Categories
ଆଜିର ଖବର ଜାତୀୟ ଖବର

ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଭାରତର ସାମାଜିକ ସୁରକ୍ଷା: ଆରମ୍ଭ କଲା ଡାଟା ପୁଲିଂ କାର୍ଯ୍ୟ 

ନୂଆଦିଲ୍ଲୀ: ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ ଦ୍ୱାରା ଆନ୍ତର୍ଜାତୀୟ ଶ୍ରମ ସଂଗଠନ ସହଯୋଗରେ କରାଯାଇଥିବା ଏକ ବ୍ୟାପକ ଡାଟା-ପୁଲିଂ କାର୍ଯ୍ୟ ମାଧ୍ୟମରେ ଭାରତ ସାମାଜିକ ସୁରକ୍ଷା କଭରେଜକୁ ପ୍ରୋତ୍ସାହିତ କରିବାରେ ଉଲ୍ଲେଖନୀୟ ଅଗ୍ରଗତି କରିଛି। ହିତାଧିକାରୀ ଚିହ୍ନଟ କରିବା ପାଇଁ ମନରେଗା, ଇପିଏଫଓ, ଇଏସଆଇସି, ଏପିୱାଇ ଏବଂ ପିଏମ-ପୋଷଣ ଭଳି ୩୪ଟି ପ୍ରମୁଖ କେନ୍ଦ୍ରୀୟ ଯୋଜନାରେ ଏନକ୍ରିପ୍ଟେଡ ଆଧାରକୁ ଏକ ସ୍ୱତନ୍ତ୍ର ପରିଚୟକ ଭାବରେ ବ୍ୟବହାର କରି, ୨୦୦ କୋଟିରୁ ଅଧିକ ରେକର୍ଡର ପ୍ରକ୍ରିୟାକରଣ କରାଯାଇଥିଲା।

ଏହି ଅଭ୍ୟାସରୁ ଜଣାପଡିଛି ଯେ ଭାରତର ୬୫% ଜନସଂଖ୍ୟା (୯୨ କୋଟି ଲୋକ) ଅତି କମରେ ଗୋଟିଏ ସାମାଜିକ ସୁରକ୍ଷା ସୁବିଧା (ନଗଦ, ଅଣଆର୍ଥିକ ସୁବିଧା ଏବଂ ଉଭୟ ପ୍ରକାରରେ) ଅନ୍ତର୍ଭୁକ୍ତ ଅଛନ୍ତି ଏବଂ ୪୮.୮% ନଗଦ ସୁବିଧା ପାଉଛନ୍ତି। ଆଇଏଲଓର ବିଶ୍ୱ ସାମାଜିକ ସୁରକ୍ଷା ରିପୋର୍ଟ (ଡବ୍ଲୁଏସପିଆର୍) ୨୦୨୪-୨୬ ଅନୁଯାୟୀ ଭାରତର ସାମାଜିକ ସୁରକ୍ଷା କଭରେଜ୍ ୨୦୨୧ରେ ୨୪.୪% ଥିବାବେଳେ ୨୦୨୪ରେ ଏହା ଦ୍ୱିଗୁଣିତ ହୋଇ ୪୮.୮%ରେ ପହଞ୍ଚିଛି।

ଆଇଏଲଓ ଦ୍ୱାରା ଭାରତର ବର୍ତ୍ତମାନର ସାମାଜିକ ସୁରକ୍ଷା କଭରେଜ୍ ଆକଳନ ଅର୍ଥାତ୍ ୪୮.୮% ଏବେ ବି ଏକ ବାସ୍ତବିକତାଠାରୁ କମ ପ୍ରତୀତ ହୁଏ, କାରଣ ଏଥିରେ (କ) ଦେଶର ନାଗରିକମାନଙ୍କୁ ପ୍ରଦାନ କରାଯାଉଥିବା ପ୍ରକାର ସୁବିଧା, ଯେପରିକି ଖାଦ୍ୟ ସୁରକ୍ଷା ଏବଂ ଆବାସ ସୁବିଧା ଏବଂ (ଖ) ରାଜ୍ୟମାନଙ୍କ ଦ୍ୱାରା ପରିଚାଳିତ ସାମାଜିକ ସୁରକ୍ଷା ଯୋଜନା ଆଦିକୁ ବିଚାରକୁ ନିଆଯାଇନାହିଁ। ଏହି ତଥ୍ୟକୁ ବିଚାରକୁ ନିଆଯିବା ପରେ ଭାରତର ପ୍ରକୃତ ସାମାଜିକ ସୁରକ୍ଷା କଭରେଜ୍ ବହୁତ ଅଧିକ ହେବ ବୋଲି ଆଶା କରାଯାଉଛି।

ଏହି ପରିପ୍ରେକ୍ଷୀରେ ମନ୍ତ୍ରଣାଳୟ ଏକ ଉଚ୍ଚସ୍ତରୀୟ ଆଲୋଚନା ମାଧ୍ୟମରେ ଆଇଏଲଓ ମୁଖ୍ୟାଳୟ ସହିତ କ୍ରମାଗତ ଭାବରେ ଅନୁଧ୍ୟାନ କରିଆସୁଛି । ଗତ ସପ୍ତାହରେ ଜେନେଭାରେ ଭାରତ ସହ ଆଇଏଲଓର ୩୫୩ତମ ଗଭର୍ଣ୍ଣିଂ ବଡି ବୈଠକରେ ସଚିବ (ଏଲଆଣ୍ଡଇ) ଏବଂ ଆଇଏଲଓର ଡିଜିଙ୍କ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ଆଲୋଚନାରେ ଆଇଏଲଓ କହିଛି ଯେ ଆବାସ ଏବଂ ଖାଦ୍ୟ ନିରାପତ୍ତା ସେମାନଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ସମ୍ପ୍ରସାରିତ ସୂଚକାଙ୍କ (ମିଳିତ ଜାତିସଂଘ-ନିରନ୍ତର ବିକାଶ ଲକ୍ଷ୍ୟ ଉପରେ ଆଧାରିତ)ର ଏକ ଅଂଶ ଅଟେ । ତେଣୁ ଏଭଳି ଯୋଜନା ଏବଂ ଆନୁଷଙ୍ଗିକ ତଥ୍ୟକୁ ମଧ୍ୟ ଆଇଏଲଓ ବିଚାର କରିବ।

ଭାରତରେ ସାମାଜିକ ସୁରକ୍ଷା କଭରେଜର ଏକ ବ୍ୟାପକ ଚିତ୍ର ପାଇବା ପାଇଁ ଏକ ଜାତୀୟ ସାମାଜିକ ସୁରକ୍ଷା ଡାଟା ପୁଲିଂ ପ୍ରକ୍ରିୟା ସ୍ଥାପନ କରିବାରେ ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ ରାଜ୍ୟ ସରକାର ଏବଂ ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଓ) ସହିତ ସକ୍ରିୟ ଭାବରେ ସହଯୋଗ କରୁଛି। ରାଜ୍ୟ ସରକାରଙ୍କ ଶ୍ରମ ବିଭାଗଗୁଡ଼ିକ ସମ୍ପୃକ୍ତ ରାଜ୍ୟର ରାଜ୍ୟ ନିର୍ଦ୍ଦିଷ୍ଟ ତଥ୍ୟ ସଂଗ୍ରହ କରିବାରେ ଏବଂ ଏହାକୁ କେନ୍ଦ୍ର ସରକାରଙ୍କ ସହିତ ସେୟାର କରିବାରେ ନୋଡାଲ୍ ଭୂମିକା ଗ୍ରହଣ କରୁଛନ୍ତି ଯାହାଦ୍ୱାରା ଅଧିକ ସମନ୍ୱୟ, ବୈଧତା ଏବଂ ନକଲ ଦୂର କରାଯାଇପାରିବ।

ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ ୧୯.୦୩.୨୦୨୫ ରେ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏକ ହାଇବ୍ରିଡ୍ ବୈଠକରେ ଭାରତର ସାମାଜିକ ସୁରକ୍ଷା ଡାଟା ପୁଲିଂ ଅଭ୍ୟାସର ପ୍ରଥମ ପର୍ଯ୍ୟାୟ ଆରମ୍ଭ କରିଥିଲା। ପ୍ରଥମ ପର୍ଯ୍ୟାୟ ପାଇଁ, ମନ୍ତ୍ରଣାଳୟ କେନ୍ଦ୍ରୀୟ ସ୍ତରରେ ଡାଟା ସମନ୍ୱୟ ପାଇଁ ଉତ୍ତରପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ତାମିଲନାଡୁ, ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ ଏବଂ ଗୁଜରାଟ ଭଳି ମନୋନୀତ ରାଜ୍ୟଗୁଡ଼ିକୁ ଚିହ୍ନଟ କରିଛି।

