Categories
ଆଜିର ଖବର ଧର୍ମ

ରାଜଭବନରେ ଶ୍ରୀରାମ କାବ୍ୟପାଠ କବି ସମ୍ମେଳନ ଆୟୋଜିତ

ଭୁବନେଶ୍ୱର: ରାମାୟଣ ହେଉଛି ଦିବ୍ୟପ୍ରେମର ସର୍ବଶ୍ରେଷ୍ଠ ଗ୍ରନ୍ଥ। ଏଥିରେ ଅଛି ସଫଳ ଓ ସାର୍ଥକ ଜୀବନ ଜିଇଁବାର ସୂତ୍ର। ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ସକଳ ଶାଶ୍ୱତ ଗୁଣର ଆଧାର ଏବଂ ତାଙ୍କ ଆଦର୍ଶର ଚିରନ୍ତନ ପ୍ରାସଙ୍ଗିକତା ରହିଛି ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି।

ଆଜି ରାଜଭବନରେ ଅଖିଳ ଭାରତୀୟ ରାଷ୍ଟ୍ରୀୟ କବି ସଂଗମ ଆନୁକୂଲ୍ୟରେ ଆୟୋଜିତ ଶ୍ରୀରାମ କାବ୍ୟପାଠ କବି ସମ୍ମେଳନରେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ପୁରୁଷ ଓ ପ୍ରକୃତିର ସଂଗମ ହେଉଛନ୍ତି ଶ୍ରୀରାମ। ସେ ସମସ୍ତ ଦିବ୍ୟଗୁଣର ଅଧିକାରୀ। ତେବେ ସୀତାଙ୍କ ବ୍ୟତିରେକ ସେ ଅପୂର୍ଣ୍ଣ। ରାମଙ୍କର ବିକଳ୍ପ ସମ୍ଭବ ହେଇପାରେ କିନ୍ତୁ ସୀତା ଅନନ୍ୟା। ରାମାୟଣରେ ସୀତାଙ୍କ ଚରିତ୍ରର ପୁନଃମୂଲ୍ୟାୟନ କରିବାକୁ ରାଜ୍ୟପାଳ କହିଥିଲେ।

ରାଷ୍ଟ୍ରୀୟ କବି ସଂଗମର ଅଧ୍ୟକ୍ଷ ଜଗଦୀଶ ମିତ୍ତଲ ଅନୁଷ୍ଠାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ସୂଚନା ଦେବା ସହ ଦେଶବିଦେଶରେ ଏହାର ବ୍ୟାପ୍ତି ଉତ୍ସାହଜନକ ହୋଇଥିବା ପ୍ରକାଶ କରିଥିଲେ। ରାଷ୍ଟ୍ରୀୟ ସହ ମହାମନ୍ତ୍ରୀ ମହେଶ ଶର୍ମା, ଓଡ଼ିଶା ଶାଖାର ଅଧ୍ୟକ୍ଷ ଗଜାନନ୍ଦ ଶର୍ମା, ସଂରକ୍ଷକ ଅଜୟ ଅଗ୍ରୱାଲ, ମହାମନ୍ତ୍ରୀ ପୁଷ୍ପା ସିନ୍ଧି ପ୍ରମୁଖ ଶ୍ରୀରାମ ବନଗମନ ପଥ କାବ୍ୟଯାତ୍ରାର ଉପଲବ୍ଧି ସଂପର୍କରେ ଆଲୋଚନା କରିଥିଲେ। ଏହି ଉପଲକ୍ଷେ କବିତା ପାଠୋତ୍ସବର ଆୟୋଜନ କରାଯାଇଥିଲା। ପୂର୍ବରୁ ଆୟୋଜିତ କବିତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।