Categories
ଆଜିର ଖବର ରାଜ୍ୟ ଖବର

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଚାରି ହଜାରରୁ ଉର୍ଦ୍ଧ୍ଵ ମାଧ୍ୟମିକ ଶିକ୍ଷକ ଶିକ୍ଷୟିତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମହୋଦୟଙ୍କ ଐତିହାସିକ ନିଷ୍ପତ୍ତି ଅନୁଯାୟୀ ଓଡିଶା ମାଟିରୁ ଠିକା ନିଯୁକ୍ତି ଉଚ୍ଛେଦ ହେଲା ଏବଂ ୨୦୧୩ ଠିକା ନିଯୁକ୍ତି ନିୟମ ଅନୁଯାୟୀ ନିଯୁକ୍ତି ପାଇ ନିୟମିତ ହୋଇଥିବା ଠିକା କର୍ମଚାରୀଙ୍କୁ ୬ ଗୋଟି ନୋସନାଲ ଇନ୍କ୍ରିମେଣ୍ଟ (ମୂଳ ନିଯୁକ୍ତି ଠାରୁ) ଦିଆଗଲା। କିନ୍ତୁ ଅତି ଦୁଃଖ ଓ ପରିତାପର ବିଷୟ ଯେ, ଓଡିଶା ସରକାରଙ୍କ ଆର୍ଥିକ ଅନାଟନ ସମୟରେ ୨୦୦୪ ରୁ ୨୦୧୩ ମଧ୍ୟରେ ଠିକା ଭିତ୍ତିରେ ଏବଂ ମାସିକ ସ୍ୱଳ୍ପ ପାରିଶ୍ରମିକ ପାଇ ସରକାରୀ ମାଧ୍ୟମିକ ଶିକ୍ଷାର ବ୍ୟବସ୍ଥାର ମେରୁଦଣ୍ଡ ସାଜିଥିବା ଠିକା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ୬ ଗୋଟି ନୋସନାଲ ଇନ୍କ୍ରିମେଣ୍ଟ (ମୂଳ ନିଯୁକ୍ତି ଠାରୁ) ଦିଆଗଲା ନାହିଁ ଯାହାକି ଏକ ଅଗଣତାନ୍ତ୍ରିକ ଓ ପାତର ଅନ୍ତରର ବିଷୟ ଅଟେ।

୨୦୦୪ ଠାରୁ ୨୦୧୩ ମସିହା ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଧିଷ୍ଟ ନିଯୁକ୍ତି ପ୍ରକ୍ରିୟା, ଅର୍ଥ ବିଭାଗର ଅନୁମୋଦନ ଏବଂ ଓ.ଆର.ଭି ନିୟମ ପାଳନ କରି ଏହି ଠିକା ଶିକ୍ଷକ/ଶିକ୍ଷୟିତ୍ରୀ ମାନେ ନିଯୁକ୍ତି ପାଇଥିଲେ। ୬ ବର୍ଷ ନିରବିଛିନ୍ନ ଏବଂ ସନ୍ତୋଷଜନକ ଠିକା ଭିତ୍ତିରେ କାର୍ଯ୍ୟ କଲାପରେ ନିୟମିତ ହୋଇଥିଲେ। କିନ୍ତୁ ସରକାର ସେମାନଙ୍କୁ ଅତି ଚଞ୍ଚକତା କରି ୬ଟି ନୋସନାଲ ଇଂକ୍ରିମେଣ୍ଟ (ମୂଳ ନିଯୁକ୍ତି ଠାରୁ) ପ୍ରଦାନରୁ ବଞ୍ଚିତ କରିଛନ୍ତି। ଏହିଭଳି ଏକ ଅଗଣତାନ୍ତ୍ରିକ ନିୟମକୁ ବିରୋଧ କରି ଏବଂ ସେମାନଙ୍କର ନାର୍ଯ୍ୟ ଅଧିକାର ପାଇଁ ୩୦ ଜିଲ୍ଲାର ପ୍ରାୟ ଚାରି ହଜାରରୁ ଉର୍ଦ୍ଧ୍ଵ ବରିଷ୍ଠ ସରକାରୀ ମାଧ୍ୟମିକ ଶିକ୍ଷକ/ଶିକ୍ଷୟିତ୍ରୀ ମାନ୍ୟବର ଉଚ୍ଚ ନ୍ୟାୟାଳୟ (ହାଇକୋର୍ଟ)ର ଦ୍ୱାରସ୍ଥ ହୋଇ କେସ ରୁଜୁ କରିଛନ୍ତି।

