Categories
ଆଜିର ଖବର ଜାତୀୟ ଖବର

୨୦୨୪ ଋତୁ ପାଇଁ କୋପ୍ରାର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ୍ ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ୨୦୨୪ ଋତୁ ପାଇଁ କୋପ୍ରାର (ଶୁଖିଲା ନଡ଼ିଆ ଶସ) ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)କୁ ମଞ୍ଜୁର କରିଛନ୍ତି। ୨୦୨୪ ଋତୁ ପାଇଁ ଧାର୍ଯ୍ୟ ଏମଏସପିରେ ପୂର୍ବ ଋତୁ ତୁଳନାରେ ମିଲିଂ କୋପ୍ରା (ଶୁଖିଲା ଖଣ୍ଡ ନଡ଼ିଆ ଶସ) ପାଇଁ କ୍ୱିଣ୍ଟାଲ ପିଛା ୩୦୦ ଟଙ୍କା ଏବଂ ବଲ୍ କୋପ୍ରା (ଶୁଖିଲା ଗୋଲାକୃତି ନଡ଼ିଆ ଶସ) ପାଇଁ କ୍ୱିଣ୍ଟାଲ ପିଛା ୨୫୦ ଟଙ୍କା ବୃଦ୍ଧି କରାଯାଇଛି।

କୃଷକମାନଙ୍କୁ ଲାଭଜନକ ମୂଲ୍ୟ ପ୍ରଦାନ କରିବା ପାଇଁ ସରକାର ୨୦୧୮-୧୯ର କେନ୍ଦ୍ର ବଜେଟରେ ଘୋଷଣା କରିଥିଲେ ଯେ ସମସ୍ତ ବାଧ୍ୟତାମୂଳକ ଫସଲର ଏମଏସପି ସର୍ବଭାରତୀୟ ଉତ୍ପାଦନ ଖର୍ଚ୍ଚର ଅତି କମରେ ୧.୫ ଗୁଣ ସ୍ତରରେ ସ୍ଥିର କରାଯିବ । ୨୦୨୪ ଋତୁ ପାଇଁ ମିଲିଂ କୋପ୍ରା (ଶୁଖିଲା ଖଣ୍ଡ ନଡ଼ିଆ ଶସ)ର ଉପଯୁକ୍ତ ହାରାହାରୀ ଗୁଣବତ୍ତା ପାଇଁ ଏମଏସପି କ୍ୱିଣ୍ଟାଲ ପିଛା ୧୧,୧୬୦ ଟଙ୍କା ଏବଂ ବଲ୍ କୋପ୍ରା (ଶୁଖିଲା ଗୋଲାକୃତି ନଡ଼ିଆ ଶସ) ପାଇଁ କ୍ୱିଣ୍ଟାଲ ପିଛା ୧୨,୦୦୦/- ଟଙ୍କା ଧାର୍ଯ୍ୟ କରାଯାଇଛି। ଏହା ଦ୍ୱାରା ମିଲିଂ କୋପ୍ରା ପାଇଁ ୫୧.୮୪ ପ୍ରତିଶତ ଏବଂ ବଲ୍ କୋପ୍ରା ପାଇଁ ୬୩.୨୬ ପ୍ରତିଶତ ଲାଭ ସୁନିଶ୍ଚିତ ହେବ, ଯାହା କି ସର୍ବଭାରତୀୟ ଭାରପ୍ରାପ୍ତ ହାରାହାରୀ ଉତ୍ପାଦନ ଖର୍ଚ୍ଚର ୧.୫ ଗୁଣରୁ ଅଧିକ। ମିଲିଂ କୋପ୍ରା ବା ଶୁଖିଲା ଖଣ୍ଡ ନଡ଼ିଆ ଶସ ତେଲ ବାହାର କରିବା ପାଇଁ ବ୍ୟବହୃତ ହୁଏ, ଅନ୍ୟପଟେ ଶୁଖିଲା ଗୋଲାକୃତି ନଡ଼ିଆ ଶସ ବା ବଲ/ଖାଇବା କୋପ୍ରାକୁ ଶୁଖିଲା ଫଳ ଭାବରେ ସେବନ କରାଯାଏ ଏବଂ ଧାର୍ମିକ ଉଦ୍ଦେଶ୍ୟରେ ବ୍ୟବହୃତ ହୁଏ। କେରଳ ଏବଂ ତାମିଲନାଡୁ ମିଲିଂ କୋପ୍ରାର ମୁଖ୍ୟ ଉତ୍ପାଦନକାରୀ ହୋଇଥିବା ବେଳେ ବଲ୍ କୋପ୍ରା ମୁଖ୍ୟତଃ କର୍ଣ୍ଣାଟକରେ ଉତ୍ପାଦିତ ହୁଏ।

କେନ୍ଦ୍ର ସରକାର ବିଗତ ୧୦ ବର୍ଷ ମଧ୍ୟରେ ଲଗାତର ଭାବେ କୋପ୍ରାର ଏମଏସପି ବୃଦ୍ଧି ଜାରି ରଖିଛନ୍ତି । ୨୦୧୪-୧୫ରେ ମିଲିଂ କୋପ୍ରା ଓ ବଲ୍ କୋପ୍ରାର ଏମ୍‌ଏସ୍‌ପି ଯଥାକ୍ରମେ କୁଇଣ୍ଟାଲ ପିଛା ୫୨୫୦ ଟଙ୍କା ଓ କ୍ୱିଣ୍ଟାଲ ପିଛା ୫୫୦୦ ଟଙ୍କା ତୁଳନାରେ ୨୦୨୪-୨୫ରେ ଯଥାକ୍ରମେ ୧୧୩ ପ୍ରତିଶତ ଓ ୧୧୮ ପ୍ରତିଶତ ବୃଦ୍ଧି କରି କ୍ୱିଣ୍ଟାଲ ପିଛା ୧୧,୧୬୦ ଟଙ୍କା ଓ ୧୨,୦୦୦ ଟଙ୍କାରେ ଧାର୍ଯ୍ୟ କରିଛନ୍ତି।

ଅଧିକ ଏମଏସପି କେବଳ ନଡ଼ିଆ ଚାଷୀଙ୍କୁ ଉତ୍ତମ ଲାଭଦାୟକ ଲାଭ ସୁନିଶ୍ଚିତ କରିବ ନାହିଁ ବରଂ ଉଭୟ ଘରୋଇ ଏବଂ ଅନ୍ତର୍ଜାତୀୟ ସ୍ତରରେ ନଡ଼ିଆ ଉତ୍ପାଦର ବଢୁଥିବା ଚାହିଦାକୁ ପୂରଣ କରିବା ପାଇଁ କୃଷକମାନଙ୍କୁ କୋପ୍ରା ଉତ୍ପାଦନ ସମ୍ପ୍ରସାରଣ କରିବାକୁ ପ୍ରୋତ୍ସାହିତ କରିବ ।

ଚଳିତ ଋତୁ ୨୦୨୩ରେ ସରକାର ୧,୪୯୩ କୋଟି ଟଙ୍କା ବ୍ୟୟରେ ୧.୩୩ ଲକ୍ଷ ମେଟ୍ରିକ୍ ଟନ୍‌ରୁ ଅଧିକ କୋପ୍ରା କ୍ରୟ କରିଛନ୍ତି, ଯାହାଦ୍ୱାରା ପ୍ରାୟ ୯୦,୦୦୦ କୃଷକ ଉପକୃତ ହୋଇଛନ୍ତି । ପୂର୍ବ ଋତୁ (୨୦୨୨) ତୁଳନାରେ ଚଳିତ ଋତୁ ୨୦୨୩ରେ ୨୨୭ ପ୍ରତିଶତ ଅଧିକ କୋପ୍ରା କିଣାଯାଇଛି ।

ଜାତୀୟ କୃଷି ସମବାୟ ବିପଣନ ମହାସଂଘ ଲିମିଟେଡ୍ (ନାଫେଡ୍) ଏବଂ ଜାତୀୟ ସମବାୟ ଉପଭୋକ୍ତା ମହାସଂଘ (ଏନସିସିଏଫ୍) କେନ୍ଦ୍ରୀୟ ନୋଡାଲ ଏଜେନ୍ସି (ସିଏନ୍ଏ) ଭାବରେ ମୂଲ୍ୟ ସମର୍ଥନ ଯୋଜନା (ପିଏସ୍ଏସ୍) ଅଧୀନରେ କୋପ୍ରା ଏବଂ ଚୋପାଛଡ଼ା ନଡ଼ିଆ କିଣିବା ଜାରି ରଖିବେ।

