Categories
ଆଜିର ଖବର ରାଜ୍ୟ ଖବର

ଶ୍ରୀମନ୍ଦିରରେ ସେବାୟତଙ୍କ ରକ୍ତ ଛିଟା: ଶ୍ରୀଜିଉଙ୍କ ହେଲା ବଡ଼ ମହାସ୍ନାନ ନୀତି

ପୁରୀ: ଆଜି ସକାଳେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବଡ଼ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଅଛି। ଅବକାଶ ପୂଜା ଶେଷ ହେବା ପରେ ଶ୍ରୀମନ୍ଦିର ଭିତର କାଠ ନିକଟରେ ସେବାୟତଙ୍କ ରକ୍ତ ଛିଟା ପଡ଼ିଥିବାରୁ ଶ୍ରୀଜିଉଙ୍କ ବଡ଼ ମହାସ୍ନାନ ଅନୁଷ୍ଠିତ ହୋଇଥିଲା। ପାଣିଆ ଆପଟ ସେବକ ଗରାରେ ପାଣି ଆଣି ଆସିଲାବେଳେ ପାଣିଘର ପାଖରେ ଗୋଡ଼ ଖସିଯିବାରୁ ପଡ଼ିଯାଇ ଗରାର ବନ୍ଧ ହାତରେ ପଶି ଯିବାରୁ ହାତ କଟି ରକ୍ତ ପଡିଥିଲା। ସେବକ କୃଷ୍ଣଚନ୍ଦ୍ର ଆପଟ ଆହତ ଅବସ୍ଥାରେ ପ୍ରଥମେ ପୁରୀ ଓ ପରେ ଆସୁ ଚିକିତ୍ସା ପାଇଁ ଭୁବନେଶ୍ୱରର ଆପୋଲୋ ହସପିଟାଲକୁ ପଠାଯାଇଥିବା ଜଣାପଡିଅଛି।

ତେବେ ଏପରି ଅଘଟଣ ହେତୁ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ବଡ଼ ମହାସ୍ନାନ ସମୟରେ ଆଜି ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରହିଥିଲା। ତେବେ ବଡ଼ ମହାସ୍ନାନ ନୀତି ଶେଷ ହେବା ପରେ ଶ୍ରୀମନ୍ଦିରରେ ନୀତି ଓ ଦର୍ଶନ ସ୍ୱାଭାବିକ ରହିଥିବା ଜଣାପଡିଅଛି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଶ୍ରୀକ୍ଷେତ୍ରରେ ଉତ୍ସବମୁଖର ପରିବେଶ: ଭକ୍ତମାନଙ୍କ ସହ ରଙ୍ଗର ହୋଲି ଖେଳିଲେ ଶ୍ରୀଜିଉ

ପୁରୀ: ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଶୁକ୍ରବାର ଶ୍ରୀକ୍ଷେତ୍ରରେ ଉତ୍ସବମୁଖର ପରିବେଶ ମଧ୍ୟରେ ଶ୍ରୀଜିଉ ଭକ୍ତମାନଙ୍କ ସହ ରଙ୍ଗର ହୋଲି ଖେଳିଛନ୍ତି। ଏଥିନିମନ୍ତେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି। ରତ୍ନବେଦୀରେ ବିରାଜମାନ ଚତୁର୍ଦ୍ଧାମୂର୍ତ୍ତି ସୁନାବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ସେହିଭଳି ଶ୍ରୀମନ୍ଦିରରୁ ମଣି ବିମାନରେ ଦୋଳଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀ ବିଜେ କରି ଦୋଳବେଦୀକୁ ଆସିଛନ୍ତି। ଏହା ଏକ ନିଆରା ଦୋଳପୂର୍ଣ୍ଣିମା ପରମ୍ପରା।

ଏହି ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଛନ୍ତି। ଶ୍ରୀମନ୍ଦିରରେ ପାଳିତ ହେଉଥିବା ଦ୍ବାଦଶ ଯାତ୍ରା ମଧ୍ୟରେ ଦୋଳ ଉତ୍ସବ ଏକ ପ୍ରମୁଖ ଯାତ୍ରାଭାବେ ବିବେଚିତ ହୋଇଥାଏ ବୋଲି କହିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରଧାନମନ୍ତ୍ରୀଙ୍କ ହାତରୁ ପ୍ରମାଣପତ୍ର ଗ୍ରହଣ କରିଥିବା ଶ୍ରୀଜିଉଙ୍କର ଦୟଣାମାଳି ସେବକ

