Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ଊମାମହେଶ୍ୱର ଟ୍ରଷ୍ଟ ବୋର୍ଡରେ ଚିଲିକା ବିଧାୟକଙ୍କ ସଭ୍ଯପଦକୁ ବିରୋଧ, ଲାଗିଲା ୧୪୪ ଧାରା

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ସନ୍ଧ୍ୟାରେ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ ଦ୍ଵାରା ବାଲୁଗାଁସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ଉମାମହେଶ୍ୱର ଦେବଙ୍କ ପୀଠରେ ୧୪୪ ଧାରା ଲାଗୁ କରାଯାଇଛି। ଆଗକୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରି ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଏବଂ ଥାନା ଆଇଆଇସି ରମାକାନ୍ତ ମାହାଲିକଙ୍କ ଅନୁରୋଧକ୍ରମେ ଉକ୍ତ ପୀଠରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି।

ଖବରରୁ ଜଣାପଡିଛି ଯେ, ଓଡିଶା ଦେବୋତ୍ତର ବିଭାଗ ତରଫରୁ ନୂଆ ପରିଚାଳନା କମିଟି ଗଠନ ପାଇଁ ନିର୍ଦ୍ଦେଶ ଥିବା ଯୋଗୁଁ ସେଠାରେ ନୂତନ କରି କମିଟି ଗଠନ ହୋଇଥିବାର ଖବର ମିଳିଛି। ଉକ୍ତ ୯ ଜଣିଆ କମିଟିରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସଭ୍ଯ କରାଯାଇଥିଲା। କିନ୍ତୁ ସାଧାରଣ ଜନତା ବିଧାୟକଙ୍କୁ ସଭ୍ଯ ଭାବେ ଗ୍ରହଣ କରିପାରୁନଥିବାରୁ ମନ୍ଦିରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଇଥିଲା।

ଆଗକୁ କୌଣସି ଅପ୍ରୀତିକର ପରିସ୍ଥିତି ହେବାର ଆଶଙ୍କା କରି ପୋଲିସ ୧୪୪ ଧାରା ଲାଗୁ କରିଛି। ଯାହାଫଳରେ ମନ୍ଦିର ପ୍ରାଙ୍ଗଣରେ ୫ ଜଣ ରୁ ଅଧିକ ଲୋକଙ୍କ ସମାଗମ ହେବା ଉପରେ ରୋକ ଲାଗିବା ଫଳରେ ସାଧାରଣରେ ଭୃକୁଂଚନ ସୃଷ୍ଟି ହୋଇଛି।

ଏନେଇ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପ୍ରତିକ୍ରିୟା ନେବା ପାଇଁ ଆମ ପ୍ରତିନିଧି ପ୍ରୟାସ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ। କିନ୍ତୁ ଏବିଷୟରେ ପୂର୍ବତନ ଚିଲିକା ବିଧାୟକ ରଘୁନାଥ ସାହୁଙ୍କୁ ଯୋଗାଯୋଗ କରିବାରୁ ୧୫ ଖଣ୍ଡ ଗ୍ରାମକୁ ନେଇ ଉକ୍ତ ମନ୍ଦିରର ପରିଚାଳନା କମିଟି ଗଠନ ହୋଇଆସୁଥିବାର ସେ କହିଛନ୍ତି। ତେବେ ଚଳିତ ବର୍ଷ କମିଟି ଗଠନ ନିମନ୍ତେ ଦେବୋତ୍ତର ବିଭାଗର ଜାରି କରିଥିବା ସଭ୍ୟ ମାନଙ୍କ ସୂଚୀକୁ ସ୍ଥାନୀୟ ଜନସାଧାରଣ ଆପତ୍ତି ଦର୍ଶାଇ ଅନ୍ୟାନ ସଦସ୍ୟଙ୍କ ନାମକୁ ଅନୁମୋଦନ ନିମନ୍ତେ ଚଳିତ ବର୍ଷ ସେପ୍ଟେମ୍ବର ୭ ତାରିଖରେ ଦେବୋତ୍ତର ବିଭାଗକୁ ଦରଖାସ୍ତ ଦେଇଥିଲେ।

କିନ୍ତୁ ଦେବୋତ୍ତର ବିଭାଗ ଅଭିଯୋଗର ତଦନ୍ତ ନକରି ତାଙ୍କ ପ୍ରସ୍ତାବିତ ପୂର୍ବ ସୂଚୀକୁ ଅନୁମୋଦନ ପାଇଁ ସରକାରଙ୍କୁ ପଠାଇଥିଲେ। ଯାହାଦ୍ୱାରା ସରକାର ନୂତନ ଟ୍ରଷ୍ଟ ବୋର୍ଡ ଗଠନ ପାଇଁ ନିର୍ଦ୍ଦେଶନାମା ଜାରି କରିଥିଲେ। ତେବେ ଉକ୍ତ ଚିଠାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ନାମ ଥିବାରୁ ସ୍ଥାନୀୟ ଜନସାଧାରଣ ଏହାକୁ ବିରୋଧ କରିଥିଲେ।

ବିଧାୟକ ଯେହେତୁ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ନୁହନ୍ତି ଏବଂ ସେ ଜନପ୍ରତିନିଧି, ତେଣୁ ସେ କିପରି ଟ୍ରଷ୍ଟ ବୋର୍ଡର ସଭାପତି ହୋଇପାରିବେ ବୋଲି ସ୍ଥାନୀୟ ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି।