Categories
ବିଶେଷ ଖବର

କେନ୍ଦ୍ରାପଡା ଗସ୍ତରେ ୫-ଟି ସଚିବ: ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ଅନୁଧ୍ୟାନ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାମ ଅନୁଧ୍ୟାନ କରିବା ସହିତ ଏହାର ଅଗ୍ରଗତି ପାଇଁ ପଦକ୍ଷେପ ନେବାକୁ ଆବଶ୍ୟକ ପରାମର୍ଶ ଓ ନିର୍ଦ୍ଦେଶ ଦେଇଛନ୍ତି ।

ଶ୍ରୀ ପାଣ୍ଡିଆନ ଆଜି କେନ୍ଦ୍ରାପଡାର ପ୍ରସିଦ୍ଧ ବଳଦେବଜୀଉ ମନ୍ଦିର, ଗୋଲରା ହାଟସ୍ଥିତ ଦଧିବାମନ ଜିଉ ମନ୍ଦିର ଓ ରାମନଗର ଠାରେ ଥିବା ରାମଚଣ୍ଡୀ ମନ୍ଦିର ପରିଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। ବଳଦେବଜିଉ ମନ୍ଦିର ଟ୍ରଷ୍ଟବୋର୍ଡ ଓ ସେବାୟତ ମାନଙ୍କ ସହିତ ଆଲୋଚନା କରି ଏହାର ଅଧିକ ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ DPR ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଦଧିବାମନଜୀଉ ଓ ରାମଚଣ୍ଡୀ ମନ୍ଦିରର ପାରିପାର୍ଶ୍ବିକ ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ DPR ପ୍ରସ୍ତୁତ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ମହାକାଳପଡା ବ୍ଲକ୍‌ସ୍ଥିତ ଅଡୋଇଠାରେ ପ୍ରସ୍ତାବିତ Arcelor Mittal Nippon Steel Plant ଅଞ୍ଚଳ ପରିଦର୍ଶନ କରିଥିଲେ। ସେଠାରେ ବିଭିନ୍ନ ପଦାଧିକାରୀମାନଙ୍କ ସହିତ ଆଲୋଚନା କରି ପ୍ରକଳ୍ପର ପ୍ରାକ୍‌ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଥିଲେ। ଏହି କାମ ତୁରନ୍ତ ଆରମ୍ଭ କରିବାକୁ ସେ ଜିଲ୍ଲାପାଳ ଓ ପ୍ଲାଣ୍ଟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେଠାରେ ସେ ମାର୍ଶାଘାଇ-ଜମ୍ବୁ କେନାଲ ରାସ୍ତାର ପ୍ରସ୍ତାବିତ ସଂପ୍ରସାରଣ କାର୍ଯ୍ୟ ସଂପର୍କରେ ସମୀକ୍ଷା କରିଥିଲେ। ୧୧୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସେ ପରାମର୍ଶ ଦେଇଥିଲେ।

କେନ୍ଦ୍ରପଡା ସର୍କିଟ ହାଉସରେ ଶ୍ରୀ ପାଣ୍ଡିଆନ ପ୍ରାୟ ୧୩୦ଟି ନାଗରିକ ସମାଜ (ସିଭିଲ ସୋସାଇଟି) ବିଭିନ୍ନ ସଂସ୍ଥା ଓ ସଂଘ ମାନଙ୍କ ସହ ଆଲୋଚନା କରି ଜିଲ୍ଲାର ବିକାଶ ଓ ଲୋକ ମାନଙ୍କ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ। ଜିଲ୍ଲାସ୍ତରରେ ଯେଉଁସବୁ ସମସ୍ୟାର ସମାଧାନ ହୋଇପାରିବ, ତାର ତୁରନ୍ତ ସମାଧାନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ସରକାରଙ୍କ ସ୍ତରରେ ହେବାକୁ ଥିବା ସମସ୍ୟାର ସମାଧାନ ଉପଯୁକ୍ତ ପର୍ଯ୍ୟାଲୋଚନା ପରେ ପଦକ୍ଷପ ନିଆଯିବ ବୋଲି ସେ କହିଥିଲେ।