ଏହି ତଥ୍ୟ ସଂଗ୍ରହ ପ୍ରକ୍ରିୟା କେବଳ ସାମାଜିକ ସୁରକ୍ଷାରେ ଏକ ଅଗ୍ରଣୀ ଭାବରେ ଭାରତର ବିଶ୍ୱ ଖ୍ୟାତିକୁ ସୁଦୃଢ଼ ​​କରିବ ନାହିଁ, ବରଂ କେନ୍ଦ୍ର ସରକାର, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କଲ୍ୟାଣ ଖର୍ଚ୍ଚକୁ ସର୍ବୋତ୍ତମ କରିବା ଏବଂ ସାମାଜିକ ସୁରକ୍ଷାର ସ୍ଥାୟୀ ଆର୍ଥିକ ସହାୟତା ଦିଗରେ ଅଗ୍ରସର ହେବାରେ ସାହାଯ୍ୟ କରିବ। ଏହା ରାଜ୍ୟ-ନିର୍ଦ୍ଦିଷ୍ଟ ସାମାଜିକ ସୁରକ୍ଷା ଯୋଜନା ଅଧୀନରେ ନିର୍ଦ୍ଦିଷ୍ଟ ହିତାଧିକାରୀମାନଙ୍କୁ ଚିହ୍ନଟ କରିବାରେ ମଧ୍ୟ ରାଜ୍ୟଗୁଡ଼ିକୁ ସାହାଯ୍ୟ କରିବ।

ଏହି ଅଭ୍ୟାସ ଅନ୍ୟ ଦେଶମାନଙ୍କ ସହିତ ବାଣିଜ୍ୟ ଏବଂ ସାମାଜିକ ସୁରକ୍ଷା ଚୁକ୍ତିନାମା ଆଲୋଚନାରେ ଭାରତର ସ୍ଥିତିକୁ ସୁଦୃଢ଼ ​​କରିବ ଏବଂ ବିଶ୍ୱ ମୂଲ୍ୟ ଶୃଙ୍ଖଳାରେ ଭଲ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଭାରତର ପ୍ରତିବଦ୍ଧତାକୁ ମଧ୍ୟ ପ୍ରଦର୍ଶନ କରିବ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଜେନେଭାରେ ଅନ୍ତର୍ଜାତୀୟ ଶ୍ରମ ସଂଗଠନର ୩୫୩ ତମ ପରିଚାଳନା ପରିଷଦ ବୈଠକରେ ଭାରତର ଅଂଶଗ୍ରହଣ

ନୂଆଦିଲ୍ଲୀ: ଆନ୍ତର୍ଜାତିକ ଶ୍ରମ ସଂଗଠନ (ଆଇଏଲ୍‍ଓ)ର ୩୫୩ତମ ପରିଚାଳନା ପରିଷଦ ବୈଠକ ୧୦ ମାର୍ଚ୍ଚ ରୁ ୨୦ ମାର୍ଚ୍ଚ, ୨୦୨୫  ପର୍ଯ୍ୟନ୍ତ ସୁଇଜରଲ୍ୟାଣ୍ଡର ଜେନେଭାରେ ଅନୁଷ୍ଠିତ ହେଉଛି। ଏହି ବୈଠକରେ ଆଇଏଲ୍‍ଓର ତିନୋଟି ଅଙ୍ଗ ସରକାର, କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କୁ ଏକତ୍ରିତ କରାଯାଇ ଶାସନ ସହିତ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ଆଲୋଚନା ପାଇଁ ସୁଯୋଗ ସୃଷ୍ଟି କରାଯାଇଛି।

ଭାରତ ସରକାରଙ୍କ ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟର ସଚିବ ସୁମିତା ଦାଓରାଙ୍କ ନେତୃତ୍ୱରେ ଭାରତୀୟ ପ୍ରତିନିଧିମଣ୍ଡଳ ପ୍ରମୁଖ ପ୍ରସଙ୍ଗଗୁଡ଼ିକରେ ଆଲୋଚନା ପାଇଁ ସୁଯୋଗ ସୃଷ୍ଟି କରିଥିଲା। ଏଥିରେ ବିଶ୍ୱସ୍ତରରେ ଶ୍ରମ କଲ୍ୟାଣ, ସାମାଜିକ ନ୍ୟାୟ ଏବଂ ଗୁଣାତ୍ମକ ନିଯୁକ୍ତି ସୃଷ୍ଟିକୁ ପ୍ରୋତ୍ସାହିତ କରିବାର ସହଭାଗୀ ଏଜେଣ୍ଡାକୁ ଅଗ୍ରସର କରିବା ପାଇଁ ଭାରତର ସଫଳତା, ଶିକ୍ଷା ଏବଂ ଦୃଷ୍ଟିକୋଣ ପ୍ରଦର୍ଶନ କରାଯାଇଥିଲା।

ସାମାଜିକ ବିକାଶ ପାଇଁ ଦ୍ୱିତୀୟ ବିଶ୍ୱ ସମ୍ମିଳନୀ

ଚଳିତ ବର୍ଷ ଶଷ ଆଡ଼କୁ କାତାରର ଦୋହାଠାରେ ଜାତିସଂଘ ନେତୃତ୍ୱରେ ସାମାଜିକ ବିକାଶ ପାଇଁ ଆୟୋଜିତ ହେବାକୁ ଥିବା ତୀୟ ବିଶ୍ୱ ସମ୍ମିଳନୀ ପାଇଁ ଆଇଏଲ୍‍ଓକୁ ସମର୍ଥନ କରିଛି। କାରଣ ଏହା ୨୦୩୦ ସୁଦ୍ଧା ସାମାଜିକ ବିକାଶ ପାଇଁ  ଏଜେଣ୍ଡାକୁ ସୁଦୃଢ଼ ​​କରିବା ଲକ୍ଷ୍ୟ ରଖିଛି। ସାମାଜିକ ନ୍ୟାୟ ଏବଂ ବିକାଶକୁ ପ୍ରୋତ୍ସାହିତ କରିବାରେ ଭାରତର ପ୍ରେରଣାଦାୟକ ଅଗ୍ରଗତି ଉପରେ ଆଲୋକପାତ କରାଯାଇଥିଲା, କାରଣ ଭାରତ ଏହାର ସାମାଜିକ ସୁରକ୍ଷାର ବଳୟକୁ ଦ୍‍ୱିଗୁଣିତ କରିଛି ଅର୍ଥାତ୍‍  ୪୮.୮ ପ୍ରତିଶତକୁ ବୃଦ୍ଧି କରିଛି, ଯାହା ହାରାହାରି ବିଶ୍ୱ ସାମାଜିକ ସୁରକ୍ଷା କଭରେଜକୁ ୫ ପ୍ରତିଶତରୁ ଅଧିକ ବୃଦ୍ଧି କରିଛି।

ଏହି ପରିପ୍ରେକ୍ଷୀରେ, ଭାରତର ପ୍ରମୁଖ ସଂସ୍ଥା ଏବଂ ଯୋଜନା ଯେପରିକି ଇପିଏଫ୍‍ଓ ​​(୭.୩୭ କୋଟି ସଦସ୍ୟ), ଇଏସ୍‍ଆଇସି (୧୪.୪ କୋଟି ହିତାଧିକାରୀ), ଇ-ଶ୍ରମ ପୋର୍ଟାଲ (୩୦.୬ କୋଟି ପଞ୍ଜିକୃତ ଅଣସଂଗଠିତ ସଦସ୍ୟ), ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (୬୦ କୋଟି ହିତାଧିକାରୀ) ଏବଂ ଲକ୍ଷ୍ୟଭିତ୍ତିକ ପିଡିଏସ୍‍ (୮୧.୩୫ କୋଟି ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା) ର ଅବଦାନକୁ ସ୍ୱୀକାର କରାଯାଇଥିଲା।

ଆଇଏଲ୍ ସ୍ୱଚ୍ଛ ପ୍ରବାସ ଏଜେଣ୍ଡା ଏବଂ କାର୍ଯ୍ୟାନ୍ୱୟନ

ପ୍ରବାସୀ ଶ୍ରମିକଙ୍କ କ୍ଷେତ୍ରରେ ବିଶ୍ୱର ବଡ଼ ଦେଶମାନଙ୍କ ଭିତରେ ଅନ୍ୟତମ ତଥା ସର୍ବାଧିକ ଅର୍ଥ ପ୍ରାପ୍ତିକର୍ତ୍ତା ଭାବରେ ପରିଚିତ ଭାରତ ନିଜର ସୁପରିଚାଳିତ, ଦକ୍ଷତା-ଆଧାରିତ ପ୍ରବାସ ପଥଗୁଡ଼ିକୁ ପ୍ରୋତ୍ସାହିତ କରିବାରେ ଅଧିକ ବିଶ୍ୱସ୍ତରୀୟ ସହଯୋଗ ପାଇଁ ନିଜର ସମର୍ଥନକୁ ପୁନର୍ବାର ଦୋହରାଇଛି। ଦ୍ୱିପାକ୍ଷିକ ଶ୍ରମ ପ୍ରବାସ ଏବଂ ସାମାଜିକ ସୁରକ୍ଷା ଚୁକ୍ତିନାମା ମାଧ୍ୟମରେ ପ୍ରବାସୀ ଶ୍ରମିକଙ୍କ ପାଇଁ ସାମାଜିକ ସୁରକ୍ଷା ଏବଂ ଅଧିକାର ସୁରକ୍ଷିତ କରିବା ପାଇଁ ବିଶ୍ୱ ଗତି ସୃଷ୍ଟି କରିବା ଦିଗରେ ପ୍ରୟାସ ବୃଦ୍ଧି କରିବାକୁ ଆନ୍ତର୍ଜାତିକ ଶ୍ରମ ସଂଗଠନକୁ ଅନୁରୋଧ କରାଯାଇଥିଲା। ବିଶ୍ୱର ଏକ ପ୍ରମୁଖ ଅଂଶୀଦାର ଭାବରେ ଭାରତ ଦ୍ୱାରା ଆଇଏଲଓ ଆଧାରିତ ଗ୍ଲୋବାଲ୍ କୋଆଲିସନ୍ ଫର ସୋସିଆଲ ଜଷ୍ଟିସ୍ ଅଧୀନରେ ପ୍ରବାସ ବିଷୟକୁ ନେଇ ପ୍ରଥମ ତ୍ରିପାକ୍ଷିକ ଗ୍ଲୋବାଲ୍ ଫୋରମ୍ ଆୟୋଜନ କରିବା ପାଇଁ ଆଇଏଲ୍‍ଓର ପ୍ରସ୍ତାବକୁ ସମର୍ଥନ ଦିଆଯାଇଥିଲା।

ରାସାୟନିକ ପଦାର୍ଥ ଉପରେ ବିଶ୍ୱସ୍ତରୀୟ ଢାଞ୍ଚା

ରାସାୟନିକ ପଦାର୍ଥ ଏବଂ ଏହାର ଅପଚୟ ଜନିତ କ୍ଷତିମୁକ୍ତ ଗ୍ରହ ନିଶ୍ଚିତ କରିବା ଏବଂ ଶ୍ରମିକ, ସମ୍ପ୍ରଦାୟ ଏବଂ ପରିବେଶକୁ ସୁରକ୍ଷା ଦେବା ପାଇଁ ଭାରତ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବା ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇଛି।  ‘ବନ୍’ ଘୋଷଣାନାମା ଅନୁସାରେ ଆଇଏଲ୍‍ଓ ଦ୍ୱାରା ଗ୍ରହଣ କରାଯାଇଥିବା କାର୍ଯ୍ୟଗୁଡ଼ିକୁ ଏଠାରେ ସ୍ୱୀକୃତି ଦିଆଯାଇଥିଲା।

କାରଖାନା ଆଇନ-୧୯୪୮ ଏବଂ ବୃତ୍ତିଗତ ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟ ପରିସ୍ଥିତି ସଂହିତା-୨୦୨୦ ସମେତ ଶ୍ରମିକଙ୍କ ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ପାଇଁ ଭାରତ ଦ୍ୱାରା ନିଆଯାଇଥିବା ପ୍ରମୁଖ ପଦକ୍ଷେପଗୁଡ଼ିକୁ ଗୁରୁତ୍ୱାରୋପ କରାଯାଇଥିଲା। ପ୍ରମୁଖ ଦୁର୍ଘଟଣା ବିପଜ୍ଜନକ (ଏମ୍‍ଏଏଚ୍‍) ୟୁନିଟ୍‌ଗୁଡ଼ିକରେ କର୍ମକ୍ଷେତ୍ର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବିକଶିତ ଭାରତ-୨୦୪୭  ଯୋଜନା ଅଧୀନରେ ନିଆଯାଉଥିବା କ୍ଷମତା-ନିର୍ମାଣ ପଦକ୍ଷେପଗୁଡ଼ିକ ସମ୍ପର୍କରେ ଆଲୋକପାତ କରାଯାଇଥିଲା।

ଭାରତୀୟ ପ୍ରତିନିଧିମଣ୍ଡଳ ଆନ୍ତର୍ଜାତିକ ଶ୍ରମ ସଂଗଠନର ମହାନିର୍ଦ୍ଦେଶକ ଏବଂ ବରିଷ୍ଠ ବିଶେଷଜ୍ଞଙ୍କ ସମେତ   ଶ୍ରମ ଏବଂ ନିଯୁକ୍ତି ପ୍ରସଙ୍ଗରେ ଅନ୍ୟ ଦେଶର ପ୍ରତିନିଧିମାନଙ୍କ ସହିତ ଭାରତୀୟ ପ୍ରତିନିଧି ମଣ୍ଡଳୀ ଅନେକ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିଥିଲେ।

ଆଇଏଲ୍ ମହାନିର୍ଦ୍ଦେଶକଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା

ସୁଶ୍ରୀ ଦାଓରା ଆନ୍ତର୍ଜାତିକ ଶ୍ରମ ସଂଗଠନର ମହାନିର୍ଦ୍ଦେଶକ ଶ୍ରୀ ଗିଲବର୍ଟ ଏଫ୍. ହୌଙ୍ଗବୋଙ୍କୁ ଭେଟିଥିଲେ ଏବଂ ତାଙ୍କର ପ୍ରମୁଖ ପଦକ୍ଷେପ ଗ୍ଲୋବାଲ୍ କୋଆଲିସନ୍ ଫର ସୋସିଆଲ ଜଷ୍ଟିସ୍ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ସଂଗଠନ ସାମାଜିକ ନ୍ୟାୟକୁ ପ୍ରୋତ୍ସାହିତ କରିବା ପାଇଁ ବିଶ୍ୱସ୍ତରୀୟ ସହଯୋଗ ଦିଗରେ ଏକ ଦୃଢ଼ ମଞ୍ଚ ଭାବରେ ଉଭା ହୋଇଛି। ସେ ସାମାଜିକ ସୁରକ୍ଷା ଅନ୍ତର୍ଭୁକ୍ତିକୁ ମୂଲ୍ୟାଙ୍କନ କରିବା ସମୟରେ ଆଇଏଲଓ ଦ୍ୱାରା ବିଭିନ୍ନ ଲାଭକୁ ବିଚାର କରାଯିବାର ଆବଶ୍ୟକତା ବିଷୟରେ ଦୋହରାଇଥିଲେ।

ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଭାରତ ଭାରତର ସାମାଜିକ ସୁରକ୍ଷା ଅନ୍ତର୍ଭୁକ୍ତିର ଠିକଣା ମୂଲ୍ୟାଙ୍କନ ପାଇଁ ଆଇଏଲଓ ସହିତ ସହଯୋଗରେ ଏକ ରାଜ୍ୟ ନିର୍ଦ୍ଦିଷ୍ଟ ଡାଟା ପୁଲିଂ ବ୍ୟବସ୍ଥା ଆରମ୍ଭ କରିଛି।

ଆଇଏଲ୍‍ଓ ମହାନିର୍ଦ୍ଦେଶକ ଏହି ସହଯୋଗର ପ୍ରମୁଖ ବିଷୟ “ସ୍ଥାୟୀ ଏବଂ ଅନ୍ତର୍ଭୁକ୍ତ ସମାଜ ପାଇଁ ଦାୟିତ୍ୱପୂର୍ଣ୍ଣ ବ୍ୟବସାୟ”କୁ ସମର୍ଥନ କରିବା ସହ ଗତ ମାସରେ ନୂଆଦିଲ୍ଲୀଠାରେ ପ୍ରଥମ “ସାମାଜିକ ନ୍ୟାୟ ସମ୍ପର୍କିତ ଆଞ୍ଚଳିକ ଆଲୋଚନା”କୁ ସଫଳତାର ସହିତ ଆୟୋଜନ କରିଥିବାରୁ ଭାରତକୁ ପ୍ରଶଂସା କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, “ଏହା ଅନ୍ୟ ସହଯୋଗୀ ଦେଶମାନଙ୍କୁ ସେମାନଙ୍କର ଅବଦାନ ବୃଦ୍ଧି କରିବାକୁ ପ୍ରେରଣା ଦେଇଛି”।

