Categories
ଆଞ୍ଚଳିକ

ଶ୍ରୀ ଲିଙ୍ଗରାଜ ମନ୍ଦିର ନିକଟରେ ଭକ୍ତ ଓ କାଉଡିଆମାନଙ୍କ ପାଇଁ ଜଳପାନ ଶିବିର

ଭୁବନେଶ୍ୱର: ଶ୍ରୀ ଲିଙ୍ଗରାଜ ମନ୍ଦିର ପ୍ରାଙ୍ଗଣ ନିକଟରେ ଭକ୍ତ ଓ କାଉଡିଆମାନଙ୍କ ପାଇଁ ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ଏଲିଟ ପକ୍ଷରୁ ଜଳପାନ ଓ ଖାଦ୍ୟ ଶିବିର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଅଧୀନରେ ରବିବାର ସନ୍ଧ୍ୟା ୭ଟା ଠାରୁ ଆରମ୍ଭ କରି ରାତି ସାରା ପ୍ରାୟ ୧୦୦୦ ରୁ ଅଧିକ ଭକ୍ତ ଓ କାଉଡିଆ ମାନଙ୍କୁ ଖାଦ୍ୟ ଓ ପାନୀୟ ଜଳ ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟରେ ରୋଟାରୀ ଇଣ୍ଟରନ୍ୟାସନାଲ ଡିଷ୍ଟ୍ରିକ୍ଟ ୩୨୬୨ ର ଗଭର୍ଣ୍ଣର ଜୟଶ୍ରୀ ମହାନ୍ତି, ପ୍ରଥମ ଜେଣ୍ଟେଲମ୍ୟାନ ତନ୍ମୟ ମହାନ୍ତି, ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଇଲେକ୍ଟ ଯଜ୍ଞାଶିଷ ମହାପାତ୍ର, ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ନୋମିନି ମନୋଜ କୁମାର ତ୍ରିପାଠୀଙ୍କ ସହ ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ଏଲିଟ ର ସଭାପତି ସୁବ୍ରତ କୁମାର ଦାସ, ସଚିବ ସୌରିନ୍ଦ୍ର ଦାଶ ଏବଂ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ ତଥା ଉତ୍ସାହିତ କରିଥିଲେ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

କାଉଡିଆମାନଙ୍କ ପାଇଁ ଜୀ ସାର୍ଥକ ତରଫରୁ “ବୋଲେ ବମ ସେବା ଶିବିର”

ଭୁବନେଶ୍ବର: ଶ୍ରାବଣ ମାସର ଶେଷ ସୋମବାରରେ ମାନସିକଧାରୀ ଶୈବ ଭକ୍ତ ଶିବ ଲିଙ୍ଗରେ ପାଣି ଢାଳିଛନ୍ତି। ହରହର ମହାଦେବ ନାରାରେ କମ୍ପିଛି ପରିବେଶ। ତେବେ ମହାପ୍ରଭୁ ଶିବଙ୍କ ଜଳାଭିଷେକ ଲାଗି ଶୈବପୀଠରେ କାଉଡିଆଙ୍କ ଭିଡ ଜମିଥିବା ବେଳେ ଶେଷ ପାଳିରେ ଭୁବନେଶ୍ୱର ଶ୍ରୀ ଲିଙ୍ଗରାଜ ମନ୍ଦିରରେ କାଉଡିଆ ମାନେ ଜଳାଭିଷେକ କରିଛନ୍ତି। କାଉଡିଆ ମାନଙ୍କୁ ଉତ୍ସାହିତ କରିବାକୁ ପାହାଳ ଛକ ନିକଟରେ ଜୀ ସାର୍ଥକ ତରଫରୁ ଏକ “ବୋଲ ବମ ସେବା ଶିବିର” ଆୟୋଜିତ ହୋଇଥିଲା। ଯେଉଁ ବୋଲ ବମ ଭକ୍ତ ମାନେ ଜଳାଭିଷେକ କରିବାକୁ ଯାଉଥିଲେ ସେମାନଙ୍କ ପାଇଁ ସେଠାରେ ଖାଦ୍ୟ, ପାନୀୟ ଜଳ ଓ ସ୍ନାନର ବ୍ୟବସ୍ଥା କରାଯାଇଥିଲା। ସଂନ୍ଧ୍ୟାରେ ଭଜନ କାର୍ଯ୍ୟକ୍ରମ ବି ଆୟୋଜିତ ହୋଇଥିଲା। ସାରେଗାମାପାର କଣ୍ଠଶିଳ୍ପୀ ଏବଂ ଅନ୍ୟ ଭଜନ କଣ୍ଠ ଶିଳ୍ପୀ ମାନେ ଆସି ସଂନ୍ଧ୍ୟାରେ ଶିବଙ୍କ ଭଜନ ପରିବେଷଣ କରିଥିଲେ।

