Categories
ଆଜିର ଖବର ରାଜ୍ୟ ଖବର

ଶିକ୍ଷକ ପଦବୀ ପୁରଣ ଦାବୀ: ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଅଭିଭାବକ, ଛାତ୍ରଛାତ୍ରୀ

କନ୍ଦର୍ପ ବେହେରା
ରେଢ଼ାଖୋଲ: ସରକାର ଶିକ୍ଷାକୁ ଅଧିକ ଗୁରୁତ୍ବ ଦେଉଥିବା ବେଳେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବିଦ୍ୟାଳୟ ମାନଙ୍କରେ ଶିକ୍ଷକ ଅଭାବ ଦେଖାଦେଉଛି। ସେମିତି ଏକ ବିଦ୍ୟାଳୟ ରହିଛି ରେଢ଼ାଖୋଲ ବ୍ଲକ୍ ରେ ଯେଉଁଠି କି ଶିକ୍ଷକ ଅଭାବକୁ ନେଇ ଗ୍ରାମବାସୀ ତାଲା ମାରି ଧାରଣାରେ ବସିଛନ୍ତି।

ରେଢାଖୋଲ ବ୍ଲକ, କଦଳୀଗଡ ପଞ୍ଚାୟତ, ଆମ୍ବଝରୀ ଗାଁ ର ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨୦୧୯ ମସିହାରୁ ଜଣେ ଶିକ୍ଷକଙ୍କୁ ଡେପୁଟେସନରେ ଅନ୍ୟ ସ୍କୁଲକୁ ବଦଳୀ କରାଯାଇଛି। ବର୍ତ୍ତମାନ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଥିବା ଏହି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ୪ଜଣ ଶିକ୍ଷକ ପାଠ ପଢାଉଛନ୍ତି। ଶିକ୍ଷକ ସମସ୍ୟା ନେଇ ବିଇଓ ଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ପର୍ଯ୍ୟନ୍ତ ସମସ୍ତଙ୍କୁ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ପୂର୍ବ ଦାବୀ ଅନୁଯାଇ ଆଜି ସକାଳୁ ଶିକ୍ଷାକମିଟୀ, ଗ୍ରାମବାସୀ ମିଶି ସ୍କୁଲ ଫାଟକରେ ତାଲା ପକାଇ, ଛାତ୍ରଛାତ୍ରୀଙ୍କ ସହ ଧାରଣାରେ ବସିଛନ୍ତି।

ଘଟଣା ସ୍ଥଳକୁ ରେଢାଖୋଲ ବିଇଓ ପହଂଚି ସମସ୍ୟାର ସମାଧାନ ପାଇଁ ବୁଝାସୁଝା କରିଥିଲେ ହେଲେ ଶିକ୍ଷକ ନଦେବା ପର୍ଯ୍ୟନ୍ତ ତାଲା ଖୋଲିବ ନାହିଁ ବୋଲି ଅଭିଭାବକ ଜିଦି ଧରିବାରୁ ବିଇଓ ଫେରି ଆସିଥିଲେ। ଧାରଣା ଜାଗାକୁ ଆଉ କେହି ବରିଷ୍ଠ ଅଧିକାରୀ ପହଂଚି ନ ଥିବା ବେଳେ ଏବେ ବି ଧାରଣା ଜାରି ରହିଥିବା ଜଣାପଡ଼ିଛି।