Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଉଦଘାଟିତ ହେଲା ଜାତୀୟ ହସ୍ତତନ୍ତ ମେଳା, ୧୩୪ଟି ଷ୍ଟଲରେ ରହିଛି ଭଳିକି ଭଳି ବସ୍ତ୍ର

ଭୁବନେଶ୍ବର, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ‘ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା’ ଉଦଘାଟନ କରିଛନ୍ତି । ଏହି ଉଦ୍‌ଘାଟନୀ ଉତ୍ସବରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସାଧାରଣ ଉଦ୍ୟୋଗ, ସମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ କମିଶନର ତଥା ଶାସନ ସଚିବ ଶୁଭା ଶର୍ମା ଯୋଗଦେଇଥିଲେ ।

ବୟନିକା ଦ୍ୱାରା ଇଡ଼୍‌କୋ ପ୍ରଦର୍ଶନୀ ପଡ଼ିଆରେଏହି ମେଳାର ଆୟୋଜନ କରାଯାଇଛି । ଏହି ‘ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା’ ଫେବୃଆରୀ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ମେଳାରେ ୧୩୪ଟି ଷ୍ଟଲ ଖୋଲାଯାଇଛି । ଏଥି ମଧ୍ୟରୁ ୮୪ଟି ଷ୍ଟଲ ଓଡ଼ିଶାର ବିଭିନ୍ନ ହସ୍ତତନ୍ତ ସଂସ୍ଥା ଓ ସମିତିମାନଙ୍କ ପାଇଁ ଉଦ୍ଦିଷ୍ଟ । ବାକି ୫୦ଟି ଷ୍ଟଲ ଅନ୍ୟ ରାଜ୍ୟର ଅଂଶଗ୍ରହଣକାରୀ ସଂସ୍ଥାଙ୍କୁ ଆବଣ୍ଟନ କରାଯାଇଛି ।

ଏହି ମେଳାରେ ଉତ୍ତର ପ୍ରଦେଶ, ଜାମ୍ମୁ ଓ କାଶ୍ମୀର, ରାଜସ୍ଥାନ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଝାରଖଣ୍ଡ, ଆନ୍ଧ୍ର ପ୍ରଦେଶ, ପଣ୍ଡିଚେରୀ, ତାମିଲନାଡ଼ୁ, କର୍ଣ୍ଣାଟକ, ଉତ୍ତରାଖଣ୍ଡ, ହରିୟାନା ଏବଂ ଓଡ଼ିଶାର ପ୍ରାୟ ୮୪ ସଂସ୍ଥା ଓ ସମିତି ଅଂଶଗ୍ରହଣ କରି ସେମାନଙ୍କର ବିଭିନ୍ନ ହସ୍ତତନ୍ତ ବସ୍ତ୍ର ଓ ପରିଧାନକୁ ପ୍ରଦର୍ଶିତ କରିବା ସହ ବିକ୍ରି କରିବେ ।

ଏହି ପ୍ରଦର୍ଶନୀରେ ଓଡ଼ିଶାର ବାନ୍ଧବସ୍ତ୍ର ସହ ପଶ୍ଚିମବଙ୍ଗର ଜାମଦାନି ଓ ଟାଙ୍ଗାଇଲ୍‌, ଗୁଜୁରାଟର ପଟୋଲା,ଲକ୍ଷ୍ନୌର ଚିକେନ କାରୀ, ଜାମ୍ମୁ କାଶ୍ମୀରର ପଶ୍ମିନା-ସାଲ, ତାମିଲନାଡ଼ୁର କାଞ୍ଜିବରମ ପାଟଶାଢ଼ି, ଦିଲ୍ଲୀ, ହରିୟାନାର ଫର୍ନିସିଙ୍ଗ ବସ୍ତ୍ର, ପଞ୍ଜାବର କମ୍ବଳ ଓ କର୍ଣ୍ଣାଟକର ସିଲ୍କ ଶାଢ଼ି ଆଦି ପ୍ରଦର୍ଶିତ କରାଯାଇଛି।

ଏହି ମେଳା ପ୍ରତ୍ୟହ ଦିନ ୧୧.୩୦ରୁ ରାତି ୯.୩୦ ପର୍ଯ୍ୟନ୍ତ ଚାଲିବ । ଏହି ମେଳାରେ ଓଡ଼ିଶାର ପ୍ରତ୍ୟେକ ଷ୍ଟଲରେ ପ୍ରତ୍ୟେକ ବସ୍ତ୍ର ବିକ୍ରି ଉପରେ ସ୍ୱତନ୍ତ୍ର ରିହାତି ଦେବାର ବ୍ୟବସ୍ଥା କରାଯାଇଛି । କୋଭିଡ୍‌ ଗାଇଡ୍‌ଲାଇନ୍‌ କଡ଼ାକଡ଼ି ପାଳନ କରିବା ପାଇଁ ସମସ୍ତ ପଦକ୍ଷେ ପ ନିଆଯାଇଛି । ସାମାଜିକ ଦୂରତା ରଖିବା ଓ ମାସ୍କ ପିନ୍ଧିବା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି । ଗତବର୍ଷ ଏହି ମେଳାରେ ୧୦ କୋଟି ଟଙ୍କାର ବ୍ୟବସାୟ ହୋଇଥିଲା । ଚଳିତ ବର୍ଷ କୋଭିଡ୍‌ କଟକଣା ସତ୍ବେ ୧୦ କୋଟିରୁ ଅଧିକ ବ୍ୟବସାୟ ହେବ ବୋଲି ଆଶା କରାଯାଉଅଛି ।