Categories
ଆଜିର ଖବର ଜାତୀୟ ଖବର

ଆଜି ଭୁବନେଶ୍ୱରରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ଆଞ୍ଚଳିକ ସମ୍ମିଳନୀ

ନୂଆଦିଲ୍ଲୀ: ଆଜି ଭୁବନେଶ୍ୱରରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ତରଫରୁ ପୂର୍ବାଞ୍ଚଳ ରାଜ୍ୟ ସରକାର ଏବଂ ଅଂଶୀଦାରମାନଙ୍କର ଜୋନ ସ୍ତରୀୟ ସମ୍ମିଳନୀ ଆୟୋଜିତ ହେବ। ଏହି ବୈଠକରେ ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାର ଅଂଶ ଗ୍ରହଣ କରିବେ। ଏହି ବୈଠକରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନି ଯୋଗଦେବେ।

ମିଶନ ପୋଷଣ ୨.୦, ମିଶନ ଶକ୍ତି ଏବଂ ମିଶନ ବାତ୍ସଲ୍ୟ ଯୋଜନାର ସଫଳ ରୂପାୟନ ପାଇଁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ରାଜ୍ୟ ସରକାର ଏବଂ ଅଂଶୀଦାରମାନଙ୍କ ସହ ବିଚାର ବିମର୍ଷ ପାଇଁ ଜୋନ ସ୍ତରୀୟ ସମ୍ମିଳନୀର ଆୟୋଜନ କରୁଛି।

ଭାରତର ମୋଟ୍ ଜନସଂଖ୍ୟା ମଧ୍ୟରୁ ୬୭.୭ ପ୍ରତିଶତ ମହିଳା ଓ ଶିଶୁ। ଏମାନଙ୍କର ସୁରକ୍ଷା ଏବଂ ସଶକ୍ତିକରଣ ସହିତ ସାମଗ୍ରିକ ବିକାଶ ପାଇଁ ଏକ ନିରାପଦ ଓ ସୁରକ୍ଷିତ ପରିବେଶ ଯୋଗାଇ ଦେବା ମାଧ୍ୟମରେ ଦେଶର ଦୀର୍ଘସ୍ଥାୟୀ ଏବଂ ସମାନତା ପୂର୍ଣ୍ଣ ବିକାଶ ସମ୍ଭବ ହୋଇପାରିବ ତଥା ଆର୍ଥିକ ଏବଂ ସାମାଜିକ ପରିବର୍ତ୍ତନ ଲକ୍ଷ୍ୟ ହାସଲ କରାଯାଇ ପାରିବ। ଏହି ଲକ୍ଷ୍ୟ ହାସଲ କରିବା ଲାଗି, ନିକଟରେ ପ୍ରଧାନମନ୍ତ୍ରୀ ଶ୍ରୀନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୩ଟି ପ୍ରମୁଖ ଯୋଜନାକୁ ମଞ୍ଜୁରି ମିଳିଛି। ଏସବୁ ଯୋଜନା ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ କାର୍ଯ୍ୟକାରୀ କରିବ।

ଭୁବନେଶ୍ଵରରେ ଏହା ପଞ୍ଚମ ଓ ଅନ୍ତିମ ସମ୍ମିଳନୀ। ପ୍ରଥମ ସମ୍ମିଳନୀ ୦୨ ଏପ୍ରିଲରେ ଚଣ୍ଡିଗଡ଼, ଦ୍ଵିତୀୟ ସମ୍ମିଳନୀ ୦୪ ଏପ୍ରିଲରେ ବେଙ୍ଗାଲୁରୁ, ତୃତୀୟ ୧୦ ଏପ୍ରିଲରେ ଗୌହାଟି ଏବଂ ଚତୁର୍ଥ ୧୨ ଏପ୍ରିଲରେ ମୁମ୍ବାଇ ଠାରେ ଅନୁଷ୍ଠିତ ହୋଇଥିଲା।