Categories
ଅନ୍ତରାଷ୍ଟ୍ରୀୟ ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜାପାନ ଗସ୍ତ, ଓଡିଶା ପାଇଁ ଏକ ଐତିହାସିକ ପଦକ୍ଷେପ

ଭୁବନେଶ୍ୱର: ଓଡିଶାର ପୁଞ୍ଜିନିବେଶ ସୁଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧୀ ଦଳ ଜାପାନରେ ପହଞ୍ଚିଛନ୍ତି। ଏହି ପ୍ରତିନିଧି ଦଳରେ ଶିଳ୍ପ, ଏମ୍ଏସ୍ଏମ୍ଇ ଏବଂ ଶକ୍ତି ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଶିଳ୍ପ ବିଭାଗର ପ୍ରମୁଖ ସଚିବ, ଇ ଆଣ୍ଡ ଆଇଟି ବିଭାଗର ପ୍ରମୁଖ ସଚିବ, ସିଏମ୍ ସଚିବ ୫ଟି, କ୍ରୀଡ଼ା ଏବଂ ଯୁବ ସେବା ସଚିବ ଏବଂ ଇପିକୋଲର ପରିଚାଳନା ନିର୍ଦ୍ଦେଶକ ଅଛନ୍ତି।

ଜାପାନରେ ଇସ୍ପାତ, ଆଲୁମିନିୟମ୍, ଟେକ୍ସଟାଇଲ୍, ଖାଦ୍ୟ ଏବଂ ସାମୁଦ୍ରିକ-ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଗ୍ରୀନ୍ ହାଇଡ୍ରୋଜେନ୍ ଏବଂ ଗ୍ରୀନ୍ ଆମୋନିୟା କ୍ଷେତ୍ରର ଅଗ୍ରଣୀ ଶିଳ୍ପପତିଙ୍କୁ ନେଇ ଏହି ପ୍ରତିନିଧି ଦଳ ଆଲୋଚନା କରିବେ।

ଆଜି ମୁଖ୍ୟମନ୍ତ୍ରୀ ନିପନ୍ ଷ୍ଟିଲ୍ କର୍ପୋରେସନର ପ୍ରତିନିଧୀ, ନିର୍ଦ୍ଦେଶକ ତଥା ସଭାପତି ଶ୍ରୀ ଇଜି ହାସିମୋଟୋଙ୍କୁ ସାକ୍ଷାତ କରିବେ। ଏଥିରେ ଓଡିଶା ସରକାରଙ୍କ ସହଯୋଗରେ କିପରି ଇସ୍ପାତ କ୍ଷେତ୍ରରେ ପୁଂଜି ନିବେଶ ହେବ ସେ ନେଇ ରୋଡମ୍ୟାପ ପ୍ରସ୍ତୁତ କରିବେ।

ଏହି ପ୍ରତିନିଧି ଦଳର ଯେଉଁ କାର୍ଯ୍ୟକ୍ରମ ରହିଛି ତାହା ହେଲା

ଏପ୍ରିଲ୍ ୦୪, ୨୦୨୩ (ମଙ୍ଗଳବାର): ନିପନ୍ ଷ୍ଟିଲ ପ୍ରତିନିଧୀ, ନିର୍ଦ୍ଦେଶକ ତଥା ସଭାପତିଙ୍କ ସହିତ ବୈଠକ ।

ଏପ୍ରିଲ୍ ୦୫, ୨୦୨୩ (ବୁଧବାର): ଜାପାନିଜ କମ୍ପାନୀଗୁଡିକ ସହିତ ୱାନ ଟୁ ୱାନ ମିଟିଂ,
ଓଡିଶା ବ୍ୟବସାୟ ମିଟ୍ ୨୦୨୩ ଏବଂ ଜାପାନରେ ଥିବା ଓଡିଆ ସମ୍ପ୍ରଦାୟ ସହିତ ସାକ୍ଷାତ ସହ ରାତ୍ରୀ ଭୋଜନ।

ଏପ୍ରିଲ୍ ୦୬, ୨୦୨୩ (ଗୁରୁବାର):  ନିପନ ଷ୍ଟିଲସର କିମିଟୁ ୱାର୍କସ କାରଖାନା ପରିଦର୍ଶନ କରିବେ।

ଆସନ୍ତାକାଲି ଟୋକିଓର ଓକୁରା ଠାରେ ଓଡିଶା ବ୍ୟବସାୟ ସମ୍ମିଳନୀ ୨୦୨୩ ଆୟୋଜନ ହେବ। ଏଥିରେ ଜାପାନ ଏବଂ ନିକଟବର୍ତ୍ତୀ ଦେଶରୁ ପ୍ରାୟ ୨୦୦ ରୁ ଅଧିକ ଶିଳ୍ପପତି, ବ୍ୟବସାୟୀ ଏବଂ ନିବେଶକ ଯୋଗ ଦେବେ ବୋଲି ଆଶା କରାଯାଉଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଶକମାନଙ୍କୁ ସିଧା ସମ୍ବୋଧିତ କରିବେ। ସେ ଓଡିଶାରେ ବର୍ତ୍ତମାନ ଉଦୀୟମାନ ବ୍ୟବସାୟ ସୁଯୋଗ ସଂପର୍କରେ ଉପସ୍ଥିତ ନିବେଶକଙ୍କୁ ଅବଗତ କରାଇବେ।

ଆଜି ଟୋକିଓରେ ପହଞ୍ଚିବା ପରେ  ମୁଖ୍ୟମନ୍ତ୍ରୀ ତାଙ୍କ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଏହି ଗସ୍ତ ଜାପାନ ଏବଂ ଓଡିଶା ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବ। ଏହି ପ୍ରତିନିଧୀ ଦଳକୁ ଜାପାନ ସରକାର ଏବଂ ସେଠାକାର ଲୋକମାନେ ଯେପରି ଆତିଥ୍ୟ ପ୍ରଦାନ କରିଛନ୍ତି ସେଥିପାଇଁ ନବୀନ କୃତଜ୍ଞତା ଜଣାଇଛନ୍ତି। ନବୀନଙ୍କ ଏହି ଜାପାନା ଯାତ୍ରା ଓଡିଶା ଶିଳ୍ପ ଜଗତରେ ଏକ ଐତିହାସିକ ପଦକ୍ଷେପ ଭାବେ ସାବ୍ୟସ୍ତ ହେବ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଆଉ କିଛି ସମୟ ପରେ ନୂଆଦିଲ୍ଲୀରେ ଆରମ୍ଭ ହେବ ‘ମେକ ଇନ ଓଡିଶା’ ର ପୂର୍ବ ପ୍ରସ୍ତୁତି ବୈଠକ

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ନୂଆଦିଲ୍ଲୀରେ ଆରମ୍ଭ ହେବ ମେକ ଇନ ଓଡିଶାର ପୂର୍ବ ପ୍ରସ୍ତୁତି ବୈଠକ। ଏହି ବୈଠକ ଦିଲ୍ଲୀର କନଟ ପ୍ଲେସରେ ଥିବା ହୋଟେଲ ଲା ମିରିଡିୟାନରେ ଆୟୋଜିତ ହୋଇଛି। ଏହି ବୈଠକରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଯାଇଛନ୍ତି।

ଏହି ବୈଠକରେ ୧୬ଟି ଦେଶର ଆମ୍ବାସଡରଙ୍କ ସହ ନବୀନ ଆଲୋଚନା କରିବେ। ସେଠାର ଥିବା ପ୍ରମୁଖ ଶିଳ୍ପପତିଙ୍କୁ ଆକୃଷ୍ଟ କରିବା ପାଇଁ ଓଡିଶା କ୍ଷେତ୍ର କିପରି ପ୍ରକୃଷ୍ଠ ତାହା ଆମ୍ବାସଡରଙ୍କୁ ଅବଗତ କରାଇବେ। ଏଥିପାଇଁ ଶିଳ୍ପ ବିଭାଗର ଏକ ଟିମ ନୂଆ ଦିଲ୍ଲୀ ଗସ୍ତ କରି ଏହାର ପ୍ରସ୍ତୁତି କରିଛନ୍ତି।

ଆସନ୍ତା ନଭେମ୍ବର 30 ରୁ ଡିସେମ୍ବ 4 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରେ ହେବ ମେକ ଇନ ଓଡିଶା କନକ୍ଲେଭ। ଏହା ପୂର୍ବରୁ ଆଉ ଦୁଇଟି କନକ୍ଲେଭ ଆୟୋଜିତ ହୋଇଯାଇଛି। ଯେଉଁଥିରେ ମୁକେଶ ଆମ୍ବାନୀ, ରୀତେଶ ଅଗ୍ରୱାଲା ପରି ଶିଳ୍ପପତିମାନେ ଯୋଗ ଦେଇ ପୁଂଜି ବିନିଯୋଗ କରିଛନ୍ତି। ଏହି କନକ୍ଲେଭରେ କିପରି ବିଦେଶୀ ଶିଳ୍ପପତି ଯୋଗ ଦେବେ ସେଥିପାଇଁ ଏହି ପ୍ରଚେଷ୍ଠା ଜାରୀ ରହିଛି।