ଶ୍ରୀ ପାଣ୍ଡିଆନ ପ୍ରଥମେ କେନ୍ଦ୍ରାପଡା ଜିଲ୍ଲାର RMC Complex କୁ ଗସ୍ତ କରି ସେଠାରେ ୫୦୦ ଏମ୍‌.ଟି ବିଶିଷ୍ଟ ଶୀତଳଭଣ୍ଡାରର ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରି ଏହାକୁ ଖୁବଶୀଘ୍ର ସଂପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସେ କେନ୍ଦ୍ରାପଡା ବ୍ଲକ୍‌ ଜଜାଙ୍ଗସ୍ଥିତ ସଂକଳ୍ପ ପ୍ରକଳ୍ପ ପରିଦର୍ଶନ କରିଥିଲେ। ଏଠାରେ ଗୋଲଡେନ୍‌ ଗ୍ରାସ ହସ୍ତଶିଳ୍ପ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ଏଠାରେ ଶ୍ରୀ ପାଣ୍ଡିଆନ କାମ କରୁଥିବା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କର କାର୍ଯ୍ୟ ଓ ସୁବିଧା ଅସୁବିଧା ସଂପର୍କରେ ବୁଝିଥିଲେ। ଗୋଲଡେନ୍‌ ଗ୍ରାସରେ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀର ଉପଯୁକ୍ତ ମାର୍କେଟିଂ ପାଇଁ ପଦକ୍ଷେପ ନେବାକୁ ଏବଂ ଏହି ପ୍ରକଳ୍ପରେ ଅଧିକରୁ ଅଧିକ ସ୍ବୟଂ ସହାୟକ ଗୋଷ୍ଠୀକୁ ସାମିଲ କରିବାକୁ ସେ ହସ୍ତଶିଳ୍ପ ବିଭାଗକୁ ପରାମର୍ଶ ଦେଇଥିଲେ ।

ଏହାପରେ ଶ୍ରୀ ପାଣ୍ଡିଆନ ବଡମୂଳବସନ୍ତ ଅଞ୍ଚଳରେ ଚାଲିଥିବା ଜୟ ସଂକଟମୋଚନ ଓ ମା ଶାରଳା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ପରିଚାଳିତ ମତ୍ସ୍ୟ ଚାଷ ପ୍ରକଳ୍ପ ଅନୁଧ୍ୟାନ କରିଥିଲେ । ପ୍ରକଳ୍ପ ସହିତ ସିଧାସଳଖ ସଂଶ୍ଲିଷ୍ଟ ହୋଇ କାମକୁ ଆଗେଇ ନେବାପାଇଁ ସେ ସଦସ୍ୟା ମାନଙ୍କୁ ପରାମର୍ଶ ଦେଇଥିଲେ ।

ଏହାପରେ ୫-ଟି ସଚିବ ପଟ୍ଟାମୁଣ୍ଡାଇସ୍ଥିତ State Institute of Plumbing Technology ବୁଲି ଦେଖିଥିଲେ । ସେଠାରେ ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା କରି ପିଲାମାନେ ଯେପରି ପାସ୍‌ ହେବା ପରେ ପରେ ତୁରନ୍ତ ନିଯୁକ୍ତି ପାଇପାରିବେ, ସେ ସଂପର୍କରେ ପଦକ୍ଷେପ ନେବା ପାଇଁ ଅଧ୍ୟକ୍ଷଙ୍କୁ ପରାମର୍ଶ ଦେଇଥିଲେ । ଏହାପରେ ସେ Indoor Stadium ଓ Indoor Hall କାମ ଅନୁଧ୍ୟାନ କରି ଶୀଘ୍ର କାମ ସଂପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଥିଲେ । ଗୋଲରା ହାଟ ଠାରେ ସେ ମିଶନ ଶକ୍ତି ଅଧିନସ୍ଥ ଉତ୍କଳ ଗ୍ରାମୀଣ ଉତ୍ପାଦକ ଗୋଷ୍ଠୀ ଦ୍ବାରା ପରିଚାଳିତ Embroidery Stitching Unit ପରିଦର୍ଶନ କରିଥିଲେ । ଜିଲ୍ଲା ଓ ରାଜ୍ୟ ସ୍ତରରେ ଏହି ସାମଗ୍ରୀ ପାଇଁ ଅଧିକ ବଜାର ସୁବିଧା କରିବା ପାଇଁ ସେ ପରାମର୍ଶ ଦେବା ସହିତ ଏହି ସଂସ୍ଥା ଗୁଡିକ ଅଧିକ ସହଯୋଗ ଯୋଗାଇ ଦେବାପାଇଁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ।

