Categories
ଖେଳ ବିଶେଷ ଖବର

ଭାରତକୁ ବିଶ୍ବର ଶୀର୍ଷ ୧୦ଟି କ୍ରୀଡ଼ା ରାଷ୍ଟ୍ର ମଧ୍ୟରେ ସାମିଲ କରିବା ଲାଗି କାର୍ଯ୍ୟ କରିବା ଆବଶ୍ୟକ: ଅନୁରାଗ ଠାକୁର

ନୂଆଦିଲ୍ଲୀ: ଦେଶରେ କ୍ରୀଡ଼ା ଇକୋସିଷ୍ଟମ ବିକଶିତ କରିବା ଏବଂ ଭାରତକୁ ବିଶ୍ବର ୧୦ଟି ଶ୍ରେଷ୍ଠ କ୍ରୀଡ଼ା ରାଷ୍ଟ୍ର ମଧ୍ୟରେ ସାମିଲ କରିବା ଲାଗି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ମିଳିତ ପ୍ରୟାସର ଆବଶ୍ୟକତା ରହିଛି ବୋଲି କହିଛନ୍ତି କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର। ଗୁଜରାଟର କେୱଡ଼ିଆ ଠାରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀମାନଙ୍କର ଜାତୀୟ ସମ୍ମିଳନୀର ଉଦଘାଟନୀ ଅଧିବେଶନରେ ଅଧ୍ୟକ୍ଷତା କରି ଶ୍ରୀ ଠାକୁର ଏହା କହିଛନ୍ତି। ଶ୍ରୀ ଠାକୁର କହିଥିଲେ ଯେ, ‘‘ରାଜ୍ୟ ଓ କେନ୍ଦ୍ର ସରକାର ମିଶି ରଣନୀତି ଓ ଭିତ୍ତିଭୂମି ବ୍ୟବସ୍ଥା କରିବା ସହିତ ମିଳିତ ଭାବେ ପ୍ରତିଯୋଗିତା ଓ କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜନ କଲେ ଖେଳ ଓ ଖେଳାଳୀମାନେ ଆଗେଇ ପାରିବେ। ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟିମ୍‌ ଇଣ୍ଡିଆ ଭାବନା ନେଇ କାର୍ଯ୍ୟ କରିବା ଉଚିତ୍‌। ଏଥିପାଇଁ ରାଜ୍ୟର ସୀମା ଠାରୁ ଊର୍ଦ୍ଧ୍ବକୁ ଯାଇ ଏକ ଜାତୀୟ ଭାବନା ତଥା ଦୃଷ୍ଟିକୋଣ ନେଇ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।’’

ଏହି ଜାତୀୟ ସମ୍ମିଳନୀକୁ ଜ୍ଞାନର ଆଦାନପ୍ରଦାନ ପାଇଁ ଏକ ମଞ୍ଚ ଭାବେ ବ୍ୟବହାର କରିବା ଲାଗି କେନ୍ଦ୍ର ମନ୍ତ୍ରୀ  ବିଭିନ୍ନ ରାଜ୍ୟର କ୍ରୀଡ଼ା ମନ୍ତ୍ରୀ ଓ ଅଧିକାରୀମାନଙ୍କୁ ଆହ୍ବାନ କରିଥିଲେ।  ସେ କହିଥିଲେ ଯେ, ଦେଶରେ କ୍ରୀଡ଼ା ଇକୋସିଷ୍ଟମ ବିକଶିତ କରିବା ଲାଗି ବିଭିନ୍ନ ରାଜ୍ୟର ଶ୍ରେଷ୍ଠ କ୍ରୀଡ଼ା ପଦ୍ଧତିକୁ ପରସ୍ପର ସହ ବିନିମୟ କରିବାକୁ ହେବ। ଏଥିପାଇଁ ଏକ ମିଳିତ ଦୃଷ୍ଟିକୋଣ ଆପଣାଇବାର ଆବଶ୍ୟକତା ରହିଛି। କେନ୍ଦ୍ର ମନ୍ତ୍ରୀ ଏହି ଅବସରରେ କହିଥିଲେ ଯେ, କ୍ରୀଡ଼ା ବିକାଶ ପାଇଁ ପ୍ରୟାସ ଆରମ୍ଭ କରିବା ସମୟରେ ସବୁ ରାଜ୍ୟ ପ୍ରାୟତଃ କେତେକ ସମାନ ସମସ୍ୟାର ସମ୍ମୁଖିନ ହୋଇଥାନ୍ତି। ପରସ୍ପର ମଧ୍ୟରେ ଆଲୋଚନା କରାଯାଇ ଏସବୁ ସମସ୍ୟାର ଏକପ୍ରକାର ସମାଧାନ ଆଣିବାର ଆବଶ୍ୟକତା ରହିଛି।

ଖେଲୋ ଇଣ୍ଡିଆ କ୍ରୀଡ଼ାର ପରିଧି ବଢ଼ାଇବ ଏବଂ ଖେଲୋ ଇଣ୍ଡିଆ ଜନଜାତି କ୍ରୀଡ଼ା ଆୟୋଜନ ସମ୍ପର୍କରେ ଆଲୋଚନା କରିବା ଆଦି ପ୍ରସଙ୍ଗ ଉପରେ ଏହି ସମ୍ମିଳନୀରେ ରାଜ୍ୟମାନେ ଆଲୋଚନା କରିବାର ଆବଶ୍ୟକତା ରହିଛି। ଖେଲୋ ଇଣ୍ଡିଆ ଲିଗ୍‌ ଗେମ୍ସକୁ ତୀରନ୍ଦାଜ ଲିଗ୍‌, ହକି ଲିଗ୍‌ ଆଦି ଅନ୍ୟ କ୍ରୀଡ଼ା ଅନୁରୂପ ସମ୍ପ୍ରସାରଣ କରିବା ଲାଗି ପ୍ରସ୍ତାବ ରହିଛି। ଅଧିକ କ୍ରୀଡ଼ା ସମାରୋହ ଆୟୋଜନ କରାଗଲେ, ଖେଳାଳୀମାନେ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିବାର ଅଧିକ ସୁଯୋଗ ପାଇବେ ଏବଂ ଆଗକୁ ବଢ଼ିପାରିବେ ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଠାକୁର କହିଥିଲେ।

ଏହି ଜାତୀୟ ସମ୍ମିଳନୀରେ ଖେଳ ପଡ଼ିଆ, ପ୍ରଶିକ୍ଷଣ କେନ୍ଦ୍ର, ରାଜ୍ୟ କ୍ରୀଡ଼ା ଏକାଡେମୀର ଜିଓ ଟ୍ୟାଗିଂ କରିବା, କ୍ରୀଡ଼ା ପ୍ରତିଯୋଗିତା ମାଧ୍ୟମରେ ପ୍ରତିଭାଙ୍କୁ ଚିହ୍ନଟ କରିବା ସହ ବିକାଶ କରିବା, ମହିଳା, ଦିବ୍ୟାଙ୍ଗ ଜନ, ଜନଜାତି ଓ ଗ୍ରାମୀଣ କ୍ଷେତ୍ର ପାଇଁ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବା, ସ୍ବଦେଶୀ କ୍ରୀଡ଼ା ଓ କ୍ରୀଡ଼ା ଶିକ୍ଷାକୁ ପ୍ରୋତ୍ସାହନ, ଡୋପିଂ ନିରୋଧୀ ସଚେତନତା, ଦେଶରେ କ୍ରୀଡ଼ା ପାଇଁ ଏକ ଇକୋସିଷ୍ଟମ ବିକଶିତ କରିବା, କ୍ରୀଡ଼ା ପେସାଦାରମାନଙ୍କୁ ସହାୟତା ଯୋଗାଇ ଦେବା ଆଦି ବିଷୟ ସମେତ ଖେଲୋ ଇଣ୍ଡିଆ ଯୋଜନାର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଉଦଘାଟନୀ ବକ୍ତବ୍ୟ ଦେଇ ଗୁଜରାଟ କ୍ରୀଡ଼ା ମନ୍ତ୍ରୀ ହର୍ଷ ସିଂଗଭୀ କହିଥିଲେ ଯେ, ସମ୍ମିଳନୀରେ ଯୋଗ ଦେଇଥିବା ରାଜ୍ୟମାନଙ୍କ ମଧ୍ୟ ବିଭିନ୍ନ ପ୍ରସଙ୍ଗକୁ ନେଇ ମତପାର୍ଥକ୍ୟ ରହିପାରେ, ସେମାନଙ୍କର ଭିନ୍ନ ସାମର୍ଥ୍ୟ ଥାଇପାରେ କିନ୍ତୁ ଦୁଇଦିନିଆ ସମ୍ମିଳନୀରେ ଆଲୋଚନା ପରେ ସମସ୍ତେ ଟିମ୍‌ ଇଣ୍ଡିଆ ଭାବନା ନେଇ କାର୍ଯ୍ୟ କରିବାକୁ ପ୍ରସ୍ତୁତ ହୋଇପାରିବେ।

ସମ୍ମିଳନୀରେ ୧୫ଟି ରାଜ୍ୟର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀଙ୍କ ସମେତ ଭାରତ ସରକାରଙ୍କ କ୍ରୀଡ଼ା ସଚିବ ସୁଜାତା ଚତୁର୍ବେଦୀ, ଯୁବ ବ୍ୟାପାର ସଚିବ ସଞ୍ଜୟ କୁମାରଙ୍କ ସମେତ ୩୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର କ୍ରୀଡ଼ା ଅଧିକାରୀମାନେ ଅଂଶଗ୍ରହଣ କରିଛନ୍ତି।