ଖୁବ୍‍ ଶୀଘ୍ର ଆୟୋଜିତ ହେବାକୁ ଥିବା ସାମାଜିକ ନ୍ୟାୟ ଶୀର୍ଷକ ବାର୍ଷିକ ଫୋରମରେ ଭାରତରର ସକ୍ରିୟ ଅଂଶଗ୍ରହଣ ଏବଂ  ଏଠାରେ ଦାୟିତ୍ୱପୂର୍ଣ୍ଣ ବ୍ୟବସାୟ ଆଚରଣ, ଦରମା କ୍ଷେତ୍ରରେ ଭାରତୀୟ ଶିଳ୍ପର ସର୍ବୋତ୍ତମ ଅଭ୍ୟାସ ପ୍ରଦର୍ଶନ କରିବାକୁ ଶ୍ରୀ ହୋଙ୍ଗବୋ ଆମନ୍ତ୍ରଣ କରିଛନ୍ତି।

ଆଇଏଲ୍‍ଓ ଏବଂ ଓଇସିଡିଦ୍ୱାରା ବୃତ୍ତିର ଆନ୍ତର୍ଜାତୀୟ ସନ୍ଦର୍ଭ ବର୍ଗୀକରଣ ବିକାଶ ଶୀର୍ଷକ ସମ୍ଭାବ୍ୟତା ଅଧ୍ୟୟନ ପାଇଁ ଆଇଏଲ୍‍ଓକୁ ଭାରତର ପ୍ରଥମ ସ୍ୱେଚ୍ଛାକୃତ ଆର୍ଥିକ ସହାୟତାକୁ ନେଇ ଡିଜି ମଧ୍ୟ କୃତଜ୍ଞତା ପ୍ରକାଶ କରିଥିଲେ। ଏହି ଭାରତ ନେତୃତ୍ୱାଧୀନ ପଦକ୍ଷେପ ଭାରତୀୟ ଯୁବପିଢ଼ିଙ୍କ ପାଇଁ ବୈଶ୍ୱିକ ନିଯୁକ୍ତି ସୁଯୋଗକୁ ବୃଦ୍ଧି କରିବାରେ ସହାୟକ ହେବ, ଏବଂ ଦକ୍ଷତା ଏବଂ ଯୋଗ୍ୟତାର ପାରସ୍ପରିକ ସ୍ୱୀକୃତି ପ୍ରଦାନ କରିବ। ଆନ୍ତର୍ଜାତୀୟ ବର୍ଗୀକରଣର ବିକାଶ ୨୦୨୩ ମସିହାରେ ଭାରତର ଜି-୨୦ ସଭାପତିତ୍ୱରେ ବିଭିନ୍ନ ରାଷ୍ଟ୍ରନେତାମାନଙ୍କ ଦ୍ୱାରା କରାଯାଇଥିବା ଏକ ଐତିହାସିକ ପ୍ରତିବଦ୍ଧତା।

ମଜୁରୀ, ଗିଗ୍ ଏବଂ ପ୍ଲାଟଫର୍ମ ଶ୍ରମିକଙ୍କ କଲ୍ୟାଣ ଏବଂ ମୂଲ୍ୟ ଶୃଙ୍ଖଳରେ ଉପଯୁକ୍ତ କାର୍ଯ୍ୟ ନିର୍ଣ୍ଣୟ, ରୂପାୟନ ସମେତ  ଭବିଷ୍ୟତରେ ଆଇଏଲ୍‍ଓର ବିଭିନ୍ନ ଯୋଜନାରେ କାର୍ଯ୍ୟ କରିବା ଲାଗି ଏହି ଅବସରରେ ଭାରତ  ଆଇଏଲ୍‍ଓ ସହିତ ଆଲୋଚନା କରିଥିଲା। ଭାରତୀୟ ପ୍ରତିନିଧିମଣ୍ଡଳରେ ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟର ଉପନିର୍ଦ୍ଦେଶକ ଶ୍ରୀ ରାକେଶ ଗୌର ସାମିଲ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଶ୍ରମ ମନ୍ତ୍ରୀ ଓ ସଚିବମାନଙ୍କୁ ନେଇ ଜାତୀୟ ସମ୍ମିଳନୀ ଉଦଯାପିତ

ନୂଆଦିଲ୍ଲୀ: କେନ୍ଦ୍ର ଶ୍ରମ ଓ ନିଯୁକ୍ତି ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟବର ଶ୍ରମମନ୍ତ୍ରୀ ଓ ଶ୍ରମ ସଚିବଙ୍କୁ ନେଇ ଦୁଇ ଦିନିଆ କର୍ମଶାଳା ଆଜି ଶେଷ ହୋଇଛି। ଏହି କର୍ମଶାଳାରେ ମାନ୍ୟବର ଶ୍ରମ ଓ ନିଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ, ବିଭିନ୍ନ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳର ଶ୍ରମ ମନ୍ତ୍ରୀ, ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ସଚିବ ସୁମିତା ଦାୱରା ଏବଂ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଗତବର୍ଷ ସମସ୍ତ ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହ ହୋଇଥିବା ୬ଟି ଆଞ୍ଚଳିକ କର୍ମଶାଳା ଏବଂ ଅନ୍ୟାନ୍ୟ ଆଲୋଚନାର ସଫଳ ଫଳାଫଳକୁ ଏହି ବୈଠକରେ ଚୂଡ଼ାନ୍ତ କରାଯାଇଥିଲା। କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଉଦ୍ଦେଶ୍ୟରେ ଦୁଇ ଦିନ ଧରି ପାଞ୍ଚଟି ଅଧିବେଶନରେ ୧୦ରୁ ଅଧିକ ବିଷୟ ଉପରେ ବ୍ୟାପକ ଆଲୋଚନା କରାଯାଇ ତଥ୍ୟ ସଂଗ୍ରହ କରାଯାଇଥିଲା। ୫ଟି ଲେଖାଏଁ ରାଜ୍ୟର ୩ଟି କମିଟି ଗଠନ କରାଯାଇଛି। ଏହି କର୍ମଶାଳାରେ ହୋଇଥିବା ଆଲୋଚନା ଆଧାରରେ ଏହି କମିଟିଗୁଡ଼ିକ ଆଲୋଚନା କରି ଶ୍ରମିକମାନଙ୍କ ପାଇଁ ବ୍ୟାପକ ସାମାଜିକ ସୁରକ୍ଷା କଭରେଜ୍ ପାଇଁ ଏକ ସ୍ଥାୟୀ ମଡେଲ୍ ପ୍ରସ୍ତୁତ କରିବେ, ଯାହା ମାର୍ଚ୍ଚ ୨୦୨୫ରେ ଉପସ୍ଥାପିତ ହେବ।

ଦୁଇ ଦିନିଆ କର୍ମଶାଳାରେ ହୋଇଥିବା ଆଲୋଚନା ଓ ପରାମର୍ଶକୁ ଉଲ୍ଲେଖ କରି କେନ୍ଦ୍ରମନ୍ତ୍ରୀ ତାଙ୍କ ଅଭିଭାଷଣରେ ସମସ୍ତ ଅଂଶୀଦାରଙ୍କ ପାଇଁ ଏକ ବ୍ୟାପକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିଥିଲେ। ଗତ ଦୁଇ ଦିନ ମଧ୍ୟରେ ବିଭିନ୍ନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଦ୍ୱାରା ପ୍ରଦର୍ଶିତ ସର୍ବୋତ୍ତମ ଅଭ୍ୟାସ ଗ୍ରହଣ କରିବାର ସମ୍ଭାବ୍ୟତା ଆକଳନ କରିବାକୁ ସେ ରାଜ୍ୟମାନଙ୍କୁ ଅନୁରୋଧ କରିଥିଲେ। ସଂଗଠିତ ଏବଂ ଅସଂଗଠିତ ଶ୍ରମିକଙ୍କ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ସଂସ୍କାର ଏବଂ ପଦକ୍ଷେପ ଗ୍ରହଣ କରିବା ପାଇଁ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କ ସହ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ଏହା ଜାରି ରହିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ପେନସନ, ସ୍ୱାସ୍ଥ୍ୟସେବା, ଜୀବନ ଓ ଦୁର୍ଘଟଣା ବୀମା ଇତ୍ୟାଦି ପ୍ରଦାନ କରୁଥିବା ବ୍ୟାପକ ଏବଂ ସ୍ଥାୟୀ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା।

ଅଣସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ପାଇଁ ସାମାଜିକ ସୁରକ୍ଷା, ଯେପରିକି ନିର୍ମାଣ କାର୍ଯ୍ୟ, ଗିଗ୍ ଏବଂ ପ୍ଲାଟଫର୍ମ ଅର୍ଥନୀତି ଏବଂ ଅନ୍ୟାନ୍ୟ କ୍ଷେତ୍ର ଉପରେ ବ୍ୟାପକ ଆଲୋଚନା ହୋଇଥିଲା। ଏହି ଶ୍ରମିକମାନଙ୍କ ପାଇଁ ଏକ ସ୍ଥାୟୀ ସାମାଜିକ ସୁରକ୍ଷା ମଡେଲ୍ ବିକଶିତ କରିବା ଉପରେ କେନ୍ଦ୍ରମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଏହାବ୍ୟତୀତ ଚୁକ୍ତିଭିତ୍ତିକ ଶ୍ରମିକଙ୍କ କଲ୍ୟାଣ ଏବଂ ନିରୀକ୍ଷକରୁ ନିରୀକ୍ଷକ-ତଥା-ସୁବିଧାପ୍ରଦାନକାରୀରେ ରୂପାନ୍ତରିତ କରିବା ଦ୍ବିତୀୟ ଦିନର ଅନ୍ୟ ପ୍ରମୁଖ ଏଜେଣ୍ଡା ଥିଲା।

ନିର୍ମାଣ ଶ୍ରମିକଙ୍କ ପିଲାମାନଙ୍କ ପାଇଁ ଶିକ୍ଷା ଓ ଦକ୍ଷତା ବିକାଶ ଅନୁଷ୍ଠାନର ବିକାଶ ସହିତ ସାମାଜିକ ନିରାପତ୍ତା ପ୍ରଦାନ କ୍ଷେତ୍ରରେ ବିଓସିଡବ୍ଲୁ ସେସ୍ ପାଣ୍ଠିର ଉପଯୋଗ କରିବାଦିଗରେ ରାଜ୍ୟଗୁଡ଼ିକ ଅଗ୍ରଗତି ପ୍ରଦର୍ଶନ କରିଥିଲେ। ପେନସନ ଭଳି ବିଭିନ୍ନ ସାମାଜିକ କଲ୍ୟାଣମୂଳକ ପଦକ୍ଷେପ ପ୍ରଦାନ ପାଇଁ ଏହି ସମ୍ବଳକୁ ବ୍ୟବହାର କରିବାର ନୂତନ ଉପାୟ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା।

ଅସଂଗଠିତ ଶ୍ରମିକମାନଙ୍କୁ ଇ-ଶ୍ରମ ପୋର୍ଟାଲରେ ଅନ୍ତର୍ଭୁକ୍ତ କରିବାଦିଗରେ ହୋଇଥିବା ଅଗ୍ରଗତି ଶେଷ ବିନ୍ଦୁ ପର୍ଯ୍ୟନ୍ତ ଏହି ଶ୍ରମିକମାନଙ୍କୁ ସୁବିଧା ପ୍ରଦାନକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ପ୍ରୟାସକୁ ପ୍ରମାଣିତ କରିଛି। ବର୍ତ୍ତମାନ ସୁଦ୍ଧା ୩୦ କୋଟିରୁ ଅଧିକ ଅଣସଂଗଠିତ ଶ୍ରମିକ ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି। ମନ୍ତ୍ରଣାଳୟ ଗିଗ୍ ଏବଂ ପ୍ଲାଟଫର୍ମ ଶ୍ରମିକଙ୍କ ପାଇଁ ଏକ ଉତ୍ସର୍ଗୀକୃତ ସାମାଜିକ ସୁରକ୍ଷା ଏବଂ କଲ୍ୟାଣ ଯୋଜନା ଉପରେ ମଧ୍ୟ କାର୍ଯ୍ୟ କରୁଛି। ଏହି ଯୋଜନାର ପାଣ୍ଠି, ତଥ୍ୟ ସଂଗ୍ରହ ଏବଂ ପ୍ରଶାସନ ଉପରେ ଆଲୋଚନା କରାଯାଇଥିଲା ଏବଂ ଅଣସଂଗଠିତ ଶ୍ରମିକଙ୍କ ତଥ୍ୟ ଆଦାନପ୍ରଦାନକୁ ପ୍ରାଥମିକତା ଦେବା ସହିତ ଗିଗ୍ ଏବଂ ପ୍ଲାଟଫର୍ମ ଶ୍ରମିକଙ୍କ ଉପରେ ଧ୍ୟାନ ଦେବା ଏବଂ ମିଶନ ମୋଡରେ ଇ-ଶ୍ରମ ପୋର୍ଟାଲରେ ସେମାନଙ୍କ ପଞ୍ଜୀକରଣରେ ସହାୟତା କରିବାକୁ ରାଜ୍ୟମାନଙ୍କୁ ଅନୁରୋଧ କରାଯାଇଥିଲା। ଏନସିଏସ ଏବଂ ଏସଆଇଡିଏଚ୍ ଭଳି ସରକାରୀ ପୋର୍ଟାଲକୁ ଇ-ଶ୍ରମ ସହିତ ମିଶ୍ରଣ ନିଯୁକ୍ତି ସୃଷ୍ଟି, ନିଯୁକ୍ତି ସମ୍ଭାବନା, ଦକ୍ଷତା ବିକାଶ ଏବଂ ଅନ୍ୟାନ୍ୟକୁ ପ୍ରୋତ୍ସାହିତ କରିବାରେ ସହାୟକ ହେଉଛି।

ନିରୀକ୍ଷକରୁ ନିରୀକ୍ଷକ-ତଥା-ସୁବିଧାପ୍ରଦାନକାରୀ ମଡେଲରେ ପରିବର୍ତ୍ତନ ସମ୍ପର୍କରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସକଙ୍କ ସହ ଆଲୋଚନା ଅନ୍ୟ ଏକ ପ୍ରମୁଖ ସଂସ୍କାର ଥିଲା। ଏହି ସଂସ୍କାରର ମୂଳ ଉଦ୍ଦେଶ୍ୟ ହେଉଛି ଅନୁପାଳନ ବୋଝ ହ୍ରାସ କରିବା ଏବଂ ବ୍ୟବସାୟ କରିବାରେ ସହଜତାକୁ ପ୍ରୋତ୍ସାହିତ କରିବା ସହିତ ଉତ୍ତମ କାର୍ଯ୍ୟ ପରିସ୍ଥିତି, କାର୍ଯ୍ୟ ପାଇଁ ସମାନ ସୁଯୋଗ ଏବଂ ଉନ୍ନତ କର୍ମଚାରୀ-ନିଯୁକ୍ତିଦାତା ସମ୍ପର୍କ ସୁନିଶ୍ଚିତ କରିବା।

ମାନ୍ୟବର ଶ୍ରମ ଓ ନିଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ ତାଙ୍କ ସମାପନୀ ଭାଷଣରେ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବା ଦିଗରେ ଭାରତର କାର୍ଯ୍ୟବଳର ଗୁରୁତ୍ୱପୂର୍ଣ୍ଣ ଅବଦାନ ଉପରେ ଆଲୋକପାତ କରିଥିଲେ। ଉଭୟ ସଂଗଠିତ ଓ ଅଣସଂଗଠିତ ଶ୍ରମିକମାନଙ୍କ ପାଇଁ ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକରୁ ଅଧିକ କରିବା ଏବଂ ଶ୍ରମିକ କଲ୍ୟାଣ ସୁନିଶ୍ଚିତ କରିବା ଗତବର୍ଷ ହୋଇଥିବା ସମସ୍ତ ଆଲୋଚନା ଏବଂ ଏହି ଦୁଇ ଦିନିଆ ବିଚାରବିମର୍ଶ ଶିବିରର ମୁଖ୍ୟ ଲକ୍ଷ୍ୟ ଥିଲା। ସମସ୍ତ ପଦକ୍ଷେପକୁ ଠିକ୍ ସମୟରେ ଯୁକ୍ତିଯୁକ୍ତ ସିଦ୍ଧାନ୍ତରେ ପହଞ୍ଚାଇବା ପାଇଁ ଏକ ବ୍ୟାପକ ସରକାରୀ ଆଭିମୁଖ୍ୟର ଆବଶ୍ୟକତାକୁ ସେ ଦୋହରାଇଥିଲେ।

ସମବାୟ ସଂଘବାଦର ଭାବନା ରେ ଏହି ଦୁଇ ଦିନିଆ ବୈଠକରେ ଶ୍ରମିକ କଲ୍ୟାଣକୁ ପ୍ରୋତ୍ସାହିତ କରିବା, ବ୍ୟବସାୟ କରିବାରେ ସହଜତା ଏବଂ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳରେ ଶିଳ୍ପ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱରରେ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ସହ ଚତୁର୍ଥ ଆଞ୍ଚଳିକ ବୈଠକ ଅନୁଷ୍ଠିତ

ଭୁବନେଶ୍ଵର: ଭାରତ ସରକାରଙ୍କ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ସଚିବ ଭୁବନେଶ୍ୱରରେ ପୂର୍ବାଞ୍ଚଳ ରାଜ୍ୟ ଯଥା ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଆନ୍ଧ୍ରପ୍ରଦେଶ ସହ ଏକ ଆଞ୍ଚଳିକ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଶ୍ରମ ଓ ନିଯୁକ୍ତି ପ୍ରସଙ୍ଗରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ (କେନ୍ଦ୍ରଶାସିତ ଅଞ୍ଚଳ) ସହ ଦେଶବ୍ୟାପୀ ଆଞ୍ଚଳିକ ଆଲୋଚନା ଅଧୀନରେ ଏହା ହେଉଛି ଚତୁର୍ଥ ବୈଠକ।

ଶ୍ରମ ଓ ନିଯୁକ୍ତି (ଏଲ୍ ଆଣ୍ଡ ଇ)ର ସଚିବ ସୁମିତା ଦାୱରା ତାଙ୍କ ପ୍ରାରମ୍ଭିକ ଅଭିଭାଷଣରେ ଗୁଣାତ୍ମକ ନିଯୁକ୍ତି ସୃଷ୍ଟି ଏବଂ ସମସ୍ତ ଶ୍ରମିକଙ୍କ କଲ୍ୟାଣ ସୁନିଶ୍ଚିତ କରିବା ଦିଗରେ ସମନ୍ୱୟ ଆଣିବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ସହଯୋଗ ଓ ଆଲୋଚନାକୁ ସୁଦୃଢ଼ କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।

ଶ୍ରୀମତୀ ଦାୱରା କହିଥିଲେ ଯେ, ନିଯୁକ୍ତି ସୃଷ୍ଟି ଏବଂ ଦକ୍ଷତା ବିକାଶ ଏବଂ ନିଯୁକ୍ତି ସାମର୍ଥ୍ୟ ବୃଦ୍ଧି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ୨୦୪୭ ସଂକଳ୍ପକୁ ସାକାର କରିବାର ପ୍ରମୁଖ ଦିଗ। ଏ ଦିଗରେ ୨୦୨୪-୨୫ ବଜେଟରେ ୧,୦୭,୦୦୦ କୋଟି ଟଙ୍କା ବ୍ୟୟ ଅଟକଳ ସହିତ ନିଯୁକ୍ତି ଭିତ୍ତିକ ପ୍ରୋତ୍ସାହନ (ଇଏଲଆଇ) ଯୋଜନା ଘୋଷଣା କରାଯାଇଛି। ଉଭୟ ବୃହତ୍ ଉଦ୍ୟୋଗ ଏବଂ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ)କୁ ନିଯୁକ୍ତି ସୃଷ୍ଟି, ନିଯୁକ୍ତି ସୁଯୋଗକୁ ପ୍ରୋତ୍ସାହିତ କରିବା ତଥା ଇଏଲ୍ଆଇ ଯୋଜନା ଅଧୀନରେ ଶ୍ରମଶକ୍ତିକୁ ଆନୁଷ୍ଠାନିକ ରୂପ ଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି।

ଏହାବ୍ୟତୀତ ଶ୍ରମ ସଂହିତା ସମେତ ଭାରତ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଶ୍ରମ ସଂସ୍କାର ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଶ୍ରମ କଲ୍ୟାଣକୁ ପ୍ରୋତ୍ସାହିତ କରିବା ସହିତ ପୁଞ୍ଜିନିବେଶ ଓ ରୋଜଗାର ସୃଷ୍ଟିକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଭାରତ ସରକାର ୨୯ଟି ଶ୍ରମ ଆଇନକୁ ୪ଟି ଶ୍ରମ ସଂହିତା ଜରିଆରେ ସଂଶୋଧନ, ସରଳୀକରଣ ଏବଂ ସମନ୍ୱିତ କରିଥିବା ସଚିବ କହିଛନ୍ତି।

ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ବ୍ୟତୀତ ଶ୍ରମିକ ଏବଂ ନିଯୁକ୍ତିଦାତା ସଂଘ ସହ ସଂହିତା ଗୁଡ଼ିକର କାର୍ଯ୍ୟକାରିତା ଉପରେ ସହମତି ସୃଷ୍ଟି କରିବା ପାଇଁ ମନ୍ତ୍ରଣାଳୟ ଏକାଧିକ ବିଚାରବିମର୍ଶ କରୁଛି। ଏହି ପରିପ୍ରେକ୍ଷୀରେ ଶ୍ରମ କୋଡ୍ ଅଧୀନରେ କେନ୍ଦ୍ରୀୟ ନିୟମ ସହ ସମନ୍ୱୟ ରକ୍ଷା କରି ରାଜ୍ୟଗୁଡ଼ିକୁ ନିଜ ନିଜ ଡ୍ରାଫ୍ଟ ନିୟମରେ ଥିବା ବ୍ୟବଧାନ ଓ ଭିନ୍ନତାକୁ ଦୂର କରିବାକୁ ଅନୁରୋଧ କରାଯାଇଥିଲା।

ଅଣସଂଗଠିତ ଶ୍ରମିକମାନଙ୍କୁ ସଂଗଠିତ ଶ୍ରମିକଙ୍କ ଭଳି ବ୍ୟାପକ ସାମାଜିକ ସୁରକ୍ଷା ପ୍ରଦାନ ପାଇଁ ସରକାରଙ୍କ ଦୃଷ୍ଟିକୋଣ ସମ୍ପର୍କରେ ଇ-ଶ୍ରମ ଅଧୀନରେ ଅଗ୍ରଗତି ପ୍ରଦର୍ଶନ ମାଧ୍ୟମରେ ଆଲୋକପାତ କରାଯାଇଥିଲା। ନିର୍ମାଣ ଶ୍ରମିକ, ଉଠାଦୋକାନୀ, ଅଟୋ ଡ୍ରାଇଭର ଆଦିଙ୍କ ସମେତ ଅଣସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କୁ ଗୋଟିଏ ପୋର୍ଟାଲରେ ଦକ୍ଷତା ଏବଂ ଚାକିରି ଉପଲବ୍ଧତା ସମେତ ସାମାଜିକ ସୁରକ୍ଷା ଯୋଜନାଗୁଡ଼ିକୁ ଉପଲବ୍ଧ କରିବା ପାଇଁ ଇ-ଶ୍ରମ ପୋର୍ଟାଲରେ ନିଯୁକ୍ତି ଦେବାର ଗୁରୁତ୍ୱ ଉପରେ ଆଲୋଚନା କରାଯାଇଥିଲା।

ସୂଚନାଯୋଗ୍ୟ, ୨୦୨୧ରେ ଆରମ୍ଭ ହେବା ପରଠାରୁ ୩୦ କୋଟିରୁ ଅଧିକ ଅଣସଂଗଠିତ ଶ୍ରମିକ ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକୃତ ହୋଇଛନ୍ତି। ପ୍ରବାସୀ ଶ୍ରମିକଙ୍କ ସମେତ ଅଣସଂଗଠିତ ଶ୍ରମିକଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟଗୁଡ଼ିକର କଲ୍ୟାଣକାରୀ ଯୋଜନାଗୁଡ଼ିକୁ ସହଜରେ ଉପଲବ୍ଧ କରାଇବା ପାଇଁ ଇ-ଶ୍ରମ ପୋର୍ଟାଲ୍ ସହିତ ଦ୍ୱିପାକ୍ଷିକ ସମନ୍ୱୟକୁ ତ୍ୱରାନ୍ୱିତ କରିବାର ଆବଶ୍ୟକତାକୁ ଏକ ଆକ୍ସନ ପଏଣ୍ଟ ଭାବରେ ଦର୍ଶାଯାଇଥିଲା ।

ନିକଟରେ ଆରମ୍ଭ ହୋଇଥିବା ବିଓସିଡବ୍ଲୁ ପରିଚାଳନା ସୂଚନା ପ୍ରଣାଳୀ (ଏମଆଇଏସ) ପୋର୍ଟାଲର ଭୂମିକା ଉପରେ ଏହି ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା, ଯେଉଁଥିରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ତଥ୍ୟ ଭିତ୍ତିକ ଯୋଜନା ଏବଂ ବିଓସି କର୍ମଚାରୀଙ୍କ ପାଇଁ କଲ୍ୟାଣକାରୀ ଯୋଜନାଗୁଡ଼ିକର ଅଧିକ ପ୍ରଭାବଶାଳୀ କାର୍ଯ୍ୟକାରିତାରେ ସହାୟତା ମିଳିଥିଲା। ବିଓସି କର୍ମଚାରୀଙ୍କ ପିଲାଙ୍କ ଶିକ୍ଷା ସମେତ ସାମାଜିକ ନିରାପତ୍ତା ବିଷୟରେ ପ୍ରମାଣିତ ସୂଚନା ପାଇଁ ଏମଆଇଏସ ପୋର୍ଟାଲରେ ଅନବୋର୍ଡିଂ ସମ୍ପୂର୍ଣ୍ଣ କରିବାକୁ ରାଜ୍ୟମାନଙ୍କୁ ଅନୁରୋଧ କରାଯାଇଥିଲା।

କେନ୍ଦ୍ର ଓ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଠିକ୍‌ ସମୟରେ ନିଯୁକ୍ତି ସଂକ୍ରାନ୍ତ ତଥ୍ୟର ସଠିକ ସଂକଳନ ନିମନ୍ତେ ଏକ ଯୁଗ୍ମ ବ୍ୟବସ୍ଥା ପ୍ରତିଷ୍ଠା କରିବା ଲାଗି ମଧ୍ୟ ଆଲୋଚନା ହୋଇଥିଲା।  ଏଥିରେ ଅଧିକ ସଠିକ ନିଯୁକ୍ତି ସଂକ୍ରାନ୍ତ ତଥ୍ୟ ରହିବ ଏବଂ ଏହାକୁ ଆଧୁନିକ ବିଶ୍ଳେଷଣାତ୍ମକ ସୁବିଧା ଥିବା ଏକ କେନ୍ଦ୍ରିଭୂତ ଡ୍ୟାଶବୋର୍ଡରେ ସ୍ଥାନିତ କରାଯିବ। ଏହା ଉନ୍ନତ ମାନର ନିଯୁକ୍ତି ସୃଷ୍ଟିକୁ ତ୍ୱରାନ୍ୱିତ କରିବା ଲାଗି ଉନ୍ନତ ନୀତି ବିକଶିତ କରିବାରେ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶକୁ ସହାୟକ ହେବ।

ରାଜ୍ୟଗୁଡ଼ିକର ପ୍ରତିନିଧିମାନେ ମୁଖ୍ୟ ଶ୍ରମ ଓ ନିଯୁକ୍ତି ପ୍ରସଙ୍ଗ, ବିଶେଷକରି ସହଜ ଅନୁପାଳନ ଏବଂ ୱେବ-ଭିତ୍ତିକ ଯାଞ୍ଚ ପାଇଁ ନିଆଯାଇଥିବା ଡିଜିଟାଲ ହସ୍ତକ୍ଷେପ ଉପରେ ସେମାନଙ୍କର ଧାରଣା, ବୁଝାମଣା ଏବଂ ସର୍ବୋତ୍ତମ ଅଭ୍ୟାସ ଉପରେ ଆଲୋକପାତ କରିଥିଲେ। ରାଜ୍ୟ ପ୍ରମୁଖ ଶାସନ ସଚିବ, ସଚିବ, ଶ୍ରମ ଆୟୁକ୍ତମାନେ ଏହି ବୈଠକକୁ ପ୍ରଶଂସା କରିବା ସହ ସହଯୋଗୀ ପ୍ରୟାସ ପାଇଁ ପ୍ରତିଶ୍ରୁତି ଦେଇଥିଲେ।

ଏହି ପର୍ଯ୍ୟାୟର ପରବର୍ତ୍ତୀ ବୈଠକ ମଧ୍ୟ ଭାରତୀୟ ରାଜ୍ୟ ଏବଂ ଜାତୀୟ ରାଜଧାନୀ ଦିଲ୍ଲୀ ପାଇଁ ୨୭ ସେପ୍ଟେମ୍ବର ୨୦୨୪ରେ ଲକ୍ଷ୍ନୌରେ ଅନୁଷ୍ଠିତ ହେବ।

 

 

Categories
ଆଜିର ଖବର ଜାତୀୟ ଖବର

ଏନସିଏସ୍ ପୋର୍ଟାଲ ଖାଲି ପଦବୀ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି

ନୂଆ ଦିଲ୍ଲୀ: ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ (ଏମଓଏଲଇ), ଭାରତ ସରକାରଙ୍କ ଜାତୀୟ କ୍ୟାରିୟର ସେବା (ଏନସିଏସ) ପୋର୍ଟାଲ, ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଜୁଲାଇ 2015 ରେ ଶୁଭାରମ୍ଭ କରାଯାଇଛି। ଏନସିଏସ୍ ହେଉଛି ଏକ ଜବ୍ ପ୍ଲାଟଫର୍ମ ଯାହାକି ଚାକିରୀ ଖୋଜୁଥିବା ପ୍ରାର୍ଥୀମାନଙ୍କୁ ସମ୍ଭାବ୍ୟ ନିଯୁକ୍ତିଦାତାଙ୍କ  ସହିତ ସଂଯୁକ୍ତ କରାଇ ବିଭିନ୍ନ ପ୍ରକାର ନିଯୁକ୍ତି ସେବା ପ୍ରଦାନ କରିବାରେ ସହାୟତା କରିଥାଏ। କ୍ୟାରିୟର କାଉନସେଲିଂ, ଧନ୍ଦାମୂଳକ ମାର୍ଗଦର୍ଶନ ଏବଂ କ୍ୟାରିୟର ଦକ୍ଷତା ତାଲିମ ମାଧ୍ୟମରେ ଏନସିଏସ ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱର ବିକାଶରେ ମଧ୍ୟ ସହାୟତା କରିଥାଏ।

26 ସେପ୍ଟେମ୍ବର 2022 ସୁଦ୍ଧା, ଏନସିଏସ୍ ପୋର୍ଟାଲରେ ସକ୍ରିୟ ଶୂନ୍ୟ ସ୍ଥାନ ଗୁଡିକ 4,82,264 ର ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ଯାହା ବିଭିନ୍ନ କ୍ଷେତ୍ରରେ ରହିଛି ଓ ଏହା ଦେଶରେ ନିଯୁକ୍ତି ବୃଦ୍ଧି ପାଇଥିବା ସୁଚାଉଛି। ପୂର୍ବ ସର୍ବକାଳୀନ ସର୍ବାଧିକ ସକ୍ରିୟ ଶୂନ୍ୟ ସ୍ଥାନ ଗୁଡିକ 3,20,917 ଥିଲା ଯାହା ଜୁନ୍, 2019 ରେ ରେକର୍ଡ କରାଯାଇଥିଲା। ସର୍ବାଧିକ ନିଯୁକ୍ତି ପ୍ରଦାନ କରୁଥିବା 5 ଟି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ହେଉଛି – ଅର୍ଥ ଏବଂ ବୀମା, ଅପରେସନ୍ସ ଏବଂ ସପୋର୍ଟ, ହୋଟେଲ / ଖାଦ୍ୟ ସେବା ଏବଂ କ୍ୟାଟରିଂ, ସ୍ୱାସ୍ଥ୍ୟ କ୍ଷେତ୍ର ଏବଂ ଆଇଟି ଏବଂ ଯୋଗାଯୋଗ। ଏହାର ଆରମ୍ଭରୁ ଏନସିଏସ୍ ପୋର୍ଟାଲ ମାଧ୍ୟମରେ ପରିଚାଳିତ କରାଯାଇଥିବା ଶୂନ୍ୟ ସ୍ଥାନ ସଂଖ୍ୟା 1.09 କୋଟିରୁ ଅଧିକ ରହିଛି।

ଆର୍ଥିକ ବର୍ଷ 2022-23 ମଧ୍ୟ ଏନସିଏସ୍ ପୋର୍ଟାଲରୁ ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି | ଏପ୍ରିଲ୍ 2021 ରୁ ସେପ୍ଟେମ୍ବର 2021 ମଧ୍ୟରେ ସର୍ଟଲିଷ୍ଟ ପ୍ରାର୍ଥୀମାନଙ୍କ ସଂଖ୍ୟା 1,90,335 ରହିଥିଲା। 1 ଏପ୍ରିଲ 2022 ରୁ 26 ସେପ୍ଟେମ୍ବର 2022 ପର୍ଯ୍ୟନ୍ତ ଏହି ସଂଖ୍ୟା 25 ଲକ୍ଷ ଅତିକ୍ରମ କରିସାରିଛି।