ଏକ ନିର୍ଦ୍ଧିଷ୍ଟ ସୂତ୍ରରୁ ଜଣାପଡିଛି ଯେ, ଠିକା ଉଚ୍ଛେଦ ନେଇ ନିକଟରେ SOP ବାହାରିଲା ପରେ ବିଭିନ୍ନ ଜିଲ୍ଲାରୁ ଧୀରେ ଧୀରେ କେସ ସଂଖ୍ୟା ବଢିବାରେ ଲାଗିଛି। ପ୍ରାୟ ସମସ୍ତ କେସର ଶୁଣାଣି ଜୁନ ୨୨ ତାରିଖରେ ଥିଲା। କିନ୍ତୁ ସରକାର କୌଣସି କାଉଣ୍ଟର ଆଫିଡେଟିଭ ନଦେବାରୁ ଏହି ସମସ୍ତ କେସର ଶୁଣାଣି ଆସନ୍ତା ଜୁଲାଇରେ ଶୁଣାଣି ହେବ ଓ ସରକାରଙ୍କୁ କୋର୍ଟ ତାଗିତ କରିଛନ୍ତି। ସେହି ଦିନ ହିଁ କାଉଣ୍ଟର ଆଫିଡେଟିଭ ଦାଖଲ କରାଯିବ, ନଚେତ ସେହିଦିନ କିଛି ଫଇସଲା ହେବ।

୨୦୦୪ ମସିହା ଠାରୁ ୨୦୧୩ ମସିହା ମଧ୍ୟରେ ନିଯୁକ୍ତି ପାଇଥିବା ସମସ୍ତ ଠିକା କର୍ମଚାରୀଙ୍କୁ ୬ଟି ନୋସନାଲ ଇଂକ୍ରିମେଣ୍ଟ (ମୂଳ ନିଯୁକ୍ତି ଠାରୁ) ପ୍ରଦାନ କରିବା, ବର୍ତ୍ତମାନ ସ୍ଥିତିରେ ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳ ଓଡିଶା ସରକାରଙ୍କ ପାଇଁ ଅତି ନଗଣ୍ୟ ଅଟେ। ତେଣୁ ମୁଖ୍ୟମନ୍ତ୍ରୀ ଏବଂ ୫ଟି ସଚିବ ମହୋଦୟଙ୍କୁ ଅନୁରୋଧ, ଯଥାଶୀଘ୍ର ୨୦୧୩ ପୂର୍ବରୁ ନିଯୁକ୍ତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ମୂଳ ନିଯୁକ୍ତ ଠାରୁ ୬ଗୋଟି ନୋସନାଲ ଇଂକ୍ରିମେଣ୍ଟ ପ୍ରଦାନ କରନ୍ତୁ। ନଚେତ ଆଗାମୀ ଦିନରେ ପ୍ରାୟ ୧୪୦୦୦ ରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟିତ୍ରୀ ଅଦାଲତର ଆଶ୍ରୟ ନେବେ ଏବଂ ଓଡିଶା ସରକାର ପୁନଶ୍ଚ ଏପରି ଆଇନ ଜାଲରେ ଛନ୍ଦି ହୋଇଯିବେ ଯେ ଶିକ୍ଷା ବିଭାଗ ଚାଲିବା କଷ୍ଟକର ହୋଇଯିବ ବୋଲି ନୂତନ ପେନସନ ଯୋଜନା ଭୁକ୍ତ ମାଧ୍ୟମିକ ଶିକ୍ଷକ ସଙ୍ଘର ସଭାପତି ପ୍ରଦୀପ୍ତ କୁମାର ପ୍ରଧାନ, ସମ୍ପାଦକ ଅମରେନ୍ଦ୍ର ସ୍ୱାଇଁ, ମହାସଚିବ ବିଶ୍ବଜିତ ବିଶ୍ୱାଳ, ମିଡ଼ିଆ ସମ୍ପାଦକ ଚନ୍ଦ୍ରକାନ୍ତ ପଣ୍ଡା, କୋଷାଧକ୍ଷ ପଞ୍ଚାନନ ଜେନା ଏବଂ ଆବାହକ ନିରୋଦ ରଥ ଏକ ପ୍ରେସ ବିବୃତିରେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀ ନିୟମିତ ନହଲେ, ଆନ୍ଦୋଳନକୁ ଓହ୍ଲାଇବ ସଂଘ: ରାଜ୍ୟ ସଭାପତି ପଞ୍ଚାନନ

ଭୁବନେଶ୍ବର: ଓଡିଶା ସରକାରଙ୍କର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପ୍ରାୟ ୪୦୦୦ ହଜାର ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ୨୦୧୫ ମସିହା ଜୁନ୍ ମାସରେ ନିଯୁକ୍ତି ଦିଆଯାଇଥିଲା। ୬ ମାସ କାର୍ଯ୍ୟ କରିବାପରେ ଆକସ୍ମିକ ଭାବରେ ତାଙ୍କୁ ପୁଣି ବିନା ଦୋଷରେ ଛଟେଇ କରିଦିଆଗଲା। କୌଣସି ଦୋଷ ନଥାଇ ସରକାର ତାଙ୍କୁ ନିଜ ଦୋଷ ଲୁଚାଇବାକୁ ଯାଇ ଛଟେଇ କଲେ। ଛଟେଇ ହେବା ପରେ ଶିକ୍ଷକ/ଶିକ୍ଷୟତ୍ରୀ ମାନେ ରାଜରାସ୍ତାକୁ ଆସି ସରକାରଙ୍କୁ ନିଜର ହକ୍ ମାଗିଥିଲେ।

ପୁନଃ ନିଯୁକ୍ତି ନିମନ୍ତେ ରାଜ ରାସ୍ତାରେ ଦିର୍ଘ ଦିନ ଧରି ବସିବା ପରେ ସରକାର ପୁନଃଶ୍ଚ ୨୦୧୬ ଏପ୍ରେଲ୍ ମାସରେ ନିଯୁକ୍ତି ଦେଲେ। ସେହି ସମୟ ମଧ୍ୟରେ ଶିକ୍ଷକମାନେ ନାନାଦି ଦୁଶ୍ଚିନ୍ତା ମଧ୍ୟରେ ନିଜର ଦିନ କାଟିଥିଲେ। ଯେତେବେଳେ ନିଯୁକ୍ତି ପୁନଃ ପାଇଲେ ଭାବିଥିଲେ ଏବେ ଦୁଃଖ ଗଲା।

କିନ୍ତୁ ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କର ଦୁଃଖ କେବେ କମିବା ବଦଳରେ ବଢି ବଢି ଚାଲିଛି। ସରକାରଙ୍କର ନିୟମ ଅନୁସାରେ ଯେଉଁ ଶିକ୍ଷକ/ଶିକ୍ଷୟିତ୍ରୀ ମାନେ ସନ୍ତୋଷଜନକ ଭାବେ କାର୍ଯ୍ୟ କରି ୬ ବର୍ଷ ଚାକିରି ସମୟ ପୂରଣ କରିବେ ତାଙ୍କୁ ୬ ବର୍ଷ ପୂରଣ ଦିନଠାରୁ ହିଁ ନିୟମିତ କରାଯିବ ଏବଂ ସମସ୍ତ ସୁବିଧା ସୁଯୋଗ ନିୟମିତ ସରକାରୀ କର୍ମଚାରୀ ଭାବରେ ସେ ପାଇପାରିବେ। କିନ୍ତୁ ବାସ୍ତବ କ୍ଷେତ୍ରରେ ଏହି ସରକାରୀ ନିୟମକୁ ସରକାର ନିଜେ ହିଁ ଭାଙ୍ଗୁଛନ୍ତି।

୨୦୧୬ ରେ ଛଟେଇ ପରେ ପୁନଃ ନିଯୁକ୍ତି ପାଇଥିବା ପ୍ରାୟ ୪୦୦୦ ଶିକ୍ଷକ/ଶିକ୍ଷୟତ୍ରୀ ମାନେ ୨୦୨୨ ଅପ୍ରେଲ ମାସରେ ୬ ବର୍ଷ ଚାକିରି ସମୟ ପୂରଣ କରିଥିଲେ ମଧ୍ୟ ସରକାର ସେମାନଙ୍କୁ ନିୟମିତ କରିବାପାଇଁ କୌଣସି କାର୍ଯ୍ୟପନ୍ଥା ଗ୍ରହଣ କରିନାହାନ୍ତି। ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କ ଠାରୁ ଆରମ୍ଭ କରି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ କାର୍ଯ୍ୟଳୟରୁ ମଧ୍ୟ ଏଥିନିମନ୍ତେ କୌଣସି କାର୍ଯ୍ୟପନ୍ଥା ଗ୍ରହଣ ନକରିବା ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ ବ୍ୟଥିତ କରିଛି।

ନିୟମିତ ସମୟ ପୂରଣ ହୋଇଥିଲେ ମଧ୍ୟ ସେମାନେ ନିୟମିତ କର୍ମଚାରୀ ଭାବରେ କୌଣସି ସୁବିଧା ସୁଯୋଗ ପାଇପାରୁନାହାନ୍ତି। ଏଥି ନିମନ୍ତେ ରାଜ୍ୟ ସଂଘ ତରଫରୁ ବହୁ ବାର ବିଭାଗୀୟ ମନ୍ତ୍ରୀ ଏବଂ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଅବଗତ କରିଥିଲେ ମଧ୍ୟ ସୁଫଳ ମିଳିପାରିନାହିଁ ବୋଲି ରାଜ୍ୟ ସଂଘର ମହା ସଚିବ ବିଶ୍ୱଜିତ୍ ବିଶ୍ଵାଳ କହିଛନ୍ତି।

ସରକାର ୭ ଦିନ ଭିତରେ ଏହି ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ ନିୟମିତ କରିବା ପାଇଁ କୌଣସି ନିଷ୍ପତି/କାର୍ଯ୍ୟପନ୍ଥା ଗ୍ରହଣ ନକଲେ ରାଜ୍ୟ ସଂଘ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଳାଇବ ବୋଲି ରାଜ୍ୟ ସଂଘର ସଭାପତି ପଞ୍ଚାନନ ଜେନା ସରକାରଙ୍କୁ କଡା ଚେତାବନୀ ଦେଇଛନ୍ତି।

ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ ସରକାର ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରୁଛନ୍ତି କିନ୍ତୁ ସେମାନଙ୍କୁ ତାଙ୍କର ମୌଳିକ ଅଧିକାର ଦେବାରେ ସରକାର ଅବହେଳା କାହିଁକି କରୁଛନ୍ତି ବୋଲି ରାଜ୍ୟ ସଂଘର ସଂପାଦକ ଅର୍ନ୍ତଯ୍ୟାମୀ ବେହେରା, ଅକ୍ଷୟ ସତନାମି, ଦାମୋଦର ମହାନନ୍ଦ, ବିନୋଦ ମିଶ୍ର, ମନୋହର ଦାସ, ପ୍ରତାପ ସାମଲ, ବସନ୍ତ କୌଶଲ୍ୟ, ମାନସ ମିଶ୍ର, ପ୍ରମୁଖ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।