Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ

କ୍ୟାଚ ନେବା ବେଳେ ଶ୍ରୀଲଙ୍କା ଅଲରାଉଣ୍ଡଙ୍କ ଭାଙ୍ଗିଲା ଚାରିଟି ଦାନ୍ତ: ଅସ୍ତ୍ରୋପଚାର ପାଇଁ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ବୁଧବାର ଦିନ ଖେଳାଯାଇଥିବା ଲଙ୍କା ପ୍ରିମିୟର ଲିଗ୍ ମ୍ୟାଚରେ ଶ୍ରୀଲଙ୍କା ଅଲରାଉଣ୍ଡର ଚମିକା କରୁଣାରତ୍ନେ ଗୁରୁତର ଆହତ ହୋଇଛନ୍ତି। କ୍ୟାଚ ଧରିବା ବେଳେ କରୁଣାରତ୍ନେଙ୍କ ମୁହଁରେ ଆଘାତ ଲାଗିଥିଲା ​​ଏବଂ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା। ତେବେ କରୁଣାରତ୍ନେଙ୍କ ଅବସ୍ଥା ଭଲ ଏବଂ ସେ କୌଣସି ବିପଦରେ ନାହାଁନ୍ତି। କରୁଣାରତ୍ନେ କାଣ୍ଡି ଫାଲକନ୍ସ ପାଇଁ ଖେଳୁଛନ୍ତି ଏବଂ ଲିଗ୍ ର ଚତୁର୍ଥ ମ୍ୟାଚ୍ ସମୟରେ ସେ ଆହତ ହୋଇଥିଲେ।

କାର୍ଲୋସ ବ୍ରାଥୱାଇଟ୍ ଙ୍କ କ୍ୟାଚ ଧରିବାକୁ ଚେଷ୍ଟା କରୁଥିବାବେଳେ କରୁଣାରତ୍ନେ ଆହତ ହୋଇଥିଲେ। ବଲକୁ ସଠିକ୍ ଅନୁମାନ କରିପାରୁ ନ ଥିବାରୁ ବଲଟି କରୁଣାରତ୍ନେଙ୍କ ମୁହଁରେ ପଡିଯାଇଥିଲା ଏବଂ ତାଙ୍କର ଚାରିଟି ଦାନ୍ତ ଭାଙ୍ଗି ଯାଇଥିଲା। ତାଙ୍କୁ ତୁରନ୍ତ ଅସ୍ତ୍ରୋପଚାର ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦଳର ନିର୍ଦ୍ଦେଶକ ତାଙ୍କ ବିବୃତ୍ତି ଜାରି କରି କହିଛନ୍ତି ଯେ, କରୁଣାତ୍ନେଙ୍କ ଅବସ୍ଥା ଭଲ ଏବଂ ସେ ବିପଦରୁ ବାହାରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ୨୬ ବର୍ଷୀୟ କରୁଣାରତ୍ନେ ୨୦୧୯ରେ ଆନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ। ସେ ଏପର୍ଯ୍ୟନ୍ତ ଶ୍ରୀଲଙ୍କା ପାଇଁ ଗୋଟିଏ ଟେଷ୍ଟ, ୧୮ ଟି ଦିନିକିଆ ଏବଂ ୩୮ ଟି-୨୦ ଅନ୍ତର୍ଜାତୀୟ ଖେଳିଛନ୍ତି। ଟେଷ୍ଟରେ ୨୨ ରନ୍ ସ୍କୋର କରିବା ବ୍ୟତୀତ ସେ ଗୋଟିଏ ୱିକେଟ୍ ମଧ୍ୟ ନେଇଛନ୍ତି। ଦିନିକିଆରେ ସେ ୩୭୬ ରନ୍ ସଂଗ୍ରହ କରି ୧୬ ଟି ୱିକେଟ୍ ନେଇଛନ୍ତି। ସେ ଦିନିକିଆରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେହିଭଳି ଟି-୨୦ ରେ କରୁଣାରତ୍ନେଙ୍କ ବ୍ୟାଟରୁ ୨୫୭ ରନ୍ ବାହାରିଛି, ଯେଉଁଥିରେ ୩୧ ରନ ତାଙ୍କର ସର୍ବାଧିକ ସ୍କୋର। ବୋଲିଂରେ ସେ ୨୧ ଟି ୱିକେଟ୍ ନେଇଛନ୍ତି।