Categories
ଜାତୀୟ ଖବର ବିଶେଷ ଖବର

୨୦୨୨ ଋତୁ ପାଇଁ ଶୁଖିଲା ନଡ଼ିଆ ଶସର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ବୈଠକରେ ୨୦୨୨ ଋତୁ ପାଇଁ ଶୁଖିଲା ନଡ଼ିଆ ଶସ (କୋପ୍ରା)ର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ଅନୁମୋଦନ କରାଯାଇଛି।

ଉଚ୍ଚ ହାରାହାରୀ ଗୁଣବତ୍ତା (ଏଫଏକ୍ୟୁ) ଯୁକ୍ତ ମିଲିଂ ପାଇଁ ଉଦ୍ଦିଷ୍ଟ ଶୁଖିଲା ନଡ଼ିଆ ଶସ (କୋପ୍ରା)ର ଏମଏସପି କୁଇଣ୍ଟାଲ ପ୍ରତି ୧୦,୩୩୫ ଟଙ୍କାରୁ ବଢ଼ାଇ କୁଇଣ୍ଟାଲ ପ୍ରତି ୧୦ ହଜାର ୫୯୦ ଟଙ୍କା କରି ଦିଆଯାଇଛି। ସେହିପରି ଗୋଟା ଶୁଖିଲା ନଡ଼ିଆ ବା ବଲ କୋପ୍ରାର ଏମଏସପି ୨୦୨୨ ଋତୁ ପାଇଁ କୁଇଣ୍ଟାଲ ପ୍ରତି ୧୧,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ୨୦୨୧ ଋତୁରେ ଏହାର ମୂଲ୍ୟ କୁଇଣ୍ଟାଲ ପ୍ରତି ୧୦,୬୦୦ ଟଙ୍କା ଥିଲା। ଫଳରେ ନଡ଼ିଆ ଚାଷୀମାନେ ଉତ୍ପାଦନ ଖର୍ଚ୍ଚ ଉପରେ ମିଲିଂ କୋପ୍ରା ପାଇଁ ୫୧.୮୫ ପ୍ରତିଶତ ଏବଂ ବଲ କୋପ୍ରା ପାଇଁ ୫୭.୭୩ ପ୍ରତିଶତ ଲାଭ ପାଇପାରିବେ। ଚାଷୀମାନଙ୍କୁ ଉତ୍ପାଦନ ଖର୍ଚ୍ଚର ଅତିକମରେ ଦେଢ଼ଗୁଣା ଲାଭ ପ୍ରଦାନ କରିବା ଲାଗି ସରକାର ୨୦୧୮-୧୯ ସାଧାରଣ ବଜେଟରେ ଘୋଷଣା କରିଥିଲେ। ଏହି ନିଷ୍ପତ୍ତି ଅନୁଯାୟୀ ୨୦୨୨ ଋତୁ ପାଇଁ କୋପ୍ରା ଉପରେ ଏମଏସପି ବୃଦ୍ଧି କରାଯାଇଛି।

କୃଷିଭିତ୍ତିକ ଖର୍ଚ୍ଚ ଏବଂ ମୂଲ୍ୟ ଆୟୋଗଙ୍କ ସୁପାରିସ ଆଧାରରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।

୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦ୍ବିଗୁଣିତ କରିବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି। ସର୍ବନିମ୍ନ ୫୦ ପ୍ରତିଶତ ଲାଭ ସୀମା ସୁନିଶ୍ଚିତ କରିବା ଏ ଦିଗରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ।

ନଡ଼ିଆ ଉତ୍ପାଦନ ହେଉଥିବା ରାଜ୍ୟରେ ଭାରତୀୟ ଜାତୀୟ କୃଷି ସମବାୟ ବିପଣନ ମହାସଂଘ ଏବଂ ଭାରତୀୟ ଜାତୀୟ ସମବାୟ ଉପଭୋକ୍ତା ମହାସଂଘ ମୂଲ୍ୟ ସହାୟତା ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିବ।