Categories
ଆଜିର ଖବର ରାଜ୍ୟ ଖବର

ଶିଶୁ ସାହିତ୍ୟିକ ସନ୍ତୋଷ କୁମାର ରଥଙ୍କ ଗଳ୍ପ ପୁସ୍ତକ “ହାତୀ ଶିଖିଲା ବୁଦ୍ଧି” ଉନ୍ମୋଚିତ

ରେଢାଖୋଲ: କବିତା ମନର ଦୁଃଖକୁ ଦୂର କରେ। ମଣିଷ ଯେତେ ବେଳେ ଦୁଃଖ ଯନ୍ତ୍ରଣାରେ ଜର୍ଜରିତ ଥାଏ ସେତେବେଳେ କବିତା ରଚନା ହେଉ ବା କବିତାଟିଏ ପାଠ କରିଦେଲେ ମନଟା ହାଲକା ଲାଗିଥାଏ। କବିତା ଲେଖିବା ପାଗଳାମୀ ନ ହେଲେ ସୃଷ୍ଟି କରାଯାଇ ପାରିବ ନାହିଁ ବୋଲି ବିଶ୍ବ କବିତା ଦିବସ ଅବସରରେ ଆୟୋଜିତ ସାହିତ୍ୟ ଆସରରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି।

କଦଳୀଗଡ ସ୍ଥିତ ଅର୍ଜୁନ ଡିଗ୍ରୀ ସ୍ନାତକ ମହାବିଦ୍ୟାଳୟ ଠାରେ ସୁଚିତ୍ରା ପବ୍ଲିକେସନ୍, ଡଇଁଚା ତରଫରୁ ଶିଶୁ ସାହିତ୍ୟିକ ସନ୍ତୋଷ କୁମାର ରଥଙ୍କ ଗଳ୍ପ ପୁସ୍ତକ “ହାତୀ ଶିଖିଲା ବୁଦ୍ଧି” ପୁସ୍ତକର ଉନ୍ମୋଚନ ଉତ୍ସବ ସଭାପତି କୃଷ୍ଣଚନ୍ଦ୍ର ହୋତାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।

ଏହି ଉତ୍ସବରେ ମୁଖ୍ୟଅତିଥି ଭାବରେ ବୌଦ୍ଧର କବି କିଶୋର ମିଶ୍ର, ବକ୍ତା ଭାବରେ ବରଗଡର କବି ତଥା ଅଧ୍ୟାପକ ବିପିନ୍ ମହାନନ୍ଦ, ସମ୍ମାନୀତ ଅତିଥି ଭାବରେ ଅର୍ଜୁନ ଡିଗ୍ରୀ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଖିଳେନ୍ଦ୍ର ଶାସନୀ, ଓଡିଶା ଆଦର୍ଶ ବିଦ୍ୟାଳୟ ବୌଦ୍ଧ ର ଅଧ୍ୟାପକ ଦେବବ୍ରତ ପଶାୟତ ପ୍ରମୁଖ ଯୋଗଦେଇ ସାରା ବିଶ୍ବ ଆଜି କବିତାମୟ ହୋଇ ଯାଉ। କବିତା ମନକୁ ଦୁଃଖ ଲାଘବ କରିଥାଏ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

ଅତିଥି ମାନଙ୍କ ଦ୍ବାରା ରେଢାଖୋଲ ମାଟିର କବି ତଥା ଶିଶୁସାହିତ୍ୟିକ ସନ୍ତୋଷ କୁମାର ରଥଙ୍କ ଶିଶୁ ଗଳ୍ପ ପୁସ୍ତକ “ହାତୀ ଶିଖିଲା ବୁଦ୍ଧି” ର ଉନ୍ମୋଚନ ଅନୁଷ୍ଠିତ ହୋଇଥିଲା। ଏହି ବିଶ୍ବ କବିତା ଦିବସ ଅବସରରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା।

