Categories
ଆଞ୍ଚଳିକ

ଚିଲିକା: ମହଙ୍ଗା ପଡିଲା ବିକଟାଳ ଶବ୍ଦ କରି ମଟରସାଇକେଲ ଚଲାଇବା: ଛଅ ବାଇକ ଜବତ

ଚିଲିକା (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅଞ୍ଚଳରେ ଏକାଧିକ ବ୍ୟକ୍ତି କ୍ଷିପ୍ରଗତିରେ ଏବଂ ବିକଟାଳ ଶବ୍ଦ କରି ମଟରସାଇକେଲ ଚଲାଉଥିବା ଅଭିଯୋଗ ହେବାପରେ ଆକ୍ସନ ମୋଡ଼କୁ ଆସିଛି ପୋଲିସ। ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ନାଚୁଣୀ ଆଇଆଇସି ଚନ୍ଦ୍ରଶେଖର ଜେନା ଏକ ଟିମ ଗଠନ କରି ଆଜି ଅମାନିଆ ବାଇକ ଚାଳକଙ୍କ ଉପରେ ଚଢ଼ାଉ କରିଥିଲେ। ଫଳସ୍ୱରୂପ ଆଜି ଛଅ ଗୋଟି ବାଇକ ଜବତ କରିଛି ପୋଲିସ। ଉକ୍ତ ବାଇକ ଚାଳକ ମାନେ କ୍ଷିପ୍ର ଗତିରେ ବିକଟାଳ ଶବ୍ଦ କରି ନାଚୁଣୀ ବଜାରରେ ବାଇକ ଚଲାଉଥିବା ବେଳେ ପୋଲିସ ହାତରେ ଧରା ପଡିଛନ୍ତି।

ନାଚୁଣୀ ପୋଲିସ ଉକ୍ତ ବାଇକ ଜବତ କରିବା ସହ ବିଭିନ୍ନ ଦିଗରେ ତଦନ୍ତ ଜାରି ରଖିଛି।  ତେବେ ନାଚୁଣୀ ଅଞ୍ଚଳରେ ଏପରି ଗତିବିଧିକୁ କେବେବି ବରଦାସ୍ତ କରାଯିବ ନାହିଁ ଏବଂ ଏହିପରି ଚଢ଼ାଉ ଆଗକୁ ମଧ୍ୟ ଜାରି ରହିବ ବୋଲି ଆଇଆଇସି ଶ୍ରୀ ଜେନା କହିଛନ୍ତି।  ନାଚୁଣୀ ପୋଲିସର ଉକ୍ତ ପଦକ୍ଷେପକୁ ଅଞ୍ଚଳବାସୀ ସ୍ୱାଗତ କରିବା ସହ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ ଏସଡିପିଓ ପାଇଲେ ପ୍ରକୃତି ବନ୍ଧୁ ପୁରସ୍କାର

ସୀତାରାମ ଅଗ୍ରୱାଲ

ବ୍ରହ୍ମପୁର/ବାଲୁଗାଁ: ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ପାଇଲେ ପ୍ରକୃତି ବନ୍ଧୁ ପୁରସ୍କାର। ୭୪ ତମ ବନମହୋତ୍ସବ ସପ୍ତାହ ପାଳନ ଅବସରରେ ଶ୍ରୀ ମିଶ୍ରଙ୍କୁ ଉକ୍ତ ପୁରସ୍କାର ପ୍ରଦାନ କରାଯାଇଛି।

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସିନ୍ଦୁରାପଲ୍ଲି ସ୍ଥିତ ସେଣ୍ଟ୍ରାଲ ନର୍ସରୀ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଶ୍ରୀ ମିଶ୍ରଙ୍କୁ ଉକ୍ତ ପୁରସ୍କାର ପ୍ରଦାନ କରିଛନ୍ତି ଗଞ୍ଜାମ ଜିଲ୍ଲାପରିଷଦ ନିର୍ବାହୀ ଅଧିକାରୀ ଆଇଏଏସ କୀର୍ତ୍ତି ଭାଷନ।

ଉକ୍ତ ଉତ୍ସବରେ ଅନ୍ୟ ଅତିଥି ଭାବେ ଛତ୍ରପୁର ଉପ ଜିଲ୍ଲାପାଳ, ବ୍ରହ୍ମପୁର ଓ ଘୁମୁସର ଡ଼ିଏଫଓ ମଧ୍ୟ ଉପସ୍ଥିତ ଥିଲେ।

ସୂଚନା ଥାଉକି ଗଞ୍ଜାମ ଜିଲ୍ଲାରେ ପରିବେଶ ସୁରକ୍ଷା, ବୃକ୍ଷରୋପଣ ଏବଂ ପ୍ରକୃତି ବଞ୍ଚାଅ ଅଭିଯାନରେ ଜଡ଼ିତ ଥିବା ବିଭିନ୍ନ କ୍ଷେତ୍ରର ୧୬ ଜଣ ବ୍ୟକ୍ତିବିଶେଷଙ୍କୁ ଚଳିତ ବର୍ଷ ପ୍ରକୃତି ବନ୍ଧୁ ପୁରସ୍କାର ପାଇଁ ଗଞ୍ଜାମ ଜିଲ୍ଲା ବନ ବିଭାଗ ପକ୍ଷରୁ ଚୟନ କରାଯାଇଥିଲା। ତେବେ ବାଲୁଗାଁ ଏସଡିପିଓ ଶ୍ରୀ ମିଶ୍ର ଏହା ପୁର୍ବରୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଏସଡିପିଓ ଭାବେ କାର୍ଯ୍ୟରତ ଥିବାବେଳେ ପରିବେଶ ସୁରକ୍ଷା ଏବଂ ବୃକ୍ଷରୋପଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ତାଙ୍କୁ ଉକ୍ତ ପୁରସ୍କାର ପାଇଁ ଚୟନ କରାଯାଇଥିଲା।

Categories
ଆଞ୍ଚଳିକ

ବାଲୁଗାଁ ଏସଡିପିଓ ଭାବେ କାର୍ଯ୍ୟରେ ଯୋଗ ଦେଲେ ଓପିଏସ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ପୋଲିସ ସବ ଡିଭିଜନରେ ନୂତନ ଏସଡିପିଓ ଭାବେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି ଓପିଏସ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର। ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଏସଡିପିଓ ଭାବେ ଶ୍ରୀ ମିଶ୍ର କାର୍ଯ୍ୟରତ ଥିଲେ। ଭଞ୍ଜନଗର ପୋଲିସ ସବ ଡିଭିଜନରେ ତିନି ବର୍ଷରୁ ଊର୍ଦ୍ଧ୍ଵ ସମୟ କାର୍ଯ୍ୟକାଳରେ ଶ୍ରୀ ମିଶ୍ର ଅନେକ ଜନହିତକର କାର୍ଯ୍ୟ କରି ପ୍ରଶଂସାର ପାତ୍ର ପାଲଟିଥିଲେ। ତତସହିତ ଭଞ୍ଜନଗର ପୋଲିସ ଉପଖଣ୍ଡରେ ଆଇନ ଶୃଙ୍ଖଳା ରକ୍ଷା କରିବା କ୍ଷେତ୍ରରେ ଶ୍ରୀ ମିଶ୍ରଙ୍କର ଉଲ୍ଲେଖନୀୟ ଅବଦାନ ରହିଛି।

ଆଜି କାର୍ଯ୍ୟରେ ଯୋଗଦେବା ପରେ ବହୁ ପୋଲିସ ଅଧିକାରୀମାନେ ଶ୍ରୀ ମିଶ୍ରଙ୍କୁ ଭେଟି ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ।

ତେବେ ବାଲୁଗାଁ ପୋଲିସ ଉପଖଣ୍ଡରେ ଅପରାଧିକ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା, ଆଇନ ଶୃଙ୍ଖଳା ରକ୍ଷା କରିବା ସହ ବାଣପୁର ଓ ବାଲୁଗାଁ ସହରରେ ଟ୍ରାଫିକ ବ୍ୟବସ୍ଥାକୁ ସୁଧାରିବା ପ୍ରାଥମିକତା ରହିବ ବୋଲି ଆମ ପ୍ରତିନିଧିଙ୍କୁ ନୂତନ ଏସଡିପିଓ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

ସୂଚନା ଥାଉକି ବାଲୁଗାଁ ପୂର୍ବତନ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ତାଳଚେର ଏସଡିପିଓ ଭାବେ ନିକଟରେ ବଦଳି ହେବା ପରେ ଉକ୍ତ ପଦବୀ ଖାଲି ପଡିଥିଲା।