଦେଇଥିଲା। ଫଳରେ ସ୍କୁଟି ଆରୋହୀ ସହ ବାଇକ୍ ଆରୋହୀ ଉଭୟ ଗୁରୁତର ଭାବେ ଆହତ ହୋଇଥିଲେ। ଉଭୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ।

ତେବେ ମେଡିକାଲରେ ଶିକ୍ଷକ ସନ୍ତୋଷ କୁମାର ରାଉତରାୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏବଂ ବାଇକ ଆରୋହୀଜଣଙ୍କ ଗୁରୁତର ଥିବାରୁ ତାଙ୍କୁ ଭୁବନଶ୍ୱର ସ୍ଥାନାନ୍ତର କରାଯାଇଥିଲା। ଗୁରୁତର ଯୁବକଜଣଙ୍କ ଟାଙ୍ଗୀ ମାନପୁର ପାଟଣାର ରାଜ କୁମାର ବେହରା ବୋଲି ଜଣା ପଡିଛି। ଏହି ଘଟଣାରେ କେସ ନମ୍ବର ୪୮୦/୨୧ ରେ ଏକ ମାମଲା ରୁଜୁ କରାଯାଇ ଟାଙ୍ଗୀ ପୋଲିସ୍ ତଦନ୍ତ ଆରମ୍ଭ କରିଛି।