Categories
ଆଜିର ଖବର ଜାତୀୟ ଖବର

ପୁନେରେ ‘ଚତୁର୍ଥ ଶିକ୍ଷା ଓ୍ୱାର୍କିଂ ଗ୍ରୁପ ଏବଂ ମନ୍ତ୍ରୀସ୍ତରୀୟ ବୈଠକ’ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ପୁନେ: ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ନିବେଶ କଲେ ମାନବ ଜାତିର ପ୍ରଗତିରେ ହିଁ ନିବେଶ ହୋଇଥାଏ। ଜି-୨୦ର ରାଷ୍ଟ୍ର ସମୂହ ଓ ସଦସ୍ୟମାନେ ଜ୍ଞାନ, କୌଶଳ, ସାମାଜିକ ଆର୍ଥିକ ଦୂରତାକୁ ହ୍ରାସ କରିବା ସହ ଜୀବନବ୍ୟାପୀ ଶିକ୍ଷା ଗ୍ରହଣର ସୁଯୋଗ ମାଧ୍ୟମରେ ନାଗରିକଙ୍କୁ ସଶକ୍ତ କରିବା ସହ ଏକ ସମୃଦ୍ଧ ବିଶ୍ୱ ଗଢିବା ପାଇଁ ଆଗେଇ ଆସିବା ଖୁସିର ବିଷୟ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପୁନେରେ ଅନୁଷ୍ଠିତ ‘ଚତୁର୍ଥ ଶିକ୍ଷା ଓ୍ୱାର୍କିଂ ଗ୍ରୁପ ଏବଂ ମନ୍ତ୍ରୀସ୍ତରୀୟ ବୈଠକ’ରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀର ଶିକ୍ଷା ଓ୍ୱାର୍କିଂ ଗ୍ରୁପ ବୈଠକ ଶିକ୍ଷାକୁ ସର୍ବବ୍ୟାପୀ, ସର୍ବସ୍ପର୍ଶୀ ଏବଂ ଫଳାଫଳର ପ୍ରତିବଦ୍ଧତାକୁ ଦୋହରାଇଛି। ସବୁ ଦେଶ ନାଗରିକଙ୍କୁ ଶିକ୍ଷା ଏବଂ ଦକ୍ଷତା ଉପରେ ଅଧିକ ପ୍ରଧାନ୍ୟ ଦେବା ସହ ନାଗରିକଙ୍କ ଶିକ୍ଷା ଆହରଣକୁ ଜୀବନବ୍ୟାପୀ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ରହିବାକୁ ହେବ।

