Categories
ଧର୍ମ ବିଶେଷ ଖବର ରାଜ୍ୟ ଖବର

ଶ୍ରୀବଳଦେବଜୀଉ ମନ୍ଦିରର ମକର ସଂକ୍ରାନ୍ତି, ଭିନ୍ନ ଏକ ପରଂପରା, ଭିନ୍ନ ରୀତିନିତି

କେନ୍ଦ୍ରାପଡା: ତୁଳସୀକ୍ଷେତ୍ର କେନ୍ଦ୍ରାପଡାର ଆରାଧ୍ୟଦେବତା ଶ୍ରୀବଳଦେବଜୀଉ ମନ୍ଦିର ପରିସରରେ ମକରବେଢା ପରିକ୍ରମା ଦେବନୀତି ସଂପାଦିତ କରାଯାଇଛି । ଧନୁସଂକ୍ରାନ୍ତିରୁୁ ନିଜର ପିତ୍ରାଳୟ ଗମନ କରିଥିବା ମା ମହାଲକ୍ଷ୍ମୀ ମକରସଂକ୍ରାନ୍ତି ପୂର୍ବଦିନ ବାପଘରୁ ମନ୍ଦିରକୁ ପ୍ରତ୍ୟାବର୍ତନ କରିଥିଲେ । ପ୍ରତ୍ୟାବର୍ତନ ସମୟରେ ମା ମହାଲକ୍ଷ୍ମୀ ବାପଘରୁ ମକରହାଣ୍ଡି, ବିଭିନ୍ନ ପନିପରିବା, ଶାଗ ଆଣିଥିଲେ ।

ସେହି ମକର ହାଣ୍ଡିରେ ଆଣିଥିବା ମକର ଚାଉଳ,କଦଳୀ,କନ୍ଦମୁଳ ନବାତ,କ୍ଷୀର,ଗୁଡ ପରି ଆଦି ସାମଗ୍ରୀକୁ ନେଇ ଚାରିଟିଥାଳିରେ ରଖାଯାଇ ରତ୍ନସିଂହାସନରେ ବିରାଜିତ ଶ୍ରୀବଳଦେବଙ୍କ ସମେତ ଚତୁର୍ଦ୍ଧାମୁର୍ତୀଙ୍କ ଉଦେଶ୍ୟରେ ଉତ୍ସର୍ଗ ହେବାପରେ ସେହିସବୁ ଥାଳିରେରହିବା ପବିତ୍ର ସାମଗ୍ରୀକୁ ନିଆଯାଇ ନବାଙ୍କବେଢା ପରିକ୍ରମା କରାଯାଇଥାଏ ।

ମକରସଂକ୍ତାନ୍ତି ପୂର୍ବଦିନ ରାତିରେ ଅର୍ଥାତ ଗତକାଲି ରାତିରେ ଶ୍ରୀଜୀଉଙ୍କ ମନ୍ଦିରବେଢାକୁ ପାଂଚଥର ଏହି ମକରବେଢା କରାଯାଇଥିବାବେଳେ ଆଜି ଚାରିଥର ମକରବେଢା ପରିକ୍ରମା ଦେବନୀତି ସଂପାଦନ କରାଯାଇଛି । ଚତୁର୍ଦ୍ଧାମୁର୍ତୀକୁ ଉତ୍ସର୍ଗକରାଯାଇଥିବା ଚାରି ଦିବ୍ୟଥାଳିକୁ ବଡପଣ୍ଡା, ଚର୍ଚେଇତ, କର, ସୂଆର ସଂପ୍ରଦାୟ ସେବାୟତମାନେ ମସ୍ତକରେ ଧାରଣ କରି ବେଢା ପରିକ୍ରମା ଦେବନୀତି ସଂପାଦନ କରାଇଥିଲେ ।

ଏହାପରେ ମା ମହାଲକ୍ଷ୍ମୀଙ୍କ ବାପଘରୁ ଆଶିଥିବା ଅମଣିହା ହାଣ୍ଡିରେ ସାତପୁରୀ,କରଞ୍ଜ,ବୁନ୍ଦି, ମିଠେଇ, ଲଡୁ, ବୁନ୍ଦି ଖିରି,ଅନ୍ନ,ଡାଲି,ବେସର,ମହୁର,ଶାଗଭଜା ପରି ୮୪ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଶ୍ରୀଜୀଉଙ୍କୁ ନୈବେଦ୍ୟ ମଣୋହି କରାଯାଇଥିଲା । ମକରବେଢା ପରିକ୍ରମାରେ ଅଂଶଗ୍ରହଣ କଲେ ସାତପୁରୁଷ ଉଦ୍ଧାର ହୁଅନ୍ତି ତଥା ଇହଲୋକ ପରଲୋକରେ ସ୍ୱର୍ଗପ୍ରାପ୍ତି ସନ୍ତୋଷଲାଭ ହୋଇଥାଏ ବୋଲି ଲୋକବିଶ୍ୱାସ ରହିଥିବା ଧାର୍ମିକ ଆଧ୍ୟାତ୍ମିକ ବିଶ୍ୱାସ ରହିଛି।

ମନ୍ଦିର ପରିସରରେ ମକରବେଢା ପରିକ୍ରମା ପାଇଁ ପ୍ରବଳ ଭକ୍ତ ସମାଗମ ହୋଇଥିଲା । ମନ୍ଦିର ମଧ୍ୟରେ ଦେବନୀତି ଦର୍ଶନ ପାଇଁ ପ୍ରବଳ ଜନଗହଳି ହୋଇଥିବା ବେଳେ ଶାନ୍ତିଶୃଙ୍ଖଳା ରକ୍ଷାପାଇଁ ମନ୍ଦିର ଭିତରେ ପୋଲିସ,ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ ଗ୍ରହଣ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଶ୍ରୀବଳଦେବଜୀଉ ମନ୍ଦିରର ପାରିପାର୍ଶ୍ଵିକ ଉନ୍ନତିକରଣ ଉପରେ ରିପୋର୍ଟ ମାଗିଲେ ଆଇନ ମନ୍ତ୍ରୀ

ଭୁବନେଶ୍ବର: ତୁଳସୀକ୍ଷେତ୍ର ଆରାଧ୍ୟଦେବତା ଶ୍ରୀବଳଦେବଜୀଉ ମନ୍ଦିରର ପାରିପାର୍ଶ୍ଵିକ ପରିବେଶର ଉନ୍ନତୀକରଣ କରାଯିବ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ ପଦକ୍ଷେପ ନିଆଯାଉଛି ବା ପ୍ରସ୍ତୁତି କରାଯାଉଛି ତାହା ଜାଣିବା ପାଇଁ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଏକ ଜରୁରୀ ଚିଠି ଲେଖି ଜାଣିବାକୁ ଚାହିଁବା ପରେ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିଛି।

ତରବରିଆ କ୍ରମେ ଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ପ୍ରସାଶନିକ ଦଳ ମନ୍ଦିର ନିକଟରେ ପହଁଚି ପାରିପାର୍ଶ୍ଵିକ ପରିସ୍ଥିତି କିପରି ରହିଛି ତାହାର କ୍ଷେତ୍ରସମୀକ୍ଷା କରିଛନ୍ତି। ମନ୍ଦିର ମଧ୍ୟରେ ରହିଥିବା କେତେକ ସ୍ଥାନ ଯଥା ସିନ୍ଧୁକ ରଖିବା ସ୍ଥାନ, କାଠ ରଖିବା ଜାଗା, ମନ୍ଦିର ପାଚେରୀକୁ ଲାଗିଥିବା ଉଦ୍ୟାନ, ଚନ୍ଦନ ପୋଖରୀ ନିକଟରେ ପହଁଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ।

ମନ୍ଦିର ମଧ୍ୟରେ କାଠ ଏବଂ ସିନ୍ଦୁକ କିଭଳି ଅନ୍ୟତ୍ର ସ୍ଥାନାନ୍ତର ହେବ ସେ ନେଇ ନିଷ୍ପତି ନିଆଯାଇପାରେ ବୋଲି ଦେବୋତର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ପରୋକ୍ଷରେ ସୂଚନା ଦେଇଛନ୍ତି । ସେହିପରି ମନ୍ଦିରକୁ ଲାଗି ରହିଥିବା ଶିଶୁ ଉଦ୍ୟାନ ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଛି ତାହାର କିପରି ଉନତିକରଣ କରାଯାଇପାରିବ ସେନେଇ ମଧ୍ୟ ପ୍ରତିନିଧି ଦଳ କ୍ଷେତ୍ର ଅନୁଧ୍ୟାନ କରିଥିଲେ।

5 T ଯୋଜନାରେ ମନ୍ଦିର ଉନତି ପାଇଁ 10 କୋଟି ଟଙ୍କା ଆର୍ଥିକ ଅନୁଦାନ ପୂର୍ଵତନ ସରକାର ଯୋଗାଇ ଦେଇଥିଲେ। ସେହି ଅନୁଦାନ ବିନିଯୋଗ ହେବା ପରେ ପାଖାପାଖି ଅଢେଇ କୋଟି ଟଙ୍କା ବଳକା ଭାବେ ପଡି ରହିଛି। ଦେବୋତର ସଂସ୍ଥା ପକ୍ଷରୁ ନିକଟ ଅତୀତରେ ମନ୍ଦିର ନିକଟରେ ରହିଥିବା ଏକ ଚନ୍ଦନ ପୋଖରୀ କୁ ଶ୍ରୀଜୀଉଙ୍କ ନାଁରେ କିଣାଯାଇଛି।

ଏହି ପୋଖରୀକୁ ବଳିପଡ଼ିଥିବା ଆର୍ଥିକ ଅନୁଦାନରେ କିପରି ଚତୁଃପାର୍ଶ୍ଵର ଉନୟନ କରାଯିବ ସେ ନେଇ ମଧ୍ୟ ପ୍ରତିନିଧି ଦଳ ବୁଲି ଦେଖିଛନ୍ତି। ଏ ସମ୍ପର୍କରେ ସଂଗ୍ରହ କରାଯାଇଥିବା ଚୂଡାନ୍ତ ରିପୋର୍ଟ ଆଇନ ମନ୍ତ୍ରୀଙ୍କୁ ପ୍ରଦାନ କରାଯିବା ପରେ ମନ୍ଦିର ପ୍ରଶାସନ ସହ ଜିଲ୍ଲା ପ୍ରଶାସନର ଏକ ଦଳ ଆଇନ ମନ୍ତ୍ରୀଙ୍କ ସହ ମନ୍ଦିର ଉନତି ସମ୍ପର୍କରେ ସଦ୍ୟତମ ଆଲୋଚନା କରିବେ।

ପୁରୀ ଶ୍ରୀମନ୍ଦିର ପରି ତୁଳସୀକ୍ଷେତ୍ର ଶ୍ରୀବଳଦେବଜୀଉ ମନ୍ଦିର ଚାରିପଟେ ଏକ ପରିକ୍ରମା ପ୍ରକଳ୍ପ କରାଯିବ ବୋଲି ମଧ୍ୟ ଶୁଣିବାକୁ ମିଳୁଛି। ତେଵେ ମନ୍ଦିର ଚତୁଃପାର୍ଶ୍ଵର ଉନୟନ କାର୍ଯ୍ୟ କିପରି ହେବ ସେଥିପାଇଁ ବର୍ତ୍ତମାନ ସରକାର କିଭଳି ଆଭିମୁଖ୍ୟ ପୋଷଣ କରିଛନ୍ତି ତାହାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଇନମନ୍ତ୍ରୀଙ୍କ ସହ ଆଲୋଚନା ପରେ ଛବି ସ୍ପଷ୍ଟ ହେବ ବୋଲି ସୂଚନା ମିଳୁଛି।