Categories
ଆଜିର ଖବର ଜାତୀୟ ଖବର

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହର ପ୍ରତିକୂଳ ପ୍ରଭାବରୁ କର୍ମଜୀବୀ ଏବଂ ଶ୍ରମିକମାନଙ୍କୁ ସୁରକ୍ଷା ଦେବା ନିମନ୍ତେ କେନ୍ଦ୍ରର ଚିଠି

ନୂଆଦିଲ୍ଲୀ: କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ ବିଭିନ୍ନ କ୍ଷେତ୍ରରେ ନିୟୋଜିତ କର୍ମଜୀବୀ ଏବଂ ଶ୍ରମିକମାନଙ୍କୁ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରୁ ସୁରକ୍ଷା ଦେବା ପାଇଁ ପ୍ରଭାବଶାଳୀ ପଦକ୍ଷେପ ସୁନିଶ୍ଚିତ କରିବାକୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଛି।

ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟର ସଚିବ, ସମସ୍ତ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବ / ପ୍ରଶାସକଙ୍କୁ ଏକ ଚିଠିରେ, କର୍ମଜୀବୀ / ଶ୍ରମିକମାନଙ୍କୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ସୁରକ୍ଷା ଦେବା ଏବଂ ବର୍ଦ୍ଧିତ ତାପମାତ୍ରାର ପ୍ରତିକୂଳ ପ୍ରଭାବ ପାଇଁ ପ୍ରତିକାରମୂଳକ ପଦକ୍ଷେପ ନେବା ପାଇଁ ବ୍ୟବସାୟ / ନିଯୁକ୍ତିଦାତା / ନିର୍ମାଣ କମ୍ପାନୀ / ଶିଳ୍ପଗୁଡ଼ିକୁ ନିର୍ଦ୍ଦେଶ ଜାରି କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି।

ଏହି ପତ୍ର ମାଧ୍ୟମରେ ଏକ ସମନ୍ୱିତ, ବହୁ-କ୍ଷେତ୍ରୀୟ ପଦ୍ଧତି ସୁପାରିଶ କରାଯାଇଛି, ଯେଉଁଥିରେ କାର୍ଯ୍ୟ ସମୟର ପୁନଃନିର୍ଦ୍ଧାରଣ, କାର୍ଯ୍ୟସ୍ଥଳ ଏବଂ ବିଶ୍ରାମସ୍ଥଳରେ ପର୍ଯ୍ୟାପ୍ତ ପାନୀୟ ଜଳ ସୁବିଧା, ବାୟୁଚଳନ ଏବଂ ଶୀତଳୀକରଣ ସୁବିଧା ସୁନିଶ୍ଚିତ କରିବା, ଶ୍ରମିକମାନଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ନିର୍ମାଣ ଶ୍ରମିକମାନଙ୍କୁ ଜରୁରୀକାଳୀନ ବରଫ ପ୍ୟାକ୍ ଏବଂ ଗରମ ସମ୍ବନ୍ଧୀୟ ରୋଗ ନିବାରଣ ସାମଗ୍ରୀ ପ୍ରଦାନ କରିବା ଅନ୍ତର୍ଭୁକ୍ତ।

ଚିଠିରେ ଖଣି ଏବଂ କାରଖାନା ପରିଚାଳନାକୁ କାମର ଗତିକୁ ଧୀର କରିବା, ଅନୁକୂଳ କାର୍ଯ୍ୟ ସୂଚୀ ରଖିବା, ଅତ୍ୟଧିକ ଗ୍ରୀଷ୍ମପ୍ରବାହରେ ଦୁଇ ଜଣିଆ ଦଳ ଗଠନ କରିବା ଏବଂ ଭୂତଳ ଖଣିରେ ଉପଯୁକ୍ତ ବାୟୁଚଳାଚଳ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି। କାରଖାନା ଏବଂ ଖଣି ବ୍ୟତୀତ, ନିର୍ମାଣ ଏବଂ ଇଟା ଭାଟିରେ କାମ କରୁଥିବା ଶ୍ରମିକମାନଙ୍କ ପ୍ରତି ବିଶେଷ ଧ୍ୟାନ ଦେବା ଏବଂ ସଚେତନତା ଶିବିର, ଶ୍ରମିକ ଛକ ଇତ୍ୟାଦିରେ ପୋଷ୍ଟର ଏବଂ ବ୍ୟାନର ମାଧ୍ୟମରେ ଶ୍ରମିକମାନଙ୍କୁ ପ୍ରଚଣ୍ଡ ଗରମରୁ ସୁରକ୍ଷାର ପଦ୍ଧତି ବିଷୟରେ ବ୍ୟାପକ ସୂଚନା ପ୍ରଦାନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି।