ଜି-୨୦ ବୈଠକରେ ଉଦଘାଟନୀ ସମାରୋହରେ ବିଭିନ୍ନ ଦେଶର ମନ୍ତ୍ରୀ, ପ୍ରତିନିଧି ମଣ୍ଡଳି ଓ ୟୁନିସ୍କୋ, ୟୁନିସେଫ ଓ ଓଇସିଡି ସହ ଆଲୋଚନା କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଜି -୨୦ ବୈଠକ ମନ୍ତ୍ରୀସ୍ତରୀୟ ଆଲୋଚନାରୁ ଉର୍ଦ୍ଧ୍ୱକୁ ଯାଇ ସ୍କୁଲ ଶିକ୍ଷା, ଉଚ୍ଚ ଶିକ୍ଷା ଏବଂ ଦକ୍ଷତା ପରିସଂସ୍ଥାନର ୫.୨ କୋଟିରୁ ଉର୍ଦ୍ଧ୍ୱ ଷ୍ଟେକହୋଲଡର ଯୋଡି ହେବା ଖୁସିର ବିଷୟ। ଏହା ହିଁ ବାସ୍ତବରେ ବସୁଧୈବ କୁଟୁମ୍ବକମ କଥାବସ୍ତୁ ତଥା ଗୋଟିଏ ପୃଥିବୀ, ଗୋଟିଏ ପରିବାର ଏବଂ ଗୋଟିଏ ଭବିଷ୍ୟତର ଆତ୍ମାକୁ ପ୍ରତିଫଳିତ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଚାରରେ ମାନବ ଜାତିର କଲ୍ୟାଣ ଏବଂ ଗୁଣାତ୍ମକ ଶିକ୍ଷା ସହ ସୁଶାସନ ହେଉଛି ଭାରତର ଉଦ୍ଦେଶ୍ୟ। ଆମକୁ ସୁନିଶ୍ଚିତ କରିବାକୁ ପଡିବ ଯେ ସମଗ୍ର ବିଶ୍ୱର ଶିଶୁ ଓ ଯୁବପିଢି ସାମଗ୍ରିକ ଶିକ୍ଷାରୁ କିପରି ଲାଭ ପାଇବେ ଏବଂ ଏକବିଂଶ ଶତାବ୍ଦୀର କୌଶଳରେ ସଶକ୍ତ ହେବେ। ବ୍ରାଜିଲର ଅଧ୍ୟକ୍ଷତାରେ ଆଗାମୀ ଦିନରେ ହେବାକୁ ଥିବା ଜି-୨୦ ବୈଠକକୁ ଭାରତ ସମର୍ଥନ କରୁଛି। ଶିକ୍ଷା କ୍ଷେତ୍ରରେ ଥିବା ଆହ୍ୱାନକୁ ଚିହ୍ନଟ କରିବାରେ ଭାରତ ବ୍ରାଜିଲ ସହ କାର୍ଯ୍ୟ କରିବ ତଥା ଜି-୨୦ ଶିକ୍ଷା ଓ୍ୱାର୍କିଂ ଗ୍ରୁପକୁ ସକରାତ୍ମକ ପରିବର୍ତ୍ତନର ପ୍ରେରକ ଭାବେ ଉପସ୍ଥାପନା କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଏହି ଅବସରରେ ଶ୍ରୀ ପ୍ରଧାନ ସାଉଦି ଆରବର ଶିକ୍ଷା ମନ୍ତ୍ରୀ ୟୋସେଫ୍ ଅଲ୍ ବେନୟାନଙ୍କ ସହ ଉଚ୍ଚ ଶିକ୍ଷାରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ବୃତ୍ତି ତଥା ବିଶେଷ ଭାବରେ ଉର୍ଜା ଓ ପେଟ୍ରୋକେମିକାଲ କ୍ଷେତ୍ରରେ ସୁଯୋଗ ପ୍ରଦାନ କରିବା ଦିଗରେ ଆଲୋଚନା କରିଥିଲେ। ଅନୁରୂପ ଭାବେ ଜାପାନର ଶିକ୍ଷା ମନ୍ତ୍ରୀ ନାଗୋକା କେକୋଙ୍କ ସହ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ଅଧିକ ସହଭାଗିତା ନେଇ ସମ୍ପର୍କକୁ ମଜଭୂତ କରିବା ନେଇ ଚର୍ଚ୍ଚା ହୋଇଥିଲା। ଭାରତର ପ୍ରତିଭାଶାଳୀ ମାନବ ସମ୍ବଳ ଓ ଜାପାନର କ୍ଷମତା ଉଭୟ ଦେଶ ପାଇଁ ଅନେକ ସମ୍ଭାବନା ରଖିଛି। ଭାରତ ଏବଂ ଜାପାନ ଏକବିଂଶ ଶତାବ୍ଦୀର ଆବଶ୍ୟକତା ଅନୁସାରେ କୌଶଳ, ପାଠ୍ୟକ୍ରମର ବିକାଶ ଏବଂ ପ୍ରଯୁକ୍ତିବିଦ୍ୟା ଗବେଷଣା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ କାର୍ଯ୍ୟ କରିପାରିବେ।

ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନ କଲେଜ୍ ଅଫ୍ ଇଞ୍ଜିନିୟରିଂ ପୁନେ ଟେକ୍ନୋଲୋଜି ୟୁନିଭର୍ସିଟିରେ ଇନୋଭେସନ, ଡିଜାଇନ ଓ ଏଣ୍ଟରପ୍ରିନେୟରସିପ ବୁଟ୍ କ୍ୟାମ୍ପର ଉଦଘାଟନ କରିଥିଲେ। ଏହି ବୁଟ୍ କ୍ୟାମ୍ପ ଦେଶର ଯୁବପିଢିଙ୍କୁ ବଡ଼ ଭାବିବା ଓ ବଡ଼ ସ୍ୱପ୍ନ ଦେଖିବା ପାଇଁ ଅନୁପ୍ରାଣିତ କରିବ ଏବଂ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର ଭାବରେ ପରିଣତ କରିବାରେ ସହାୟକ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ନବରଙ୍ଗପୁର କଲେଜର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ କେନ୍ଦ୍ରମନ୍ତ୍ରୀ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ପ୍ରଗତି ପାଇଁ ଶିକ୍ଷା ଓ ଦକ୍ଷତା ବିକାଶ ହିଁ ଅନ୍ୟ ଏକ ବିକଳ୍ପ ବୋଲି ରବିବାର ଏହି ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ନବରଙ୍ଗପୁର ଜିଲ୍ଲାର କୃଷି ଉତ୍ପାଦିତ ସାମଗ୍ରୀକୁ ବାହାର ବଜାରରେ ପହଞ୍ଚାଇବା ପାଇଁ ପଡିବ। ଆମ ସମସ୍ତଙ୍କର ଦାୟିତ୍ୱ ଏ ଜିଲ୍ଲାକୁ ଆଗକୁ ନେବା ପାଇଁ ପଡିବ। ଏକବିଂଶ ଶତାବ୍ଦୀରେ ଭାରତ ବିଶ୍ୱର କେନ୍ଦ୍ରବିନ୍ଦୁ ହେଲାଣି। ସେହି ସମୟରେ ଓଡ଼ିଶାର ପ୍ରଗତି ସେବେ ସମ୍ଭବ ହେବ ଯେବେ ନବରଙ୍ଗପୁର ପରି ଆକାଂକ୍ଷୀ ଜିଲ୍ଲା ଶିକ୍ଷା ମାଧ୍ୟମରେ ସ୍ୱାବଲମ୍ବୀ ଓ ସ୍ୱାଭିମାନ ହେବ। ଜିଲ୍ଲାର ପ୍ରଗତିରେ ହିଁ ରାଜ୍ୟ ଓ ଦେଶର ପ୍ରଗତି ଲୁଚି ରହିଛି। ଜିଲ୍ଲାକୁ ଆଗକୁ ନେବାକୁ ହେଲେ ଶିକ୍ଷାର କୌଣସି ବିକଳ୍ପ ନାହିଁ। ଶିକ୍ଷା ହିଁ ମଣିଷକୁ ସ୍ୱାଭିମାନୀ ଓ ସ୍ୱାବଲମ୍ବୀ କରିବ। ଏହା ହିଁ ନୂଆ ଜାତୀୟ ଶିକ୍ଷା ନୀତିର ଉଦ୍ଦେଶ୍ୟ। ଶିକ୍ଷା ନୀତି ଚାକିରି ଅନ୍ୱେଷଣ ନୁହେଁ ଚାକିରିଦାତା ହେବାକୁ ଗୁରୁତ୍ୱ ଦେଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପ୍ରଣିତ ନୂଆ ଜାତୀୟ ଶିକ୍ଷା ନୀତିକୁ ଦେଶର ଅନ୍ୟତମ ଶ୍ରେଷ୍ଠ ବୈଜ୍ଞାନିକ ଡା.କେ.କସ୍ତୁରିରଙ୍ଗନ ପ୍ରସ୍ତୁତ କରିଛନ୍ତି। ସ୍ଥାନୀୟ ଓ ମାତୃଭାଷାରେ ପାଠ ପଢିବା ପାଇଁ ଶିକ୍ଷା ନୀତିରେ ଗୁରୁତ୍ୱ ଦିଆଯାଇଛି। ମାତୃଭାଷାରେ ପାଠ ପଢିଲେ ହିଁ ଏ ଅଞ୍ଚଳର ଜନଜାତି ଛାତ୍ରଛାତ୍ରୀଙ୍କ ସୃଜନଶୀଳତାର ପରିପ୍ରକାଶ ଘଟିବ। ମାତୃଭାଷାରେ ଶିକ୍ଷା ମଣିଷକୁ ଉଚ୍ଚତର ସୋପାନକୁ ନେଇଥାଏ।

