Categories
ଆଜିର ଖବର ଜାତୀୟ ଖବର

ଅଗ୍ନିବୀରଙ୍କ ନିମନ୍ତେ ଶିକ୍ଷା ଓ ତାଲିମକୁ ସ୍ୱୀକୃତି: ସ୍ନାତକ ଡିଗ୍ରୀ ପାଇଁ ବିଚାରକୁ ନେବ ଶିକ୍ଷା ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ଜୁନ ୧୪, ୨୦୨୨ ଦିନ ଭାରତୀୟ ଯୁବକ ଯୁବତୀମାନଙ୍କ ନିମନ୍ତେ ଏକ ଆକର୍ଷଣୀୟ ନିଯୁକ୍ତି ଯୋଜନାକୁ ଅନୁମୋଦନ କରିଛି। ଏହାଫଳରେ ଭାରତୀୟ ଯୁବକ ଯୁବତୀମାନେ ସଶକ୍ତ ସେନା ଅଗ୍ନିପଥରେ ଯୋଗଦେବେ ଓ ଏଥିରେ ବଛା ଯାଉଥିବା ପ୍ରାର୍ଥୀମାନେ ଅଗ୍ନିବୀର ଭାବେ ବିବେଚିତ ହେବେ। ଅଗ୍ନିପଥ ଉତ୍ସାହୀ ଓ ଦେଶପ୍ରେମୀ ଯୁବକ ଯୁବତୀଙ୍କୁ ସଶକ୍ତ ସେନାରେ କାର୍ଯ୍ୟ କରିବାକୁ ଚାରିବର୍ଷ ନିମନ୍ତେ ଅନୁମତି ଦେବ। ଅଗ୍ନିପଥ ଯୋଜନା ସଶକ୍ତ ସେନାରେ ଏକ ଯୁବ ସୁଲଭ ଦୃଶ୍ୟପଟ ସୃଷ୍ଟି ପାଇଁ କରାଯାଇଛି।

ଭବିଷ୍ୟତରେ ବୃତ୍ତିଗତ ଅଭିଳାଷ ରଖିଥିବା ଆମର ଅଗ୍ନିବୀରମାନଙ୍କୁ ବିଭିନ୍ନ ବେସାମରିକ କାର୍ଯ୍ୟରେ ନିୟୋଜିତ କରିବାକୁ ଦୃଷ୍ଟିରେ ରଖି ଶିକ୍ଷା ମନ୍ତ୍ରାଳୟ ଏକ ସ୍ୱତନ୍ତ୍ର ଯୋଜନା ଆରମ୍ଭ କରିଛି। ଏହି ତିନିବର୍ଷିଆ କୌଶଳ ବିକାଶ ଭିତ୍ତିକ ସ୍ନାତକ ଉପାଧି କାର୍ଯ୍ୟକ୍ରମରେ ସେମାନଙ୍କ ସେନାରେ ନେଇଥିବା କୌଶଳଗତ ତାଲିମକୁ ବେସାମରିକ କ୍ଷେତ୍ରରେ ନିଯୁକ୍ତି କାଳରେ ବିଚାରକୁ ନିଆଯିବ।

