Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ମଇ ମାସରେ ୪ଜି ସ୍ପିଡ୍ ତାଲିକାରେ ଶୀର୍ଷସ୍ଥାନ ଅଧିକାର କରିଛି ଜିଓ: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ଭାରତୀୟ ଟେଲିକମ୍ ବଜାରରେ ନିଜର ଦବ୍‌ଦବା କାୟମ ରଖି ରିଲାଏନ୍ସ ଜିଓ ପୁଣିଥରେ ୪ଜି ସ୍ପିଡ ତାଲିକାରେ ଶୀର୍ଷ ସ୍ଥାନରେ ରହିିଛି ଏବଂ ୨୦୨୧ ମଇ ମାସରେ ସେକେଣ୍ଡ ପ୍ରତି ୨୦.୭ ମେଗାବିଟ୍ (ଏମବିପିଏସ୍‌) ହାରାହାରି ୪ଜି ସ୍ପିଡ୍ ସହିତ ନିଜର ନେତୃତ୍ୱ ସ୍ଥାନ ବଜାୟ ରଖିଥିବା ଭାରତୀୟ ଦୂରସଂଚାର ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ତଥ୍ୟରେ କୁହାଯାଇଛି।

ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓର ୪ଜି ନେଟୱର୍କ ସ୍ପିଡ ପୂର୍ବ ମାସ ତୁଳନାରେ ସାମାନ୍ୟ ବୃଦ୍ଧିପାଇଛି, ତେବେ ଚଳିତ ବର୍ଷ ମଇ ମାସରେ ଏହାର ହାରାହାରି ୪ଜି ଡାଉନଲୋଡ ସ୍ପିଡ ତାହାର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭୋଡାଫୋନ ଆଇଡିଆ ତୁଳନାରେ ତିନିଗୁଣରୁ ଅଧିକ ରହିଥିଲା। ଏହି ମାସରେ ଭୋଡାଫୋନ ଆଇଡିଆ ହାରାହାରି ଡାଉନଲୋଡ ସ୍ପିଡ୍ ୬.୩ ଏମବିପିଏସ୍ ରହିଥିବା ବେଳେ ଭାରତୀ ଏୟାରଟେଲର ଉକ୍ତ ମାସରେ ସର୍ବନିମ୍ନ ହାରାହାରି ୪ଜି ଡାଉନଲୋଡ ସ୍ପିଡ୍ ୪.୭ ଏମବିପିଏସ୍ ରହିଥିବା ଏହି ତଥ୍ୟରୁ ଜଣାପଡିଛି।

ତେବେ ହାରାହାରି ୪ଜି ଅପ୍‌ଲୋଡ ସ୍ପିଡରେ ଭୋଡାଫୋନ ଆଇଡିଆର ମଇ ମାସରେ ସର୍ବାଧିକ ୬.୩ ଏମବିପିଏସ୍ ଥିବାବେଳେ ତାହା ପଛକୁ ରିଲାଏନ୍ସ ଜିଓର ହାରାହାରି ଅପ୍‌ଲୋଡ ସ୍ପିଡ ୪.୨ ଏମବିପିଏସ୍ ଏବଂ ଭାରତୀ ଏୟାରଟେଲର ୩.୬ ଏମବିପିଏସ୍ ରହିଥିଲା।

ଉଲ୍ଲେଖଯୋଗ୍ୟ ଯେ ଡାଉନଲୋଡ ସ୍ପିଡ ଗ୍ରାହକଙ୍କୁ ଇଂଟରନେଟରୁ ବ୍ରାଉଜ୍ କରି ବିଭିନ୍ନ ବିଷୟବସ୍ତୁର ସୁଯୋଗ ନେବାରେ ସହାୟତା କରିଥାଏ ଏବଂ ଅପ୍‌ଲୋଡ ସ୍ପିଡ ସେମାନଙ୍କୁ ସେମାନଙ୍କ ସଂଯୋଗରେ ଥିବା ବ୍ୟକ୍ତିଙ୍କ ନିକଟକୁ ଫଟୋଚିତ୍ର ଅଥବା ଭିଡିଓ ପଠାଇବା ଅଥବା ସେମାନଙ୍କ ସହିତ ଏହା ସହଭାଗିତା କରିବାରେ ସହାୟକ ହୋଇଥାଏ। ହାରାହାରି ସ୍ପିଡ୍ ଟ୍ରାଇ ପକ୍ଷରୁ ସମଗ୍ର ଦେଶରେ ମାଇଁସ୍ପିଡ୍ ଆପ୍ଲିକେସନ ସହାୟତାରେ ବାସ୍ତବ ସମୟ ଭିତ୍ତିରେ ସଂଗ୍ରହ କରାଯାଉଥିବା ତଥ୍ୟ ଆଧାରରେ ଗଣନା କରାଯାଇଥାଏ।

ଟ୍ରାଇ ପକ୍ଷରୁ ମାଇଁସ୍ପିଡ ପୋର୍ଟାଲରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଓଡ଼ିଶାରେ ମଧ୍ୟ ଜିଓ ହାରାହାରି ୪ଜି ଡାଉନଲୋଡ୍ ସ୍ପିଡ ୩୬.୬ ଏମବିପିଏସ୍ ସହିତ ଏହାର ନେତୃତ୍ୱ ସ୍ଥାନ ବଜାୟ ରଖିଛି ଏବଂ ଏହା ପଛକୁ ଭୋଡାଫୋନ ଆଇଡିଆ ହାରାହାରି ୬.୩ ଏମବିପିଏସ୍ ଡାଉନଲୋଡ ସ୍ପିଡ, ଭାରତୀ ଏୟାରଟେଲ ହାରାହାରି ୪.୬ ଏମବିପିଏସ୍ ୪ଜି ଡାଉନଲୋଡ ସ୍ପିଡ୍ ହାସଲ କରିଥିବା ଜଣାପଡିଛି । ଅନୁରୂପ ଭାବରେ ରାଜ୍ୟରେ ଭୋଡାଫୋନ ଆଇଡିଆର ୭.୭ ଏମବିପିଏସ୍ ହାରାହାରି ୪ଜି ଅପ୍‌ଲୋଡ ସ୍ପିଡ ରହିଥିବାବେଳେ ତାହା ପଛକୁ ଜିଓର ୫.୭ ଏମବିପିଏସ୍ ହାରାହାରି ଅପ୍‌ଲୋଡ ସ୍ପିଡ ଏବଂ ଏୟାରଟେଲର ୩.୧ ଏମବିପିଏସ୍ ହାରାହାରି ୪ଜି ଅପ୍‌ଲୋଡ ସ୍ପିଡ ରହିଥିଲା।