ନବରଙ୍ଗପୁର କଲେଜରେ ସମାଜର ଅଧିକାଂଶ ବଞ୍ଚିତ ବର୍ଗର ପିଲାମାନେ ପାଠ ପଢୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ନବରଙ୍ଗପୁର କଲେଜକୁ ବିଧିବଦ୍ଧ ଭାବେ ସରକାରୀ କଲେଜ କରିବା ପାଇଁ ରାଜ୍ୟ ସରକାର ଦାୟିତ୍ୱ ନିଅନ୍ତୁ। କଲେଜକୁ ସରକାରୀ ମାନ୍ୟତା ମିଳିବା ଦ୍ୱାରା ଜନଜାତି ଛାତ୍ରଛାତ୍ରୀମାନେ ଅଧିକ ଲାଭ ପାଇପାରିବେ। ଶିକ୍ଷାନୁଷ୍ଠାନର ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ ଭାରତ ସରକାର ମଧ୍ୟ ଯଥାସମ୍ଭବ ସହଯୋଗୀ ହେବେ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, କିଛି ବର୍ଷ ପୂର୍ବେ ଏହି ଜିଲ୍ଲାର ଝରିଗାଁର ଗରିବ ପରିବାରରୁ ଆସି ସର୍ବଭାରତୀୟ ଦକ୍ଷତା ପ୍ରତିଯୋଗିତାରେ ଟପ୍ପର ହୋଇଥିବା ଶ୍ରୀକାନ୍ତ ସାହୁଙ୍କୁ ସେ ଭେଟିଥିଲେ। ଶ୍ରୀକାନ୍ତ ଏବେ ପ୍ରତିରକ୍ଷା ମନ୍ତ୍ରଣାଳୟର ଅଟୋ ମୋବାଇଲ ସେକ୍ସନରେ କାମ କରୁଛନ୍ତି। ଏକ ଗରିବ ପରିବାରରୁ ଆସିଥିବା କାରଣରୁ ଶ୍ରୀକାନ୍ତ ଆଇଟିଆଇ ପଢିଥିଲେ। ନବରଙ୍ଗପୁର ମାଟିରେ ସେହି ପ୍ରତିଭା ଅଛି।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଦେଶ ଯେତେବେଳେ ସ୍ୱାଧୀନତାର ୭୫ ବର୍ଷ ଯାତ୍ରା ଅବସରରେ ‘ଅମୃତ ମହୋତ୍ସବ’ ପାଳନ କରୁଛି, ସେହି ସମୟରେ ଏହି କଲେଜ ୫୦ ବର୍ଷ ପୂରଣ କରିବା ଆମ ପାଇଁ ଗୌରବର ବିଷୟ। ଇଂରେଜ ବିରୋଧୀ ପ୍ରଜା ଆନ୍ଦୋଳନରେ ଅବିଭକ୍ତ କୋରାପୁଟର ମାତୃଶକ୍ତି ମାନଙ୍କର ଅବଦାନ ଅବିସ୍ମରଣୀୟ। କୋୟା ରାଜଜେମା ବାଙ୍ଗରା ଦେବୀ, ବଣ୍ଡା ରାଣୀ ଖରା ପାର୍ବତୀ, ଲକ୍ଷ୍ମୀ ସଉରୁଣିଙ୍କ ସମେତ ଉମରକୋଟର ଅନେକ ଛୋଟ ଝିଅମାନେ ଇଂରେଜ ସାଙ୍ଗରେ ଲଢି  ନିଜର ସାହସ ଦେଖାଇଥିଲେ।