ଇଗନୋ ପକ୍ଷରୁ ପ୍ରସ୍ତୁତ ଏହି କାର୍ଯ୍ୟକ୍ରମକୁ ଇଗନୋ ହିଁ କାର୍ଯ୍ୟକାରୀ କରୁଥିବା ବେଳେ ସ୍ନାତ୍ତକ ଉପାଧି ନିମନ୍ତେ ଆବଶ୍ୟକ ଶତକଡ଼ା ୫୦ ଭାଗ ଗୁରୁତ୍ୱ ଅଗ୍ନିବୀରମାନେ ଚାକିରି କ୍ଷେତ୍ରରେ ହାସଲ କରିଥିବା ତାଲିମରୁ ହିଁ ଦିଆଯିବ। ଅଗ୍ନିବୀର ପାଇଥିବା ବୈଷୟିକ ବା ଅଣ ବୈଷୟିକ ତାଲିମରୁ ଶତକଡ଼ା ୫୦ ଭାଗ ବିଚାରକୁ ନିଆଯାଉଥିବା ବେଳେ ଅବଶିଷ୍ଟ ୫୦ ଭାଗ ସେମାନେ ପଢୁଥିବା ବିଭିନ୍ନ ପାଠ୍ୟକ୍ରମ ଉପରେ ନିର୍ଭର କରିବ। ଏ ବିଷୟଗୁଡ଼ିକ ହେଲା ଭାଷାତତ୍ତ୍ୱ, ଅର୍ଥନୀତି, ଇତିହାସ, ରାଜନୀତି ବିଜ୍ଞାନ, ସାଧାରଣ ପ୍ରଶାସନ, ସମାଜତତ୍ତ୍ୱ, ଗଣିତ, ଶିକ୍ଷା, ବାଣିଜ୍ୟ, ପର୍ଯ୍ୟଟନ, ବୃତ୍ତିଗତ ଶିକ୍ଷା, କୃଷି ଓ ଜ୍ୟୋତି ଓ ପରିବେଶ ଶିକ୍ଷା ଓ ଇଂରାଜୀରେ ଯୋଗାଯୋଗ କୌଶଳ ଭଳି ଦକ୍ଷତା ବୃଦ୍ଧି ପାଠ୍ୟକ୍ରମ ମାନ ଅନ୍ତର୍ଭୁକ୍ତ। ଏହି କାର୍ଯ୍ୟକ୍ରମଗୁଡ଼ିକ ୟୁଜିସି ନିୟମ ଅଧିନ ଓ ଜାତୀୟ ଶିକ୍ଷାନୀତି ୨୦୨୨ର ଜାତୀୟ କ୍ରେଡିଟ ଫ୍ରେମୱାର୍କ/ ଜାତୀୟ କୌଶଳ ଯୋଗ୍ୟତା ଫ୍ରେମୱାର୍କ (ଏନଏସକିଉଏଫ) ସହ ଯୋଡ଼ା ଯାଇଛି। ଏହାର ବହୁମୁଖୀ ପ୍ରସ୍ଥାନ ଦିଗ ମଧ୍ୟ ରହିଛି। ପ୍ରଥମ ବର୍ଷ ପାଠ୍ୟକ୍ରମ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ ନିମ୍ନ ସ୍ନାତ୍ତକ ପ୍ରମାଣପତ୍ର, ପ୍ରଥମ ଓ ଦ୍ୱିତୀୟ ବର୍ଷ ନିମ୍ନ ସ୍ନାତ୍ତକ ଡିପ୍ଲୋମାର ସଫଳତାର ସହ ଉତ୍ତୀର୍ଣ୍ଣ ଓ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ତିନି ବର୍ଷର ସମ୍ପୂର୍ଣ୍ଣ ପାଠ୍ୟକ୍ରମ ସମାପନ।

ଏହି କାର୍ଯ୍ୟକ୍ରମର ଢାଞ୍ଚାକୁ ବିଭିନ୍ନ ନିୟାମକ ସଂସ୍ଥା ସ୍ୱୀକୃତି ପ୍ରଦାନ କରିଛନ୍ତି- ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ଓ ଜାତୀୟ ବୃତ୍ତିଗତ ଶିକ୍ଷା ଓ ତାଲିମ ପରିଷଦ (ଏନସିଭିଇଟି) ଏବଂ ୟୁଜିସି। ୟୁଜିସିର ବିଭିନ୍ନ ନାମ ପଦ୍ଧତି ଅନୁସାରେ ସ୍ନାତ୍ତକ ଉପାଧି ପ୍ରଦାନ ଇଗନୋ ଦ୍ୱାରା କରାଯିବ (ବିଏ, ବି କମ, ବିଏ(ବୃତ୍ତିଗତ) ବିଏ (ପର୍ଯ୍ୟଟନ ପରିଚାଳନା) ଓ ଏହି ଉପାଧି ଓ ଭାରତ ବାହାରେ ଶିକ୍ଷା ଓ କର୍ମ ସଂସ୍ଥାନ ପାଇଁ ଅଧିସ୍ୱୀକୃତି ହେବ।

ଯୋଜନାକୁ ତ୍ୱରାନ୍ୱିତ କରିବା ପାଇଁ ସ୍ଥଳ ସେନା, ନୌସେନା ଓ ବାୟୁସେନା ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗନୁ) ସହ ବୁଝାମଣାପତ୍ର ସ୍ୱାକ୍ଷର କରିବେ।

Categories
ଆଜିର ଖବର ରାଜ୍ୟ ଖବର

ସୁନ୍ଦରଗଡ଼: ଖଣି ପ୍ରଭାବିତ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ମାଗଣାରେ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷା ଓ ତାଲିମ

