Categories
ଆଞ୍ଚଳିକ

ବାଣପୁରରେ ଗଡିଲା ଶିକ୍ଷା ସଚେତନତା ରଥ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଆଜି ଶିକ୍ଷା ସଚେତନତା ରଥ ଗଡିଛି। ଉକ୍ତ ରଥକୁ ବାଣପୁର ବିଡ଼ିଓ ପ୍ରଦ୍ୟୁମ୍ନ ନାୟକ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ବାଣପୁର ବିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଉକ୍ତ ରଥଟି ବାହାରି ଏନଏସି, ଭୀମପୁର ଏବଂ ପଦନପୁର ଆଦି ତିନି ଗୋଟି କ୍ଲଷ୍ଟର ଅତିକ୍ରମ କରିଛି।

ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁଣି ବିଦ୍ୟାଳୟ ମୁହାଁ କରିବା ପାଇଁ ସଚେତନତାର ବାର୍ତ୍ତା ନେଇ ଉକ୍ତ ରଥ ପରିକ୍ରମା କରୁଛି। କରୋନା ସମୟରେ ଦୀର୍ଘ ଦୁଇ ବର୍ଷ ଧରି ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ବନ୍ଦ ଥିବାରୁ ମୁଖ୍ୟତଃ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଏକରକମର ବିଦ୍ୟାଳୟରୁ ମୁହଁ ଫେରାଇଦେଇଥିବାରୁ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବ୍ଲକରେ ଏପରି ପଦକ୍ଷେପ ହାତକୁ ନିଆଯାଇଛି।

ତେବେ ଆସନ୍ତା ସାତ ଦିନ ପର୍ଯ୍ୟନ୍ତ ଏହି ରଥ ବାଣପୁର ବ୍ଲକର ସମସ୍ତ ୧୨ ଗୋଟି କ୍ଲଷ୍ଟର ପରିକ୍ରମା କରିବ ବୋଲି ବିଇଓ ସନାତନ ଜାଲି କହିଛନ୍ତି। ତତସହିତ ଉକ୍ତ ଅଭିଯାନ ଅନ୍ତର୍ଗତ ଛାତ୍ରଛାତ୍ରୀଙ୍କ ଅଭିଭାବକମାନଙ୍କୁ ନିଜ ପିଲାମାନଙ୍କୁ ପୁନଶ୍ଚ ବିଦ୍ୟାଳୟକୁ ପଠାଇବା ପାଇଁ ଅନୁରୋଧ କରାଯାଉଛି।

ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ବିଇଓ ସନାତନ ଜାଲି, ବ୍ଲକର ସମସ୍ତ ବିଆରସିସି, ସିଆରସିସି, ଏବିଇଓ, ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ଛାତ୍ରଛାତ୍ରୀ ମାନେ ସାମିଲ ଥିଲେ।