Categories
ବିଶେଷ ଖବର ରାଜ୍ୟ ଖବର

ଶିକ୍ଷା ଅଧିକାରୀଙ୍କ ତାଲିମ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଲେ ସିଧାକଥା

ଭୁବନେଶ୍ୱର: ରାଜ୍ୟର ସରକାରୀ ବିଦ୍ୟାଳୟରେ ପଢୁଥିବା ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷାଦାନ ଲାଗି ରାଜ୍ୟ ସରକାର ଏକାଧିକ ପଦକ୍ଷେପ ଗ୍ରହଣ କରୁଛନ୍ତିି। ସ୍କୁଲ ଶିକ୍ଷାକ୍ଷେତ୍ରରେ ଉତ୍କର୍ଷ ଆଣିବା ଲକ୍ଷ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସରକାରୀ ସ୍କୁଲର ଭିତ୍ତିଭୂମି ବିକାଶ ସହ ରେକର୍ଡ ସଂଖ୍ୟକ ଶିକ୍ଷକ ନିଯୁକ୍ତି ଦିଆଯାଇଛି ।

ଏବେ ସରକାରୀ ବିଦ୍ୟାଳୟ ପ୍ରତି ଥିବା ଲୋକଙ୍କର ନକରାତ୍ମକ ଚିନ୍ତାଧାରାକୁ ବଦଳାଇବାର ସମୟ ଆସିଛି। କେବଳ ଶିକ୍ଷକ, ଶିକ୍ଷୟିତ୍ରୀ ନୁହଁନ୍ତି, ବ୍ଲକ୍‌ ଏବଂ ଜିଲ୍ଲା ଶିକ୍ଷାଧିକାରୀମାନେ ଏ ଦିଗରେ ସଚେତନ ହେବା ଜରୁରୀ ହୋଇପଡ଼ିଛି। ପିଲାମାନଙ୍କ ଭବିଷ୍ୟତ ଗଠନରେ କୌଣସି ପ୍ରକାର ଅବହେଳା କଲେ ତାହାକୁ ବରଦାସ୍ତ କରାଯିବ ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

ଆଜି କୃଷି ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ ପାଇଁ ଆୟୋଜିତ ଦୁଇଦିନିଆ ରାଜ୍ୟସ୍ତରୀୟ ତାଲିମ କାର୍ଯ୍ୟକ୍ରମରେ ଅଭିଭାଷଣ ଦେଇ ମନ୍ତ୍ରୀ ଶ୍ରୀ ଦାଶ କହିଥିଲେ, ଓଡ଼ିଶାର ସରକାରୀ ବିଦ୍ୟାଳୟମାନଙ୍କରେ ଗୁଣାତ୍ମକ ଶିକ୍ଷାର ପ୍ରଚଳନ ପାଇଁ ସବୁପ୍ରକାର ପଦକ୍ଷେପ ହାତକୁ ନିଆଯିବ। ତୃଣମୂଳସ୍ତରରୁ ଆରମ୍ଭ କରି ଉଚ୍ଚ ପଦାଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏଦିଗରେ ମିଳିତ ଭାବରେ କାର୍ଯ୍ୟ କରିବେ।

ପ୍ରଧାନଶିକ୍ଷକ, ଶିକ୍ଷକ, ସିଆରସିସି, ବିଇଓ ଏବଂ ଡିଇଓମାନଙ୍କ ମିଳିତ ପ୍ରଚେଷ୍ଟା ଛାତ୍ରଛାତ୍ରୀମାନଙ୍କ ବୋର୍ଡ ପରୀକ୍ଷାରେ ପ୍ରତିଫଳିତ ହେବା ନେଇ ଶ୍ରୀ ଦାଶ ଆଶା ପ୍ରକାଶ କରିଥିଲେ । ସେହିଭଳି ଅବସରପ୍ରାପ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ବିଭାଗୀୟ କର୍ମଚାରୀଙ୍କୁ ଉଚିତ୍‌ ସମୟରେ ପେନ୍‌ସନ୍‌ ପ୍ରଦାନ ସହ ଛାତ୍ରଛାତ୍ରୀମାନଙ୍କୁ ନିର୍ଦ୍ଧାରିତ ସମୟରେ ମେଧାବୃତ୍ତି ବାବଦ ଆର୍ଥିକ ସହାୟତା ପ୍ରଦାନ ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।