ନୂଆଦିଲ୍ଲୀ: ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜିଉଙ୍କର ଦୟଣାମାଳି ସେବକ ବସନ୍ତ କୁମାର ରଣା କେନ୍ଦ୍ର ସରକାରଙ୍କ ବିଶ୍ୱକର୍ମା ଯୋଜନାକୁ ନେଇ ବେଶ ଉତ୍ସାହ ପ୍ରକାଶ କରିବା ସହିତ ଏହା କୌଳିକ ବୃତ୍ତିଧାରୀ କାରିଗରମାନଙ୍କୁ ବିଶେଷ ଭାବେ ସହାୟକ ହେବ ବୋଲି କହିଛନ୍ତି। ଗତ ୧୭ ତାରିଖରେ ପିଏମ୍‌ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଶ୍ରୀ ରଣା ବିଶ୍ୱକର୍ମା ପ୍ରମାଣପତ୍ର ପାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର ଅନୁଭୂତି ସ୍ୱତନ୍ତ୍ର ଥିଲା ବୋଲି  ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

ଶ୍ରୀ ରଣା କହିଛନ୍ତି, ୯୦ ଦଶକରୁ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା କରି ଆସୁଛନ୍ତି। ଶ୍ରୀଜିଉଙ୍କ ସବୁଠୁ ବିରଳ ବେଶ ନାଗାର୍ଜ୍ଜୁନ ବେଶ ସମୟରେ ସେ ଫୁଲମାଳ, ଟାହିଆ ଯୋଗାଇ ଦେଇଥିଲେ। ଶ୍ରୀଜିଉଙ୍କର ସ୍ନାନ ପୂର୍ଣ୍ଣିମା, ହାତୀ ବେଶ, ଗଜ ଉଦ୍ଧାରଣ ବେଶ, କୃଷ୍ଣ ବଳରାମ ବେଶ, ପଦ୍ମବେଶ, ଡାଳିକିଆ ବେଶ ମଧ୍ୟ ସେ ପ୍ରସ୍ତୁତ କରିଥାନ୍ତି। ତା’ଛଡ଼ା ସ୍ନାନପୂର୍ଣ୍ଣିମା ଠାରୁ ଆରମ୍ଭ କରି ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେଉଥିବା ଟାହିଆ ମଧ୍ୟ ସେ ତିଆରି କରିଥାନ୍ତି।

ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ବିଶ୍ୱକର୍ମା ପ୍ରମାଣପତ୍ର ଗ୍ରହଣ କରିବାର ଅନୁଭୂତିକୁ ନେଇ ପଚାରିବାରୁ ଶ୍ରୀ ରଣା ଭାବପ୍ରବଣ ହୋଇ ପଡ଼ିଛନ୍ତି। ସେ କହିଛନ୍ତି, ତାଙ୍କ ଭଳି ସାଧାରଣ କାରିଗରଙ୍କୁ ଦେଶର ରାଜଧାନୀର ମଞ୍ଚରେ ଛିଡ଼ା ହେବାର ସୁଯୋଗ ମିଳିବା ଶ୍ରୀଜଗନ୍ନାଥଙ୍କ କୃପାରୁ ସମ୍ଭବ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହେବାର ଅନୁଭୂତି ସ୍ୱତନ୍ତ୍ର ଥିଲା। ମହାପ୍ରଭୁ ଜଗନ୍ନାଥଙ୍କ କେଉଁ ସବୁ ସେବା କରିଥାନ୍ତି ସେ ସମ୍ପର୍କରେ ଶ୍ରୀ ମୋଦୀ ତାଙ୍କ ସହ କଥା ହୋଇଥିଲେ ବୋଲି ସେ କହିଛନ୍ତି।

ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା ନେଇ ଶ୍ରୀ ରଣା କହିଛନ୍ତି, ପୁରୀ ସହରରେ ଥିବା ସବୁ ବିଶ୍ୱକର୍ମାମାନଙ୍କୁ ଚିହ୍ନଟ ଏବଂ ଏକତ୍ରିତ କରି ସେମାନଙ୍କ ପାଇଁ ତାଲିମ ବ୍ୟବସ୍ଥା କରାଯିବ। ସେମାନଙ୍କୁ ଆର୍ଥିକ ସହାୟତା ମଧ୍ୟ କରାଯିବ। ରାଜ୍ୟର ପୁରୀ, ଭୁବନେଶ୍ୱର ଓ ସମ୍ବଲପୁର ଠାରେ କୌଳିକ ବୃତ୍ତିଧାରୀ କାରିଗରଙ୍କ ପାଇଁ ପ୍ରଶିକ୍ଷଣ କେନ୍ଦ୍ର ଖୋଲିବା ପାଇଁ କେନ୍ଦ୍ର ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଦ୍ୱାରା, ରଜକ, ବାଉଁଶ ସାମଗ୍ରୀ ନିର୍ମାଣ କାରିଗର, ବଢ଼େଇ, ମାଳାକାର, ରାଜମିସ୍ତ୍ରୀ ଭଳି କୌଳିକ ବୃତ୍ତି ଧାରୀ ଅବହେଳିତ ବର୍ଗର ଲୋକମାନେ ଉପକୃତ ହୋଇପାରିବେ ବୋଲି ଶ୍ରୀ ରଣା ଆଶାବ୍ୟକ୍ତ କରିଛନ୍ତି। ତାଙ୍କ ଭଳି କାରିଗରମାନଙ୍କୁ ପ୍ରଧାନମନ୍ତ୍ରୀ ଦିଲ୍ଲୀ ଦରବାରରେ ସମ୍ମାନ ଦେଇଥିବାରୁ ସେ କୃତଜ୍ଞତା ପ୍ରକାଶ କରିଛନ୍ତି। କୌଳିକ ବୃତ୍ତିଧାରୀଙ୍କ ପାଇଁ ପ୍ରଶିକ୍ଷଣ ବ୍ୟବସ୍ଥା ହେଲେ ସବୁ କାରିଗରମାନେ ଉପକୃତ ହୋଇପାରିବେ। ପ୍ରଶିକ୍ଷଣ, ଆର୍ଥିକ ସହାୟତା, ଋଣ ବ୍ୟବସ୍ଥା ଦ୍ୱାରା ମାଳି, ରଜକ, ବଣିଆ ଭଳି ବୃତ୍ତିଧାରୀମାନେ ଉପକୃତ ହୋଇପାରିବେ। କେନ୍ଦ୍ର ସରକାରଙ୍କ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ତାଙ୍କୁ ସବୁ ପ୍ରକାର ସହଯୋଗ ମିଳିଛି ବୋଲି ଶ୍ରୀ ରଣା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଆଜି ସନ୍ଧ୍ୟାରେ ମହାପ୍ରଭୁଙ୍କ ଦର୍ଶନ ମନା: ଶ୍ରୀମନ୍ଦିରରେ ହେବ ଶ୍ରୀଜିଉଙ୍କ ପଇତାଲାଗି ନୀତି

ଭୁବନେଶ୍ଵର/ପୁରୀ: ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ପଇତାଲାଗି ନୀତି। ବୈଶାଖ ମାଷ କୃଷ୍ଣ ପକ୍ଷ ଦ୍ଵାଦଶୀ ତିଥିରେ ଶ୍ରୀଜିଉଙ୍କ ପଇତାଲାଗି ନୀତି ପାଳନ କରାଯାଏ। ସନ୍ଧ୍ୟା ସମୟରେ ଏହି ନୀତି ପାଳନ କରାଯିବ। ଏହା ଶ୍ରୀଜିଉଙ୍କର ଗୁପ୍ତ ନୀତି ଅଟେ। ତେଣୁ ଏହି ସମୟ ମଧ୍ୟରେ ଶ୍ରଦ୍ଧାଳୁମାନଙ୍କୁ ମହାପ୍ରଭୁଙ୍କ ଦର୍ଶନ ଉପରେ କଟକଣା ଲାଗିଛି।

ସେଥିପାଇଁ ସାଧାରଣଙ୍କ ପାଇଁ ଶ୍ରୀମନ୍ଦିର ୪ ଘଣ୍ଟା ପାଇଁ ବନ୍ଦ ରହିବ। ସନ୍ଧ୍ୟା ୬ଟାରୁ ୧୦ଟା ପର୍ଯ୍ୟନ୍ତ ପ୍ରାୟ ୪ ଘଣ୍ଟା ସର୍ବସାଧାରଣ ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ।