Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୋଲ ମରାମତି ସମୟରେ କାଉନସିଲରଙ୍କୁ ଆକ୍ରମଣ ଅଭିଯୋଗ, ବାଣପୁର ଥାନା ଘେରାଉ କଲେ ଗ୍ରାମବାସୀ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଶ୍ରୀନିବାସପୁର ଗ୍ରାମରେ ଦେଖା ଦେଇଛି ବିଶୃଙ୍ଖଳା। ଉକ୍ତ ଗ୍ରାମର ଏକ ପୋଲ ମରାମତି କାର୍ଯ୍ୟ ଜାରି ରହିଥିବା ବେଳେ ସ୍ଥାନୀୟ କାଉନସିଲରଙ୍କୁ ଜଣେ ବ୍ୟକ୍ତି ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି। ଏବଂ ଆକ୍ରମଣକାରିଙ୍କୁ ଗିରଫ ଦାବିରେ ବାଣପୁର ଥାନା ଘେରାଉ କରିଛନ୍ତି ଉକ୍ତ ଗ୍ରାମର ବହୁ ମହିଳା ଓ ପୁରୁଷ।

ଖବର ମୁତାବକ ଶ୍ରୀନିବାସପୁର ଗ୍ରାମର ଏକ ପୋଲର ମରାମତି କାର୍ଯ୍ୟ ଜାରି ରହିଥିଲା।  ମଧ୍ୟାହ୍ନରେ ଉକ୍ତ ଗ୍ରାମର ବିଜୁ ନିର୍ମାଣ କାର୍ଯ୍ୟ ନିମ୍ନମାନର ବୋଲି ଅଭିଯୋଗ କରିବା ସହ ଏହାର କାର୍ଯ୍ୟାଦେଶ କାଇଁ ବୋଲି ସମ୍ପୃକ୍ତ କାର୍ଯ୍ୟ ନେଇଥିବା ଠିକାଦାରଙ୍କୁ ପଚାରିଥିଲେ। ଉକ୍ତ ସମୟରେ ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ କାଉନସିଲର ଅଭିମନ୍ୟୁ ପ୍ରଧାନଙ୍କ ସହ ତାଙ୍କର ବଚସା ହୋଇଥିଲା। ବଚସା ପରେ ଅଭିମନ୍ୟୁଙ୍କୁ ବିଜୁ ଆକ୍ରମଣ କରିଥିବାର ବାଣପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା।

ଏ ନେଇ ଅଭିମନ୍ୟୁଙ୍କ ସମର୍ଥନରେ ଉକ୍ତ ଗ୍ରାମର ଏକାଧିକ ମହିଳା ଓ ପୁରୁଷ ବାଣପୁର ଥାନା ଘେରାଉ କରିବା ସହ ଆକ୍ରମଣକାରୀଙ୍କୁ ଗିରଫ ପାଇଁ ଦାବି କରିଥିଲେ। ବର୍ତ୍ତମାନ ଘଟଣାର ତଦନ୍ତ ଜାରି ରଖିଥିବାର ଅତିରିକ୍ତ ଆଇଆଇସି କାଁହୁଚରଣ ସ୍ୱାଇଁ କହିଛନ୍ତି।