ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ଯୁବ ଏବଂ ସକ୍ରିୟ ଜନସଂଖ୍ୟା ଦ୍ୱାରା ପରିଚାଳିତ ଭାରତ ଏକ ଯୁଗାନ୍ତକାରୀ ଯାତ୍ରାର ଦ୍ୱାରଦେଶରେ ଅଛି। ବିଶ୍ୱ ଅର୍ଥବ୍ୟବସ୍ଥା ଦ୍ରୁତ ଗତିରେ ବିକଶିତ ହେଉଥିବାରୁ ଦକ୍ଷ କର୍ମଚାରୀଙ୍କ ଚାହିଦା ଖୁବ୍ ଦ୍ରୁତ ବେଗରେ ବୃଦ୍ଧି ପାଉଛି। ଏହାକୁ ସ୍ୱୀକାର କରି ଭାରତ ସରକାର ଏହାର ମାନବ ପୁଞ୍ଜିକୁ ନିଯୁକ୍ତିଯୋଗ୍ୟ, ଶିଳ୍ପ-ପ୍ରସ୍ତୁତ ଦକ୍ଷତା ସହ ବିକଶିତ କରିବା ଉଦ୍ଦେଶ୍ୟରେ ଅନେକ ପରିବର୍ତ୍ତନମୂଳକ ପଦକ୍ଷେପ ଆରମ୍ଭ କରିଛନ୍ତି। ଏକ ସମାବେଶୀ, ଗତିଶୀଳ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରି ଭାରତ କେବଳ ଏହାର ବୃଦ୍ଧି ପାଉଥିବା କର୍ମଚାରୀଙ୍କ ଆବଶ୍ୟକତାକୁ ପୂରଣ କରୁନାହିଁ ବରଂ ବିଶ୍ୱର ଦକ୍ଷତା ବିକାଶ ରାଜଧାନୀ ହେବା ଦିଗରେ ମଧ୍ୟ ପଥ ପ୍ରଶସ୍ତ କରୁଛି।
ଏହି ନିଯୁକ୍ତି ଅଭିବୃଦ୍ଧିର ପ୍ରମୁଖ ପଦକ୍ଷେପ ଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ପ୍ରଧାନମନ୍ତ୍ରୀ ଇଣ୍ଟର୍ଣ୍ଣସିପ୍ ସ୍କିମ୍ (ପିଏମଆଇଏସ)। ଏହି ଯୋଜନା ୨୦୨୪ କେନ୍ଦ୍ର ବଜେଟର ଅଂଶ ଭାବରେ ଆରମ୍ଭ ହୋଇଥିଲା। ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ୧୦ ନିୟୁତ ଯୁବକଯୁବତୀଙ୍କୁ ଇଣ୍ଟର୍ନସିପ୍ ପ୍ରଦାନ କରିବା ର ଲକ୍ଷ୍ୟ ରଖି ଏହି ଯୋଜନା ଶିକ୍ଷାଗତ ଜ୍ଞାନ ଏବଂ କାର୍ଯ୍ୟକ୍ଷେତ୍ରର ଶିଳ୍ପ ଦକ୍ଷତା ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ଦିଗରେ ଏକ ପରିବର୍ତ୍ତନଶୀଳ ଆଭିମୁଖ୍ୟର ପ୍ରତିନିଧିତ୍ୱ କରୁଛି। କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟର ନେତୃତ୍ୱରେ ପିଏମଆଇଏସ ଭାରତର ଶ୍ରେଷ୍ଠ ୫୦୦ କମ୍ପାନୀ ସହିତ ୧୨ ମାସର ଇଣ୍ଟରନସିପ୍ ରେ ଯୁବକଯୁବତୀମାନଙ୍କୁ ନିୟୋଜିତ କରିବାକୁ ଲକ୍ଷ୍ୟ ରଖିଛି, ଯାହା ସେମାନଙ୍କୁ ବାସ୍ତବ ଦୁନିଆର ବ୍ୟବସାୟିକ ପରିବେଶ ସହିତ ଯୋଡ଼ିପାରିବ।