ମନ୍ତ୍ରଣାଳୟ ଏହାର ସଂଗଠନ (ଡିଜିଏଲଡବ୍ଲୁ, ସିଏଲସି, ଡିଟିଏନବିଡବ୍ଲୁଇଡି, ଭିଭିଜିଏନଏଲଆଇ, ଡିଜିଏଫ୍ଏଏସଏଲଆଇ, ଡିଜିଏମଏସ, ଇଏସଆଇସି)କୁ ଗ୍ରୀଷ୍ମପ୍ରବାହ ସଂପର୍କରେ ସଚେତନତା ଅଧିବେଶନ ଆୟୋଜନ କରିବାକୁ ଏବଂ ଗ୍ରୀଷ୍ମ ପ୍ରବାହର କାରଣ ଏବଂ ପ୍ରଭାବ ବିଷୟରେ ଶ୍ରମିକମାନଙ୍କୁ ସଚେତନ କରିବା, ଗ୍ରୀଷ୍ମ ଚାପ, ପ୍ରତିଷେଧକ ରଣନୀତି ଏବଂ ଗ୍ରୀଷ୍ମ ପ୍ରବାହର ପ୍ରତିକୂଳ ପ୍ରଭାବକୁ ହ୍ରାସ କରିବାର ଉପାୟ ବିଷୟରେ ଶ୍ରମିକମାନଙ୍କୁ ସଚେତନ କରିବା ଉପରେ ଧ୍ୟାନ ଦେବା ପାଇଁ ସେମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ନିର୍ଦ୍ଦିଷ୍ଟ ମଡ୍ୟୁଲ୍ ଅନ୍ତର୍ଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛି।

ଡିଜିଏଲଡବ୍ଲୁ ଏବଂ ଇଏସ୍ଆଇସି ଅଧୀନରେ ଥିବା ଡାକ୍ତରଖାନା ଏବଂ ଡିସ୍ପେନସରିଗୁଡ଼ିକୁ ମଧ୍ୟ ଅଂଶୁଘାତ ମାମଲାର ଯତ୍ନ ନେବା ଏବଂ ଓଆରଏସ୍, ଆଇସ୍ ପ୍ୟାକ୍ ଏବଂ ଅନ୍ୟାନ୍ୟ ଗ୍ରୀଷ୍ମପ୍ରବାହ ଜନିତ ରୋଗ ପ୍ରତିରୋଧ ସାମଗ୍ରୀର ପର୍ଯ୍ୟାପ୍ତ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଉତ୍ସର୍ଗୀକୃତ ଡେସ୍କ ସ୍ଥାପନ କରିବାକୁ କୁହାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଅସଙ୍ଗଠିତ ଶ୍ରମିକମାନଙ୍କ କଲ୍ୟାଣ ପାଇଁ ‘ଇ-ଶ୍ରମ, ୱାନ ଷ୍ଟପ୍ ସଲ୍ୟୁସନ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଶ୍ରମ ଓ ରୋଜଗାର ତଥା ଯୁବ ବ୍ୟପାର ଏବଂ କ୍ରୀଡ଼ା ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟ ନୂଆଦିଲ୍ଲୀରେ ‘ଇ-ଶ୍ରମ-ୱାନ ଷ୍ଟପ୍ ସଲ୍ୟୁସନ୍‌’ର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ କେନ୍ଦ୍ର ଶ୍ରମ ଓ ରୋଜଗାର ରାଷ୍ଟ୍ର ମନ୍ତ୍ରୀ ଶୋଭା କରନ୍ଦଲାଜେ ଏବଂ ମନ୍ତ୍ରଣାଳୟର ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଶୁଭାରମ୍ଭ କାର୍ଯ୍ୟକ୍ରମ ଅବସରରେ ଡ. ମାଣ୍ଡଭିୟ ଇ-ଶ୍ରମ ପୋର୍ଟାଲ ପ୍ରତି ବଢ଼ୁଥିବା ଭରସା ଉପରେ ଜୋର୍ ଦେଇ କହିଥିଲେ, ‘ପ୍ରତ୍ୟେକ ଦିନ ପ୍ରାୟ ୬୦ ହଜାରରୁ ୯୦ ହଜାର ଶ୍ରମିକ ଇ-ଶ୍ରମ ପ୍ଲାଟଫର୍ମରେ ଯୋଡ଼ି ହେଉଛନ୍ତି, ଯାହାକି ଏହା ପ୍ରତି ଥିବା ବିଶ୍ୱାସକୁ ଦର୍ଶାଉଛି।” ସେ କହିଥିଲେ କି, ଇ-ଶ୍ରମ ୱାନ ଷ୍ଟପ୍ ସଲ୍ୟୁସନ ଇ-ଶ୍ରମରେ ପଂଜିକୃତ ହୋଇଥିବା ଅସଙ୍ଗଠିତ ଶ୍ରମିକମାନଙ୍କ ନିକଟରେ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାକୁ ବିନା ବାଧାରେ ପହଞ୍ଚାଇବ।

