Categories
ଆଞ୍ଚଳିକ

ମହୁକୁଦରେ ବ୍ଲକ୍ ସ୍ତରୀୟ ଶିଶୁ ମେଳା

କନ୍ଦର୍ପ ବେହେରା

ରେଢାଖୋଲ: ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଳ ବ୍ଲକ୍ ଅନ୍ତର୍ଗତ ବଳମ୍ ପଞ୍ଚାୟତର ମହୁକୁଦ ଠାରେ ଗ୍ରାମମଙ୍ଗଳ ଯୁଵକ ସଂଘ ଆନୁକୂଲ୍ୟରେ ଵ୍ଲକ୍ ସ୍ତରୀୟ ଶିଶୁମେଳା ଓ ନେହେରୁ ଜୟନ୍ତୀ ପାଳିତ ହୋଇଥିଲା। ବଳମ୍ ଗ୍ରାମ ପଞ୍ଚାୟତ ର ସରପଞ୍ଚ  ଅନୁପମା ଗଡନାୟକ ଙ୍କ ଦ୍ଵାରା ଉଦଘାଟିତ ଏହି ସମାରୋହରେ ୨୦ ଟି ଵିଦ୍ୟାଳୟ ର ୩୦୦ ଛାତ୍ରଛାତ୍ରୀ ଭାଗ ନେଇଥିଲେ।

ଏହି ଅଵସର ରେ ଗଣିତ ଦୌଡ,ପୁଚି, ମ୍ୟୁଜିକ ଚେୟାର, ଚିତ୍ରାଙ୍କନ, ପ୍ରବନ୍ଧ, ଵକ୍ତୃତା ଓ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଯୁବକ ସଂଘର ସଭାପତି ସନ୍ତୋଷ ବେହେରାଙ୍କ ପରିଚାଳନାରେ ଅନୁଷ୍ଠିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବରେ ନାକ୍ଟିଦେଉଳ ପଞ୍ଚାୟତ ସମିତି ର ଅଧ୍ୟକ୍ଷା ସ୍ବରୂପାରାଣୀ ସାହୁ, ମୁଖ୍ୟବକ୍ତା ଭାବେ ସୁରଜମଲ୍ କଲେଜ୍ ରେଙ୍ଗାଲୀର ଅଧ୍ୟକ୍ଷ କବି ଡ଼ ମନୋଜ କୁମାର୍ ପଣ୍ଡା, ସମ୍ମାନୀତ ଅତିଥି ଭାବରେ ତହସିଲଦାର ସୁକାନ୍ତ କୁମାର୍ ନାୟକ, ଵୈଜ୍ଞାନିକ ଶେଷଦେଵ କିଶାନ୍, ସରପଞ୍ଚ ଅନୁପମା ଗଡନାୟକ ଓ ସମିତି ସଭ୍ୟା ଭାରତୀ ନାୟକ ଯୋଗଦେଇ ପଣ୍ଡିତ ନେହେରୁଙ୍କ ଜୀବନ ଓ ଭୂମିକା ତଥା ଶିଶୁ ମାନଙ୍କର ମାନସିକତା ସମ୍ପର୍କରେ ଆଲୋକପାତ କରିଥିଲେ।

ନୃସିଂହ ଚରଣ ବିଶ୍ଵାଳ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ଵେଳେ ସମ୍ପାଦକ ଜିତେନ୍ଦ୍ର ସାହୁ ବିବରଣୀ ପାଠ କରିଥିଲେ। ଡ଼ ଦୀପେନ୍ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା। ଶିଶୁ ଓ କିଶୋର ମାନଙ୍କ ଦ୍ବାରା ଵିଚିତ୍ରା ପ୍ରଦର୍ଶିତ ହୋଇଥିଲା।