ନିମନ୍ତ୍ରୀତ କବି ଭାବରେ କବି ଅଚ୍ୟୁତାନନ୍ଦ ବିଶ୍ବାଳ, ରମେଶ ମେହେର, ଗୀତାରାଣୀ ସାହୁ, କୁଳମଣୀ ମେହେର, ଆକାଶ ସାହୁ , ସନ୍ତୋଷ କୁମାର ରଥ ପ୍ରମୁଖ କବିତା ପାଠ କରିଥିଲେ। କଲେଜର ଛାତ୍ରୀ ଅଙ୍କିତା, ସରୀତା, ସାଗରୀକା, କରିସ୍ମା ପ୍ରମୁଖ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ। ସୁଚିତ୍ରା ପତ୍ରିକାର ସଂପାଦକ କନ୍ଦର୍ପ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଶେଷରେ ଅଧ୍ୟାପକ ବୈନତେୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଶିଶୁ ଦିବସରେ ଚାଲିଗଲେ କେନ୍ଦ୍ର ସାହିତ୍ୟ ଏକାଡେମୀ ର ବାଲ୍ ସାହିତ୍ୟ ପୁରସ୍କାର ପ୍ରାପ୍ତ ଶିଶୁ ସାହିତ୍ୟିକ

ରେଢାଖୋଲ (କନ୍ଦର୍ପ ବେହେରା): ଓଡିଆ ଶିଶୁ ସାହିତ୍ୟ ଜଗତରେ ଚହଳ ପକାଇଥିବା ବିଶିଷ୍ଟ ଶିଶୁ ସାହିତ୍ୟିକ ଡଃ ଶୁଭେନ୍ଦ୍ର ମୋହନ ଶ୍ରୀ ଚନ୍ଦନ ସିଂହ ରାତି ୧ଟା ୨୩ ମିନିଟରେ ନାଗପୁରରେ ମୃତ୍ୟୁବରଣ କରିଥିବା ଜଣା ପଡିଛି। ମୃତ୍ୟୁବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା।

ଶିଶୁ ସାହିତ୍ୟିକ ଡଃ ଚନ୍ଦନ ଓଡିଆ ଶିଶୁ ସାହିତ୍ୟର ଜଣେ ସଫଳ ସାରସ୍ବତ ସାଧକ। ସେ ୧୯୩୩ ମସିହା ଅଗଷ୍ଟ ୬ ରେ ଅନୁଗୋଳ ଜିଲ୍ଲାର ଆଠମଲ୍ଲୀକ ର ପାପସରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ ୧୦୦ ରୁ ଉଦ୍ଧ୍ବ ପୁସ୍ତକ ରଚନା କରିଛନ୍ତି। ପୁସ୍ତକ ଗୁଡିକ ମଧ୍ୟରେ ଟିକିପରୀ, ଗବେଷଣା ପ୍ରସଙ୍ଗ ,ହୋ ହୋ ରାଣୀ,ଲାଲ୍ ଟୁକୁନିର କଥା,କଥା ଶତକ, ମୁଁ ମୋ ମାତ୍ରୁଭାଷା ମୋ ଜୀବନ (ଆତ୍ମଜୀବନୀ), ଅନଳ (ଗଳ୍ପ), ନାରୀ ବନାମ ସୁନନ୍ଦା (ଗପ), ଗାୟତ୍ରୀ ନିଳୟେ ଅଶୁଭ ରାତ୍ରୀ (ଉପନ୍ୟାସ), ନରଖାଦକର ଆହ୍ବାନ (ଅନୁବାଦ), ଆଦି ଅନ୍ୟତମ। ସେ ୨୦୧୭ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ତରଫରୁ ବାଲ୍ ସାହିତ୍ୟ ପୁରସ୍କାର ପାଇଥିଲେ। ୨୦୧୦ ମସିହାରେ “ଟିକିପରି” ପୁସ୍ତକ ପାଇଁ ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ମଧ୍ୟ ପୁରସ୍କାର ପାଇବା ସହ ଓଡିଶାର ବହୁ ଅନୁଷ୍ଠାନରୁ ପୁରସ୍କାର ପାଇଥିଲେ। ସେ ମାଧ୍ୟମିକ ଶିକ୍ଷା ପରିଷଦର ଓଡିଆ ଭାଷା ବିଶେଷଜ୍ଞ ଭାବରେ ମଧ୍ୟ କାର୍ଯ୍ୟ କରି ଅବସର ନେଇଥିଲେ।