ଡେରାବିଶ ବ୍ଲକ୍‌ରେ ଏକ ମିଶନ ଶକ୍ତି କେଫ ପରିଦର୍ଶନ କରି ସେଠାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କ ସହିତ ଆଲୋଚନା କରିଥିଲେ । ଲୋକଙ୍କ ଆବଶ୍ୟକତାକୁ ଦେଖି ନୂଆ ନୂଆ ପ୍ରକାରର ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରି ନିଜ ପାଇଁ ବଜାର ସୃଷ୍ଟି କରିବାରୁ ସେ ପରାମର୍ଶ ଦେଇଥିଲେ। ଡେରାବିଶରେ ସେ ପ୍ରାୟ ୬୦୦ ଜିଲ୍ଲାସ୍ତରୀୟ ଓ ବ୍ଲକ୍‌ସ୍ତରୀୟ ଓ ଗ୍ରାମପଞ୍ଚାୟତସ୍ତରୀୟ କାର୍ଯ୍ୟକର୍ତ୍ତା ମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ଲୋକଙ୍କ ପାଇଁ ଅଧିକରୁ ଅଧିକ ଜୀବିକା ସୃଷ୍ଟି କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଏ କ୍ଷେତ୍ର ପାଇଁ ଅର୍ଥର କୌଣସି ଅଭାବ ରହିବା ନାହିଁ ବୋଲି ସେ କହିଥିଲେ ।

ଏହି ପରିଦର୍ଶନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା କେନ୍ଦ୍ରାପଡା ଜିଲ୍ଲାପାଳ ଓ ବିଭିନ୍ନ ବିଭାଗର ସଂପୃକ୍ତ ଅଧିକାରୀମାନେ ଓ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ର ଅଧିକାରୀମାନେ ଉପସ୍ଥିତ ଥିଲେ ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଶ୍ରୀ ବଳଦେବଜୀଉଙ୍କ ପ୍ରଥମ ଭଜନ ଆଲ୍‌ବମ୍ “ଶିଳାବ୍ରହ୍ମ” ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ରାଧିଶ ଶ୍ରୀ ବଳଦେବଜୀଉଙ୍କ ଉପରେ ଆଧାରିତ ଭାବପୂର୍ଣ୍ଣ ପ୍ରଥମ ଭଜନ ଆଲ୍‌ବମ୍ “ଶିଳାବ୍ରହ୍ମ” ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି।
ସୋଆ ଅଧିନସ୍ଥ ‘ପ୍ରାଚୀନ’ ଆନୁକୂଲ୍ୟରେ ପ୍ରସ୍ତୁତ ଏହି ଭଜନ ଆଲ୍‌ବମ୍‌ର ଗୀତ ରଚନା ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ କରିଥିବା ବେଳେ ସଂଗୀତ ସଂଯୋଜନା କରିଛନ୍ତି କେନ୍ଦ୍ରାପଡ଼ା ବାରୁଅ ସ୍ଥିତ ଭାବଗ୍ରାହୀ କଳାନିକେତନର ପ୍ରତିଷ୍ଠାତା ବିମଳ ପ୍ରସାଦ ପରିଡା। କଣ୍ଠ ଦାନ କରିଛନ୍ତି ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ସୌରଭ ନାୟକ, କରୁଣାକର, ସୋହିନୀ ମିଶ୍ର ଏବଂ ଅନ୍ତରା ଚକ୍ରବର୍ତ୍ତୀ।

ଗୁରୁବାର ସୋଆ ମୁଖ୍ୟ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଉନ୍ମୋଚନ ଅବସରରେ ପ୍ରଫେସର ନାୟକ ଶିକ୍ଷା ଓ ଅନୁସନ୍ଧାନ ନାମର ମହତ୍ୱ ସମ୍ପର୍କରେ ମତ ରଖିବା ସହ ବର୍ତମାନ ବିଶ୍ୱବିଦ୍ୟାଳୟ ସଂସ୍କୃତି ଏବଂ ଐତିହ୍ୟ କ୍ଷେତ୍ରକୁ ନେଇ ମଧ୍ୟ ଗବେଷଣା ଆରମ୍ଭ କରିଛି ଏବଂ ଏଥି ନିମନ୍ତେ ‘ପ୍ରାଚୀନ’ ବିଭାଗ କାର୍ଯ୍ୟ କରୁଛି ବୋଲି ସୂଚନା ଦେଇଛନ୍ତି। ତେଣୁ ସଂସ୍କୃତି ଓ ଐତିହ୍ୟକୁ ଉଦ୍‌ଜୀବିତ କରି ରଖିବା ନିମନ୍ତେ ବଳଦେବଜୀଉଙ୍କ ଭଜନ ଆଲ୍‌ବମ୍ ପ୍ରସ୍ତୁତି ‘ପ୍ରାଚୀନ’ର ପ୍ରୟାସ ବୋଲି ପ୍ରଫେସର ନାୟକ ଏହି ଅବସରରେ କହିଛନ୍ତି।

ଉନ୍ମୋଚନ ଅବସରରେ ରଞ୍ଜନ କୁମାର ଦାସ ସଂଗୀତ ରଚନା ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ଏହା ଏକ ବନ୍ଧନ। ପ୍ରଭୁଙ୍କ ବନ୍ଧନ ବିନା ଏଭଳି କାର୍ଯ୍ୟ ସମ୍ଭବ ନୁହେଁ। ଆଲ୍‌ବମ୍‌ରେ ୬ଟି ଗୀତ ଥିବା ବେଳେ ଏହା ବେଶ ସ୍ମୃତି ମଧୁର ହୋଇଛି ଏବଂ ଏହି ପ୍ରଥମ ଆଲ୍‌ବମ୍‌ଟି ଶ୍ରୋତାଙ୍କ ନିକଟରେ ବେଶ ଆଦୃତ ହେବ ବୋଲି ସେ କହିଛନ୍ତି।

ଏହି ପ୍ରଥମ ଅର୍ଘ୍ୟକୁ ସୋଆ ପକ୍ଷରୁ ପ୍ରସ୍ତୁତ କରାଯାଇଥିବାରୁ ଧନ୍ୟବାଦ ଅର୍ପଣ କରିଛନ୍ତି ସଂଗୀତକାର ଶ୍ରୀ ପରିଡ଼ା।

ଏହି କାର୍ଯ୍ୟକ୍ରମରେ ପ୍ରଫେସର ନାୟକଙ୍କ ସମେତ ଶ୍ରୀ ଦାସ, ଶ୍ରୀ ପରିଡା, ଦୈନିକ ସମ୍ବାଦପତ୍ର ‘ପ୍ରମେୟ’ ଏବଂ ନ୍ୟୁଜ ଚ୍ୟାନେଲ ‘ନ୍ୟୁଜ-୭’ର ଗ୍ରୁପ୍ ଏଡିଟର୍ ଶ୍ରୀ ଗୋପାଳକୃଷ୍ଣ ମହାପାତ୍ର, ‘ନ୍ୟୁଜ-୭’ର କାର୍ଯ୍ୟକାରୀ ସଂପାଦକ ଦେବ ନାରାୟଣ ସେଠୀ, ପ୍ରମେୟର ଡିଜିଏମ୍ (ସର୍କୁଲେସନ୍‌) ଗଜେନ୍ଦ୍ର ଦାସ, ଏଜିଏମ୍ ରମାକାନ୍ତ ମଲ୍ଲିକ୍ ଏବଂ ସୋଆର ଚିଫ୍ ଭିଜିଲାନ୍ସ ଅଫିସର ତଥା ଡାଇରେକ୍ଟର ରିସୋର୍ସେସ୍ ଯୁଗଳ କିଶୋର ଦାସ ଉପସ୍ଥିତ ଥିଲେ।

ପ୍ରମେୟର ବ୍ୟୁରୋ ଚିଫ୍ ଦେବେନ୍ଦ୍ର ସୁଆର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।