ଜୀ ସାର୍ଥକ ର ଏହି ଅଭିନବ ପ୍ରୟାସରେ ଓଡିଆ ସିନେମା ଓ ଧାରାବାହିକ କଳାକାର କୁନା ତ୍ରିପାଠୀ, ପୁଷ୍ପା ପଣ୍ଡା, ପ୍ରିୟଙ୍କା ମହାପାତ୍ର, ଦେବାଶିଷ, ଦୀପକ, ଲିପ୍ସା ମିଶ୍ର, ଶୁଭାଶିଷ ଶର୍ମା, ଅଙ୍କିତ କୁମାର, ଋଷିକ ମିଶ୍ର, ହିରଣ୍ମୟୀ ଦାସ, ବାଦଲ ମହାନ୍ତି, ଦୀପିକା ତ୍ରିପାଠୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଭକ୍ତଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ସେବା କରିଥିଲେ। ତେବେ ଭକ୍ତଙ୍କ ପାଇଁ ଜୀ ସାର୍ଥକ ତରଫରୁ ଏହି ଅଭିନବ ପ୍ରୟାସକୁ ସବୁ ମହଲରେ ପ୍ରଶଂସା କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଆସିଲା ଏକାମ୍ର କ୍ଷେତ୍ର ଯୋଜନା: ଦୁଇ ଲକ୍ଷ ଲୋକ ସମବେତ ହୋଇ ଦେଖିପାରିବେ ଲିଙ୍ଗରାଜଙ୍କ ମହାଶିବରାତ୍ରୀ

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଆଜି ଏକାମ୍ରକ୍ଷେତ୍ର ଯୋଜନା ସଂପର୍କରେ ଏକ ବିସ୍ତୃତ ଉପସ୍ଥାପନା କରାଯାଇଥିଲା। ଲିଙ୍ଗରାଜ ମନ୍ଦିର ସନ୍ନିକଟ ୬୬ ଏକ ପରିମିତ ଜମି ଉପରେ ଏହି ଯୋଜନା କାର‌୍ୟ୍ୟକାରୀ ହେବାକୁ ଯାଉଛି। ଲିଙ୍ଗରାଜ ମନ୍ଦିର ଚତୁପାର୍ଶ୍ବର ଭବ୍ୟ ବିକାଶ କରାଯାଇ ଏଠାରେ ଏକ ଅଧ୍ୟାତ୍ମିକ, ଶାନ୍ତ ତଥା ଭକ୍ତି ପରିବେଶ ସୃଷ୍ଟି କରାଯାଉଛି। ପୂର୍ବରୁ ୧୦ ରୁ ୧୫ ହଜାର ଲୋକ ମନ୍ଦିର ସମ୍ମୁଖରେ ସମବେତ ହେବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏହି ନୂଆ ଯୋଜନା ପରେ ଦୁଇ ଲକ୍ଷରୁ ଅଧିକ ଲୋକ ମନ୍ଦିର ସମ୍ମୁଖରେ ସମବେତ ହୋଇ ମହାପ୍ରଭୁଙ୍କର ଶିବରାତ୍ରୀ ଉତ୍ସବରେ ସାମିଲ ହୋଇ ମହାଦୀପ ଦର୍ଶନର ଆଧ୍ୟାତ୍ମିକ ଅନୁଭବ ଲାଭ କରିପାରିବେ।

ଶିବରାତ୍ରୀ ସହିତ ଅଶୋକାଷ୍ଟମୀ ରଥଯାତ୍ରା ଏବଂ ମହାପ୍ରଭୁଙ୍କର ଅନ୍ୟ ଯାନିଯାତ୍ରା ସମୟରେ ତୀର୍ଥଯାତ୍ରୀ ପରିଚାଳନାରେ ମଧ୍ୟ ଏହା ବିଶେଷ ସହାୟକ ହେବ। ଶ୍ରାବଣ ମାସରେ ଲକ୍ଷ ଲକ୍ଷ ଲୋକ କାଉଡିଆ ଶ୍ରୀ ଲିଙ୍ଗରାଜ ମନ୍ଦିର ଆସିଥାନ୍ତି। ସେମାନେ ଯେପରି ସୁବିଧାରେ ଓ ଶୃଙ୍ଖଳିତ ଭାବରେ ମନ୍ଦିର ଯାଇ ପାଣି ଲାଗି ଓ ପୂଜା କରିପାରିବେ ସେଥିପାଇଁ ଏହି ଯୋଜନାରେ ଦୃଷ୍ଟି ଦିଆଯାଇଛି। ବିନ୍ଦୁସାଗର ସହିତ ରହିଛି ମହାପ୍ରଭୁଙ୍କର ଅନନ୍ୟ ସଂପର୍କ ଏବଂ ଏହା ଶ୍ରୀଲିଙ୍ଗରାଜ ମନ୍ଦିର ପରେ ଏକାମ୍ରକ୍ଷେତ୍ରର ଦ୍ବିତୀୟ ଆକର୍ଷଣ କେନ୍ଦ୍ର। ବିନ୍ଦୁ ବିନ୍ଦୁ ତୀର୍ଥରୁ ସୃଷ୍ଟି ହୋଇଥିବା ଏହି ପବିତ୍ର ପୁଷ୍କରିଣୀ ଏକାମ୍ରକ୍ଷେତ୍ରର ଆଧ୍ୟାତ୍ମିକ ଜୀବନର ଅନନ୍ୟ ଅଙ୍ଗ। ମହାପ୍ରଭୁଙ୍କ ବିଭିନ୍ନ ଯାନିଯାତ୍ରା ସହିତ ଏହାର ମଧ୍ୟ ସଂପର୍କ ରହିଛି ।

ଏକାମ୍ରକ୍ଷେତ୍ର ଯୋଜନାରେ ବିନ୍ଦୁସାଗରୁ ଲିଙ୍ଗରାଜ ମନ୍ଦିର ଓ ରଥଗଡା ଠାରୁ ଚଦନ ଯାତ୍ରା ତୀର୍ଥଯାତ୍ରୀ ମାନେ ସିଧା ଦେଖିପାରିବେ। ଲିଙ୍ଗରାଜ ମନ୍ଦିର ଓ ବିନ୍ଦୁସାଗର ମଧ୍ୟରେ ଥିବା ବିନ୍ଧ୍ୟବାସିନୀ, ଭବାନୀଶଙ୍କର, ଶୁକଶାରୀ ଏବଂ ମୋହିନୀ ଆଦି ମନ୍ଦିର ମଧ୍ୟ ଯାତ୍ରୀମାନେ ଦେଖି ପାରିବେ। ଐତିହାସିକ ଦଲିଲରୁ ଜଣାଯାଏ ଯେ ୩୫୦ ବର୍ଷ ପୂର୍ବେ ଲିଙ୍ଗରାଜ ମନ୍ଦିର ରଥଗଡାଠାରୁ ବିନ୍ଦୁସାଗର ପର‌୍ୟ୍ୟନ୍ତ କେବଳ ମନ୍ଦିର ହିଁ ଥିଲା । ଅନ୍ୟ କୌଣସି ସ୍ଥାୟୀ ନିର୍ମାଣ ନ ଥିଲା। ୩୫୦ ବର୍ଷ ପରେ ଲିଙ୍ଗରାଜ ମନ୍ଦିର ଓ ବିନ୍ଦୁସାଗର ନୂଆ ରୂପ ନେବାକୁ ଯାଉଛି।

ଏକାମ୍ର ଯୋଜନାରେ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବିକାଶ, Orientation Centre, Parking, Food Plaza, ଭଜନ ମଣ୍ଡପ ସହିତ ଐତିହ୍ୟ ପୁଷ୍କରିଣୀର ପୁନରୁଦ୍ଧାର, କେଦାରଗୌରୀ ପୁଷ୍କରିଣୀର ଜଳନିଷ୍କାସନ ବ୍ୟବସ୍ଥା, ଏକାମ୍ରବାସୀଙ୍କର ସୁବିଧା, ପରିବହନ ବ୍ୟବସ୍ଥା, ଜଳ ନଷ୍କାସନ, ବର୍ଜ୍ୟବସ୍ତୁ ନିଷ୍କାସନ ଆଦି ବିଭିନ୍ନ ବିଷୟ ଉପରେ ଧ୍ୟାନ ଦିଆଯାଇ ପ୍ରସ୍ତୁତ କରାଯାଇଛି।

ଅନନ୍ୟ କାରୁକାର‌୍ୟ୍ୟ ସୁଶୋଭିତ ମନ୍ଦିର, ଐତିହ୍ୟ ନଗରୀ ଭୁବନେଶ୍ବରର ଗରିମାକୁ ଆହୁରି ବୃଦ୍ଧି କରିବା ସହିତ UNESCOର ବିଶ୍ବ ଐତିହ୍ୟସ୍ଥଳ ତାଲିକାରେ ଭୁବନେଶ୍ବରକୁ ସ୍ଥାନିତ କରିବା ପାଇଁ ଦାବୀକୁ ଅଧିକ ମଜବୁତ କରିବ ବୋଲି ଆଶା କରାଯାଏ। ପୁରୀ ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ପରେ ଏକାମ୍ରକ୍ଷେତ୍ର ଯୋଜନା ହେଉଛି ରାଜ୍ୟ ସରକାରଙ୍କର ୫-ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ।

ଏକାମ୍ରକ୍ଷେତ୍ରର ସାଂସ୍କୃତିକ ଐତିହ୍ୟର ଅନ୍ୟତମ ଆକର୍ଷଣ, ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରୀ, ଅଶୋକାଷ୍ଟମୀ ରଥଯାତ୍ରା ଓ ଶୀତଳ ଷଷ୍ଠୀକୁ National Calender of Festivals ସ୍ଥାନିତ ପାଇଁ ପଦକ୍ଷେପ ନିଆଯିବ। ଏହି କାଯ୍ୟ ଏକ ବର୍ଷ ମଧ୍ୟରେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆଲୋଚନାରେ ଅଂଶଗ୍ରହଣ କରି ସୁଚିନ୍ତିତ ମତାମତ ରଖିଥିଲେ। ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ୍ ଆଲୋଚନାକୁ ସଂଯୋଜନା କରିଥଲେ।