Categories
ଆଜିର ଖବର ଜାତୀୟ ଖବର

ଆଉ ନାହାଁନ୍ତି ଶିଳ୍ପପତି ରାହୁଲ ବଜାଜ, ୮୩ ବର୍ଷ ବୟସରେ ହେଲା ପରଲୋକ

ନୂଆଦିଲ୍ଲୀ: ବଜାଜ ଗ୍ରୁପ୍‌ର ପୂର୍ବତନ ଚେୟାରମ୍ୟାନ୍ ତଥା ବଜାଜ୍ ମୋଟର୍ସର ପ୍ରତିଷ୍ଠାତା ରାହୁଲ ବଜାଜଙ୍କ ୮୩ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସେ ଦୀର୍ଘ ସମୟ ଧରି କର୍କଟ ରୋଗ ସହ ଲଢୁଥିଲେ। ରାହୁଲ ବଜାଜ ଜୁନ୍ ୧୦ ତାରିଖ ୧୯୩୮ ମସିହାରେ କୋଲକାତାରେ ଜନ୍ମଗ୍ରହଣ କରିଥିଲେ। ରାହୁଲ ବଜାଜ ମାରୱାଡି ବ୍ୟବସାୟୀ ପରିବାରର ଥିଲେ। ରାହୁଲ ବଜାଜ ଦୀର୍ଘ ସମୟ ଧରି ବଜାଜ ଗ୍ରୁପର ଦାୟିତ୍ୱ ତୁଲାଇଥିଲେ। ୧୯୬୫ ମସିହାରେ, ସେ ତାଙ୍କ ହାତକୁ ବଜାଜର ଦାୟିତ୍ଵ ନେଇଥିଲେ।

ରାହୁଲ ବଜାଜ ପ୍ରାୟ ୫୦ ବର୍ଷ ଧରି ବଜାଜ ଗ୍ରୁପର ଚେୟାରମ୍ୟାନ୍ ଥିଲେ। ୨୦୦୧ରେ ତାଙ୍କୁ ପଦ୍ମ ଭୂଷଣ ପୁରସ୍କାର ପ୍ରଦାନ କରାଯାଇଥିଲା। ରାହୁଲ ବଜାଜ ସ୍ୱାଧୀନତା ସଂଗ୍ରାମୀ ଜାମନାଲାଲ ବଜାଜଙ୍କ ନାତି ଥିଲେ। ସେ ନିଜେ ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ସ କଲେଜରୁ ଅଧ୍ୟୟନ କରିଥିଲେ, ତାପରେ ସେ ଆଇନ ଡିଗ୍ରୀ ହାସଲ କରିବାକୁ ମୁମ୍ବାଇରେ ପହଞ୍ଚିଥିଲେ। ତାଙ୍କ ନେତୃତ୍ୱରେ ବଜାଜ ଅଟୋ କାରବାର ୭.୨ କୋଟିରୁ ୧୨ ହଜାର କୋଟିରେ ପହଞ୍ଚି ଦେଶର ଅଗ୍ରଣୀ ସ୍କୁଟର ଏବଂ ଦୁଇ ଚକିଆ ବିକ୍ରେତା ହୋଇପାରିଛି।

ରାହୁଲ ବଜାଜ ତିନି ପିଢୀ ଧରି ନେହେରୁ ପରିବାର ସହିତ ଘନିଷ୍ଠ ପାରିବାରିକ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରଖିଥିଲେ। ରାହୁଲଙ୍କ ପିତା କମଲନୟନ ଏବଂ ଇନ୍ଦିରା ଗାନ୍ଧୀ କିଛି ସମୟ ପାଇଁ ଗୋଟିଏ ବିଦ୍ୟାଳୟରେ ପଢିଥିଲେ। ୨୦୦୫ ମସିହାରେ ରାହୁଲ ତାଙ୍କ ପୁଅର ହାତରେ କମ୍ପାନୀର ଦାୟିତ୍ୱ ହସ୍ତାନ୍ତର କରିଥିଲେ ଏବଂ ପୁଅକୁ କମ୍ପାନୀର ଏମଡି କରିଥିଲେ।

ପ୍ରସିଦ୍ଧ ଶିଳ୍ପପତି ରାହୁଲ ବଜାଜଙ୍କ ମୃତ୍ୟୁରେ କଂଗ୍ରେସ ନେତା ଅଭିଷେକ ସିଂଭି କହିଛନ୍ତି ଯେ, ମୁଁ ତାଙ୍କୁ ବହୁ ଦଶନ୍ଧି ଧରି ଜାଣିଥିଲି। ସେ ଆମର ପାରିବାରିକ ବନ୍ଧୁ ଥିଲେ। ଆମେ ଦୁହେଁ ରାଜ୍ୟସଭାରେ ଅନେକ ମୁହୂର୍ତ୍ତ ବିତାଇଛୁ। ଏହା ବ୍ୟତୀତ ଅଧିବେଶନ ସମୟରେ ଏବଂ ସେଣ୍ଟ୍ରାଲ ହଲରେ ମଧ୍ୟ ଆଲୋଚନା କରୁଥିଲୁ। ମୁଁ ତାଙ୍କ ସହିତ ମାତ୍ର କିଛି ମାସ ପୂର୍ବରୁ ୩୦ ମିନିଟ୍ ପର୍ଯ୍ୟନ୍ତ କଥାବାର୍ତ୍ତା କରିଥିଲି।