Categories
ଖେଳ ଜାତୀୟ ଖବର ବିଶେଷ ଖବର

ଭାରତ ବନାମ ଶ୍ରୀଲଙ୍କା: ଅଧିନାୟକ ଭାବେ ଦଳକୁ ବିଜୟ କରିବା ସହ ଶିଖର ଧୱନ ସୃଷ୍ଟି କଲେ ଅନେକ ରେକର୍ଡ

ନୂଆଦିଲ୍ଲୀ: ଶିଖର ଧୱନଙ୍କ ନେତୃତ୍ଵରେ ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ୭ ୱିକେଟରେ ଜିତିନେଇଛି। ଟିମ ଇଣ୍ଡିଆର ଏହି ବିଜୟରେ ଅଧିନାୟକ ଶିଖରଙ୍କ ମୁଖ୍ୟ ଭୂମିକା ଥିଲା। ସେ ଏହି ମ୍ୟାଚରେ ୮୬ ରନର ଅପରାଜିତ ପାଳି ଖେଳିଥିଲେ। ଏହି ପାଳିରେ ଧୱନ ଅନେକ ରେକର୍ଡ ତାଙ୍କ ନାମରେ ପ୍ରତିଷ୍ଠା କରିଥିଲେ।

ଦିନିକିଆ ଅନ୍ତରାଷ୍ଟ୍ରୀୟ ମ୍ୟାଚରେ ଧୱନ ଦ୍ରୁତ ୬୦୦୦ ରନ ପୂରଣ କରିବାରେ ଭାରତର ଦ୍ଵିତୀୟ ବ୍ୟାଟ୍ସମ୍ୟାନ ଭାବେ ଯୋଗ୍ୟତା ଅର୍ଜ୍ଜନ କରିଛନ୍ତି। ଏହାସହିତ ୬୦୦୦ ରନ ପୂରଣ କରିବାରେ ସେ ଦଶମ ଭାରତୀୟ ଖେଳାଳି ଭାବେ ତାଲିକାରେ ସାମିଲ ହୋଇଛନ୍ତି।

ଏହି ମ୍ୟାଚରେ ୨୩ ରନ ପୂରଣ କରିବା ପରେ ସୌରଭ ଗାଙ୍ଗୁଲିଙ୍କୁ ଧୱନ ପଛରେ ପକାଇଦେଇଛନ୍ତି। ୧୪୦ ଟି ମ୍ୟାଚରେ ଧୱନ ୬୦୦୦ ରନ ପୂରଣ କରିଥିବା ବେଳେ ଗାଙ୍ଗୁଲି ୧୪୭ ଟି ପାଳିରେ ଏହି କାରନାମା କରିଥିଲେ। ଏହି ତାଲିକାରେ ବିରାଟ କୋହିଲୀ ପ୍ରଥମ ସ୍ଥାନରେ ଅଛନ୍ତି। ବିରାଟ ମାତ୍ର ୧୩୬ ଟି ମ୍ୟାଚରେ ଏହି ଲକ୍ଷ୍ୟ ପୂରଣ କରିନେଇଥିଲେ।

ସେହିଭଳି ୧୬୨ ଟି ମ୍ୟାଚରେ ରୋହିତ ଶର୍ମା ୬୦୦୦ ରନ ପୂରଣ କରିଥିବା ବେଳେ ମହେନ୍ଦ୍ର ସିଂହ ଧୋନୀ ୧୬୬ ଟି ମ୍ୟାଚ ଏବଂ ସଚିନ ତେନ୍ଦୁଲକର ୧୭୦ ଟି ମ୍ୟାଚରେ ଏହି ଲକ୍ଷ୍ୟ ପୂରଣ କରିଥିଲେ।

ତେବେ ଦ୍ରୁତ ୬ ହଜାର ରନ ସଂଗ୍ରହ କରିବା ତାଲିକାରେ ଧୱନ ବିଶ୍ଵର ଚତୁର୍ଥ ସ୍ଥାନ ଅକ୍ତିଆର କରିଛନ୍ତି। ଦକ୍ଷିଣ ଆଫ୍ରିକାର ହାଶିମ ଆମଲା ୧୨୩ ଟି ମ୍ୟାଚରେ  ୬ ହଜାର ରନ ପୂରଣ କରି ପ୍ରଥମ ସ୍ଥାନରେ ଥିବା ବେଳେ ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହିଲୀ ୧୩୬ ଟି ମ୍ୟାଚ ଖେଳି ଦ୍ଵିତୀୟ ସ୍ଥାନ, ନ୍ୟୁଜିଲାଣ୍ଡର ଅଧିନାୟକ କେନ ୱିଲିୟମସନ ୧୩୯ ଟି ପାଳି ଖେଳି ତୃତୀୟ ସ୍ଥାନ ଏବଂ ଶିଖର ଧୱନ ୧୪୦ ଟି ପାଳିରେ ଦ୍ରୁତ ୬୦୦୦ ରନ ପୂରଣ କରି ବିଶ୍ଵ ତାଲିକାରେ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି।

ଶ୍ରୀଲଙ୍କା ବିରୋଧରେ ଶିଖର ପୂରଣ କଲେ ୧୦୦୦ ରନ:

ଶ୍ରୀଲଙ୍କା ବିରୋଧରେ ଶିଖର ଧୱନ ୧୦୦୦ ରନ ପୂରଣ କରିନେଇଛନ୍ତି। ଏହି ମ୍ୟାଚରେ ବ୍ୟକ୍ତିଗତ ସ୍କୋର ୧୭ ରନ ଥିବା ବେଳେ ଧୱନ ଏହି ମାଇଲଖୁଣ୍ଟ ପାର କରିଛନ୍ତି। ଶ୍ରୀଲଙ୍କା ବିରୋଧରେ ମାତ୍ର ୧୭ ଟି ମ୍ୟାଚରେ ସେ ୧୦୦୦ ରନ ପୂରଣ କରିଛନ୍ତି।

ଧୱନ ଭାଙ୍ଗିଲେ ୩୭ ବର୍ଷର ପୁରୁଣା ରେକର୍ଡ:

ଶିଖର ଧୱନ ପ୍ରଥମ ଥର ପାଇଁ ଭାରତୀୟ ଦଳର ଅଧିନାୟକ ଭାର ସମ୍ଭାଳିଛନ୍ତି। ଭାରତର ସବୁଠାରୁ ବୟସ୍କ ଖେଳାଳି ଭାବେ ସେ ଅଧିନାୟକ ଭାର ସମ୍ଭାଳିଛନ୍ତି। ବର୍ତ୍ତମାନ ଧୱନଙ୍କ ବୟସ ୩୫ ବର୍ଷ ୨୨୫ ଦିନ ଅଟେ। ତେଣୁ ସେ ମହିନ୍ଦର ଅମରନାଥଙ୍କ ରେକର୍ଡକୁ ଭାଙ୍ଗିଛନ୍ତି। ମହିନ୍ଦର ଅମରନାଥ ୧୯୮୪ ମସିହାରେ ପ୍ରଥମ ଥର ପାଇଁ ଅଧିନାୟକ ଭାର ସମ୍ଭାଳିଥିଲେ, ଯେତେବେଳେ ତାଙ୍କର ବୟସ ୩୪ ବର୍ଷ ୩୭ ଦିନ ଥିଲା। ଏହିପରି ଭାବରେ ୩୭ ବର୍ଷର ପୁରୁଣା ରେକର୍ଡକୁ ଶିଖର ପଛରେ ପକାଇଦେଇଛନ୍ତି।

Categories
ଆଜିର ଖବର ଖେଳ ଜାତୀୟ ଖବର

ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଦଳ ଘୋଷିତ: ଶିଖର ଧୱନ ଅଧିନାୟକ, ଭୁବନେଶ୍ବର କୁମାର ଉପଅଧିନାୟକ

ନୂଆଦିଲ୍ଲୀ: ଆସନ୍ତା ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଶିଖର ଧୱନଙ୍କ ନେତୃତ୍ଵରେ ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷରେ ଖେଳିବ। ଦୃତ ବୋଲର ଭୁବନେଶ୍ଵର କୁମାରଙ୍କୁ ଏହି ସିରିଜ ପାଇଁ ଉପଅଧିନାୟକ ଭାବେ ମନୋନୀତ କରାଯାଇଛି। ଆସନ୍ତା ମାସ ତଥା ଜୁଲାଇ ମାସରୁ ଶ୍ରୀଲଙ୍କାରେ ଭାରତୀୟ ଦଳ ଦିନିକିଆ ଏବଂ ଟି-୨୦ ମ୍ୟାଚ ଖେଳିବ। ଶ୍ରୀଲଙ୍କା ବିପକ୍ଷରେ ଶିଖର ବାହିନୀ ୩ ଟି ଦିନିକିଆ ମ୍ୟାଚ ଏବଂ ୩ ଟି ଟି-୨୦ ମ୍ୟାଚ ଖେଳିବ। ତେବେ ଜୁଲାଇ ୧୩, ୧୬ ଓ ୧୮ ରେ ଦିନିକିଆ ମ୍ୟାଚ ଖେଳାଯିବାକୁ ଥିବା ବେଳେ ଜୁଲାଇ ୨୧, ୨୩ ଏବଂ ୨୫ ତାରିଖରେ ଟି-୨୦ ମ୍ୟାଚ ଖେଳାଯିବ।

ମନୋନୀତ ଭାରତୀୟ ଦଳ:

ଶିଖର ଧୱନ (ଅଧିନାୟକ), ପୃଥ୍ୱୀ ଶ, ଦେବଦତ ପାଡିକଲ, ଋତୁରାଜ ଗାଏକ୍ୱାଡ, ସୂର୍ଯ୍ୟକୁମାର ଯାଦବ, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ନୀତିଶ ରାଣା, ଈଶାନ କିଶାନ, ସଞ୍ଜୁ ସାମସନ, ୟୁଜଭେନ୍ଦ୍ର ଚହଲ, କେ ଗୋଥାମ, କୃଣାଳ ପାଣ୍ଡ୍ୟା, କୂଲଦୀପ ଯାଦବ, ଭୁବନେଶ୍ୱର କୁମାର (ଉପଅଧିନାୟକ), ଚେତନ ସାକରିଆ, ବରୁଣ ଚକ୍ରବର୍ତ୍ତୀ, ଦୀପକ ଚହର ଓ ନବଦୀପ ସାଇନି।