Categories
ଆଜିର ଖବର ଜାତୀୟ ଖବର

ଶ୍ରୀ ଅମରନାଥଙ୍କ ଯାତ୍ରା ସମ୍ପର୍କରେ ଆଲୋଚନା କଲେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସଚିବ

ନୂଆଦିଲ୍ଲୀ: ଶ୍ରୀ ଅମରନାଥଙ୍କ ଯାତ୍ରା ଆସନ୍ତା ୩୦ ଜୁନ, ୨୦୨୨ରେ ଆରମ୍ଭ ହେବ। ଏଥିପାଇଁ ଆଉ ୪୩ ଦିନ ବାକି ରହିଛି। ଏହି ଅବଧିରେ ଯାତ୍ରା ସମ୍ପର୍କରେ ବ୍ୟାପକ ପ୍ରଚାରପ୍ରସାର କରିବା ଲାଗି ଆଜି ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଶ୍ରୀ ଅପୂର୍ବ ଚନ୍ଦ୍ର ଶ୍ରୀନଗର ଠାରେ ଏକ ବୈଠକରେ ଆଲୋଚନା କରିଛନ୍ତି।

ଏହି ବୈଠକରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବଙ୍କ ସମେତ ଜମ୍ମୁ ଓ କଶ୍ମୀର ସରକାରଙ୍କ ମୁଖ୍ୟ ଶାସନ ସଚିବ ଅରୁଣ କୁମାର ମେହେଟା, ଶ୍ରୀ ଅମରନାଥଜୀ ଶ୍ରାଇନ୍‌ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହ ଅଧିକାରୀ ନୀତିଶ୍ୱର କୁମାର,  ଜମ୍ମୁ ଓ କଶ୍ମୀର ସରକାରଙ୍କ ପ୍ରମୁଖ ସଚିବ ରୋହିତ କାଁସାଲ, କେନ୍ଦ୍ର ସରକାରଙ୍କ ବହୁ ବରିଷ୍ଠ ଅଧିକାରୀ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ବିକ୍ରମ ସହାୟ, ଆକାଶବାଣୀର ପ୍ରମୁଖ ମହାନିର୍ଦ୍ଦେଶକ (ନ୍ୟୁଜ) ଏନ.ଭି. ରେଡ୍ଡୀ, ଦୂରଦର୍ଶନର ମହାନିର୍ଦ୍ଦେଶକ ମୟଙ୍କ ଅଗ୍ରୱାଲ, ଶ୍ରୀନଗର ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ଅତିରିକ୍ତ ମହାନିର୍ଦ୍ଦେଶକ ରାଜିନ୍ଦର ଚୌଧୁରୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ବୈଠକରେ ଅପୂର୍ବ ଚନ୍ଦ୍ର କହିଥିଲେ ଯେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ବିଭିନ୍ନ ଗଣମାଧ୍ୟମ ୟୁନିଟ୍‌ ଜରିଆରେ ଯାତ୍ରା ସମ୍ପର୍କରେ ବ୍ୟାପକ ପ୍ରଚାର ପ୍ରସାର ନିମନ୍ତେ ଯୋଜନା ପ୍ରସ୍ତୁତ କରାଯିବ। ଏଥିପାଇଁ ଜମ୍ମୁ ଓ କଶ୍ମୀର ସରକାରଙ୍କ ସହିତ ସମନ୍ୱୟ ସ୍ଥାପନ କରାଯିବ।  ସେ ଆହୁରି କହିଥିଲେ ଯେ ସାରା ଦେଶରେ ଶ୍ରୀ ଅମରନାଥଙ୍କ ଯାତ୍ରା ସମ୍ପର୍କରେ ପଚାର କରାଯିବ। ଏଥିସହି ଅଞ୍ଚଳରେ ଜାରି ରହିଥିବା ବିଭିନ୍ନ ପର୍ଯ୍ୟଟନ ଗତିବିଧି ଉପରେ ଆଲୋକପାତ କରାଯିବ। ଜମ୍ମୁ ଓ କଶ୍ମୀରରେ କେନ୍ଦ୍ର ସରକାର ଏବଂ କେନ୍ଦ୍ର ଶାସିତ ପ୍ରଦେଶ ପ୍ରଶାସନ ପକ୍ଷରୁ ଅନେକ ବିକାଶମୂଳକ କାର୍ଯ୍ୟ କରାଯାଇଛି। ଏସବୁ କାର୍ଯ୍ୟ ଲୋକଲୋଚନକୁ ଆଣିବାର ଆବଶ୍ୟକତା ରହିଛି। ଜମ୍ମୁ ଓ କଶ୍ମୀର ସମ୍ପର୍କରେ ରହିଥିବା ସକାରାତ୍ମକ ଖବରକୁ ସାରା ଦେଶରେ ପହଞ୍ଚାଇବାର ଆବଶ୍ୟକତା ରହିଛି। ଶ୍ରୀ ଚନ୍ଦ୍ର କହିଥିଲେ ଯେ ଚଳିତ ବର୍ଷ ଅମରନାଥ ଯାତ୍ରରେ ଛଅରୁ ଆଠ ଲକ୍ଷ ଯାତ୍ରୀ ଆସିବାର ସମ୍ଭାବନା ରହିଛି।

