Categories
ଆଞ୍ଚଳିକ

ବାଲୁଗାଁ: ଶ୍ରୀ ଶ୍ରୀ ଉମାମହେଶ୍ୱର ଦେବଙ୍କ ମନ୍ଦିରରୁ ଚୋରି, ପୋଲିସର ତଦନ୍ତ ଜାରି

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଉମାମହେଶ୍ୱର ଦେବଙ୍କ ମନ୍ଦିରରୁ ଚୋରି ହୋଇଥିବା ଖବର ହସ୍ତଗତ ହୋଇଛି। ଗତକାଲି ବିଳମ୍ବିତ ରାତ୍ରିରେ କୌଣସି ଦୁର୍ବୁତ୍ତ ମନ୍ଦିରର ଭିତର ହୁଣ୍ଡିରୁ ସମସ୍ତ ଦାନ ଅର୍ଥ ଲୁଟିନେଇଥିବା ଜଣାପଡିଛି।

ମନ୍ଦିର କମିଟି ଅବଗତ ହେବାପରେ ଆଜି ବାଲୁଗାଁ ଥାନାରେ ଏ ନେଇ ଏତଲା ଦିଆଯାଇଛି। ଏତଲା ପାଇବା ପରେ ବାଲୁଗାଁ ପୋଲିସ ସଙ୍ଗେସଙ୍ଗେ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଦେଇଛି। ତେବେ ଖୁବ ଶୀଘ୍ର ଅଭିଯୁକ୍ତ ଗିରଫ ହେବ ବୋଲି ଆଇଆଇସି ଜୟପ୍ରକାଶ ପରିଡ଼ା କହିଛନ୍ତି।

Categories
ଆଞ୍ଚଳିକ

ଶ୍ରୀ ଶ୍ରୀ ଉମାମହେଶ୍ୱର ଦେବଙ୍କ ପୀଠରେ ଅଷ୍ଟଶମ୍ଭୁ ମିଳନ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଚିଲିକା ବ୍ଲକ ଅନ୍ତର୍ଗତ ବାଲୁଗାଁ ଅଞ୍ଚଳର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ଉମାମହେଶ୍ୱର ଦେବଙ୍କ ପୀଠରେ ଅଷ୍ଟଶମ୍ଭୁ ମିଳନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପବିତ୍ର ମହାବିଷୁବ ସଂକ୍ରାନ୍ତି ପରିପ୍ରେକ୍ଷୀରେ ଉମାମହେଶ୍ୱର ଦେବଙ୍କ ପୀଠରେ ଗତ ସାନ୍ଧ୍ୟ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ମଧ୍ୟ ରାତ୍ରିରୁ ପାଟପଟୁଆର, ବାଜା ରୋଷଣୀରେ ଆଖପାଖ ଅଞ୍ଚଳର ୧୬ ଦେବା ଦେବୀଙ୍କ ବିଜେ ପ୍ରତିମାମାନଙ୍କ ଆଗମନ ହୋଇ ଆସ୍ଥାନ ବିରାଜମାନ କରିଥିଲେ।

ପ୍ରାତଃ କାଳରେ ସକାଳ ଭୋଗ, ମଧ୍ୟାହ୍ନରେ ମଧ୍ୟାହ୍ନ ଭୋଗ କରାଯିବା ସହ ଅପରାହ୍ନରେ ହୋମ ପୂର୍ଣ୍ଣାହୁତି ହୋଇଥିଲା। ପୂର୍ଣ୍ଣାହୁତି ପରେ ସମସ୍ତ ବିଜେ ପ୍ରତିମା ଦେବା ଦେବୀଙ୍କ ନିକଟରେ ମେଳଣ ଭୋଗ ଲାଗି ହେବାପରେ ମେଳଣ ପର୍ବ ଅନୁଷ୍ଠିତ ହୋଇଥିଲା।

ବାବା ଉମାମହେଶ୍ୱର ଦେବଙ୍କ ଅପାର କରୁଣା ତଥା ଅଞ୍ଚଳର ପ୍ରତ୍ୟକ୍ଷ ଶୈବପୀଠ ହୋଇଥିବାରୁ ଆଖପାଖ ଅଞ୍ଚଳର ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା। ଯାହାକି ପୀଠରେ ଏକତ୍ରିତ ଭାବେ ଦେବା ଦେବୀଙ୍କ ଦର୍ଶନ ପାଇବାର ସାନିଧ୍ୟ ଲାଭ କରିଥିବା ବେଳେ ପ୍ରଭୁଙ୍କ କରୁଣା ଓ ଆଶୀର୍ବାଦ ଭିକ୍ଷା କରିଥିଲେ ଶ୍ରଦ୍ଧାଳୁ ଗଣ।

ଅନୁଷ୍ଠିତ ଶମ୍ଭୁମିଳନ ମହୋତ୍ସବରେ ଉମାମହେଶ୍ୱର ଦେବଙ୍କ ପୀଠରେ ଆଖପାଖ ଅଞ୍ଚଳର ନିମନ୍ତ୍ରିତ ଦେବା ଦେବୀ ଏକତ୍ରିତ ହୋଇଥିଲେ। ଏହି ମେଳଣ ପର୍ବରେ ଶ୍ରୀ ଶ୍ରୀ ଉମାମହେଶ୍ୱର ଦେବଙ୍କ ନିମନ୍ତ୍ରଣ କ୍ରମେ ଗବପଦର ବିଜେ ଶ୍ରୀ ଶ୍ରୀ ରାମେଶ୍ୱର ଦେବ, ବାଙ୍କନିଧି ଦେବ, ସିଙ୍ଗେଶ୍ୱର ବିଜେ ଶ୍ରୀ ଶ୍ରୀ ସିଂହନାଥ ଦେବ, ନିମିକ୍ଷେତା ବିଜେ ଶ୍ରୀ ଶ୍ରୀ ନିଳକଣ୍ଠେଶ୍ୱର ଦେବ, ଦୋଳମୁଣ୍ଡାଇ ବିଜେ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ଦେବ, ବଡ଼କୁଳ ବିଜେ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଦେବ, ମଙ୍ଗରାଜପୁର ବିଜେ ଶ୍ରୀ ଶ୍ରୀ ଗତିଶ୍ୱର ଦେବ, ରଘୁନାଥପୁର ବିଜେ ଶ୍ରୀ ଶ୍ରୀ ଗୁପ୍ତେଶ୍ଵର ଦେବ, ସାନ୍ତରାପୁର ବିଜେ ଶ୍ରୀ ଶ୍ରୀ ଦଧିବମାନ ଦେବ, ପାଟଣା ସାହି ବିଜେ ଶ୍ରୀ ଶ୍ରୀ ଗୋପାଳଜୀଉ ଦେବ, ବାଲୁଗାଁ ବିଜେ ଶ୍ରୀ ଶ୍ରୀ ରଘୁନାଥ ଦେବ, କୁଲାକୁଣ୍ଢେଇ ବିଜେ ଶ୍ରୀ ଶ୍ରୀ ରାଧାଗୋବିନ୍ଦ ଦେବ, ପାଟଣା ସାହି ମା ଜାଗୁଳାଇ ଠାକୁରାଣୀ, ଗୁଣ୍ଡୁରିପୁର ମା ଜାଗୁଳାଇ ଠାକୁରାଣୀ, ବାଲୁଗାଁ ମା ଚଣ୍ଡୀ ଠାକୁରାଣୀଙ୍କ ବିଜେ ପ୍ରତିମା ବିମାନ ମାନ ସାମିଲ ହୋଇଥିଲେ।

ମେଳଣ ପଡିଆ ଠାରେ ସୁରୁଖୁରୁରେ ମେଳଣ ପର୍ବ ସରିଥିବା ବେଳେ ଲୋକଙ୍କ ଭିଡ଼କୁ ନିୟନ୍ତ୍ରିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ମନ୍ଦିର ଟ୍ରଷ୍ଟି, କମିଟି ସଦସ୍ୟ ଏବଂ ଆଖପାଖ ଅଞ୍ଚଳବାସୀମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଊମାମହେଶ୍ୱର ମନ୍ଦିର ପରିଚାଳନା କମିଟିକୁ ବିରୋଧ: ଆନ୍ଦୋଳନ ଲାଗି ଏକାଠି ହେଲେ ଶତାଧିକ ଜନତା