ଡଃ ଚନ୍ଦନ ନାଗପୁରରେ ପୁଅ ପ୍ରଫେସର ଡଃ ଶିଳାଦିତ୍ୟ ବିକାଶ ଶ୍ରୀଚନ୍ଦନ ସିଂହ ପାଖରେ ଦୀର୍ଘ ଦିନ ହେଲା ରହି ଆସୁଥିଲେ। ରେଢାଖୋଲରେ ମଧ୍ୟ ନିଜ ପୁତ୍ର ଅଧ୍ୟାପକ ଡଃ ବାଳାଦିତ୍ୟ ବିକାଶ ଶ୍ରୀ ଚନ୍ଦନଙ୍କ ପାଖରେ କିଛି ବର୍ଷ ଅବସ୍ଥାନ କରିଥିଲେ। ଜୀବନର ଶେଷ ପର୍ଯ୍ୟନ୍ତ ସେ ଲେଖନୀ ଚାଳନା କରିଥିଲେ। ତାଙ୍କ ମୃତ୍ୟୁରେ ଓଡିଆ ସାହିତ୍ୟର ଅପୂରଣୀୟ କ୍ଷତି ହୋଇଛି। ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ, ପୁଅ, ପୁତ୍ର ବଧୂ ଆଦି ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଶିଶୁ ସାହିତ୍ୟିକ ନଦୀୟା ବିହାରୀ ମହାନ୍ତିଙ୍କ ପରଲୋକ

କଟକ: ବିଶିଷ୍ଟ ଶିଶୁ ସାହିତ୍ୟିକ ନଦୀୟା ବିହାରୀ ମହାନ୍ତିଙ୍କ ପରଲୋକ ହୋଇଛି । କଟକର ଏକ ଘରୋଇ ହସ୍ପିଟାଲରେ 90 ବର୍ଷ ବୟସରେ ପରଲୋକ ହୋଇଛି । ଏନେଇ ତାଙ୍କ ପରିବାରପକ୍ଷରୁ ସୂଚନା ମିଳିଛି । ଲୋକପ୍ରିୟ ଆକାଶବାଣୀ କାର୍ଯ୍ୟକ୍ରମ ଶିଶୁ ସଂସାର ’ବଡଭାଇ’ ଭୂମିକାରେ ସେ ବହୁ ବର୍ଷ ଧରି ଅଭିନୟ କରିଛନ୍ତି । ଅଭିନୟ ସହିତ ଶିଶୁ ସଂସାର, ଚକଚକା ଭଉଁରୀ, କିଶୋର ଚକ୍ର ଆଦି କାର୍ଯ୍ୟକ୍ରମକୁ ପ୍ରଯୋଜନା ମଧ୍ୟ କରିଛନ୍ତି ନଦୀୟା ।  2013ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ପୁରସ୍କୃତ ହୋଇଥିଲେ ନଦୀୟା ।

ତାଙ୍କ ରଚନାବଳୀ ମଧ୍ୟରେ ରହିଛି ଗପୁଡି ଓ ପକୁଡି, ଖରୀ ଖେଚୁଡି, ଆଖି-2000, ଛୁଆଙ୍କ ନାଟକ, ରାସ୍ତାରୋକା ଆଦି । ‘ଗପୁଡି ଓ ପକୁଡି’ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହେବା ସହିତ ଝୁମୁକା ସମ୍ମାନ ଓ ରାଜଧାନୀ ପୁସ୍ତକମେଳା ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଛନ୍ତି ।

Categories
ଆଜିର ଖବର

କବି ଓ ସୁସଙ୍ଗଠକ ଦିଲୀପ ବେହୁରାଙ୍କ ପରଲୋକ

ଓଡିଶାର ଜଣେ ଜଣାଶୁଣା ଗୀତିକବି, ଶିଶୁ ସାହିତ୍ୟିକ ଓ ସାହିତ୍ୟ ସଂଗଠକ ଦିଲୀପ ବେହୁରାଙ୍କର ଅକାଳ ବିୟୋଗ ଘଟିଛି। ଗତକାଲି ରାତିରେ ହୃଦଘାତରେ ତାଙ୍କର ପରଲୋକ ଘଟିଛି ବୋଲି ପରିବାର ସୂତ୍ରରୁ ପ୍ରକାଶ। ଶ୍ରୀ ବେହୁରା ରାଜଧାନୀର ବିଭିନ୍ନ ସାହିତ୍ୟ ସଂଗଠନ ଓ ପାତ୍ର ପତ୍ରିକା ସହିତ ଜଡିତ ରହିଥିଲେ। ୨୪, ଜାନୁଆରୀ ୧୯୬୫ ରେ ଭୁବନେଶ୍ଵରରେ ଜନ୍ମଗ୍ରହଣ କରିଥିବା ଶ୍ରୀ ବେହୁରା ରାଜ୍ୟ ସଚିବାଳୟରେ କାର୍ଯ୍ୟରତ ଥିଲେ। ବହୁ ପ୍ରମୁଖ ସାହିତ୍ୟ ସଂଗଠନର କର୍ମକର୍ତ୍ତା ଓ ସାହିତ୍ୟ ଉତ୍ସବର ଆୟୋଜକ ଭାବରେ ତାଙ୍କର ଏକ ପ୍ରମୁଖ ଭୂମିକା ରହିଥିଲା। ରାଜଧାନୀର ସର୍ବ ପୁରାତନ ସାହିତ୍ୟ ଖଟି  ଭାବେ ପରିଚିତ ପୁରୁଣା ବସଷ୍ଟାଣ୍ଡ ସାହିତ୍ୟିକ ଖଟିର ସେ ଥିଲେ ଜଣେ ସକ୍ରିୟ ସଦସ୍ୟ। ତାଙ୍କ ଅକାଳ ବିୟୋଗରେ ବହୁ ଲେଖକ ଓ ସାହିତ୍ୟିକ ଶୋକ ପ୍ରକାଶ କରିଛନ୍ତି।

Categories
ଆଞ୍ଚଳିକ

ଶିଶୁ ସାହିତ୍ୟିକଙ୍କ ବିୟୋଗରେ ବରିଷ୍ଠ କଳାକାର ସଂଘର ଶୋକପ୍ରକାଶ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ବିଶିଷ୍ଟ ଶିଶୁ ସାହିତ୍ୟିକ ତଥା ଶିଳାପୁତ୍ରର ପ୍ରତିଷ୍ଠାତା ଦିଲ୍ଲୀପ କୁମାର ଚୌଧୁରୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛି ବରିଷ୍ଠ କଳାକାର ସଂଘ । ମେ 11 ତାରିଖ ରାତି 10ଟା ସମୟରେ ମାତ୍ର 53 ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି ଏହି ବିଶିଷ୍ଟ ବ୍ୟକ୍ତିତ୍ବ । ଏହି ଅବସରରେ ଶିଳାପୁତ୍ର ଓ ବରିଷ୍ଠ କଳାକାର ସଂଘ ପକ୍ଷରୁ ମୋବାଇଲ୍‌ କନ୍‌ଫରେନ୍ସ ଜରିଆରେ ଏକ ଶୋକ ସଭା ଆୟୋଜିତ ହୋଇଥିଲା । କଳାକାର ସଂଘର ସଭାପତି ସୁବାସ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୋକସଭାରେ ଅଧ୍ୟାପକ ଚିତ୍ତ ପଟ୍ଟନାୟକ, ଶିଳାପଦ୍ମ ସମ୍ପାଦକ ତପନ କୁମାର ପଟ୍ଟନାୟକ, ପ୍ରଫୁଲ୍ଲ ବେହେରା, ସୀମାନ୍ତ ନଟରାଜ, ତିରୁପତି ସାହୁ, ନରେନ୍ଦ୍ର ପ୍ରସାଦ ବେହେରା, ଜୟକୃଷ୍ଣ ପଟ୍ଟନାୟକ ଏବଂ ଉମେଶ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଦିଲ୍ଲୀପ କୁମାର ଚୌଧୁରୀଙ୍କ ପରଲୋକ ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ଏବଂ ତାଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ୍‌ର ନୀରବ ପ୍ରାର୍ଥନା କରାଯାଇଥିଲା ।