ସୁନ୍ଦରଗଡ଼: ଆଜିର ଦିନରେ ନିଯୁକ୍ତି କ୍ଷେତ୍ରରେ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷା ଓ ତାଲିମ ଯୁବପିଢ଼ି ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିଛି। ତେଣୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାର ଖଣି ପ୍ରଭାବିତ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଶାସନ ପକ୍ଷରୁ ମାଗଣାରେ ଏହି ତାଲିମ ବ୍ୟବସ୍ଥା କରାଯାଉଛି। ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତାକ୍ରମେ ଗତ ଦୁଇ ବର୍ଷ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାର ୫୦ ଜଣ ପ୍ରାର୍ଥୀ ଏହି ସୁଯୋଗ ପାଇଛନ୍ତି।

ରାଜ୍ୟ ସରକାରଙ୍କ ଅଧୀନରେ ପରିଚାଳିତ ବଲାଙ୍ଗୀରସ୍ଥିତ ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ ଦେଶର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଚିତ। ସୁନ୍ଦରଗଡ଼ ଜିଲ୍ଲାର ୬ଟି ଖଣି ପ୍ରଭାବିତ ବ୍ଲକର ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କ ସହିତ ସମସ୍ତ ୧୭ଟି ବ୍ଲକର ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ପ୍ରାର୍ଥୀମାନଙ୍କୁ ସେଠାରେ ପଢ଼ିବାର ସୁଯୋଗ ଦିଆଯାଉଛି। ପ୍ରଶାସନର ଏହି ବିଶେଷ ପ୍ରୋତ୍ସାହନ ଫଳରେ ଆଗ୍ରହୀ ଛାତ୍ରଛାତ୍ରୀମାନେ ହୋଟେଲ ମ୍ୟାନେଜମେଣ୍ଟ ବିଷୟରେ ଡିଗ୍ରୀ, ଡିପ୍ଲୋମା ଏବଂ ସାର୍ଟିଫିକେଟ୍ ପାଠ୍ୟକ୍ରମରେ ମାଗଣାରେ ନାମ ଲେଖାଇପାରୁଛନ୍ତି।

୨୦୨୨-୨୩ ଶିକ୍ଷାବର୍ଷ ଲାଗି ବଲାଙ୍ଗୀରସ୍ଥିତ ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ତେଣୁ ସୁନ୍ଦରଗଡ଼ ଜିଲ୍ଲାର ୬ଟି ଖଣି ପ୍ରଭାବିତ ବ୍ଲକର ଛାତ୍ରଛାତ୍ରୀଙ୍କ ସହିତ ସମସ୍ତ ୧୭ଟି ବ୍ଲକର ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ପ୍ରାର୍ଥୀମାନେ ଏଠାରେ ମାଗଣାରେ ନାମ ଲେଖାଇ ପାରିବେ ବୋଲି ଏହାର ଅଧ୍ୟକ୍ଷ ସୁରେଶ କୁମାର ଏକନାଥ କହିଛନ୍ତି। ଆଗ୍ରହୀ ଛାତ୍ରଛାତ୍ରୀମାନେ ନିଜର ଶିକ୍ଷାଗତ ପ୍ରମାଣପତ୍ର ସହିତ ବାସସ୍ଥାନ ପ୍ରମାଣପତ୍ର ସାଙ୍ଗରେ ନେଇ ସିଧାସଳଖ ବଲାଙ୍ଗୀରସ୍ଥିତ ଏହି ଶିକ୍ଷାନୁଷ୍ଠାନରେ ପହଞ୍ଚି ନାମ ଲେଖାଇ ପାରିବେ। ନାମ ଲେଖାଇବାର ଶେଷ ତାରିଖ ଜୁଲାଇ ୩୧ ରହିଛି ବୋଲି ଶ୍ରୀ ଏକନାଥ ସୂଚନା ଦେଇଛନ୍ତି।

ଏହି ତାଲିମ ପାଠ୍ୟକ୍ରମର ସମ୍ପୂର୍ଣ୍ଣ ଅବଧି ଲାଗି ସଂପୃକ୍ତ ଛାତ୍ରଛାତ୍ରୀଙ୍କୁ କୋର୍ସ ଫି, ହଷ୍ଟେଲ ଏବଂ ଖାଇବା ପିଇବା ବାବଦ ସମସ୍ତ ଖର୍ଚ୍ଚ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ବହନ କରାଯାଉଛି। ଏହା ଫଳରେ ସୁନ୍ଦରଗଡ଼ ଜିଲ୍ଲାର ଖଣି ପ୍ରଭାବିତ ଅଞ୍ଚଳର ଗରିବ, ସାଧାରଣ ଏବଂ ଅଦିବାସୀ ଓ ଏସସି, ଏସଟି ବର୍ଗର ଛାତ୍ରଛାତ୍ରୀମାନେ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷା ନେଇ ନିଜର ଭବିଷ୍ୟତର ସ୍ୱପ୍ନ ପୂରଣ କରିବା ଦିଗରେ ଏକ ନୂଆ ରାସ୍ତା ଖୋଲିପାରିଛି। ତେଣୁ ଜିଲ୍ଲାର ଆଗ୍ରହୀ ଛାତ୍ରଛାତ୍ରୀମାନେ ଏହାର ସୁଯୋଗ ନେବାକୁ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଅନୁରୋଧ କରିଛନ୍ତି।

ଏହି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଲାଗି ସଂପୃକ୍ତ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନ ସହ ଜିଲ୍ଲା ପ୍ରଶାସନ ଏକ ଏମଓୟୁ ସ୍ୱାକ୍ଷର କରିଛି। ୨୦୨୦-୨୧ ଶିକ୍ଷା ବର୍ଷରେ ଜିଲ୍ଲାର ୧୦ ଜଣ ପ୍ରାର୍ଥୀ ଏହି କାର୍ଯ୍ୟକ୍ରମ ଅଧୀନରେ ମାଗଣାରେ ନାମ ଲେଖାଇଥିବା ବେଳେ ୨୦୨୧-୨୨ରେ ୪୦ ଜଣ ପ୍ରାର୍ଥୀ ନାମ ଲେଖାଇବାର ସୁଯୋଗ ପାଇଛନ୍ତି।

ଏହି କାର୍ଯ୍ୟକ୍ରମ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାର ୬ଟି ଖଣି ପ୍ରଭାବିତ ବ୍ଲକ୍ – କୋଇଡ଼ା, ଲହୁଣୀପଡ଼ା, ହେମଗିର, କୁତ୍ରା, କୁଆରମୁଣ୍ଡା ଏବଂ ରାଜଗାଙ୍ଗପୁର ବ୍ଲକର ପ୍ରାର୍ଥୀମାନଙ୍କୁ ଅଗ୍ରାଧିକାର ଦିଆଯାଉଛି। ତା\’ଛଡ଼ା ଜିଲ୍ଲାର ସମସ୍ତ ୧୭ଟି ବ୍ଲକର ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଏଥିପାଇଁ ପ୍ରାଧାନ୍ୟ ଦିଆଯାଉଛି। ତେଣୁ ଦଶମ ଓ +୨ ପାସ୍ କରିଥିବା ପ୍ରାର୍ଥୀମାନେ ଯୋଗ୍ୟତା ଭିତ୍ତିରେ ଏହି ଅଗ୍ରଣୀ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନରେ ଡିଗ୍ରି, ଡିପ୍ଲୋମା ଏବଂ ବିଭିନ୍ନ ସାର୍ଟିଫିକେଟ୍ କୋର୍ସ ଲାଗି ଆବେଦନ କରିପାରିବେ।

ଏହି ସରକାରୀ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନରେ ହସ୍ପିଟାଲିଟି ଆଣ୍ଡ ହୋଟେଲ ଆଡମିନିଷ୍ଟ୍ରେସନ ବିଷୟରେ ତିନି ବର୍ଷିଆ ଡିଗ୍ରୀ, ଫୁଡ୍ ପ୍ରଡକ୍ସନ, ଫୁଡ୍ ଆଣ୍ଡ ବେଭେରେଜ ସର୍ଭିସ, ହାଉସ୍ କିପିଂ, ଫ୍ରଣ୍ଟ ଅଫିସ ଅପରେସନ, ବେକେରି ଏବଂ କନଫେକ୍ସନେରିରେ ଦେଢ଼ ବର୍ଷିଆ ଡିପ୍ଲୋମା ପାଠ୍ୟକ୍ରମ ରହିଛି। ସେହିପରି ଫୁଡ୍ ପ୍ରଡକ୍ସନ ଓ ପାଟିସେରି, ଫୁଡ୍ ଆଣ୍ଡ ବେଭେରେଜ ସର୍ଭିସରେ ୬ ମାସିଆ ସାର୍ଟିଫିକେଟ କୋର୍ସ ଦିଆଯାଉଛି।

ଏହି ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନଙ୍କୁ ଅଧିକ ପ୍ରାକ୍ଟିକାଲ ତାଲିମ ଉପରେ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ଆବଶ୍ୟକ ବିଭିନ୍ନ ଅତ୍ୟାଧୁନିକ ଉପକରଣ ରହିଛି। ସେହିପରି ପ୍ରାର୍ଥୀମାନଙ୍କୁ କମ୍ପ୍ୟୁଟର ଶିକ୍ଷା ଦିଆଯାଉଛି।