ନବରଙ୍ଗପୁର ଜିଲ୍ଲା ଆକାଂକ୍ଷୀ ଜିଲ୍ଲା। ନବରଙ୍ଗପୁର ଜିଲ୍ଲାର ଜୀବନ, ଆକାଂକ୍ଷା ଓ ସ୍ପନ୍ଦନ ଏହି କଲେଜ ସହ ଯୋଡି ହୋଇ ରହିଛି। ଅନେକ ବ୍ୟକ୍ତିବିଶେଷଙ୍କର ଆଦିଭୂମି ଏହି ଶିକ୍ଷାନୁଷ୍ଠାନ ଦୀର୍ଘ ୫୦ ବର୍ଷ ଧରି ଅନେକ ଛାତ୍ରଛାତ୍ରୀ ବିଶେଷତଃ ଜନଜାତି ବିଦ୍ୟାର୍ଥୀଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବାରେ ସଫଳ ହୋଇଛି। ଏହି ସଫଳତା ପାଇଁ ଶ୍ରୀ ପ୍ରଧାନ ନବରଙ୍ଗପୁର କଲେଜର ପୁରାତନ ଛାତ୍ର ସଂଘ ଓ କଲେଜ ସହ ଜଡିତ ସମସ୍ତଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇବା ସହ କଲେଜର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି।

ଆଜିର କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ କଲେଜର ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରୀ ମନୀଷା ପଣ୍ଡା ସୁନ୍ଦର ପାରମ୍ପରିକ ଚିତ୍ର ପ୍ରଦାନ କରିଥିଲେ। ମନୀକ୍ଷାଙ୍କ ଚିତ୍ର କରିବାର ପ୍ରତିଭା ଯୁବ ସମାଜକୁ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Categories
ବିଶେଷ ଖବର

୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ହେଲା ପୂର୍ଣ୍ଣାଙ୍ଗ ବଜେଟ୍: ଜାଣନ୍ତୁ କ’ଣ କହିଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ମୋଟ ୨ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ। ତେବେ ଏହି ବଜେଟ୍‌କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ଚଳିତ ବଜେଟ୍ ଗରିବଙ୍କ ସହାୟତା ଓ ବିକାଶମୁଖୀ। ସ୍ବାସ୍ଥ୍ୟ ସେବାର ଗୁଣାତ୍ମକ ମାନବୃଦ୍ଧି ପାଇଁ ବଜେଟରେ ପ୍ରାଥମିକତା ଦିଆଯାଇଛି।

ଗୁଣାତ୍ମକ ଶିକ୍ଷା ଭିତ୍ତିଭୂମିର ବିକାଶ ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି ବୋଲି ସେ କହିଛନ୍ତି। ୫-ଟି ଓ ମୋ’ ସରକାର କାର୍ଯ୍ୟକ୍ରମକୁ ଆଖିରେ ରଖି ବଜେଟ ପ୍ରସ୍ତୁତ କରାଯାଇଛି। ରାଜ୍ୟର ସର୍ବଙ୍ଗୀନ ବିକାଶରେ ବଜେଟ ବେଶ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ତେବେ ଚଳିତ ବଜେଟରେ କେଉଁ ବିଭାଗ ପାଇଁ କେତେ ଅଟକଳ କରାଯାଇଛି, ଆସନ୍ତୁ ଜାଣିବା…