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଅପରାହ୍ନରେ ବାଲୁଗାଁ ଉମାମହେଶ୍ୱର ବଣିକ ସଙ୍ଘ ପରିସରରେ ଅଠର ଖଣ୍ଡ ମୌଜାର ଶତାଧିକ ଜନତା ଶ୍ରୀ ଶ୍ରୀ ଉମାମହେଶ୍ୱର ଦେବଙ୍କ ସୁରକ୍ଷା ନେଇ ବିଶାଳ ଜନ ଆନ୍ଦୋଳନ କରିଛନ୍ତି। ଏଥିନିମନ୍ତେ ସମାଜସେବୀ ପ୍ରସାଦ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏହି ଅଠର ଖଣ୍ଡ ମୌଜା ତଥା ଏନ୍ଏସିର ପୁରୁଖା ବ୍ୟକ୍ତି ବିଶେଷଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ସୂଚନା ମୁତାବକ ଗତ ୧୧ ତାରିଖରେ ନୂଆ ପରିଚାଳନା କମିଟି ଗଠନ ପାଇଁ ନିର୍ଦ୍ଦେଶ ଥିବା ଯୋଗୁଁ ସେଠାରେ ନୂତନ କରି ୯ ଜଣିଆ କମିଟି ଗଠନ ହୋଇଥିଲା। ଉକ୍ତ କମିଟିରେ ୯ ଜଣ କମିଟି ମେମ୍ବର ଥିବାବେଳେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସଭାପତି ଭାବେ ମନୋନୀତ କରାଯାଇଥିଲା। ମାତ୍ର ସାଧାରଣ ଜନତା ତଥା ବୁଦ୍ଧିଜୀବୀ ମହଲ ଏହି କମିଟିକୁ ଗ୍ରହଣ କରିପାରୁନଥିବାରୁ ମନ୍ଦିର ପରିସରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଇଥିଲା।ଏପରିକି ଆଗକୁ କୌଣସି ଅପ୍ରୀତିକର ପରିସ୍ଥିତି ହେବାର ଆଶଙ୍କା କରି ପୋଲିସ ୧୪୪ ଧାରା ଲାଗୁ କରିଥିଲା। ଯାହାଫଳରେ ମନ୍ଦିର ପ୍ରାଙ୍ଗଣରେ ୫ ଜଣ ରୁ ଅଧିକ ଭକ୍ତଙ୍କ ସମାଗମ ଉପରେ ରୋକ ଲାଗିବା ସହ ଅଦ୍ୟାବଧି ୧୪୪ ଧାରା ବଳବତ୍ତର ରହିଛି।ଯେଉଁଥିପାଇଁ ଶ୍ରଦ୍ଧାଳୁମାନେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ତେବେ ଏହାକୁ ନେଇ ଆଜି ବାଲୁଗାଁ ସଚେତନ ନାଗରିକ ମଞ୍ଚର ଆହ୍ୱାନ କ୍ରମେ ଅଠର ଖଣ୍ଡ ମୌଜାର ସାଧାରଣ ଜନତା ଦୃଢ଼ ବିରୋଧ କରିଛନ୍ତି ଏବଂ “ଶ୍ରୀ ଶ୍ରୀ ଉମାମହେଶ୍ୱରଦେବ ସୁରକ୍ଷା ମଞ୍ଚ” ଗଠନ କରାଯାଇ ଏହା ମାଧ୍ୟମରେ ଆନ୍ଦୋଳନକୁ ତୀବ୍ର କରିବାକୁ ନିଷ୍ପତ୍ତି ନେଇଛନ୍ତି। ନିକଟ ଭବିଷ୍ୟତରେ ଏହି ନୂତନ କମିଟିକୁ ରଦ୍ଦ କରି ସୁରକ୍ଷା ମଞ୍ଚ ପରାମର୍ଶରେ ଏକ ନୂତନ ପରିଚାଳନା କମିଟି ଗଠନ କରିବା ପାଇଁ ଦେବୋତ୍ତର କମିଶନରଙ୍କୁ ଅନୁରୋଧ କରାଯିବାକୁ ସ୍ଥିରିକୃତ କରାଯାଇଥିବା ବେଳେ ଆଗାମି ଦିନରେ କିପରି ମନ୍ଦିର ପରିଚାଳନା ସୁରୁଖୁରୁରେ ହେବ ତାହାକୁ ନେଇ ବିସ୍ତ୍ରୁତ ଆଲୋଚନା କରାଯାଇଛି।