ଡ. ମାଣ୍ଡଭିୟ ଏହା ମଧ୍ୟ କହିଥିଲେ, ଇ-ଶ୍ରମ ୱାନ ଷ୍ଟପ୍ ସଲ୍ୟୁସନ ପୋର୍ଟାଲର ପ୍ରାଥମିକ ଉଦ୍ଦେଶ୍ୟ ଅସଙ୍ଗଠିତ ଶ୍ରମିକମାନଙ୍କ ପାଇଁ ପଂଜିକରଣ ପ୍ରକ୍ରିୟା ସରଳ କରିବା ଏବଂ ସରକାରଙ୍କ କଲ୍ୟାଣକାରୀ ଯୋଜନାକୁ ସେମାନଙ୍କ ନିକଟରେ ସହଜରେ ପହଞ୍ଚାଇବା। ସେ କହିଥିଲେ, “ଏହି ପ୍ଲାଟଫର୍ମ ଏକ ସେତୁ ଭଳି କାମ କରିବ। ଯାହାକି ଶ୍ରମିକମାନଙ୍କୁ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଅନେକ ଲାଭକୁ ଯୋଡ଼ିବ ଏବଂ ପଂଜିକରଣ ପ୍ରକ୍ରିୟାକୁ ସହଜ ଓ ଅଧିକ ପାରଦର୍ଶୀ ବନାଇବ।”

ଡ. ମାଣ୍ଡଭିୟ ସମସ୍ତ ଅସଙ୍ଗଠିତ ଶ୍ରମିକମାନଙ୍କୁ ଇ-ଶ୍ରମ ପୋର୍ଟାଲରେ ପଂଜିକରଣ କରିବା ସହ ସେମାନଙ୍କ ପାଇଁ ଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନାର ଲାଭ ନେବାକୁ ପରାମର୍ଶ ଦେଇଛନ୍ତି। ସେ ଜୋର୍ ଦେଇ କହିଥିଲେ, ଏହି ପ୍ଲାଟଫର୍ମକୁ ଆସିଲେ ଶ୍ରମିକମାନେ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଉଥିବା ସାମାଜିକ ସୁରକ୍ଷା ଓ କଲ୍ୟାଣକାରୀ ଯୋଜନାର ସୁବିଧା ପାଇପାରିବେ, ଯାହାକି ସେମାନଙ୍କ ଜୀବିକାରେ ସୁଧାର ଓ କଲ୍ୟାଣ ଆଣିବ।

ଶୋଭା କରନ୍ଦଲାଜେ ରାଜ୍ୟ ସରକାରଙ୍କ ପୋର୍ଟାଲ ଗୁଡ଼ିକୁ ଇ-ଶ୍ରମ ପୋର୍ଟାଲ ସହ ଏକୀକୃତ କରିବା ଉପରେ ଜୋର୍ ଦେଇଥିଲେ। ଏହା ରାଜ୍ୟ ଓ ଜିଲ୍ଲା ୱାରୀ ସମ୍ଭାବ୍ୟ ଲାଭାର୍ଥୀମାନଙ୍କୁ ଚିହ୍ନଟ କରିବା ସହ ଯୋଜନାର ଫାଇଦାକୁ ସୁନିଶ୍ଚିତ କରିବାରେ ସହାୟକ ହେବ।