କୃଷି- ୨୧, ୧୬୬ କୋଟି: କାଳିଆ ଯୋଜନା ପାଇଁ ୧ ହଜାର ୮ ଶହ ୭୪ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିବା ବେଳେ କୃଷି ଗବେଷଣା ଓ ଶିକ୍ଷା ପାଇଁ ୧୬୧ କୋଟି, ଉଦ୍ୟାନ କୃଷି ବିକାଶ ପାଇଁ ୩୧୨ କୋଟି, କୃଷକ ପରିବାରକୁ ଆୟ ସହାୟତା ପାଇଁ ୧୨୨ କୋଟି,  ଜଳସେଚନ ପାଇଁ କୋରାପୁଟରେ ଝଞ୍ଜାବତୀ ପ୍ରକଳ୍ପ ଯୋଜନାରେ ୪୦୦ କୋଟି ଏବଂ ଚାଷୀମାନଙ୍କୁ କୃଷି ଋଣ ସୁଧ ସହାୟତା ପାଇଁ ୮୯୩ କୋଟି ବରାଦ କରାଯାଇଛି।

ସ୍ୱାସ୍ଥ୍ୟ- ୧୨, ୬୨୪ କୋଟି: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୨ ହଜାର ୬୬୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ଅଧୀନରେ ଖର୍ଚ୍ଚ ହେବ ୨ ହଜାର ୩୨୫ କୋଟି, ପରିବାର କଲ୍ୟାଣ ଯୋଜନା ପାଇଁ ୫୧୪ କୋଟି, ସ୍ୱାସ୍ଥ୍ୟ କ୍ଷେତ୍ରରେ ଆନୁସଙ୍ଗିକ ସେବାର ସୁଦୃଢୀକରଣ ପାଇଁ ୬୫୨ କୋଟି, ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ୨ ହଜାର ୧୫୬ କୋଟି ଓ ‘ସ୍ୱାସ୍ଥ୍ୟ ଓ ଭେଷଜ ଶିକ୍ଷାରେ ମାନବ ସମ୍ବଳ’ ଯୋଜନା ଅଧୀନରେ ୩୧୨ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି।

ଶିକ୍ଷା ଓ ଦକ୍ଷତା ବିକାଶ- ୨୭, ୩୨୪ କୋଟି: ମୋ ସ୍କୁଲ ଅଭିଯାନ ଅଧିନରେ ୬୪୬ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିବା ବେଳେ ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ ପାଇଁ ୧୦୦ କୋଟି, ମୋ କଲେଜ ଅଭିଯାନ ପାଇଁ ୧୧ କୋଟି ଓ ‘ସମଗ୍ର ଶିକ୍ଷା’ ପାଇଁ ୩୫୮୧ କୋଟି ବ୍ୟୟ ବରାଦ କରାଯାଇଛି।

ସେହିଭଳି ସଡକ ଓ ଭିତ୍ତିଭୂମି ପାଇଁ ୧୪, ୪୫୪ କୋଟି ବ୍ୟୟ ବରାଦ କରାଯାଇଥିବା ବେଳେ ଶକ୍ତି ପାଇଁ ୩୪୮୨ କୋଟି, ବିପର୍ଯ୍ୟୟ ପରିଚାଳନା ପାଇଁ ୩୨୬୨ କୋଟି, ଜଙ୍ଗଲ ଓ ପରିବେଶ ପାଇଁ ୨୨୧୭ କୋଟି, ମିଶନ ଶକ୍ତି ପାଇଁ ୨୦୦୦ କୋଟି, ଏମଏସଏମଇ, ଉଦ୍ୟୋଗ ପାଇଁ ୧୨୬୯ କୋଟି, କ୍ରୀଡା ଓ ଯୁବସେବା ବିଭାଗ ପାଇଁ ୯୧୧ କୋଟି, ପର୍ଯ୍ୟଟନ ପାଇଁ ୫୯୦ କୋଟି, ଆଇଟି ଓ ଇଲେକ୍ଟ୍ରୋନିକ୍ ପାଇଁ ୩୦୨ କୋଟି, ଶିଳ୍ପ, ଇସ୍ପାତ ଓ ଖଣି ପାଇଁ ୧୮୩ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।