ମାନ୍ୟବର ଅର୍ଥମନ୍ତ୍ରୀଙ୍କ ଦ୍ବାରା 2022-23 ବଜେଟ୍ ଘୋଷଣା ସହିତ; ଏନସିଏସ୍ ପୋର୍ଟାଲରେ ବର୍ତ୍ତମାନ ଇଶ୍ରମ ସହିତ ଏପିଆଇ- ଆଧାରିତ ଇଣ୍ଟିଗ୍ରେସନ ରହିଛି ଯାହା ଅଣସଂଗଠିତ ଶ୍ରମିକମାନଙ୍କୁ ଏନସିଏସ୍ ପୋର୍ଟାଲରେ ଚାକିରୀ ଖୋଜୁଥିବା ତଥା ଉଦ୍ୟମ ପଞ୍ଜୀକୃତ ଏମଏସଏମଇ ଗୁଡ଼ିକର ପଞ୍ଜୀକରଣ ପାଇଁ ଉଦ୍ୟମ ପୋର୍ଟାଲରେ ପଞ୍ଜିକରଣ କରିବାକୁ ସହଜ କରିଥାଏ ଯାହା ଦ୍ବାରା ସେମାନଙ୍କ ଶୂନ୍ୟ ସ୍ଥାନକୁ ଏନସିଏସ୍ ପୋର୍ଟାଲରେ ନିଯୁକ୍ତିଦାତା ଭାବରେ ସହଜରେ ପଞ୍ଜୀକୃତ କରିପାରିବେ। ଏନସିଏସ୍ ପୋର୍ଟାଲରେ ଚାକିରୀ ଖୋଜୁଥିବା ଏସଆଇପି ର ସାର୍ଟିଫାଏଡ୍ କୁଶଳୀ ପ୍ରାର୍ଥୀଙ୍କ ପଞ୍ଜୀକରଣ ପାଇଁ ସ୍କିଲ୍ ଇଣ୍ଡିଆ ପୋର୍ଟାଲ୍ (ଏସଆଇପି) ସହିତ ଏନସିଏସ୍ ର ଇଣ୍ଟିଗ୍ରେସନ ରହିଛି। ଏନସିଏସ୍ ଏବଂ ଉଦ୍ୟମ ପୋର୍ଟାଲଗୁଡିକ ମଧ୍ୟରେ ଲିଙ୍କେଜ ମାଧ୍ୟମରେ ଆଜି ପର୍ଯ୍ୟନ୍ତ ଏନସିଏସ୍ ପୋର୍ଟାଲରେ 39,000 ରୁ ଅଧିକ ଏମଏସଏମଇର ପଞ୍ଜୀକରଣ ହୋଇପାରିଛି। ସମୁଦାୟ  ଇଶ୍ରମ ପଞ୍ଜୀକରଣକାରୀ ଯେଉଁମାନେ ଏନସିଏସ୍ ପୋର୍ଟାଲରେ ପଞ୍ଜୀକୃତ ହୋଇଛନ୍ତି ସେମାନଙ୍କ ସଂଖ୍ୟା  9.72 ଲକ୍ଷ ରହିଛି। ଏହା ସହିତ, ପିଏମକେଭିୱାଇ (ସ୍କିଲ ଇଣ୍ଡିଆ ପୋର୍ଟାଲ) ର ମୋଟ 41.52 ଲକ୍ଷ ସାର୍ଟିଫିକେଟ୍ ତଥ୍ୟ ଏନସିଏସ୍ ପୋର୍ଟାଲ ସହିତ ସେୟାର ହୋଇଛି।

Categories
ଜାତୀୟ ଖବର ବିଶେଷ ଖବର

ଓଡିଶାର ଦିବ୍ୟାଙ୍ଗମାନଙ୍କୁ ଚାକିରୀ ଦେବା ପାଇଁ ଆସିଲେ ଦେଶର ୨୬ଟି ନାମୀ କମ୍ପାନୀ

ଭୁବନେଶ୍ବର: ଦିବ୍ୟାଙ୍ଗ ମାନଙ୍କ ପାଇଁ ଜାତୀୟ ଆଜୀବିକା ସେବା କେନ୍ଦ୍ର (NCSCDA), ଭୁବନେଶ୍ୱର, ରୋଜଗାର ମହାନିର୍ଦେଶାଳୟ (ଡିଜିଇ), ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ, ଭାରତ ସରକାର ଏବଂ ଅନୁସୂଚିତ ଜାତି ଏବଂ ଜନଜାତି ମାନଙ୍କ ପାଇଁ ଜାତୀୟ ଆଜୀବିକା ସେବା କେନ୍ଦ୍ର, ଭୁବନେଶ୍ୱର ମିଳିତ ଆନୁକୁଲ୍ଯରେ ଏକ ନିଯୁକ୍ତି ମେଳାର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଏହି ନିଯୁକ୍ତି ମେଳା ଅବସରରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରିବା ପାଇଁ  ରାଜ୍ୟର ବିଭିନ୍ନ ସ୍ଥାନରୁ ସମସ୍ତ ପ୍ରାର୍ଥୀ ମାନେ ଏନସିସିସିଡିଏ କାର୍ଯ୍ୟାଳୟ ପରିସରରେ ଏହି ମେଳାରେ ଭାଗ ନେଇଥିଲେ। ଏଥିରେ ଶ୍ରବଣ ଶକ୍ତି ରହିତ ଭିନ୍ନକ୍ଷମମାନଙ୍କ ପାଇଁ ମଧ୍ୟ ପଦବୀ ଥିଲା ।

ଏହି କାର୍ଯ୍ୟକ୍ରମରେ ଜିତାମିତ୍ରା ଶତପଥୀ, ପ୍ରିନ୍ସିପାଲ, ସରକାରୀ ଆଇ.ଟି.ଆଇ ମୁଖ୍ୟ ଅତିଥି, ଏବଂ ତପନ କୁମାର ରାଉଳ, ଉପ କ୍ଷେତ୍ରୀୟ ରୋଜଗାର ଅଧିକାରୀ ଅତିଥି ଭାବରେ ଯୋଗ ଦେଇଥିଲେ। ଶ୍ରୀ ସୁଜିତ କୁମାର ସାହୁ , ସହ ନିର୍ଦ୍ଦେଶକ, ଏନସିସିସିଡିଏ, ଭୁବନେଶ୍ୱର, ଶ୍ରୀମତୀ ସୋନାଲିକା ସୁମନ ଏବଂ ଶ୍ରୀମତୀ ମୀନତି ପଟ୍ଟନାୟକ ଦ୍ୱାରା ସମର୍ଥିତ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ।

ଏହି ନିଯୁକ୍ତି ମେଳାରେ ବିଭିନ୍ନ କ୍ଷେତ୍ରରୁ ଯଥା ଫାଇନାନ୍ସ,, ଳୋଜିଷ୍ଟିକ, ନର୍ସିଂ, ମାର୍କେଟିଙ୍ଗ, ଅଟୋ ମୋବାଇଲ, ଇ କମର୍ସ, ଆକାଉନ୍ଟସ, ଟ୍ରାଭେଲ୍ସ,, ଆ.ଇ.ଟି ଆଦି ପ୍ରାୟ ୭୫୦ରୁ ଅଧିକ ପଦବୀ ପାଇଁ ବିଭିନ୍ନ କମ୍ପାନି ମାନେ ଯୋଗଦେଇଛନ୍ତି| ସେଥି ମଧ୍ୟରେ Quess Corp, Randstad India, Sky Automobiles, Trupti group, Quantum Wire Technical services pvt Ltd, Team Success World Wide Youth Icon , L&T Finance, Deevine Nursing, Tatwa Technology, Garg logistics,  ଆଦି ୨୬ କମ୍ପାନି ମାନେ ଯୋଗ ଦେଇଛନ୍ତି। ଏହି ନିଯୁକ୍ତି ମେଳାରେ ପ୍ରାୟ ୫୦୦ରୁ ଊର୍ଦ୍ଧ୍ଵ ପ୍ରାର୍ଥୀମାନେ ଯୋଗ ଦେଇଥିଲେ।

ବେକାରୀ ଥିବା ପିଲାମାନେ କେମିତି ନିଜ ଜୀବନ ସ୍ରୋତରେ ନିଯୁକ୍ତି ପାଇବେ ଏବଂ ଏହି ନିଯୁକ୍ତି ମେଳା ତାଙ୍କମାନଙ୍କ ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ ବୋଲି ଶ୍ରୀମତି ଜିତାମିତ୍ରା କହିଛନ୍ତି। “ଆଜାଦୀ କା ଅମୃତ ମହୋତ୍ସବ ଏକ ବହୁତ ସୁନ୍ଦର ପଦକ୍ଷେପ ଏବଂ ଏହି ନିଯୁକ୍ତି ମେଳା ଦ୍ଵାରା ବହୁତ ପିଲା ମାନେ ନିଜର ସଠିକ ଦିଗ ପାଇ ପାରିବେ” ଶ୍ରୀ ରାଉଳ କହିଛନ୍ତି ।

“ପିଲାମାନଙ୍କୁ  ଏବଂ କମ୍ପାନି ମାନଙ୍କୁ ଗୋଟିଏ ଜାଗାରେ ସାକ୍ଷାତ  କରିବା ଏବଂ ନିଯୁକ୍ତି ଆଶାୟୀ ପ୍ରାର୍ଥୀ ଓ ନିଯୁକ୍ତି ଦାତା ମାନଙ୍କ ମଧ୍ୟରେ ଥିବା ଫାଙ୍କା ସ୍ଥାନକୁ କମ କରିବା ଏହି ନିଯୁକ୍ତି ମେଳାର ମୁଖ୍ୟ ଉଦ୍ଦେଶ୍ୟ” ଶ୍ରୀ ସାହୁ କହିଛନ୍ତି।