ୱାନ ଷ୍ଟପ୍ ସଲ୍ୟୁସନରେ ବଜେଟ ଘୋଷଣା ଏବଂ ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟର ୧୦୦ ଦିନର କାର୍ଯ୍ୟସୂଚୀ ଅନୁସାରେ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରାଳୟ ଓ ବିଭାଗର ତଥ୍ୟକୁ ଏକୀକୃତ କରିବା ମଧ୍ୟ ସାମିଲ ରହିଛି। ଏକ ରାଷ୍ଟ୍ର-ଏକ ରାସନ କାର୍ଡ, ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ରୋଜଗାର ଗ୍ୟାରେଣ୍ଟି ଯୋଜନା, ରାଷ୍ଟ୍ରୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମରାଷ୍ଟ୍ରୀୟ କ୍ୟାରିଅର ସେବା, ପ୍ରଧାନମନ୍ତ୍ରୀ ଯୋଗୀ ମାନଧନ ଇତ୍ୟାଦି କଲ୍ୟାଣକାରୀ ଯୋଜନାକୁ ଇ-ଶ୍ରମ ପୋର୍ଟାଲ ସହ ଏକୀକୃତ କରାଯାଇଛି ଏବଂ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ସାମିଲ କରିବାକୁ ମଧ୍ୟ କାର୍ଯ୍ୟ କରାଯାଉଛି।

ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ସଚିବ ସୁଶ୍ରୀ ସୁମିତା ଡାୱରା କହିଥିଲେ କି, ଇ-ଶ୍ରମ ୱାନ ଷ୍ଟପ୍ ସଲ୍ୟୁସନ ଅସଙ୍ଗଠିତ ଶ୍ରମିକମାନଙ୍କ ପାଇଁ ଥିବା ବିଭିନ୍ନ ସରକାରୀ ଯୋଜନାକୁ ବିନାବାଧାରେ ପହଞ୍ଚାଇବା ଦିଗରେ ସହାୟକ ହୋଇପାରିବ। ‘ୱାନ ଷ୍ଟପ୍ ସଲ୍ୟୁସନ’ ପାଇଁ ଚାଲିଥିବା ପ୍ରକ୍ରିୟା ସମସ୍ତ ସାମାଜିକ ସୁରକ୍ଷା କଲ୍ୟାଣକାରୀ ଯୋଜନାଗୁଡ଼ିକୁ ଇ-ଶ୍ରମ ପୋର୍ଟାଲ ସହ ଯୋଡ଼ିବା ଦିଗରେ ଜାରି ରଖିବ।

ନୂତନ ସରକାରଙ୍କ ପ୍ରଥମ ଶହେ ଦିନରେ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକ ସାମାଜିକ ସୁରକ୍ଷା/କଲ୍ୟାଣକାରୀ ଯୋଜନାଗୁଡ଼ିକୁ ଇ-ଶ୍ରମ ସହ ଏକୀକୃତ କରିବା ଦିଗରେ ଅନେକ ବୈଠକ ହୋଇଛି। ଏହା ଅସଙ୍ଗଠିତ ଶ୍ରମିକମାନଙ୍କ ପାଇଁ ସରକାରଙ୍କ ଦୃଷ୍ଟିକୋଣକୁ ଦର୍ଶାଉଛି।

୨୦୨୧ ଅଗଷ୍ଟ ୨୬ ତାରିଖରେ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଦ୍ୱାରା ଇ-ଶ୍ରମ ପୋର୍ଟାଲର ଶୁଭାରମ୍ଭ ହୋଇଥିଲା ଏବଂ ଏ ପର୍ଯ୍ୟନ୍ତ ୩୦ କୋଟିରୁ ଅଧିକ ଶ୍ରମିକ ଇ-ଶ୍ରମରେ ପଂଜିକରଣ କରିପାରିଛନ୍ତି।