ବୈଠକରେ, ମୁଖ୍ୟ ସଚିବ ଅରୁଣ କୁମାର କହିଥିଲେ ଯେ ଚଳିତ ବର୍ଷ ଶ୍ରୀ ଅମରନାଥଙ୍କ ଯାତ୍ରାରେ ରେକର୍ଡ ସଂଖ୍ୟକ ଯାତ୍ରୀ ଆସିବାର ସମ୍ଭାବନା ରହିଛି । ସେମାନଙ୍କ ପାଇଁ ଉନ୍ନତ ସୁବିଧା ଏବଂ ବାଧାମୁକ୍ତ ଯାତ୍ରା ଅନୁଭୂତି ନିମନ୍ତେ ବ୍ୟବସ୍ଥା କରାଯାଇଛି । ଶ୍ରୀ ଅମରନାଥଙ୍କ ଯାତ୍ରା ଏଠାକାର ବିବିଧ ସଂସ୍କୃତି ଏବଂ ଯାତ୍ରୀଙ୍କ ସହିତ ସ୍ଥାନୀୟ ଲୋକମାନଙ୍କର ସହଯୋଗର ପ୍ରମୁଖ ଉଦାହରଣ ବୋଲି ସେ କହିଥିଲେ । ସେ ଆହୁରି କହିଥିଲେ ଯେ, ଯାତ୍ରାକୁ ସୁବିଧାଜନକ କରିବା ଏବଂ ଯାତ୍ରୀମାନଙ୍କ ଲାଗି ଉନ୍ନତ ପଥପ୍ରାନ୍ତ ସୁବିଧା ଯୋଗାଇ ଦେବାକୁ ଅନେକଗୁଡ଼ିଏ ପଦକ୍ଷେପ ନିଆଯାଇଛି । ଚଳିତ ବର୍ଷର ତୀର୍ଥଯାତ୍ରାକୁ ସଫଳ କରିବା ଲାଗି ଯଥାସମ୍ଭବ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ।

ଯାତ୍ରା ପାଇଁ ପଞ୍ଜୀକରଣ ଠାରୁ ଆରମ୍ଭ କରି ଯାତ୍ରା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁ ପ୍ରକ୍ରିୟାର ବ୍ୟାପକ ପ୍ରଚାରପ୍ରସାର ନିମନ୍ତେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଶ୍ରୀ ବିକ୍ରମ ସହାୟ ବିଭିନ୍ନ ଗଣମାଧ୍ୟମ ୟୁନିଟଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ । ସେ ଆହୁରି କହିଥିଲେ ଯେ, ଜମ୍ମୁ ଓ କଶ୍ମୀରର ସକାରାତ୍ମକ ପରିବେଶ ଲୋକଲୋଚନକୁ ଆଣିବାର ଆବଶ୍ୟକତା ରହିଛି  ଯାହାକି ଯାତ୍ରା ସମ୍ପର୍କରେ ରହିଥିବା ସବୁ ସନ୍ଦେହ ଦୂର କରିବ ।