ଏହି ଯୋଜନା ବର୍ତ୍ତମାନର ଅନ୍ୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମଠାରୁ ସ୍ୱାଧୀନ ଭାବରେ କାର୍ଯ୍ୟ କରିବ ଏବଂ ଏଥିରେ କାର୍ଯ୍ୟ ଅଭିଜ୍ଞତା ମାଧ୍ୟମରେ ନିଯୁକ୍ତି ଦକ୍ଷତା ବୃଦ୍ଧି ଉପରେ ଧ୍ୟାନ ଦିଆଯାଇଛି। ସିଏସଆର ପାଣ୍ଠି ଜରିଆରେ ଉଭୟ ସରକାରୀ ଓ କର୍ପୋରେଟ୍ କ୍ଷେତ୍ରର ସହାୟତାରେ ଏହି ଅଭିଯାନ ମାସିକ ୫,୦୦୦ ଟଙ୍କା ଷ୍ଟାଇପେଣ୍ଡ ପ୍ରଦାନ କରିଥାଏ, ଯାହା ଦ୍ୱାରା ବିଭିନ୍ନ ପୃଷ୍ଠଭୂମିର ଇଣ୍ଟର୍ଣ୍ଣମାନେ ଏଥିରେ ଅଂଶଗ୍ରହଣ କରିପାରିବେ। ଏହାବ୍ୟତୀତ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ମଡେଲ, ଯେଉଁଥିରେ ଆନୁସଙ୍ଗିକ ଖର୍ଚ୍ଚ ଏବଂ ବ୍ୟାପକ ବୀମା କଭରେଜ୍ ପାଇଁ ଏକକାଳୀନ ୬,୦୦୦ ଟଙ୍କାର ଅନୁଦାନ ଅନ୍ତର୍ଭୁକ୍ତ, ଏହି ଯୋଜନାକୁ ବ୍ୟାପକ ଭାବେ ବହୁସଂଖ୍ୟକ ଆଶାୟୀଙ୍କ ପାଇଁ ଆର୍ଥିକ ଦୃଷ୍ଟିରୁ ଉପଲବ୍ଧ କରାଇଛି।
ସରକାରୀ-ବେସରକାରୀ ସହଯୋଗକୁ ସମନ୍ୱିତ କରି, ପିଏମଆଇଏସ ଯୁବ ପେସାଦାରମାନଙ୍କ ମଧ୍ୟରେ ଉଦ୍ଭାବନ, ପ୍ରଶିକ୍ଷଣ ଏବଂ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ପାଇଁ ଡିଜାଇନ୍ କରାଯାଇଛି। ଗଠନମୂଳକ ଇଣ୍ଟର୍ନସିପ୍ ମାଧ୍ୟମରେ, ବ୍ୟକ୍ତିବିଶେଷମାନେ କାର୍ଯ୍ୟ ପରିବେଶ ସଂସ୍ପର୍ଶରେ ଆସନ୍ତି ଯାହା ସେମାନଙ୍କର ଦକ୍ଷତାକୁ ବଢ଼ାଇଥାଏ ଏବଂ ସେମାନଙ୍କୁ ଶିଳ୍ପର ଅଭିଜ୍ଞ ପେସାଦାରଙ୍କ ସହିତ ସମ୍ପର୍କ ସ୍ଥାପନ କରିବାକୁ ଅନୁମତି ଦିଏ, ମାର୍ଗଦର୍ଶନ ଯୋଗାଇ ଦିଏ ଯାହା ସେମାନଙ୍କ କ୍ୟାରିୟର ଗତିପଥକୁ ପରିବର୍ତ୍ତନ କରିପାରେ। ଏହି ଇଣ୍ଟର୍ନସିପ୍ ଗୁଡ଼ିକ କେବଳ ତତ୍କାଳ ନିଯୁକ୍ତି ପ୍ରଦାନ କରୁ ନାହିଁ, ବରଂ ଦୀର୍ଘକାଳୀନ ଔଦ୍ୟୋଗିକ ସଫଳତା ପାଇଁ ଏକ ପ୍ଲାଟଫର୍ମ ଭାବରେ ମଧ୍ୟ କାର୍ଯ୍ୟ କରୁଛି।
ଦ୍ରୁତ ଗତିରେ ବିକଶିତ ବିଶ୍ୱ ଅର୍ଥବ୍ୟବସ୍ଥାର ଆହ୍ୱାନକୁ ମୁକାବିଲା ପାଇଁ ପ୍ରସ୍ତୁତ ଥିବା ଏକ ଦକ୍ଷ ଏବଂ ଗତିଶୀଳ ଶ୍ରମଶକ୍ତି ନିର୍ମାଣ ପାଇଁ ଭାରତ ସରକାରଙ୍କ ବ୍ୟାପକ ଦୃଷ୍ଟିକୋଣକୁ ପ୍ରଧାନମନ୍ତ୍ରୀଙ୍କ ଇଣ୍ଟର୍ଣ୍ଣସିପ୍ ଯୋଜନା ପ୍ରତିଫଳିତ କରେ। ଭାରତ ବିଶ୍ୱର ଦକ୍ଷତା ବିକାଶ କେନ୍ଦ୍ର ହେବା ଦିଗରେ ଯାତ୍ରା ଜାରି ରଖିଥିବା ବେଳେ ବିଭିନ୍ନ କ୍ଷେତ୍ରରେ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସରକାରୀ ଯୋଜନାଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ (ଏମ୍ଏସଡିଇ) ନିଯୁକ୍ତି ଏବଂ ଦକ୍ଷତା ବିକାଶ କ୍ଷେତ୍ରକୁ ଉନ୍ନତ କରିବା ପାଇଁ ସ୍କିଲ୍ ଇଣ୍ଡିଆ ମିଶନ ଅଧୀନରେ ଏକାଧିକ ପଦକ୍ଷେପ ଗ୍ରହଣ କରିଛି। ପ୍ରମୁଖ କାର୍ଯ୍ୟକ୍ରମ ଗୁଡ଼ିକ ମଧ୍ୟରେ ସ୍ୱଳ୍ପ କାଳୀନ ଦକ୍ଷତା ପ୍ରଶିକ୍ଷଣ ପ୍ରଦାନ କରୁଥିବା ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା (ପିଏମକେଭିୱାଇ) ଏବଂ ସମଗ୍ର ଭାରତରେ ଗୁଣାତ୍ମକ ତାଲିମକୁ ମାନକୀକରଣ କରୁଥିବା ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର (ପିଏମକେକେ)ଅନ୍ତର୍ଭୁକ୍ତ।
ଜନ ଶିକ୍ଷଣ ଅନୁଷ୍ଠାନ (ଜେଏସଏସ) ଭଳି ଅନ୍ୟାନ୍ୟ ପଦକ୍ଷେପ ଅଶିକ୍ଷିତ ଏବଂ ଗ୍ରାମୀଣ ଜନସାଧାରଣଙ୍କୁ ଲକ୍ଷ୍ୟ ରଖି କାର୍ଯ୍ୟ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ଯୁବା ଯୋଜନା ଉଦ୍ୟୋଗକୁ ପ୍ରୋତ୍ସାହିତ କରୁଛି। ସ୍କିଲ ଇଣ୍ଡିଆ ଡିଜିଟାଲ (ଏସଆଇଡି)ର ଶୁଭାରମ୍ଭ ଦ୍ୱାରା ଚାକିରି ମେଳକ ଏବଂ ନିରନ୍ତର ଶିକ୍ଷା ପାଇଁ ଏଆଇ ଦ୍ୱାରା ପରିଚାଳିତ ଉପକରଣ ଉପଲବ୍ଧ ହୋଇଛି। ଏହାବ୍ୟତୀତ ପିଏମ ବିଶ୍ୱକର୍ମା ଯୋଜନା ପାରମ୍ପରିକ କାରିଗରମାନଙ୍କୁ ସେମାନଙ୍କ ଦକ୍ଷତାର ଆଧୁନିକୀକରଣ ଏବଂ ବିଶ୍ୱ ବଜାରରେ ଏକୀକରଣ କରିବା ସହିତ ସ୍ଥାୟୀ ଜୀବିକା ସୁନିଶ୍ଚିତ କରି ସହାୟତା କରେ। ଏହି ପଦକ୍ଷେପଗୁଡ଼ିକ ମିଳିତ ଭାବେ ଭାରତରେ ଅଧିକ ଦକ୍ଷ ଏବଂ ନିଯୁକ୍ତିଯୋଗ୍ୟ ଶ୍ରମଶକ୍ତି ସୃଷ୍ଟି କରୁଛି। ଏହାବ୍ୟତୀତ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଦକ୍ଷତା ଅନୁଷ୍ଠାନରୁ ଶ୍ରେଷ୍ଠ ଅଭ୍ୟାସ ଶିଖି ବିଶ୍ୱସ୍ତରୀୟ ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର ନିର୍ମାଣ ପାଇଁ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍କିଲ୍ ପ୍ରତିଷ୍ଠା ଏ କ୍ଷେତ୍ରରେ ଆଉ ଏକ ସୋପାନ ଯୋଡ଼ିଛି।
ଦେଶ ଭବିଷ୍ୟତ ଆଡ଼କୁ ଅଗ୍ରସର ହେଉଥିବା ବେଳେ ଦକ୍ଷତା, ନିଯୁକ୍ତି ଏବଂ ଉଦ୍ଭାବନ ଉପରେ ଗୁରୁତ୍ୱ ଦେବା ଭାରତର ସାମାଜିକ-ଆର୍ଥିକ ଦୃଶ୍ୟପଟକୁ ନୂଆ ରୂପ ଦେବାକୁ ପ୍ରତିଶ୍ରୁତି ଦେଇଛି। ପିଏମଆଇଏସ ଭଳି ପଦକ୍ଷେପ ଦ୍ୱାରା ନିଯୁକ୍ତି ଧାରାରେ ଉନ୍ନତି ଆସିଛି ଏବଂ ଏହା ଏକ ଆଶାଜନକ ଭବିଷ୍ୟତ ଉପରେ ଆଲୋକପାତ କରୁଛି ଯେଉଁଠାରେ ଯୁବ ପେସାଦାରମାନେ କେବଳ ଚାକିରି ପାଇଁ ପ୍ରସ୍ତୁତ ନୁହଁନ୍ତି ବରଂ ଭାରତର ଆର୍ଥିକ ଅଭିବୃଦ୍ଧି ଏବଂ ବିଶ୍ୱସ୍ତରୀୟ ପ୍ରତିଦ୍ୱନ୍ଦ୍ୱିତାର ମୁଖ୍ୟ ଚାଳକ ମଧ୍ୟ ଅଟନ୍ତି।