ଏଫ୍‌ଏଲ୍‌ଏନ୍‌ (ଫାଉଣ୍ଡେସନାଲ ଲିଟେରାସି ଆଣ୍ଡ ନିଉମେରସି) ଏବଂ ଏଲ୍‌ଆର୍‌ପି(ଲର୍ଣ୍ଣିଙ୍ଗ ରିକଭରି ପ୍ରୋଗ୍ରାମ) କାର୍ଯ୍ୟକାରୀ କରିବାରେ ରାଜ୍ୟ ସରକାରଙ୍କ ଭୂମିକା ଓ ପରବର୍ତ୍ତୀ ଫଳାଫଳର ଆଭିମୁଖ୍ୟ କାର୍ଯ୍ୟକ୍ରମର ମୁଖ୍ୟ ପ୍ରସଙ୍ଗ ରହିଥିଲା। ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହ ଶିକ୍ଷା ବିଭାଗର ସମସ୍ତ ଅଧିକାରୀଙ୍କୁ ଆଚରଣରେ ପରିବର୍ତ୍ତନ ଆଣିବା ଏବଂ ଓଡ଼ିଶାର ଭବିଷ୍ୟତ ଗଠନ ପାଇଁ ସମସ୍ତେ ମିଳିତ ଭାବରେ କାର୍ଯ୍ୟ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଶ୍ରାମତୀ ଆଶ୍ୱଥୀ ଏସ୍‌. କହିଥିଲେ।

ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ, ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଏମ୍‌ଡିଏମ୍‌(ମଧ୍ୟାହ୍ନ ଭୋଜନ) ଏବଂ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ବିଭିନ୍ନ ନୀତି ଓ କାର୍ଯ୍ୟକ୍ରମ ଉପରେ ସବିଶେଷ ଆଲୋଚନା ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଡିଭିଜନ୍‌ର ୧୦୩ ଜଣ ବ୍ଲକ୍‌ ଶିକ୍ଷା ଅଧିକାରୀ ଏବଂ ୧୦ ଜଣ ଜିଲ୍ଲା ଶିକ୍ଷା ଅଧିକାରୀ ଯୋଗଦାନ କରିଥିଲେ । ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ୱାଗତ ଅଭିଭାଷଣ ଦେବା ସହ ପ୍ରାଥମିକ ବିଦ୍ୟାଳୟ ଭିତ୍ତିଭୂମିର ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱ ଦେଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଲାଞ୍ଚ ନେବା ବେଳେ ଧରାପଡିଲେ ଆଉ ଜଣେ ଶିକ୍ଷା ଅଧିକାରୀ

ପାରଳାଖେମୁଣ୍ଡି: ଆଜି ଆଉ ଜଣେ ଶିକ୍ଷା ଅଧିକାରୀ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଲାଞ୍ଚ ନେବା ବେଳେ ନୂଆଗଡ ବ୍ଲକ ଶିକ୍ଷା ଅଧିକାରୀ ବ୍ରଜ କୁମାର ନାୟକଙ୍କୁ ଭିଜିଲାନ୍ସ ଧରିଛି। ଜଣେ ଶିକ୍ଷକଙ୍କ ଏରିଅର ବିଲ କରେଇଦେବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଶ୍ରୀ ନାୟକ ଧରାପଡିଛନ୍ତି। ବର୍ତ୍ତମାନ ଏହି ଶିକ୍ଷା ଅଧିକାରୀଙ୍କ ଘରେ ଏବଂ ଅଫିସରେ ଭିଜିଲାନ୍ସ ଚଢାଉ ଜାରି ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ସ୍କୁଲରେ କୋଭିଡ କଟକଣା ପାଳନ କରିବାକୁ ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ: ଉଲ୍ଲଂଘନ କଲେ ହେବେ ଦଣ୍ଡିତ

ଭୁବନେଶ୍ବର: କରୋନା ପୁଣିଥରେ ନୂଆ ରୂପରେ ଆସିଛି। ଦେଶରେ ଅନେକ ରାଜ୍ୟରେ ଏହାର ସଂକ୍ରମଣ ବାଢୁଥିବାର ଦେଖିବାକୁ ମିଳୁଛି। ଏଥିପାଇଁ ରାଜ୍ୟ ସରକାର ଏନେଇ କଟକଣାକୁ କଡାକଡି କରୁଛି। ବିଦ୍ୟାଳୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜି ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ସମସ୍ତ ଡିଇଓଙ୍କୁ ଚିଠି ଲେଖିଛନ୍ତି।

ସ୍କୁଲ ଚାଲିଥିବା ସମୟରେ କୋଭିଡ କଟକଣା ପାଳନ କରିବାକୁ ଶିକ୍ଷା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ ଏବଂ ହାଣ୍ଡ ସାନିଟାଇଜ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିଭଳି ସ୍କୁଲ ପରିସରକୁ ସାନିଟାଇଜ କରିବାକୁ ଚିଠିରେ କୁହାଯାଇଛି। ଏହାଛଡା ସ୍କୁଲ ପରିସରରେ ପାଠପଢା ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି। ଯଦି କେହି ଏହାର ଉଲ୍ଲଂଘନ କରନ୍ତି ତେବେ କୋଭିଡ-୧୯ ଗାଇଡଲାଇନ ଅନୁଯାୟୀ ଦଣ୍ଡିତ କରାଯିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।