ଚଳିତ ବର୍ଷର ଯାତ୍ରା ସମ୍ପର୍କରେ ଅଧିକରୁ ଅଧିକ ସୂଚନା ପ୍ରସାରିତ କରାଯିବା ପାଇଁ ପଦକ୍ଷେପ ନିଆଯିବ ଯାହାକି ସବୁଦୃଷ୍ଟିରୁ ଯାତ୍ରୀଙ୍କ ପାଇଁ ସହାୟକ ହେବ ବୋଲି ଆକାଶବାଣୀର ପ୍ରମୁଖ ମହାନିର୍ଦ୍ଦେଶକ (ନ୍ୟୁଜ) ଏନ. ଭି. ରେଡ୍ଡୀ, ଦୂରଦର୍ଶନର ମହାନିର୍ଦ୍ଦେଶକ ଶ୍ରୀ ମୟଙ୍କ ଅଗ୍ରୱାଲ ମତବ୍ୟକ୍ତ କରିଥିଲେ । ଯାତ୍ରା ସମ୍ପର୍କରେ ବ୍ୟାପକ ପ୍ରଚାରପ୍ରସାର କରାଯିବା ନେଇ ଦୁଇ ଗଣମାଧ୍ୟମ ୟୁନିଟ୍‌ ମୁଖ୍ୟ ଏହି ଅବସରରେ ଆଶ୍ୱାସନା ଦେଇଥିଲେ । ଜମ୍ମୁ ଓ କଶ୍ମୀରରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଜାତୀୟ ସ୍ତରରେ ଏବଂ ଆଞ୍ଚଳିକ ଭାଷାରେ ବ୍ୟାପକ ପ୍ରଚାର କରିବା ଲାଗି ଗଣମାଧ୍ୟମ ୟୁନିଟ୍‌ଗୁଡ଼ିକ ପଦକ୍ଷେପ ଗ୍ରହଣ କରିବେ ବୋଲି ସେମାନେ ଗୁରୁତ୍ୱାରୋପ କରି କହିଥିଲେ ।

ଶ୍ରୀ ଅମରନାଥଙ୍କ ଶ୍ରାଇନ୍‌ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ନୀତିଶ୍ୱର କୁମାର ଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ । ସେ କହିଥିଲେ ଯେ ଚଳିତ ବର୍ଷ ଯାତ୍ରାରେ ଦୁଇ ଗୁଣା ଯାତ୍ରୀ ଆସିବାର ସମ୍ଭାବନା ରହିଛି । ଯାତ୍ରାକୁ ସଫଳ କରିବା ଲାଗି ଆମେ ମଧ୍ୟ ଦୁଇଗୁଣା ପ୍ରସ୍ତୁତି କରିଛୁ । ଯାତ୍ରୀଙ୍କ ପାଇଁ  ବିଭିନ୍ନ ସମୟରେ ଜାରି ହେଉଥିବା ମାର୍ଗଦର୍ଶିକା ସମ୍ପର୍କରେ ଖବର ପ୍ରସାରଣ କରିବା ଲାଗି ସେ ଗଣମାଧ୍ୟମ ୟୁନିଟ୍‌ ମାନଙ୍କୁ ଅନୁରୋଧ କରିଥିଲେ । ସେ ଆହୁରି କହିଥିଲେ ଯେ ତୀର୍ଥ ଯାତ୍ରୀମାନଙ୍କର ଉପସ୍ଥିତି ବିଷୟରେ ସୂଚନା ସଂଗ୍ରହ କରିବା ଲାଗି ଚଳିତ ବର୍ଷ ରେଡିଓ ଫ୍ରିକୁଏନ୍ସି ଆଇଡେଣ୍ଟିଫିକେସନ (ଆରଏଫଆଇଟି) ଟ୍ୟାଗ ବ୍ୟବହାର କରାଯିବ । ସେ ଜୋର ଦେଇ କହିଥିଲେ ଯେ ଯାତ୍ରାକୁ ନେଇ ରହିଥିବା ଭ୍ରାନ୍ତ ଧାରଣା ଦୂର କରାଯିବାର ଆବଶ୍ୟକତା ରହିଛି ।

ତୀର୍ଥଯାତ୍ରା ସମ୍ପର୍କରେ ବ୍ୟାପକ ପ୍ରଚାର କରାଯିବ ବୋଲି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ବରିଷ୍ଠ ଅଧିକାରୀମାନେ କେନ୍ଦ୍ର ଶାସିତ ପ୍ରଦେଶ ପ୍ରଶାସନକୁ ଆଶ୍ୱାସନା ଦେଇଥିଲେ ଏବଂ ଚଳିତ ବର୍ଷ ସାରା ଦେଶରେ ଯାତ୍ରାକୁ ନେଇ ଚର୍ଚ୍ଚା ହେବ ବୋଲି ସେମାନେ କହିଥିଲେ ।

କଶ୍ମୀର ଡିଭିଜନାଲ କମିଶନର, ଜମ୍ମୁ ଡିଭିଜନାଲ କମିଶନର, ଗନ୍ଦେରବାଲ୍‌ର ଡେପୁଟୀ କମିଶନର, ଅନନ୍ତନାଗ ଡେପୁଟୀ କମିଶନର ଏବଂ ସୁରକ୍ଷା ଓ ପ୍ରଶାସନ ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀମାନେ ମଧ୍ୟ ବୈଠକରେ ଯୋଗ ଦେଇଥିଲେ ।